ଚିତ୍ତରଞ୍ଜନ ଓଝା
ଯା ଭାର୍ଯ୍ୟା ସର୍ବ କାଳେଷୁ ଝାଡୁ ଧାରିଣୀ ସଂସ୍ଥିତା
ନମୋ ଭାର୍ଯ୍ୟା ନମୋ ଭାର୍ଯ୍ୟା ନମୋ ଭାର୍ଯ୍ୟା ନମୋ ନମଃ |
ନମସ୍ତେ ଚରଣେ ତୋର ଆଗୋ ରଙ୍ଗବତୀ
ଦିବାନିଶି ସେବା କରେ ମୁଁ ଯେ ତୋର ପତି
ଧନ୍ୟ ଧନ୍ୟ ଧନ୍ୟ ତୁଲୋ କଞ୍ଜୁସ ଦୁଲଣୀ
ଯେତେ କହିଲେ ନ ସରିବ ତୋହର କାହାଣୀ |
ସକାଳରୁ ବିଛଣାରେ ମାରୁଥାଉ ହାଇ
ମୋର ହାତୁ ଚାହା ଖାଇ ଯାଉ ବେଗେ ଶୋଇ
ବ୍ରେକଫାଷ୍ଟ ତୋହର ଗୋ ନିତି ଲୋଡା ଅଣ୍ଡା
ସିଝାଇ ସାରିଣ ଡାକେ କାଳେ ହେବ ଥଣ୍ଡା |
ବିରକ୍ତ ହୋଇଣ ଉଠି ଯାଉ ଦାନ୍ତ ଘଷି
ଖାଇସାରି ଆଇନାର ଆଗେ ଯାଉ ବସି
ତରବର ହୋଇ ନିଜେ ମୁଁ ମିଲ୍ ବନାଏ
ଅଫିସ୍ ମୋ ଡେରି ହେବ ଘଣ୍ଟାକୁ ଅନାଏ |
ରନ୍ଧାରନ୍ଧି ସାରି ବେଗେ ଗାଧୋଇ ଆସଇ
ପୂଜାପୂଜି ପରେ ଠିଆଠିଆ ମୁଁ ଗିଳଇ
ଯଥାବେଗେ ଚାଲିଯାଏ ଅଫିସକୁ ମୋର
ତାପରେ ତୋର ଘଟଣା ମତେ ଅଗୋଚର |
ଚୌକିରେ ବସି ମୁଁ କାମ ଯେ କରଇ
ବାର ନ ବାଜୁଣୁ ପେଟ ଭୋକରେ ଜଳଇ
ସମ୍ଭାଳି ନ ପାରି ଯାଏ ପାଖ କେଣ୍ଟିନ୍ କୁ
ଟାଣ ବରା ଚଣା ଝୋଳ ମିଳେ ଖାଇବାକୁ |
ପଚାରନ୍ତି ଯଦି କିଏ ଓଝାବାବୁ ଆଣିନ ଟିଫିନ୍
ଆହା ଭୁଲି ମୁଁ ଯାଇଛି ଆଜ ମନେ ମୋ ପଡ଼ିନି
ଘରର ଗୁମର ଆଉ କହିବି କାହାକୁ
ଖାଲି ଯାହା ନିନ୍ଦୁଥାଏ ମୋହରି ଭାଗ୍ୟକୁ |
ହାଇରେ ଦଇବ ତତେ ଏତିକି କହୁଛି
ଏପରି ଭାରିଯା କାହାକୁ ନ ଦେବୁରେ ବାଛି |
ଇତି ଶ୍ରୀମଦ୍ ଭାର୍ଯ୍ୟାପୂରାଣ ପରିସମାପ୍ତଂ ନାମ ପ୍ରଥମୋଧ୍ୟାୟ ||
0 Response to "ଭାର୍ଯ୍ୟା ପୂରାଣ"
Post a Comment