ଶର୍ମିଷ୍ଠା ସାହୁ
ରହସ୍ୟ ଜର୍ଜର ଏକ ଉଷୁମ ପ୍ରତୀକ୍ଷା
କାଲିର ସକାଳ|
ଠିକ୍ କେଉଁ ଦିଗକୁ ଫିଟିବ ଝର୍କା
ଜଣାନାହିଁ|
ଆଖିବୁଜି ଡେଇଁ ପଡ଼ିଲେ ବି
ସଠିକ୍ କୋଳକୁ ଖସିବ ଜହ୍ନ !
ବଳକା ରାତିକୁ ଆଖିରେ ଶୋଷିଦେଇ
ଦିଶୁଥିବି ମୁଁ ପରିପୂର୍ଣ୍ଣ|
କାଲି ଫିଟିପାରେ ହୁଏତ ମହୁର ଝଣ୍ଡାଟିଏ !
ଅଳସ ମୁଦ୍ରାରେ ମୋର ଦେହ,
ଆତ୍ମା ମୋର ପତ୍ର ଶଯ୍ୟାରେ !
କାଲି ହୁଏତ ଆସିପାରେ ସବୁଠୁ ଦାରୁଣ
ଅଥଚ଼ ମଧୁରତମ ଶୀତ|
କିଏ ସେ କହୁଛି ହାତ ମେଲାଅ, ଛାତି ପସାର,
ଆତ୍ମାକୁ କର ଉନ୍ମୁକ୍ତ !
ମୁଁ ଫେରୁଛି ବାରମ୍ବାର
ସେଇ ଚଳନ୍ତି ପାହାଚ଼ର ସ୍ଥିର ଚିତ୍ରକୁ,
ମୋ ହାତରୁ କାଢ଼ୁଛି ତୁମର ପାପୁଲି
ଓ ମୁଠାଇ ଧରୁଛି|
କାଲି ସକାଳୁ ପୁଣି ଏ ସମୟ ଦୌଡ଼ିବ|
ମୁଁ ଲୁଚାଇ ଦେବି ତୁମର ପାପୁଲି
ମୋର ଶୂନ୍ୟ ଅସହାୟ ଆଙ୍ଗୁଳି
ଫାଙ୍କ ଦେଇ
ଅନାୟାସେ ପବନ ବହିବ|
କାଲି ସକାଳକୁ ହୁଏତ
ମୋର ଅସ୍ତିତ୍ବଠାରୁ ବଡ଼ହୋଇ ଦିଶୁଥିବ
ମୋର ଏକାକୀତ୍ବ|
0 Response to "କାଲିର ସକାଳ"
Post a Comment