ଅମରେନ୍ଦ୍ର ଖଟୁଆ
ଶବଦଜାଲର ଅସମର୍ଥ ସମୟ ଇ
ଗଢୁଥାଏ
ଆଖି ନ ପାଉଥିବା
ଇଲାକାରେ
ସ୍ବପ୍ନଙ୍କୁ ଜନ୍ମ ଦେବାରେ
ବିତାଉଥିବାର
ଜୀବନ|
ବନ୍ଦ ହଉ ଆଖି,
ଡୋଳାରେ ନାଚୁ ଶୂନ୍ୟତାର
ଘଞ୍ଚ ନୀଳ,
ପତାରେ ନ ପହଞ୍ଚୁ
ବିରଳ ଚିତ୍ର|
ଆଖିର କ’ଣ ଯାଏ
ଅନ୍ଧ ସମୟର ନ ସରୁଥିବାରେ
ନା ଆଲୋକିତ ନିର୍ବାସନରେ|
ସବୁବେଳେ
ଅନ୍ବେଷଣର ମାୟା ଦେଖେଇ
ପେଟ ଉପରେ
ଭୋକର ପ୍ରଜାପତି ଉଡ଼ାଏ|
ନୀଳ ଶୂନ୍ୟତାରେ
ଦୁଃସମୟର ଗୁଣୁଗୁଣୁ ଗୀତ ଛାଡ଼େ|
ଓ ପାଖରେ ନ ଥାଏ
ଆବେଗର ଆଉଁଶା ଭଳି|
ପୁଣି ଶବଦଙ୍କ କୋଠରିରେ
ପକେଇରଖେ
ଅସଜ କଳଗାଉଣାକୁ ସ୍ବପ୍ନର
ମଲା ଗୀତ ଶୁଣାଇ|
ଛାତ ଉପରେ ଏକଲା ବୁଢ଼ିଆଣୀଙ୍କ
କ୍ୟାଲେଣ୍ଡର ଝୁଲାଏ
ଭୟ ନ ଥାଇ
ବଞ୍ଚିବାକୁ ଡରୁଥିବାରେ|
ଆଖି ଖୋଲା ଥାଇ ବି ନ ଥାଏ
ଆଖପାଖର
ଜୀବିତ ଆଲୋଡ଼ନରେ|
କୋଳାହଳ ଫେରିଯାଉଥାଏ
ପୁଣି ଆଚମ୍ବିତ ଅସ୍ବୀକାରରେ, ସେ
ପାଖର ଖଣ୍ଡିଆ ସ୍ମୃତି ପାଖକୁ|
ସ୍ମୃତିର ଟାଙ୍ଗରା ଜମିରେ
ନା ଥାଏ ଅର୍କବୁଦାଟାଏ ସ୍ବୀକାରର
ନା ଗବଗଛ ଅସ୍ବୀକାରର|
ଜୀବନ ବିତାଇବାରେ ଇ
ଗୟସ ଫୁଲ
ନ ଥାଉ ବାସ୍ନା, ବିତିଯାଉଥାଏ
ବହିଯାଉଥିବା ସହଜ ନର୍ଦ୍ଦମାର
ଫୁରୁଫୁରୁ ପାଣିରେ|
0 Response to "ଶବଦ ତର୍ପଣ"
Post a Comment