କ୍ଷେତ୍ରମୋହନ ସାହୁ
ପ୍ରାତଃ ରୁ ସାୟାହ୍ନ ଯାଏଁ ଲକ୍ଷ୍ୟ ପଥରେ ଧାଇଁ ଧାଇଁ ଜୀବନକୁ ଉପଭୋଗ କରୁ କରୁ,
ସମୟ ସୁଖର ପସରା ଭରିଦେଲାବେଳେ
କେବେ କେବେ ମନକୁ ଆସେ,
କଅଣ ଭାବୁଥିବ ବୋଉ ଏକା ଏକା ଘରେ ବସି,
ମନେ ପକାଉଥିବ ଆମର ସେଇ ମୁଗ୍ଧ ଅତୀତକୁ |
ଅନେକ ସମୟରେ ଗପ ଚାଲିଥିବ, ବାପା ବୋଉଙ୍କର
ପିଲାମାନଙ୍କର ଜୀବନଚର୍ଯ୍ୟା ଓ ସମସ୍ୟାକୁ ନେଇ ;
ସତରେ, ସବୁଥିବା ଭିତରେ ଆମର ଅନୁପସ୍ଥିତି
କେତେ ଘାରୁଥିବ ସେମାନଙ୍କ ମନକୁ |
ବେଳେ ବେଳେ ଆଖିରେ ନାଚି ଉଠେ,
ଷ୍ଟେସନ୍ ରୁ ହାତ ହଲାଇ ବିଦା କଲାବେଳେ ବାପାଙ୍କ ସ୍ତବ୍ଧ ମୁହଁ,
ଆଉ ବର୍ଷିଯିବାକୁ ଅପେକ୍ଷମାଣ ବୋଉର ଏକ ମୁହଁ, ଆଖି ଦିଓଟି |
ପ୍ରତିଦିନ ଫୋନ୍ ରୁ କଥା କେଇ ପଦ ଶୁଣିବାକୁ ବୋଉର ଅପେକ୍ଷା
ପିଲାମାନେ କେମିତି ଅଛନ୍ତି ଜାଣିବାକୁ, ବାପାଙ୍କ ଉତ୍ସୁକତା |
ସମୟର ଅମୃତ ସ୍ରୋତରେ ଭାସି ଯାଉଯାଉ,
ଗୋଟିଏ ଅନୁଚିନ୍ତା
ସାଧନା ଓ ସିଦ୍ଧିର କୁହେଳି ଏବଂ ଦେହଳୀରେ ଥାଇ,
ଆମେ, ସେଇ ପ୍ରିୟ ମଣିଷମାନଙ୍କ ପ୍ରତି
କେତେ ନ୍ୟାୟ କରିଛନ୍ତି ?
ସ୍ଥାନର ଦୂରତା ଯଦିଓ ଅନେକାଂଶରେ ଅନିବାର୍ଯ୍ୟ
ମନର କେତେ ନିକଟରେ ରଖି ପାରିଛନ୍ତି |
0 Response to "ଆମ ପାଇଁ ଝୁରୁଥିବା ମନ"
Post a Comment