କ୍ଷେତ୍ରବାସୀ

କ୍ଷେତ୍ରବାସୀ

କ୍ଷେତ୍ରବାସୀ

 ବିପ୍ର ଆଚାର୍ଯ୍ୟ

ଅଝଟିଆ ଶଇଶବ ଏବେ ବି ଜଗିଚି
କେଶପୁର ରେଳଷ୍ଟେସନରେ|
ଓଡ଼ିଶା ଯିବ, ଜେଜେ ମାକାନି ଧରି
କ୍ଷେତ୍ରବାସୀ ହେବ|
କଉଶଳେ କାନି ଛଡ଼ାଇ
ମାଆ ପଳେଇଲା, ମାଛ ଗାଡ଼ିରେ|

ଛୁକ୍ଛୁକ୍କୋଇଲା ଇଞ୍ଜିନ୍
କଳାଧୂଆଁ ତାସ୍ବପ୍ନିଳ ଆଖିରେ ଭରିଦେଇ
କାହିଁ କେତେଦୂର ଶୂନ୍ୟରେ ମିଳେଇ ଗଲା|

ଚିଲିକାର କୁନି କୁନି ଲହରୀରେ
ହଲି ହଲି ହଜିଗଲା,
ତୁଳସୀ ଚଉଁରା ମୂଳୁ
ବୋଉ ମୋର ଆଖିବୁଜି ଦେଖୁଥିବା
ପ୍ରଜ୍ବଳିତ ନୀଳଚ଼କ୍ର,
କୋଟି ଭକ୍ତର ପାଦଧୂଳି ଧୂସରିତ
ବାଇଶି ପାହାଚ଼,
ଗରୁଡ଼ ଗଛରୁ
ହସି ହସି ଡାକୁଥିବା, ଶ୍ବେତ ପଦ୍ମନେତ୍ର|

ଯଉବନ ଜଳିଗଲା

ଭୁବନେଶ୍ବରର ମହାଶ୍ମଶାନରେ|
ନିଶ ଗଜୁରିବା ବେଳେ,
ଖଣ୍ଡିଆଭୁତଟେ ହୋଇ ଘୁରୁଥିଲା
ୟୁନିଟ୍ ନଗରରେ
ଜଳୁଥିବା କୃଷ୍ଣଚୁଡ଼ା ଫୁଲର ଗାଲରେ|
ବାଣୀବିହାରରୁ କେଦାରଗୌରୀ
କପିଳପ୍ରସାଦ ଠାରୁ ଶିଖରଚ଼ଣ୍ଡି
ଧାଉଁଥିଲା ଭଙ୍ଗା ସାଇକଲ୍
ହ୍ୟାଣ୍ଡଲ୍ମୁଣିରେ ଜାକି
ନିତ୍ସେ, କାଫକା, ଝଙ୍କାର, ଦିଗନ୍ତ,
ଶୁଖିଲା ପ୍ରେମର ଚାଲୁ ଚା
ଖଣ୍ଡିଆ ବିଡ଼ିର ଧାସ,
ପୁରୁଣା ବସ୍ଷ୍ଟାଣ୍ଡର ନାଲି ଧୂଳିରେ
ଉଡୁଥିଲେ ସଚ୍ଚି ରାଉତରା,
ରମାକାନ୍ତ ରଥ, ଦେବଦାସ, ହରଦାସ|

ଦୂର ଗାଁ ମଫସଲେ ନୀଳଚକ୍ର ଭାଳି ଭାଳି
ବୋଉର ଉଜ୍ଜ୍ବଳ ଆଖି ଶେତା ପଡ଼ିଗଲା,
ତାଓଡ଼ିଶା କ୍ରମେ କ୍ରମେ
ନାଳ ନର୍ଦ୍ଦମାରେ ଭର୍ତ୍ତି ପୁରି ହୋଇଗଲା
ଏବଂ ହାସ ପରିହାସେ, ସିଂହଦ୍ବାରେ କ୍ଷେତ୍ରବାସୀ ସ୍ବପ୍ନ
ଖଣ୍ଡଗିରି ଅନ୍ଧାରି ଗୁମ୍ଫାରେ ଦୀର୍ଘଶ୍ବାସେ ଗୋପୀ ହୋଇଗଲା,
ହଠାତ୍ଶିଶୁପାଳଗଡ଼ର ଇତିହାସ ପୃଷ୍ଠାରୁ
ହୁଁ କାର ଉଠି ଆସିଲା ବୀରଦର୍ପେ ନୂଆ କ୍ୟାପିଟାଲ୍‌|
ଶୁଣାଗଲା ଗଗନ ମଣ୍ଡଳୁ ଆଉ ଏକ

କଳିଙ୍ଗ ଯୁଦ୍ଧର ଥାଟ ପଟୁଆର|

ଗାଁ ଦାଣ୍ଡ ପଦା ହେଲା,
ନୂଆଁଣିଆ ଚାଳଘର ଉଲାରି ବିଦାରି
ନଭଶ୍ଚୁମ୍ଭି ଅଟ୍ଟାଳିକା ଅଟ୍ଟହାସ୍ୟେ
ଧଉଳିର ଶାୟିତ ବୁଦ୍ଧ ଥରହର ହେଲା,
ଲିଙ୍ଗରାଜ ଚୁଡ଼ା ଲାଜେଇ ଲାଜେଇ
କଙ୍କ୍ରିଟ୍ଜଙ୍ଗଲର ଗହଳିରେ ଦିଶୁନାହିଁ,
କେଉଁଠି ଲୁଚିଲା|

ଚିକ୍ଚିକ୍କରୁଥିବା ଚଉଡ଼ା ରାସ୍ତାରେ
ଶିମିଳି ତୁଳା ପ୍ରାୟେ ଉଡ଼ିବୁଲିଲେ ଆଇକନ୍ଗାଡ଼ି
ଆଉ ଆଇଟି ଡଲାର|
ବର୍ଷାପାଣି ରକ୍ତ ହୋଇ ଉଛୁଳିଲା
ଇସ୍କନ ମନ୍ଦିରେ, ସୁପାରି, ଫିକ୍ସିଂ ଭଳି ଶବ୍ଦମାନେ
ହସି ହସି ଗଡୁଥିଲେ, କାତି କୁରାଢ଼ିରେ
ଅବା ଗୁଳି ବନ୍ଧୁକରେ|

ଏତେ ଧାଁ ଧପଡ଼ରେ
ଆଉ ବେଳ କାହିଁ
ସିଂହଦ୍ବାରେ କ୍ଷେତ୍ରବାସୀ ପାଇଁ ?

କେବେ କେବେ ବେଳ ଅବେଳରେ
ଚକାଡ଼ୋଳା ମନେପଡ଼େ ବଡ଼ ବିକଳରେ|
ଛାତି ଧଡ଼ ଧଡ଼ ବେଳେ
ଦେହହାତ ଝିମିଝିମି ଲାଗେ,
ଅଣଚାଷ ବୋହୁଥାଏ
କାନମୁଣ୍ଡା ଶୁଭେ ଝାଇଁ ଝାଇଁ|

ବାନାବାନ୍ଧେ, ଦୀପଜାଳେ, ଭୋଗରାଗ ଦାନଧର୍ମ କରେ
ବଟବୃକ୍ଷେ ସୂତା ବାନ୍ଧେ, ଦୁଷ୍ଟଗ୍ରହ ଶାନ୍ତ ହେବା ପାଇଁ
ତମର ମୁରୁକି ହସ, ଦେଖି ନଦେଖିଲା ପରି
ତଥାପି ତଥାପି ଧାଉଁଥାଏ ପଡ଼ିଉଠି
ଆଉ ଦୁଇଥର ଜାଗା ମାଡ଼ିବସି
ପୁଣି ଧଇଁ ପେଲିବାର ପାଇଁ|

ଏବେ ଏବେ ବସିଅଛି, ମୁଣ୍ଡପୋତି ଏକା ଏକା
ଋଷିକୂଲ୍ୟା ଦକ୍ଷିଣ କୂଳରେ,
ମ୍ଳାନ ସୂର୍ଯ୍ୟ ଅସ୍ତଯାଏ କେରାଣ୍ଡିମାଳ ପାହାଡ଼ ପଛରେ|
କାହିଁଗଲେ ଏବେ ପାର୍ଶ୍ବଚ଼ର,
କାହିଁଗଲା ଆଗର ପଛର ଗହଳି,
କାହିଁଗଲେ ସାଙ୍ଗ ସାଥୀ, ଦାରା ସୋଦର
ପୁତ୍ରକନ୍ୟା ମାନଙ୍କର ମେଳି|

ଏବେ ଆଉ ଦୃଶ୍ୟ ହେଉନାହିଁ,
କ୍ୟାପିଟାଲ୍ବଡ଼ପଣର ଛୋଟଲୋକ
ଗାଁ ଗହଳିର ଟାଉଟରି ମୂର୍ଖ ରାଜନୀତି|

ଆଖି ବୁଜିଲେ ଦିଶୁଚ ତମେ|
ତମର ସେ ତେଜୀୟାନ ନୀଳଚ଼କ୍ର|
କେଉଁକାଳୁ ଛିଣ୍ଡାଇଛି ଭାବରାଜ୍ୟେ
ତମର ସେ କରୁଣାର ଡୋରି
ଆଉ କି ମିଳିବ ଜାଗା ସିଂହଦ୍ବାର ଗହଳିରେ
ଏତେ ଟିକେ କ୍ଷେତ୍ରବାସୀ ପାଇଁ|

 

 

0 Response to "କ୍ଷେତ୍ରବାସୀ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel