ଲଗ୍ନ

ଲଗ୍ନ

 ପ୍ରଶାନ୍ତ ମହାନ୍ତି

ଏବେ
ବିଚିତ୍ର ଅନୁଭବ !

କେତେବେଳୁ
ଶୂନ୍ୟରେ ସମର୍ପି ଦେଇଚି
ଦେହ ମନ
ବିବେକ !

ଶୁଭୁନି ମାଙ୍ଗଳିକ
ଛୁଉଁନି ମତୁଆଲି ପବନ
ନିଆଁପାଣି ମାରଣାସ୍ତ୍ର
ଲାଗୁଚି
ପ୍ରତ୍ୟେକ ମୁହୂର୍ତ୍ତ
ମନ୍ତ୍ରସିଦ୍ଧ
ବଳକା ସମୟ ପାଇଁ
ନୂଆ ନୂଆ ଦିଗ !

ଏଇଠି
ଅନ୍ଧାର ଆଲୁଅ
ସାକାର ନିରାକାର
ଫୁଲ ଅନ୍ଧ ମହୁମାଛି
ଜୀବନ ମୃତ୍ୟୁ
ନିଜ ନିଜ ସଂଜ୍ଞା ସତ୍ତା ଭୁଲି
ନିଷ୍କପଟ
ନିରହଙ୍କାର ସ୍ବରେ ସଂଯୋଜିତ
ଯାହା କିଛି ଅଚିନ୍ତ୍ଯ !

ପଚାରୁଚ ଯେ
କେମିତି କହିବି
ମାଟିଠୁ କେତେ ଊର୍ଦ୍ଧ୍ବରେ
ମୁଁ:
ମୋର ଅସ୍ତିତ୍ବ
ଯେତେ ହାତ ଉଠିଲେ
ସ୍ବର୍ଗ !

ଜାଣେନି
କେଉଁଠି ନନ୍ଦନକାନନ
ଦେବସଭା: ଉର୍ବଶୀର ପାଦ
ପାରିଜାତ ଫୁଲ
ଟୋପା ଟୋପା ଅମୃତ
ଛଳ ଛଳ ପ୍ରେମ !!

ଲାଗୁଚି
ନିଜକୁ ପାସୋରି
ଅନ୍ୟକୁ ବୁଝିବାର
ଗୋଟେ
ନିଷ୍ଠୁର ଅବଲମ୍ବନ
ଶୂନ୍ୟ !

ଶୂନ୍ୟ କହିଲେ କ’ଣ ଯେ,
ଶବ୍ଦରେ ନିଃଶବ୍ଦ
ନିଃଶବ୍ଦରେ ଶବ୍ଦର
ମଧୁ ଗୁଞ୍ଜରଣ
ତୁରୀୟରେ
ସମର୍ପଣ ନୁହେଁ ତ
ଆଉ କ’ଣ ?

ନିଜକୁ ନିଜ ବାଟେ
ନିଃଶେଷ କଲାପରେ
ବାସ୍ନାରେ ବିମୋହିତ
କବିତା କବିତା ଲଗ୍ନ !

0 Response to "ଲଗ୍ନ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel