ବିଷ୍ଣୁପ୍ରିୟା ମହାପାତ୍ର
ମହାବିଷୁବ ସଙ୍କ୍ରାନ୍ତି ଦିନ ହେଉଛି ଓଡ଼ିଆ ନୂଆବର୍ଷର ପ୍ରଥମ ଦିନ | ସୌରମାନ ମାସ ଅନୁସାରେ ତିଥି, ବାର ଇତ୍ୟାଦି ଗଣନା କରାଯାଏ | ଏହି ଗଣନା ଅନୁସାରେ ଆମେ ବାରମାସରେ ବାରଟି ସଙ୍କ୍ରାନ୍ତି ପାଳନ କରିଥାଉ | ଏହି ବାରଟି ସଙ୍କ୍ରାନ୍ତି ବାରଟି ରାଶିନାମରେ ନାମିତ ହୋଇଥାନ୍ତି, ଯଥା: ମେଷ, ବୃଷ……କୁମ୍ଭ, ମୀନ ଆଦି | ଗୋଟିଏ ସଙ୍କ୍ରାନ୍ତିରୁ ପରବର୍ତ୍ତୀ ସଙ୍କ୍ରାନ୍ତି ପର୍ଯ୍ୟନ୍ତ ସମୟକୁ ଗୋଟିଏ ମାସ କୁହାଯାଏ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏହି ଦିନ ମେଷରାଶିରେ ପ୍ରବେଶ କରୁଥିବାରୁ ଏହି ସଂକ୍ରାନ୍ତିକୁ ମେଷ ସଙ୍କ୍ରାନ୍ତି ବୋଲି ମଧ୍ୟ କୁହାଯାଏ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏହି ଦିନ ମେଷରାଶିରେ ଅବସ୍ଥାନ କରନ୍ତି | ଏହି ବିଷୁବ ସଙ୍କ୍ରାନ୍ତି ଠାରୁ ସୌରମାସର ପ୍ରଥମ ମାସ ଗଣନା କରାଯାଏ ଓ ଏହା ହିଁ ଓଡ଼ିଆ ନବର୍ଷର ପ୍ରଥମ ଦିନ |
ଏହିଦିନ ଠାରୁ ଓଡ଼ିଶାରେ ନୂତନ ପଞ୍ଜିକା ପ୍ରଚ଼ଳନ ହୁଏ | ଏହି ଦିନଠାରୁ ସୂର୍ଯ୍ୟତାପ ପ୍ରଖରରୁ ପ୍ରଖରତର ହୁଏ | ତେଣୁ ଏହି ସମୟରେ ସୂର୍ଯ୍ୟ ଉପାସନା ସହ, ଦେବାଳୟରେ ହେଉଥିବା ପୂଜାର୍ଚ୍ଚନାରେ ଭଜା ଗହମ ଓ ଅରୁଆ ଚାଉଳରୁ ପ୍ରସ୍ତୁତ “ଛତୁଆ” ଭୋଗ ସହ “ପଣା” ଭୋଗ ମଧ୍ୟ କରାଯାଏ | “ପଣାରେ” ପାଚିଲା କଦଳୀ, ଛେନା, ଦୁଗ୍ଧ, ପାଚିଲା ବେଲ, ନଡ଼ିଆ, ଗୁଡ଼ ବା ଚିନି, ଛତୁଆ ମିଶିଥାଏ | “ପଣା” ଭୋଗ ଓ “ଛତୁଆ” ଭୋଗକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ ଏହାର ତାତ୍ତ୍ବିକ ଦିଗଟି ବୁଝାପଡ଼େ | ଦେହକୁ ସୂର୍ଯ୍ୟତାପରୁ ରକ୍ଷା କରିବା ପାଇଁ ପଣା ସେବନ ବିଧିକୁ ପୂଜାର୍ଚ୍ଚନା ମାଧ୍ୟମରେ ଯୋଗକରି, ମାନବ ସମାଜକୁ ଶିକ୍ଷା ଦିଆଯାଇଛି | ଏହି ଋତୁରେ ପ୍ରଚୁର ଜଳଗ୍ରହଣ ପାଇଁ କେବଳ ମାନବ ସମାଜ ସମେତ ଉଦ୍ଭିଦ ଓ ପ୍ରାଣୀଜଗତର ମଧ୍ୟ ପ୍ରଚୁର ଜଳ ଆବଶ୍ୟକ ହୋଇଥାଏ | ଏ କଥାରେ ମଧ୍ୟ ଅନ୍ୟସବୁ ଧର୍ମୀୟ ଚେତନା ସହିତ ଆଉ ଏକ ରୀତି ଖଞ୍ଜି ଦିଆଯାଇଛି | ତାହା ହେଲା ତୁଳସୀ ଚଉଁରାର “ତୁଳସୀ ପୂଜା” | ଏହିଦିନ “ତୁଳସୀ” ଗଛ ଉପରେ ନଡ଼ିଆ ପତ୍ରର ଛାମୁଡ଼ିଆ କରି, ତହିଁରୁ ଠିକ୍ ତୁଳସୀ ଗଛ ଉପର ପର୍ଯ୍ୟନ୍ତ ସରୁ ଦଉଡ଼ି ସାହାଯ୍ୟରେ ମାଟି ଘଡ଼ିଟିଏ ବାନ୍ଧି ଓହଳାଇ ଦିଆଯାଏ | ଏହି ଘଡ଼ିର ନିମ୍ନାଂଶରେ ଛୋଟ ଛିଦ୍ରଟିଏ କରାଯାଏ | ଘଡ଼ିରେ ପାଣି ଭରିଦେଲେ ଅନେକ ସମୟଧରି ସୂକ୍ଷ୍ମ-ଜଳଧାର ତୁଳସୀ ମୂଳକୁ ଓଦା ରଖେ, ଜଳତାପରୁ ରକ୍ଷାକରେ ଓ ସମଗ୍ର ଜୀବଜଗତ ସହିତ ଉଦ୍ଭିଦଜଗତ ପାଇଁ ଏହା ଅପରିହାର୍ଯ୍ୟ ବୋଲି ଏଥିରୁ ପ୍ରମାଣ ମିଳେ | ଓଡ଼ିଆମାନଙ୍କର ବାରମାସରେ ତେରପର୍ବ ପାଳନ ମଧ୍ୟରୁ ମହାବିଷୁବ ସଙ୍କ୍ରାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ପର୍ବ ଭାବେ ପାଳିତ ହୋଇଥାଏ | ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ଏହିଦିନ ଠାରୁ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆ ଘର ଚଉଁରାରେ ଠେକି ବସାଯାଇ ପାଣି ଢଳାଯାଇଥାଏ |ତେଣୁ ଏହି “ସଙ୍କ୍ରାନ୍ତି”କୁ “ଜଳ ସଙ୍କ୍ରାନ୍ତି” ନାମରେ ମଧ୍ୟ ଜଣାଯାଇଥାଏ |ଏହି ସମୟରେ ପଣାଦାନ କରାଯାଉଥିବାରୁ ଏହାର ଅନ୍ୟ ଏକ ନାମ ମଧ୍ୟ ପଣା ସଙ୍କ୍ରାନ୍ତି | ହିନ୍ଦୁମାନଙ୍କ ପୂଜାରୀତି ଅନୁଯାୟୀ ଏହିଦିନ ବ୍ରାହ୍ମଣମାନଙ୍କୁ ପଣା ଓ ଛତୁଆ ପ୍ରଦାନ କରାଯାଏ | ସାମର୍ଥ୍ୟ ଅନୁଯାୟୀ କେହି କେହି ପାଦକୁ ଜୋତା ଓ ଖରା ପାଇଁ ଛତା ମଧ୍ୟ ଦାନ କରିଥାନ୍ତି | ସାହିପଡ଼ିଶା, ସାଙ୍ଗସାଥୀମାନଙ୍କୁ ଛତୁଆ ଓ ପଣା ପ୍ରଦାନପୂର୍ବକ ଭାବର ଆଦାନପ୍ରଦାନ ମଧ୍ୟ ଏହିଦିନ କରାଯାଇଥାଏ |
ସେହିପରି ଏହି ଅବସରରେ କେତେକ ସ୍ଥାନରେ “ବିଷୁବମିଳନ” ଆୟୋଜନ କରାଯାଇ ବୁଦ୍ଧିଜୀବୀ, ସାହିତ୍ୟିକ ଓ କବିମାନଙ୍କୁ ଆମନ୍ତ୍ରଣ କରି ସାହିତ୍ୟ ଆଲୋଚନା ଏବଂ କବିତା ପାଠ ଆଦି କରାଯାଇଥାଏ | ଏହିଦିନ ମଧ୍ୟ ପବିତ୍ର ହନୁମାନ ଜୟନ୍ତୀ ପାଳନ କରାଯାଏ | ବାସ୍ତବିକ୍ ଧର୍ମୀୟଚେତନା, ବିଜ୍ଞାନସମ୍ବନ୍ଧୀୟ ତତ୍ତ୍ବ, ପରିବେଶ ସଚେତନତା ଓ ଶରୀରଚର୍ଯ୍ୟାପାଇଁ ଖାଦ୍ୟପେୟ ନିର୍ଦ୍ଧାରଣ ସହିତ ସହାବସ୍ଥାନ ଆଦି ସବୁ ଦୃଷ୍ଟିକୋଣରୁ ଏ ଦିବସର ମହତ୍ତ୍ବ ଗୁରୁତ୍ବପୂର୍ଣ୍ଣ ଅଟେ | କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ, ଆମେ ଓଡ଼ିଆମାନେ ଇଂରାଜୀ ନବବର୍ଷ ପରି ଓଡ଼ିଆ ନବବର୍ଷକୁ ପାଳନ କରି ନଥାଉ | ଅବଶ୍ୟ କିଛି ବର୍ଷ ହେଲା କେତେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହି ଓଡ଼ିଆ ନବବର୍ଷ ପାଳନ ନିମନ୍ତେ ଅନେକ ପ୍ରକାରର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରାଯାଉଛି |
ବିଷ୍ଣୁପ୍ରିୟା ମହାପାତ୍ର
ରାଉରକେଲା
0 Response to "ମହାବିଷୁବ ସଙ୍କ୍ରାନ୍ତି ଓ ଓଡ଼ିଆ ନବବର୍ଷ"
Post a Comment