ରାସ୍ତା ଦୁଇପାଦ

ରାସ୍ତା ଦୁଇପାଦ

ରାସ୍ତା ଦୁଇପାଦ

 ତ୍ରିନାଥ ସିଂହ

ଅନନ୍ତ ଯାଏଁ ଲମ୍ବିଛି ଏଇ ରାସ୍ତା    l
ତହିଁରୁ କେବଳ ଚାରିପାଦ ଆମର ଆୟୁଷ୍କାଳ
ଯେ, ସେତକ ବି ଚାଲିହେଲାନି ଠିକ୍ଭାବେ    l

କେତେ ସହଜ ଥିଲା କୁହ
ଜହ୍ନଗୀତ ଗୁଣୁଗୁଣେଇ ଗୁଣୁଗୁଣେଇ
ବୁଟଭଜା ଗୋଟେ ଗୋଟେ ପାଟିରେ ପକେଇ ପକେଇ

ଅପରିଚିତ ରାତିର ଅନ୍ୟମନସ୍କ ମୋରମ୍ରାସ୍ତାକୁ ବି
ପାରି ହେଇଯିବା
କେତେ ସହଜ ଥିଲା
ଅଥଚ ଦୁଇପାଦ ବି ଚାଲିହେଲାନି ଠିକ୍ଭାବେ    l

ରାସ୍ତାସାରା
ଭଙ୍ଗାଡ଼େଣା,ରକ୍ତଛିଟା ଲାଗିଥିବା ଅହଙ୍କାର
କୀଟଦ୍ରଂଷ୍ଟ ସମ୍ପର୍କର ସାପକାତିରେ ଭର୍ତ୍ତି

ଖାଲଖମା    l

ରାସ୍ତାସାରା
ଆମର ପଚିଶଢ଼ି ଯାଇଥିବା ଶ୍ବାସପ୍ରଶ୍ବାସର
ପୂତିଗନ୍ଧମୟ ଅସ୍ମିତା    l

ଯାହାକୁ ଆଡ଼େଇ ତଡ଼େଇ ବାଟ ଚାଲୁଚାଲୁ
ମେରୁମଣ୍ଡଳରେ ତରଳି ସାରିଲାଣି ବରଫ
କଣା ପକେଟ୍ଦେଇ ଗଳି ସାରିଲାଣି ସବୁ
ବୁଟଭଜା    l

ଟିକିଏ ବି ବେଳ ମିଳିଲାନି କୋଉଠି
ଜହ୍ନ ସାଙ୍ଗରେ ପଦେ କଥା ହେଇଯିବାକୁ
ପବନ ସାଙ୍ଗରେ ମିଶି ପଦେ ଗୀତ ଗାଇଦେବାକୁ
କି ଦୂର ଜଙ୍ଗଲର ବାତିନି ନେଇ ଉଡ଼ିଆସୁଥିବା
ଶାଳଫୁଲର ମଥା ସାଉଁଳି ଦେବାକୁ    l

ବାଟ ଖର୍ଚ୍ଚକୁ ମିଳିଥିଲା ଯୋଉ ଦୁଇଅଣା
ତାବି ଲାଗିଲାନି କୋଉ କାମକୁ    l

 

0 Response to "ରାସ୍ତା ଦୁଇପାଦ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel