ଦୁର୍ଗା ପ୍ରସାଦ ପଣ୍ଡା
ଗାରପକା ରଫ୍ଖାତା ପୃଷ୍ଠାରେ
ଶାନ୍ତ, ସୁଧାର ରେଳଗାଡ଼ିଟିଏ ପରି
ଶବ୍ଦର ଅନେକ ଡବାନେଇ
ଠିଆହୋଇଥିବା ବାକ୍ୟଟିଏ
ହଠାତ୍ ଧାଇଁବାକୁ ଆରମ୍ଭ କରେ
ପାଗଳ ପରି ତୀବ୍ର ବେଗରେ,
ବ୍ୟାକରଣ ଆଉ ଅଭିଧାନର
ସମାନ୍ତରାଳ ଲୁହାଧାରଣା ଉପରେ
ନାଲିବତୀର ଆକଟକୁ ବେଖାତିର କରି
କମା, ପୂର୍ଣ୍ଣଛେଦ, ବିସ୍ମୟଚିହ୍ନ ଆଦିର
ସିଗ୍ନାଲ୍ ଖୁଣ୍ଟକୁ ଧ୍ବସ୍ତବିଧ୍ବସ୍ତ କରି
ଅଟକେଇବାକୁ ଆସୁଥିବା ପ୍ରଶ୍ନଚିହ୍ନମାନଙ୍କୁ
ଜୋର୍ରେ ଧକ୍କା ଦେଇ
ସବୁ ବନ୍ଧନୀର ବାଧାକୁ ଭାଙ୍ଗି ଚୁର୍ମାର୍ କରି
ମାଡ଼ିଚାଲିଥାଏ ପ୍ରବଳବେଗରେ ଆଗକୁ ଆଗକୁ
ଆଉ ମଞ୍ଜଥରା ଶବ୍ଦକରି ଧୂଳି ଉଡ଼େଇ
ପରିଶେଷରେ ଲାଇନଚ୍ୟୁତ ହେଇଯାଏ
ନିଜର ପ୍ରକୃତ ଅର୍ଥ ଖୋଜିବାକୁ ଯାଇ !
0 Response to "ବିଦ୍ରୋହ"
Post a Comment