ରଜତ କୁମାର ମିଶ୍ର
ସେମିତି ସମୟରେ
ତୁରୀ-ଭେରୀ କମ୍ପିଗଲେ ପ୍ରାଣ ଉଡ଼େ ତୁଙ୍ଗ ଶିଖରକୁ
ଶାଣଦିଆ ଶର ପରି, ଶବ୍ଦଙ୍କ ସେ ଅମାନିଆ ସେନା
ପାଟହାତୀ ଶୁଣ୍ଢ ତୋଳେ, ବଙ୍କା ତେଢ଼ା ପ୍ରଶ୍ନବାଚୀ ପରି
ମୃଦଙ୍ଗର ଧିମିଂ ଧିମିଂରେ ଅଣାୟତ୍ତ ହୁଏ ଶମ୍ଭୁଙ୍କ ତାଣ୍ଡବ
ରାଗିଣୀ ମାନେ ନାଚନ୍ତି
ଝାଞ୍ଜ ଖଡ଼ତାଲର ହାତ ଧରି, ଇସ୍ପାତର ଝଂନ୍ଝଂନାହଟ୍ କୁ କାନଡ଼େରି |
ଏତେ ହୋମାଗ୍ନି ଥିଲେବି ଥାଏ, ଧାରେ ଦୀପର ରୋଶଣି
ବୈଦୁର୍ଯ୍ୟ ମକୁଟ ନଇଁ ନିଉଛାଳି ହୁଏ
କାନ ଡେରିଥାଏ, ଶୁଣିବାକୁ ସିନ୍ଦୂରିତ ପଥରରୁ ଆଦେଶର ଭାଷା|
ସେମିତି ସମୟରେ
ଅବୋଲକରା ହାତରେ ବି ଶୁଭ ଘଣ୍ଟ ବାଜିଗଲେ
ଚହଟି ଯାଏ, ମାଳତୀ ପରି ସରଳ, ବଜ୍ରମଲ୍ଲୀ ପରି ଧୁଆସଜ ଧ୍ବନି
ଇଚ୍ଛାହୁଏ, ହଜାରେ ସନ୍ଧ୍ୟାତାରାଙ୍କୁ ସମର୍ପି ଦେବାକୁ ତା ପାଦ ତଳେ
ଯାର ଅଭଡ଼ା ସାଙ୍ଗେ ମିଳେ ଏତେଗୁଡ଼ିଏ ଶବ୍ଦର ସାଲାଡ଼୍ !
0 Response to "ନିମିତ୍ୟ"
Post a Comment