ରବି କାନୁନ୍ଗୋ
ଚଲା ବଉଦର ରୂପ ପ୍ରୀତିମୟ ମନର ବଉଦ କଳା |
ପ୍ରେମର ବଉଦ ଡରି ଡରି ଘୂରେ ଇଚ୍ଛାର ବଉଦ ମେଲା |
ଆଶାର ଶବଦ ସୁନ୍ଦରତର ସତର ଶବଦ ଶୁଭ |
ଗୀତର ଶବଦ ମଣିଷର ଭାଷା ମନର ଶବଦ ଭାବ||
ପୀରତି ନୀରବ ରତି କଳରବ ଚାନ୍ଦ ଚରିତ ନଷ୍ଟ |
ମାଇପ କଟାଳ ଡଉଲଡାଉଲ ମା’ କଥା କଷ୍ଟ ||
ଛଳନାର ଛବି ଛାପଛାପିକା ଲୋ ନିରିମାଖୀ ରଙ୍ଗ ଗୋରା |
ଅହି ସୁଲକ୍ଷଣୀ ଅପରଛନିଆ ପରନାରୀ ଦିଶେ ତୋରା||
ମିଛ ସଜାଡ଼ିବା ଅଡ଼ୁଆ ସୂତା ଲୋ ସତ ମନେ ରହେ ଛାଆଁ |
ହଜିବାକୁ ସିନା ମନଟିଏ ଲୋଡ଼ା ଲୁଚିଲେ ଦୁଶେ ନାଁ ||
ଗୋଟିଏ ପଦରେ ହୃଦ ପୁରିଯାଏ ଆର ପଦେ ମରେ ଅଧା |
ପଥ ଚାଲୁଥାଏ ଅଙ୍କାବଙ୍କା ହୋଇ ପଥିକ ଚାଲଇ ସିଧା||
ଆନଉଳି ସୋଗ ସାବତ ମା’ର-ମା ଦେଖାଏନି ସୋଗ |
ଠାକୁରଙ୍କୁ ଦେଖି ଚିହ୍ନି ତ ପାରୁନା ଅସୁର ହାବୁଡ଼ୁ ଆଗ||
ବିଗତ ପ୍ରେମିକା ଭେଟଘାଟ ହେଲେ କେ କାହାକୁ ଭାବେ ଦୋଷୀ |
ଓଠ ଥରୁଥାଏ ମନ ଝୁରୁଥାଏ ଆଖି କଥା କହେ ବେଶି||
ଆଲୁଅ ଛାଇର ମଧୁଚନ୍ଦ୍ରିକା ବିତାନ ତଳେ ତ ସିଏ |
ଦଗ୍ଧ କଳିକା ଅଙ୍ଗାର ତଳୁ ଫୁଲ ଫୁଟେଇବ କିଏ||
0 Response to "ଆଲୁଅ ଛାଇ"
Post a Comment