ଅଶୋକ ଚନ୍ଦ୍ର ମହାପାତ୍ର
ଅତିରଞ୍ଜିତ ଅଭିନୟ ଯୋଗୁଁ
ବହିର୍ଭୂତ ମୁଁ ମଞ୍ଚରୁ
ମନୋରମ ଶବ୍ଦ ପଛରେ
ଗୋଲ୍ଗୋଲ୍ କଥା ଉହାଡ଼ରେ
ଲୁଚାଇ ରଖିଥିବା ଛଳନାର ବାରୁଦ
ବିସ୍ଫୋରଣରେ ନିଜର ହିଁ ଅପମୃତ୍ୟୁ
ଅତିରଞ୍ଜିତ ଅଭିନୟ ଯୋଗୁଁ
ମୁଁ ମଞ୍ଚ ବହିର୍ଭୂତ
ଛାତି ତଳେ ଚପାଇ ଆବେଗର ଜ୍ବାଳା
ନିରୁଦ୍ବିଗ୍ନ ଉଚ୍ଚାରଣ ବେଳେ
କେତେ ଅସହାୟ ମଣିଷ, ଯଦି
ଅନେକ ଅଭ୍ୟାସ ପରେ ବି
କହିଥିବା କଥାଟିର ଅର୍ଥ
ବାହାରିଯାଏ ହାତ ମୁଠାରୁ
ବଦଳିଯାଏ କୁହାଯାଇଥିବା ଉଦ୍ଦେଶ୍ୟରୁ
ଶବ୍ଦର ତୀକ୍ଷ୍ଣତା ଯୋଗୁଁ ହିଁ
କେହି କଥା ପଦକରେ
ମରିବା ନିଷ୍ପତ୍ତି କରେ ତ
ଆପଣାର କଥା ପଦେ ଶୁଣି
କିଏ ପୁଣି ବଞ୍ଚିବାକୁ ଚାହେଁ
ଜୀବନର ଶେଷ ସମୟରେ
ମୋର ଥିଲା ସାଧାସିଧା
ଅଭିନୟ, ଏକ ପାର୍ଶ୍ବ ଚରିତ୍ରର
ଶବ୍ଦର ମୁକୁଟ ପିନ୍ଧି
ହାତରେ ଧରି ଶବ୍ଦ ତରବାରି
ଅତିରଞ୍ଜିତ ଅଭିନୟ ଯୋଗୁଁ
ଶେଷରେ ମୁଁ ବହିର୍ଭୂତ ମଞ୍ଚରୁ
0 Response to "ଅଭିନୟ"
Post a Comment