ସୁଶାନ୍ତ ଦାଶ
ମାଛ ଭର୍ତ୍ତି ଏକ୍ବିରମ୍କୁ ଦେଖିଲେ
ମନେପଡ଼େ ସତେ ଯେମିତି
ଏମିତି ହିଁ ମୋର ଭାଗ୍ୟ|
ମାଛଟି କିପରି ଛଟପଟ ହୁଏ
ନିଜ ପରିଧିରେ, ଯେତେଥର
ଚେଷ୍ଟାକରେ ମୁକୁଳିବାକୁ
ଅଧିକ ବାଟ ଯିବାକୁ
ଆଘାତ ଖାଉଥାଏ କାଚ଼ରେ
କଷ୍ଟଭୋଗେ, ପୁଣି ଫେରିଆସେ
ନିଜ ଯାଗାକୁ|
ଚିନ୍ତାକରେ ନିଜର ପରିଧି,
ନିଜର ଅସ୍ତିତ୍ବ ନିଜର ସ୍ଥିତି,
ପୁଣି ଅଟକି ଯାଏ
ମାଛଟି ଯେଉଁଠି ସେଇଠି|
ଖେଳନା ପାଇଁ ପୁଅ ମୋର
ଜିଦ୍ଧରେ, ଅଝଟ ହୁଏ, ଦୁଷ୍ଟାମି କରେ|
ପୁଅରେ, ତୁ ବୋଧେ ଜାଣିନୁ
ମୁଁ ଗୋଟେ ଏକ୍ବିରମ୍ର ମାଛ
ମୋ ପରିଧି ଛୋଟ,
ବେରୋଜ୍ଗାର ଅନାଟନ ଅଭାବ ମୋ ପରିଧି
ତୁ ଖେଳନା ପାଇଁ ଅଝଟ ହେଲେ
ମୁଁ କଣ କରିବି,
ମୋ ଅସମର୍ଥତାକୁ
ତୁ ଥରେ ବୁଝିବାକୁ ଚେଷ୍ଟାକରେ|
ମୁଠାଏ ଡାଲି ଭାତ
ପୁଣି ଔଷଧ ପୋଷାକ ପାଇଁ
ଅସମର୍ଥ ତୋ ବାପା
ଆଲୁଅ ନଥିବା ଘର
ଇସ୍ତ୍ରି ନଥିବା ପୋଷାକ
ଚମଡ଼ା ଛଡ଼ା ଜୋତା
ବାରମ୍ବାର ସିଲା ହେଉଥିବା
ପୁରୁଣା ଛତା,
ଏ ସବୁତ ତୋ ବାପାର
ସର୍ବସ୍ବ|
ପୁଅରେ ତୋ ଖେଳନା
ମୋ ପାଇଁ ସବୁବେଳେ
ଅପହଞ୍ଚ,
ତୁ ଆସ୍ତେ ଆସ୍ତେ ବୁଝିଯିବୁ
ମୋର ସବୁ ଦୁଃଖ, କଷ୍ଟ
ଆଉ ଅସହାୟ
ତୁ ପରା ମୋର କୁନି ଦୁଷ୍ଟପୁଅ|
0 Response to "ପୁଅ ପାଇଁ ସବୁଗୀତ"
Post a Comment