ପ୍ରଭାତ ନଳିନୀ ସାହୁ
ପାହାଡ଼ ସେପାଖୁ ଉଇଁ ଆସେ ରବି
ନାଲିଆ ମୁରୁଜ ବୁଣି,
ହମ୍ବାରଡ଼ି ଶୁଭେ ଗାଈ ଗୁହାଳରୁ
ଶୁଭେ ପକ୍ଷୀର କାକଳି | ୧ |
ପାହାନ୍ତି ପହରର କୁମ୍ଭାଟୁଆ ଡାକ
ଭାଙ୍ଗେ ଭୁଆସୁଣୀ ନିଦ,
ବାସି ପାଇଟି ତା’ ସଅଳ ସାରିକି
ନଈକୁ ଗାଧୋଇ ଯିବ | ୨ |
ଲୁଚି ଲୁଚି ଯାଏ ଫୁକିଆ ତାରାଟି
ଲିଭି ଲିଭି ଯାଏ ଜ୍ୟୋତ୍ସ୍ନା,
ସୁଲୁ ସୁଲୁ ବାଆ ବହି ଯାଉଥାଏ
ଆକାଶେ ହସେ ନୀଳିମା | ୩ |
ପତର ଗହଳୁ ଭାସି ଭାସି ଆସେ
ଗଙ୍ଗଶିଉଳି ବାସନା,
ନିମିଷକ ପାଇଁ ଆସେ ସେ ଧରାକୁ
ତଥାପି ନୁହେଁ ହୀନମନା | ୪ |
କ୍ଷଣିକ ଜୀବନ ଅନେକ ସପନ
ଦୋଳୁଛି ପତ୍ର ଗହଳେ,
ଖିଲି ଖିଲି ହସେ ବାସ ବହି ଆସେ
ହାରି ନାହିଁ ସେ ଜୀବନେ | ୫ |
‘ବ୍ରାହ୍ମଣୀ’ ନଈଟି କୁଳୁକୁଳୁ ବହେ
ପଠାରେ ଶିବ ମନ୍ଦିର,
ଲକ୍ଷ୍ମୀ ଠାକୁରାଣୀ ବିଷ୍ଣୁଙ୍କ ଘରଣୀ
ଆଶିଷ ଢାଳନ୍ତି ସତ୍ବର | ୬ |
ଗାଁଆ ରୂପ ମୋର କେତେ ଯେ ନିଜର
କହି ନ ପାରେ ଭାଷାରେ,
ସପନେ ଦେଖୁଛି ବହୁଦୂରୁ ଥାଇ
ପ୍ରଣତି ଜଣାଏ ଦୂରେ | ୭ |
0 Response to "ମୋ ଗାଆଁ"
Post a Comment