ମାୟା

ମାୟା

ରାଜକିଶୋର ଦାସ

କେହି ଜଣେ କହିଥିଲେ
ଦୁଇଟି ନିଆଁର ସମାହାର ଦୁନିଆ
କେବେ ଏନ୍ତୁଡ଼ି କେବେ
ଚିତାର ରଡ଼ ନିଆଁ |

ଏବେ କିନ୍ତୁ ଜାଣି ହେଲାଣି
ଅଲଗା ଅଲଗା ଦୁଇଟି ଦୁନିଆ ହିଁ ଦୁଇ ଦୁନିଆ
ଗୋଟିଏ ତମର, ଗୋଟିଏ ମୋର |

ଏଠି ସମସ୍ତେ ଜାଣି ଗଲେଣି
ମୁଁ ଗୋଟାପଣେ ତମର
ସକାଳୁ ସଞ୍ଜଯାଏ

ତମ କଥା ହିଁ ଭାବି ହେଉଥାଏ
ଜପି ହେଉଥାଏ
ତୁମ ଦୁନିଆରେ ତୁମେ ଖୁସି ?

କାଳେ ତୁମେ ଖାଇବାକୁ ମଣୋହି
ଶୋଇବାକୁ ପହୁଡ଼
ପ୍ରେମେଇବାକୁ ରାହାସ କୁହାଯାଏ |

ତୁମର ଖୁବ୍ସୁନ୍ଦର ଆଖି ଅଛି
ସତରେ ଭାରି ସୁନ୍ଦର,
କିନ୍ତୁ, ମୋର ସନ୍ଦେହ
ସେ ଆଖିରେ ତମେ ଦେଖିପାର କି, ନପାର !

କେତେ ବିଲିବିଲା, ଆବୁଡ଼ା ଖାବୁଡ଼ା
ସାରା କାନ୍ଭାସ୍
ତୁମର ହିଁ ଚିତ୍ର ଆଉ ଚିତ୍ର  |

ତୁମ ଓଠ ଭାରି ରୋମାଣ୍ଟିକ୍
କେଜାଣି ତମେ କଥା କହି ଶିଖିଛକି ନାହିଁ
ଗୋଟିଏ ଶବ୍ଦର ଉଚ୍ଚାରଣ ଶୁଣି ନାହିଁ କେବେ

ହସ କଥା ଛାଡ଼ !

ଏବେ ମୋର ଘୋର ସନ୍ଦେହ
ତୁମ କାନକୁ ବି ଶୁଭୁଛିକି ନାହିଁ,
ଝାଞ୍ଜ, ଢୋଲକିର ସିମ୍ଫୋନିରେ
ଅଝଡ଼ା ନୀରବତାରେ
ତୁମ ନାଁ କେତେଥର ଧରିଛି
ଥରେ ବି ମୋ ଆଡ଼େ ଚାହିଁନ ?

ତଥାପି ସେମାନେ କହନ୍ତି
ସାରା ବଜାର, ସାରା ସହର ତୁମର
ଏମିତିକି
ମୋର ଇହ ଆଉ ପରକାଳ |

ସେଦିନ ତମ ସହ
ମନ୍ଦିରରେ ଦେଖା ହେଇଗଲା ଯେ
ତୁମେ ବେଶ୍ଅଚିହ୍ନା ମଣିଲ ?

ରାଜରାସ୍ତାରେ ଗଲାବେଳେ
ସମୁଦ୍ର କୂଳେ ଦୂରଠୁ ଦୂରକୁ
ଚାହିଁ ରହିଲାବେଳେ
ତମେ ମୋ ସାଙ୍ଗରେ ଥାଇ ବି ଥିଲ |

ଦେଖ ମୋ ଦୁନିଆ
କେତେ ମାୟାରେ ଘେରା,
କେହି ନାହିଁ, କେହି ନାହିଁ
ସତରେ କେହି ନାହିଁ,
ତଥାପି ହୁଲ୍ସ୍ଥୁଲ୍ଚୈତନ୍ୟ
ସମ୍ମୋହନରୁ ଗଭୀର ସମ୍ମୋହନ  |

 

0 Response to "ମାୟା"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel