କିଶୋରୀକିଙ୍କର ଦାସ
ଯେଉଁଠି ବାଜେନି ଚୁଡ଼ି
ସେ ଘର, ଘର ନୁହେଁ ନର୍କ
ଯେଉଁଠି ଶୁଭେନି ଚୁଡ଼ିର ରୁଣୁଝୁଣୁ ଗୀତ
ସେ ଘର, ଘର ନୁହେଁ
ମନେ ହୁଏ ସତେ ଯେମିତି
ଏକ ନିର୍ଜ୍ଜନ ଦ୍ବୀପର କରୁଣ ବିଳାପ !
ମାଛି ଅନ୍ଧାରରୁ ସିନ୍ଦୂରା ଫାଟିବା ଆଗରୁ
ଆରମ୍ଭ ହୁଏ ଚୁଡ଼ିର କର୍ତ୍ତବ୍ୟ,
ସଜ ଗୋବର ପାଣିରେ
ଚୁଡ଼ିର ଜଳ ତରଙ୍ଗର ବାଦ୍ୟ
ଏକ ଭିନ୍ନ ଅନୁଭବ
ଜଳ ତରଙ୍ଗର ତାଳେ ତାଳେ ଚୁଡ଼ି ଗାଏ
ଶୁଦ୍ଧ ଭାବନା ଓ ସୁସ୍ଥ ପରିବେଶର ଗୀତ
କାଚରେ ଗଢ଼ା ଚୁଡ଼ିର ଗୀତ ଶୁଣି
ବିଚରା ଲାଜେଇ ଯାଏ ହାତର ସୁବର୍ଣ୍ଣ କଙ୍କଣ
ଚୁଡ଼ି ହୁଏ ଧନ୍ୟ, କର୍ତ୍ତବ୍ୟର ଗୀତ ଗାଇ ଗାଇ|
ରୋଷ ଘରେ ଚୁଡ଼ିର ଗୀତ ନିଆରା
ସ୍ବାଦିଷ୍ଟ ବ୍ୟଞ୍ଜନର ମହମହ ବାସ୍ନା ଠାରୁ
ଖାସ୍ ଲାଗେ ଚୁଡ଼ିର ସଙ୍ଗୀତ
ରାତିର ପାହାନ୍ତ ପ୍ରହରରୁ ବିଳମ୍ବିତ ରାତି ଯାଏଁ
ଚୁଡ଼ି କେବେ ହୁଏ ନାହିଁ କ୍ଲାନ୍ତ
ଚୁଡ଼ିର ବିରାମ ନାହିଁ ସାରା ଜୀବନରେ
ଚୁଡ଼ିଟି ନୀରବ ହୁଏ କ୍ଷଣିକ ପାଇଁ
ସଭିଏଁ ଶୋଇଗଲା ପରେ|
0 Response to "ଚୁଡ଼ି"
Post a Comment