ଏଇ ଗପ ସେଇ ସମୟର କାହାଣୀ ଯେତେବେଳକୁ ଗୋପପୁର ଆଉ ଗୋପପୁର ହେଇ ନାହିଁ | ଅର୍ଥାତ୍ ଗୋପପୁର ନାମରେ ଯେତେବେଳେ ପ୍ରଚାର, ଆଲୋଚନା ବା ଗୌରବ ଆଖପାଖ ଅଞ୍ଚଳରେ ଚର୍ଚ୍ଚିତ ହୋଇ ଆସୁଥିଲା ତାହା କେମିତି ଶିଥିଳ ପଡ଼ି ଆସିଛି | କୃଷ୍ଣ ଗୋପପୁର ଛାଡ଼ି ଚାଲିଯିବାର ଅନେକ ଦିନ ବିତିଯାଇଛି | ସେ ଯେତେବେଳେ ମଥୁରାରେ ରହୁଥିଲେ, ସେତେବେଳେ ତାଙ୍କ ସମ୍ପର୍କରେ କିଛି କିଛି କଥା ଶୁଣାଯାଉଥିଲା | ତାଙ୍କର ପ୍ରଶଂସା ବୀରତ୍ବ ବା କୀର୍ତ୍ତିର ଛିଟିକା ଆସି ପଡୁଥିଲା ଗୋପରେ | ଏବେ ଆଉ ସେ ଅବସ୍ଥା ନାହିଁ | କୃଷ୍ଣ ମଥୁରା ମଧ୍ୟ ଛାଡ଼ି ଦେଇଛନ୍ତି | କାହିଁ କେତେ ଦୂରରେ ଦ୍ବାରକାରେ ନିର୍ମାଣ କରିଛନ୍ତି ତାଙ୍କର ରାଜଧାନୀ | ଗୋପରୁ ଦ୍ବାରିକା ଏତେ ଦୂର ଯେ, କୃଷ୍ଣଙ୍କ କଥା ଆଉ ଶୁଭେ ନାହିଁ | ତା’ଛଡ଼ା ସମୟରେ ଦାଗ ବି ତ ଅଛି |
ଗୋପପୁର ଅବସ୍ଥା
ଆସ୍ତେ ଆସ୍ତେ
ଖରାପ ହୋଇଆସିଛି
| ଗାଁ ଛାଡ଼ି
ଲୋକମାନେ ଚାଲିଯାଇଛନ୍ତି ଦୂରଦୂରାନ୍ତକୁ | ଦିନେ
ଯୋଉ ଗାଁଟି
କୋଳାହଳମୟ, ଉତ୍ସବ
ମୁଖରିତ ଥିଲା
ତାହା କ୍ରମେ
ଶ୍ମଶାନର ନିରବତାକୁ
କାହିଁକି କେଜାଣି
ଆବୋରି ବସିଛି
ତାହାର କାରଣ
ଜାଣେ ନାହିଁ
କେହି | ସେଇ ଗୋପପୁରୀର ଏକ ପରିତ୍ୟକ୍ତ
ଘରେ ରହୁଛନ୍ତି
ଜଣେ ପୁରୁଷ
ଓ ଜଣେ ନାରୀ | ଆପାତତଃ ଯେଉଁମାନେ
ଏକ କାହାଣୀର
ନାୟକ ନାୟିକା
| ପୁରୁଷଟିର ନାମ ଚନ୍ଦ୍ରସେଣା ଓ ସ୍ତ୍ରୀ ଲୋକଟିର ନାମ ରାଧା |
ଗୋପପୁର ଅବସ୍ଥା ଆସ୍ତେ ଆସ୍ତେ ଖରାପ ହୋଇଆସିଛି | ଗାଁ ଛାଡ଼ି ଲୋକମାନେ ଚାଲିଯାଇଛନ୍ତି ଦୂରଦୂରାନ୍ତକୁ
| ଦିନେ ଯୋଉ ଗାଁଟି କୋଳାହଳମୟ, ଉତ୍ସବ ମୁଖରିତ ଥିଲା ତାହା କ୍ରମେ ଶ୍ମଶାନର ନିରବତାକୁ କାହିଁକି କେଜାଣି ଆବୋରି ବସିଛି ତାହାର କାରଣ ଜାଣେ ନାହିଁ କେହି | ସେଇ ଗୋପପୁରୀର ଏକ ପରିତ୍ୟକ୍ତ ଘରେ ରହୁଛନ୍ତି ଜଣେ ପୁରୁଷ ଓ ଜଣେ ନାରୀ | ଆପାତତଃ ଯେଉଁମାନେ ଏକ କାହାଣୀର ନାୟକ ନାୟିକା | ପୁରୁଷଟିର ନାମ ଚନ୍ଦ୍ରସେଣା ଓ ସ୍ତ୍ରୀ ଲୋକଟିର ନାମ ରାଧା | ବୟସ ଭାରାରେ ଅବନତ ହୋଇ ଆସିଛନ୍ତି ସେମାନେ ଏବଂ ଏବେ ରାଧା ଶଯ୍ୟାଶାୟିନୀ
| ରୋଗାକ୍ରାନ୍ତ ତାଙ୍କର କ୍ଷୀଣ ଶରୀର | ସେମାନଙ୍କର ଆର୍ଥିକ ଅବସ୍ଥା ଯେ କ୍ରମେ ଶୋଚନୀୟ ହୋଇଯାଇଛି, ଏହା ଜଣାପଡୁଛି ଘରର ପରିପାଟୀରୁ | ଗୋଟେ ଭଙ୍ଗା ପଲଙ୍କ ଉପରେ ମଳିନ ଶଯ୍ୟାରେ ଶୋଇ ରହିଛନ୍ତି ରାଧା ଓ ପ୍ରାୟାନ୍ଧକାର
ଭିତରେ ଜଳି ରହିଛି ଗୋଟେ ଦୀପ |
ଚନ୍ଦ୍ରସେଣାଙ୍କର ପୋଷାକ ମଧ୍ୟ ମଳିନ ଓ ଶତଚ୍ଛିନ୍ନ |
ଚନ୍ଦ୍ରସେଣା କହିଲେ: ମୁଁ ବୈଦ୍ୟଙ୍କଠାରୁ ଔଷଧ ଆଣିଥିଲି | ତୁମେ ତାହା ଖାଇଲ ନାହିଁ କାହିଁକି ?
ରାଧା ତତ୍କ୍ଷଣାତ୍ କୌଣସି ଉତ୍ତର ଦେଲେ ନାହିଁ | ଯେମିତି କି ସେ ଏ ପ୍ରଶ୍ନ ଶୁଣି ନାହାଁନ୍ତି କିମ୍ବା ଉତ୍ତର ଦେବା ଉଚିତ୍ ମନେ କରୁନାହାଁନ୍ତି
| ପ୍ରଶ୍ନଟା ଯେମିତିକି ଅବାନ୍ତର ଓ ଅନାବଶ୍ୟକ ଗୋଟେ କୋଳାହଳ | ଏମିତିକି ସେ କୌଣସି ପ୍ରତିକ୍ରିୟା
ବି ପ୍ରକାଶ କଲେନି | ଯେମିତି ଆଖି ଖୋଲିବା ବା ସାମାନ୍ୟ ଦୃଷ୍ଟିପାତ କରିବା ଓ ଆଖି ବନ୍ଦ କରିବା, ଅବା ଚନ୍ଦ୍ରସେଣାଙ୍କୁ ଚାହିଁବା, ଟିକେ ଚହଲି ଯିବା କିମ୍ବା କଡ଼ ଲେଉଟାଇବା ଅବା ଅତି ଅସ୍ପଷ୍ଟ ସ୍ବରରେ ‘ଉଁ’ ବୋଲି କହିବା |
ଚନ୍ଦ୍ରସେଣା ନିଜର ପ୍ରଶ୍ନ ପୁଣିଥରେ ଦୋହରାଇଲେ: ତୁମେ କ’ଣ ମୋ ପ୍ରଶ୍ନର ଉତ୍ତର ଦେବାକୁ ଅପମାନଜନକ ବୋଲି ମନେ କରୁଛ ? ରାଧା କିଛି ବି କହିଲେନି |
ଚନ୍ଦ୍ରସେଣା ପ୍ରଶ୍ନ କରିବାକୁ ପଣ କରିଛନ୍ତି ଯେମିତି |
ପଚାରିଲେ: ମୁଁ କ’ଣ ଏତେ ଅଯୋଗ୍ୟ ଯେ, ପ୍ରଶ୍ନଟେ ପଚାରିଲେ ଉତ୍ତରଟେ ପାଇବାର ଯୋଗ୍ୟତା ମୋର ନାହିଁ |
ଏଥର ରାଧା ଓଠ ଖୋଲିଲେ |
ଖୁବ୍ ସଂକ୍ଷିପ୍ତ ତାଙ୍କର ଉତ୍ତର |
କହିଲେ: କ’ଣ କହୁଚ ?
ପ୍ରଶ୍ନ ପାଇଁ ଏ ପୁଣି ଗୋଟେ ପ୍ରଶ୍ନ ହୋଇଗଲା |
ଚନ୍ଦ୍ରସେଣା ପଚାରିଲେ: ତୁମେ ଔଷଧ ସେବନ କଲ ନାହିଁ କାହିଁକି ?
ରାଧା କହିଲେ: ମୋର ଇଚ୍ଛା ନାହିଁ |
ଚନ୍ଦ୍ରସେଣା ପଚାରିଲେ: ତୁମେ କ’ଣ ସୁସ୍ଥ ହେବାକୁ ଇଚ୍ଛା କରୁନାହଁ |
ରାଧା କହିଲେ: ମୋର ଅସୁସ୍ଥତା ନାହିଁ |
ଚନ୍ଦ୍ରସେଣା କହିଲେ: କିନ୍ତୁ ବୈଦ୍ୟରାଜ ଭାଗୀଥି କହିଲେ ଯେ, ତୁମେ ଗୁରୁତ୍ତର ଅସୁସ୍ଥ | ତୁମର ଉପଯୁକ୍ତ ଉପଚାର ହେବା ଆବଶ୍ୟକ | ରାଧା ସେମିତି କ୍ଷୀଣ ଅଥଚ ସ୍ପଷ୍ଟ ସ୍ବରରେ କହିଲେ: ମୁଁ ଜାଣେ ମୋର କୌଣସି ଅସୁସ୍ଥତା ନାହିଁ |
ଚନ୍ଦ୍ରସେଣା ପୁଣି ପୁରୁଣା କଥା ଦୋହରାଇଲେ: କିନ୍ତୁ ବୈଦ୍ୟରାଜ କହୁଥିଲେ ଯେ…. |
ରାଧା ଯୁକ୍ତି କଲେ: ମୁଁ ମୋ ନିଜକୁ ଯେତିକି ଜାଣେ, ବୈଦ୍ୟରାଜ କ’ଣ ସେତିକି ଜାଣନ୍ତି ?
ଚନ୍ଦ୍ରସେଣା ପଚାରିଲେ: ମୁଁ ତେବେ କାହା କଥା ଶୁଣିବି ? ବୈଦ୍ୟରାଜଙ୍କ
କଥା ନା ତୁମ କଥା ?
ରାଧା କହିଥିଲେ: ରୋଗ ଓ ନିଦାନ ସମ୍ପର୍କରେ ବୈଦ୍ୟରାଜଙ୍କ କଥା ଶୁଣିପାର | ମାତ୍ର ମୋ ସମ୍ପର୍କରେ ମୋ ନିଜର ମତ ହିଁ ଶେଷ କଥା |
ଚନ୍ଦ୍ରସେଣା ସମ୍ଭବତଃ ବୁଝିପାରିଲେ ନାହିଁ ରାଧାଙ୍କର ବକ୍ତବ୍ୟ |
ପ୍ରଶ୍ନ କଲେ: ଅର୍ଥାତ୍ !
ରାଧା ନୀରବ ରହିଲେ |
ରାଧା ଆଉ କିଛି କହି ନ ଥିଲେ | ସେ ଚିରକାଳ ଏମିତି | ସଂକ୍ଷିପ୍ତ ତାଙ୍କର ଉତ୍ତର | ଆହୁରି ସଂକ୍ଷିପ୍ତ ତାଙ୍କର ପ୍ରତିକ୍ରିୟା | ଅନାବଶ୍ୟକ କଥାଭାଷାକୁ ସେ ପ୍ରଶ୍ରୟ ଦିଅନ୍ତି ନାହିଁ | ଅକାରଣ ପ୍ରଗଳ୍ଭତାକୁ ତାଙ୍କର ପସନ୍ଦ ନାହିଁ | ସଂସାର କରିବାର ପଚିଶ ବର୍ଷ ଧରି ଚନ୍ଦ୍ରସେଣା ଏସବୁ ଦେଖି ଆସୁଛନ୍ତି ଓ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ଏମିତି ଗୋଟେ ପ୍ରତିକ୍ରିୟାହୀନ ନାରୀ କେମିତି ଥିଲା ଦିନେ କୃଷ୍ଣଙ୍କର ପ୍ରିୟତମା | ସେ ଯେତିକି ଶୁଣିଛନ୍ତି ବା ଜାଣିଛନ୍ତି, ଦିନେ ସମଗ୍ର ଗୋପପୁରୀ ସେଇମାନଙ୍କ ଗୋପନ ପ୍ରଣୟ କାହାଣୀରେ ମୁଖରିତ ହୋଇଉଠିଥିଲା | ସବୁରି ଓଠରେ ଥିଲା ସେମାନଙ୍କ କଳଙ୍କର ଆଲୋଚନା | ଛିଟିକା ଛିଟିକା କାଦୁଅ ଭଳି ନେସି ହେଇ ଯାଉଥିଲା ଏଣେ ତେଣେ | କଣ୍ଟାର ଆଘାତ ଭଳି ଚନ୍ଦ୍ରସେଣାଙ୍କ ଦେହରେ ବାଜିଥିଲା ଓ ତାଙ୍କୁ କ୍ଷତାକ୍ତ କରି ପକେଇଥିଲା | ଇଏ କ’ଣ ସେହି ନାରୀ ?
ମନେ ଅଛି ପଚିଶ ବର୍ଷ ତଳର କଥା |
ସେ ଆହତ ହୋଇ, କ୍ରୁଦ୍ଧ ହୋଇ ଦିନେ ଆଦେଶ ଦେଇଥିଲେ: ତୁମେ ଯମୁନା ତୀରକୁ ଜଳ ଆଣିବାକୁ ଯିବ ନାହିଁ |
ରାଧା କୌଣସି ପ୍ରତିବାଦ କରି ନ ଥିଲେ |
ଚନ୍ଦ୍ରସେଣା ପୁଣି ପ୍ରତିବନ୍ଧକ ବସେଇଥିଲେ |
: ତୁମେ କ୍ଷୀର ଭାର ଧରି ମଥୁରାକୁ ଯିବ ନାହିଁ |
ମାନି ନେଇଥିଲେ ରାଧା |
:ତୁମେ ଘରର ସୀମାରେଖା ଛାଡ଼ି ବାହାରକୁ ଯାଇପାରିବନି |
ସ୍ବୀକାର କରିନେଇଥିଲେ ରାଧା | ନା ଓଠରେ ଥିଲା ପ୍ରତିବାଦର ସ୍ବର ନା ଆଖିରେ ଥିଲା ଅସନ୍ତୋଷର ଚିହ୍ନ | ନା କାର୍ଯ୍ୟକଳାପରେ ଥିଲା ବିଦ୍ରୋହର ଝଙ୍କାର |
ଚନ୍ଦ୍ରସେଣା କହିଥିଲେ: ତୁମେ ଅନ୍ୟ କୌଣସି ଗୋପବାଳା ସହ ମିଶି ପାରିବନି କିମ୍ବା କେହି ଗୋପବାଳା ଏ ଘରକୁ ଆସିପାରିବେନି |
ରାଧା ଘର ଭିତରେ ରହିଲେ |
ଦ୍ବାର ଜଗି ରହିଲେ ଚନ୍ଦ୍ରସେଣା | ସେ ମନେ କରିଥିଲେ ଏହିପରି ନୀତି ନିୟମ, ପ୍ରତିବନ୍ଧକ ଓ ଆଦେଶ ବଳରେ ସେ ସବୁ ଦୁର୍ନାମ, କଳଙ୍କ ଓ ଅପବାଦକୁ ଚାପି ଦେବେ |
କିନ୍ତୁ ସେମିତି ହୋଇଥିଲା କି ?
ସେ କଂସଙ୍କ ସୈନ୍ୟବାହିନୀରେ ଜଣେ ବେତନଭୋଗୀ କର୍ମଚାରୀ ଥିଲେ | ଚାକିରିରୁ ସାମୟିକ ଅବ୍ୟାହିତ ନେଇ ସେ ଫେରିଥିଲେ ଗୋପପୁରୀକୁ ଓ ସେଇ ସମୟରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା ରାଧାରାଣୀଙ୍କ ସହିତ | ବିବାହର କିଛି ଦିନ ଉତ୍ତାରୁ ତାଙ୍କର ମଥୁରା କଟକ ଫେରିଯିବା କଥା ଓ ମଧ୍ୟେ ମଧ୍ୟେ ଗୋପପୁରୀ ଆସିବା କଥା |
କିନ୍ତୁ ତାହା ହୋଇପାରି ନଥିଲା |
ବିବାହର ଆନନ୍ଦ ଉଲ୍ଲାସ ଭିତରେ ତାଙ୍କୁ ନିରନ୍ତର ଆହତ କରିଥିଲା ରାଧାଙ୍କ ସମ୍ପର୍କରେ ଗୋପପୁରୀସାରା ଖେଳିବୁଲୁଥିବା ଅପବାଦ | ସମସ୍ତେ ଶତମୁଖ ହୋଇପଡ଼ିଥିଲେ ରାଧାକୃଷ୍ଣଙ୍କ ଗୋପନ ପ୍ରଣୟର ଚର୍ଚ୍ଚାରେ ଓ ଅପମାନରେ ପୋଡ଼ିଜଳି ଚନ୍ଦ୍ରସେଣା ନିଜର ଚାକିରି ତ୍ୟାଗ କରିଥିଲେ | ସେ ସୈନ୍ୟବାହିନୀରେ ଯୋଗ ଦେବାରେ ଅକ୍ଷମ ହେବାରୁ କଂସର ସେନାଧ୍ୟକ୍ଷ ପ୍ରଦ୍ୟୋତ, ଜଣେ ଚରକୁ ତା’ ନିକଟକୁ ପ୍ରେରଣ କରିଥିଲେ | ମାତ୍ର ତାଙ୍କୁ ଚନ୍ଦ୍ରସେଣା କ୍ଷମାପ୍ରାର୍ଥନା ସ୍ବରରେ ଫେରାଇ ଦେଇଥିଲେ | କହିଥିଲେ: ତୁମେ ଫେରିଯାଅ ବନ୍ଧୁ ! ମୁଁ ଆଉ ଯାଇପାରିବି ନାହିଁ | ବନ୍ଧୁ ଜାଣିବାକୁ ଚାହିଁଥିଲେ ଏତେ ସମ୍ମାନସୂଚକ ସୈନିକର ଚାକିରି ଓ ସ୍ବଚ୍ଛନ୍ଦ ବେତନକୁ ଉପେକ୍ଷା କରିବାର କାରଣ |
ଚନ୍ଦ୍ରସେଣା କହିଥିଲେ: ମୁଁ ତୁମକୁ ସବୁକଥା ବୁଝାଇ କହିପାରିବି ନାହିଁ ବନ୍ଧୁ | କିନ୍ତୁ ଦାରୁଣ ସତ୍ୟଟି ହେଉଛି ମୁଁ ଆଉ ଏ ସ୍ଥାନ ଛାଡ଼ି ଯାଇପାରିବି ନାହିଁ |
ସୈନିକ ବନ୍ଧୁ ତିରସ୍କାର କରିଥିଲେ |
କହିଥିଲେ: ତୁମେ ତୁମର ନବପରିଣୀତା ପତ୍ନୀର ପ୍ରେମରେ ଅନ୍ଧ ହୋଇ ଏହିପରି କରୁଅଛ | ତୁମେ ଯେଉଁ ଅବସ୍ଥାରେ ଅଛ, ତାହା ପ୍ରତ୍ୟେକ ଲୋକର ଜୀବନରେ ଆସିଥାଏ | ମାତ୍ର ସବୁଲୋକ ଏହି କ୍ଷଣିକ ପ୍ରଣୟ ମୋହରେ ନିଜର କର୍ତ୍ତବ୍ୟ, ଭବିଷ୍ୟତ ବା ସମ୍ପଦକୁ ଜଳାଞ୍ଜଳି ଦେଇ ନ ଥାନ୍ତି | ତୁମର ନିଷ୍ପତ୍ତି ଭବିଷ୍ୟତରେ ତୁମପାଇଁ ଦୁଃଖଦାୟକ ସାବ୍ୟସ୍ତ ହୋଇପାରେ | ଚନ୍ଦ୍ରସେଣାଙ୍କର ସେଦିନର ସେଇ ନିଷ୍ପତ୍ତି ଠିକ୍ ଥିଲା କି ଭୁଲ୍ ଥିଲା ତାହା ସେ କେବଳ ବିଶ୍ଳେଷଣ କରି ନାହାଁନ୍ତି | କିନ୍ତୁ ଏକଥା ସତ୍ୟ ଥିଲା ଯେ, ସେଇ ନିଷ୍ପତ୍ତି ପାଇଁ ସେ ହରାଇ ବସିଥିଲେ ନିଜର ସମ୍ପଦ | କଂସଙ୍କ ସୈନ୍ୟବାହିନୀରୁ ସେ ପାଉଥିବା ସ୍ବର୍ଣ୍ଣମୁଦ୍ରା ହଜିଗଲା ଓ ସେ କ୍ରମେ ଦରିଦ୍ରରୁ ଦରିଦ୍ରତର ହୋଇଯାଇଥିଲେ |
ତେବେ ସେ ନିଷ୍ପତ୍ତିର ଯଥାର୍ଥତାକୁ ସେ କେବେ ବି ବାରମ୍ବାର ପ୍ରଶ୍ନ କରି ବିବ୍ରତ କରିନାହାଁନ୍ତି | ନିଜେ ନିଜେ ବିବଶ ହୋଇଛନ୍ତି ଯାହା | ସେ ସେଦିନ ବନ୍ଧୁକୁ ଶେଷ କଥା କିଛି ଶୁଣାଇଥିଲେ ଏହିପରି |
କହିଥିଲେ: ତୁମେ ଭୁଲ୍ ଅନୁମାନ କରୁଛ | ଅବଶ୍ୟ ସେହିପରି ଅନୁମାନ କରିବା ଯେ କୌଣସି ବ୍ୟକ୍ତି ପକ୍ଷରେ ଅସମ୍ଭବ ନୁହେଁ | ଜଣେ ତରୁଣୀ ପତ୍ନୀର ପ୍ରେମଫାଶରେ ଆବଦ୍ଧ ହୋଇ ମୁଁ ଯୁଦ୍ଧକୁ, ତରବାରୀକୁ କିମ୍ବା କର୍ତ୍ତବ୍ୟକୁ ଭୟ କରି ପଳାୟନ କରୁନାହିଁ | ମୋର ଏହି ପଶ୍ଚାଦଗତିର କାରଣ ଅନ୍ୟ କିଛି, ଯାହା ମୁଁ ତୁମ ସମ୍ମୁଖରେ ପ୍ରକାଶ କରିପାରିବି ନାହିଁ | ତେବେ ତୁମେ ମୋତେ ଭୀରୁ କାପୁରୁଷ ବୋଲି ଭର୍ତ୍ସନା ନ କରି ବନ୍ଧୁପଣରେ କ୍ଷମା ପ୍ରଦାନ କଲେ ଖୁସି ହେବି |
ସୈନିକ ବନ୍ଧୁ ଫେରିଯାଇଥିଲେ |
ସେତେବେଳେ ଗୋପର ଜନତା ଥିଲେ ମୁଖ୍ୟତଃ ଗୋପାଳ | ଗୋ-ପାଳନ ଥିଲା ସେମାନଙ୍କର ମୁଖ୍ୟ କାର୍ଯ୍ୟ ଏବଂ ତାହା ହିଁ ଥିଲା ଜୀବିକା ନିର୍ବାହର ପନ୍ଥା | କିନ୍ତୁ ଚନ୍ଦ୍ରସେଣା ନିଜର ଅଧ୍ୟବସାୟ ଓ ଅସ୍ତ୍ରଶିକ୍ଷା ବଳରେ କଂସର ସୈନ୍ୟବାହିନୀରେ ସ୍ଥାନ ପାଇପାରିଥିଲେ ଓ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛନ୍ଦ ହୋଇ ଉଠିଥିଲା | ସମ୍ଭବତଃ ସେହି କାରଣରୁ ଅନ୍ୟତମ ସମ୍ଭ୍ରାନ୍ତବଂଶୀୟ ବୃଷଭାନୁ ତାଙ୍କର ଏକମାତ୍ର ସୁନ୍ଦରୀ କନ୍ୟା ରାଧାର ହାତ ତାଙ୍କ ହାତରେ ଦେଇଥିଲେ | ମାତ୍ର ପରିଣତି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଥିଲା |
ସେଇସବୁ ଦିନ, ଯେତେବେଳେ କୃଷ୍ଣ ଗୋପାଳ ବାଳକମାନଙ୍କର ନେତା ହୋଇ ଗୋପପୁରରେ ସମସ୍ତ ପ୍ରକାର ପିଲାଳିଆମୀ ଖେଳ କୌତୁକ ଏପରିକି ଉପଦ୍ରବ କରିବା ଆରମ୍ଭ କରିଦେଲେ, ସେତେବେଳେ ଚନ୍ଦ୍ରସେଣା ଗଭୀର ମାନସିକ ଅଶାନ୍ତି ଭିତରେ କାଳାତିପାତ କରୁଥିଲେ | ସେ ରାତିରାତି ଜାଗ୍ରତ ରହି ରାଧାକୁ ଜଗି ରହୁଥିଲେ କିମ୍ବା ରାଧାକୁ ଘର ଭିତରେ ବନ୍ଦିନୀ କରି ରଖୁଥିଲେ |
ମାତ୍ର ସକାଳୁ ଅପବାଦର ବାଡ଼ବାଗ୍ନୀରୁ ତଙ୍କୁ ରକ୍ଷା ମିଳୁ ନ ଥିଲା | ତାଙ୍କର ଜଣେ ସମବୟସ୍କ ବନ୍ଧୁ ପ୍ରସାଦ ତାଙ୍କୁ ପରାମର୍ଶ ବା ଦୁଃସମ୍ବାଦ ଶୁଣାଇବାର ଠାଣିରେ କହିଥିଲେ: ତୁମେ ନିଜେ ଟିକେ ସତର୍କ ହୁଅ, ଏ ସାମୟିକ ଦୁଷ୍ଟାମି ନିଶ୍ଚୟ ଦୂର ହୋଇଯିବ |
ଚନ୍ଦ୍ରସେଣା ଆଶ୍ବସ୍ତିର ସହ କହିଥିଲେ: ମୁଁ ସତର୍କ ଅଛି |
ପ୍ରସାଦ କହିଥିଲେ: କିନ୍ତୁ କାଲି ରାତିରେ ସେମାନେ ରାସଲୀଳା କରିଥିଲେ ଯେ ?
ଚନ୍ଦ୍ରସେଣା ଆଶ୍ଚର୍ଯ୍ୟ ହୋଇଥିଲେ: କାଲି ରାତିରେ ? ଏହା ଯେ ଅସମ୍ଭବ ! କାଲି ରାତିରେ ଯେ ରାଧା ଘରେ ଥିଲେ | ମୁଁ ତାଙ୍କୁ ବନ୍ଦ ଘରେ ରଖି ଦ୍ବାରରେ ପ୍ରହରା ଦେଇଥିଲି |
ପ୍ରସାଦ କହିଥିଲେ: ନା ବନ୍ଧୁ ! ତାହା ନୁହେଁ | ମୁଁ ନିଜେ ଦେଖିଛି | ରାଧା କୃଷ୍ଣଙ୍କ ସହିତ ଚାଲିଯାଉଥିଲେ |
ଚନ୍ଦ୍ରସେଣା କହିଥିଲେ: ଅସମ୍ଭବ ! ଏହା ମିଥ୍ୟା !
ପ୍ରସାଦ କହିଥିଲେ: କାଲି ରାତିରେ ତୁମେ କ’ଣ ବଂଶୀର ସ୍ବର ଶୁଣି ନାହିଁ ?
ଚନ୍ଦ୍ରସେଣା କହିଥିଲେ: ନା ! ମୁଁ ସାରା ରାତି ଜାଗ୍ରତ ଅଛି | କେବେ ବି କୌଣସି ବଂଶୀ ସ୍ବନ ଶୁଣାଯାଇ ନାହିଁ |
“ତେବେ ତୁମେ ଶୋଇଯାଇଥିଲ | କାଲି ସାରା ରାତି ବଂଶୀ ସ୍ବନ ଶୁଣାଯାଇଥିଲା | ଗୋପାଳ ବାଳକ ଓ ଗୋପୀମାନଙ୍କ କୋଳାହଳ ମଧ୍ୟ ଶୁଣାଯାଉଥିଲା | ଅଥଚ ତୁମେ ଶୁଣିପାରି ନାହଁ କିପରି ?
ଏସବୁ ରହସ୍ୟମୟ ମନେ ହୋଇଥିଲା ଚନ୍ଦ୍ରସେଣାଙ୍କୁ | ପରବର୍ତ୍ତୀ ରାତିରେ ତାଙ୍କୁ ବଂଶୀ ସ୍ବନ ଶୁଣାଇଦେବେ ଓ ରାଧାଙ୍କ ଗୋପନ ରାତ୍ରି ଅଭିସାରକୁ ଧରେଇ ଦେବେ ବୋଲି ବାହାସ୍ଫୋଟ ମାରିଥିଲେ ପ୍ରସାଦ |
ପରବର୍ତ୍ତୀ ରାତ୍ରି ମଧ୍ୟ ସେମିତି ରହସ୍ୟମୟତାରେ ସମାପ୍ତ ହୋଇଯାଇଥିଲା | ଘରେ ନିଜର ମାତା ଓ ଭଗ୍ନୀଙ୍କୁ ରାଧାଙ୍କ ଉପରେ ଗୁପ୍ତଚର ବୃତ୍ତି କରିବାର ଦାୟିତ୍ବ ଦେଇ ଚନ୍ଦ୍ରସେଣା ଓ ପ୍ରସାଦ ଗୋପପୁରୀ ଉପକଣ୍ଠ କଦମ୍ବ ବନରେ ଏକାଠି ହୋଇଥିଲେ | କେତେ ଜଣ ଗୋପାଙ୍ଗନା ମଧ୍ୟ ସେମାନଙ୍କ ସହିତ ଯୋଗ ଦେଇଥିଲେ |
ଛାଇ ଆଲୁଅ | ଜହ୍ନ ରାତିରେ ସେମାନେ ଦୋଳି ଖେଳିଥିଲେ, ନାଚିଥିଲେ ଓ ଗୀତ ଗାଇଥିଲେ |
ଜଣେ ଗୋପାଙ୍ଗନାକୁ ଦେଖାଇ ପ୍ରସାଦ କହିଥିଲେ: ଦେଖ ! ଦେଖ | ସିଏ ହିଁ ରାଧା | ଦେଖ ସେ କିପରି କୃଷ୍ଣଙ୍କ ସହିତ ଘନିଷ୍ଠ ହୋଇ ଦୋଳି ଖେଳୁଛି |
ଚନ୍ଦ୍ରସେଣା ଚମକି ଉଠି ଛାଇଛାଇଆ ଆଲୁଅରେ ରାଧାଙ୍କୁ ଚିହ୍ନିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ ଓ ଅନ୍ତରାଳରୁ ବାହାରି ଆସି ସେମାନଙ୍କ ପାଖକୁ ଆସିଥିଲେ | ମାତ୍ର ସେ ରାଧା ବୋଲି କୁହାଯାଉଥିବା ବା ଦେଖାଯାଉଥିବା ନାରୀଟି ନିକଟରେ ପହଞ୍ଚିବା ପୂର୍ବରୁ କୃଷ୍ଣ ସମେତ ରାସ ନିମଜ୍ଜିତ ଚରିତ୍ରମାନେ ଦୂରକୁ ଦୂରକୁ ଯାଇ କେଉଁଆଡ଼େ ନିଶ୍ଚିହ୍ନ ହୋଇଗଲେ | ଚରମ କ୍ରୋଧ ଘୃଣା ଓ ମାନସିକ ଅବସାଦରେ ଚନ୍ଦ୍ରସେଣା ଘରକୁ ଫେରି ଆସି ଦେଖିଲେ ଘରେ ତାଲା ଦିଆଯାଇଛି ଓ ଦୁଆରେ ପ୍ରହରୀ ଭଳି ଜଗିରହିଛନ୍ତି ତାଙ୍କର ମାତା |
ଚନ୍ଦ୍ରସେଣା ଗର୍ଜନ କରି କହିଥିଲେ: ମାତା ! ତୁମେ ଏଠାରେ ବୃଥାରେ କାହିଁକି ଜଗି ବସିଛ | ସେ ସିଆଡ଼େ ନଦୀକୂଳରେ ରାସଲୀଳାରେ ମାତିଛି | ଏହାପରେ ମାତା ଓ ପୁତ୍ର ତାଲା ଖୋଲି କବାଟ ମେଲାଇ ଦେଖିଥିଲେ ଯେ ରାଧା ଶୋଇଛନ୍ତି ଓ ଗଭୀର ନିଦ୍ରାରେ ଅଛନ୍ତି | ମାତା ଓ ପୁତ୍ର ଦୁହେଁ ବିସ୍ମୟାଭୂତ ହୋଇପଡ଼ିଥିଲେ |
ସେ ସବୁ ଅନେକ ଦିନ ତଳର କଥା |
ସେଇଦିନୁ ଏଇସବୁ କାହାଣୀ ପ୍ରହେଳିକାପରି ପଶ୍ଚାତାଧାବନ କରି ଆସିଛି ଚନ୍ଦ୍ରସେଣାଙ୍କୁ ଓ କୌଣସି ସ୍ଥିର ନିଷ୍ପତ୍ତିରେ ପହଞ୍ଚିପାରି ନାହାଁନ୍ତି ଚନ୍ଦ୍ରସେଣା | ଜନମୁଖରେ ରାଧାକୃଷ୍ଣଙ୍କ ପ୍ରଣୟଲୀଳାର ପ୍ରଚାର ଓ ଚନ୍ଦ୍ରସେଣାଙ୍କ ହାତରେ କୌଣସି ଚାକ୍ଷୁସ ପ୍ରମାଣର ଅଭାବ, ଚନ୍ଦ୍ରସେଣାଙ୍କ ସବୁପ୍ରକାର ପ୍ରତିବନ୍ଧକ ସ୍ଥାପନ ଓ ତା’ ସତ୍ତ୍ବେ ଅସମ୍ଭବ ଭାବରେ ରାଧାଙ୍କ ପ୍ରଣୟଲୀଳା ସମୁଦାୟ ଘଟଣାକୁ ଏକ ରହସ୍ୟମୟତା ଆଡ଼କୁ ଟାଣି ନେଇଥିଲା |
ସେହିସବୁ ଦିନମାନଙ୍କରେ ଚନ୍ଦ୍ରସେଣାଙ୍କର ରାଧାଙ୍କ ସହିତ କୌଣସି ଶାରୀରିକ ସମ୍ପର୍କ ରହିପାରି ନଥିଲା | ତା’ର କାରଣ ସମ୍ଭବତଃ ଚନ୍ଦ୍ରସେଣାଙ୍କର ମାନସିକ ବିପର୍ଯ୍ୟୟତା | ଏହା ଛଡ଼ା ସେ ଯେବେ ବି ରାଧାଙ୍କ ନିକଟତର ହୋଇଥିଲେ, ଅନୁଭବ କରିଥିଲେ ରାଧାଙ୍କ ନିକଟରେ ଗୋଟେ ହିମ ଶୀତଳ ଅନିଚ୍ଛା ଭାବ | ରାଧାଙ୍କ ମୁହଁକୁ ଚାହିଁଲେ ତାଙ୍କୁ ଦେଖାଯାଉଥିଲା ସେଠି କୃଷ୍ଣ ଛାଡ଼ି ଯାଇଥିବା ଚୁମ୍ବନର ଅଦୃଶ୍ୟ ଦାଗ ଓ ତାହା ଚନ୍ଦ୍ରସେଣାଙ୍କ ପୁରୁଷାକାରକୁ ବିଦ୍ରୂପ କରୁଥିଲା | ଏହାପରେ ଦିନେ ଜଣାପଡ଼ିଲା ଯେ, କୃଷ୍ଣ ଗୋପାଳ ନୁହଁନ୍ତି ସେ ଯାଦବ | ସେ ଯାଦବ ଶ୍ରେଷ୍ଠ ବସୁଦେବଙ୍କ ପୁତ୍ର ଓ ସେ ମଥୁରାକୁ ଚାଲିଯିବେ | ଅବଲୀଳାକ୍ରମେ କୃଷ୍ଣ ଗୋପପୁରୀ ଛାଡ଼ି ମଥୁରାକୁ ଗଲେ ଓ କଂସକୁ ନିପାତ କରି ମଥୁରାର ରାଜତ୍ବ ହାତକୁ ନେଲେ |
କୃଷ୍ଣ ଚାଲିଯିବା ପରେ ଚନ୍ଦ୍ରସେଣାଙ୍କର ମନେ ହୋଇଥିଲା ଏ କାହାଣୀ ହୁଏତ ଏଇଠି ସମାପ୍ତ ହୋଇଯିବ | ମାତ୍ର ତାହା ହେଲା ନାହିଁ | କୃଷ୍ଣ ମଥୁରାରେ ରହିଲେ ଓ ତାଙ୍କର ବୀରତ୍ବବ୍ୟଞ୍ଜକ କାହାଣୀମାନ ଗୋପପୁରୀରେ ଶୁଣାଯାଉଥିଲା |
ତା’ପରବର୍ତ୍ତୀ ଦିନମାନଙ୍କରେ ଚନ୍ଦ୍ରସେଣା ଏକ ଭୟଭୀତ ଜୀବନ ବିତାଇଥିଲେ | ତାଙ୍କର ମନେ ହୋଇଥିଲା କୃଷ୍ଣ ଦିନେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଗୋପପୁରୀକୁ ଫେରି ଆସିବେ ଓ ଚନ୍ଦ୍ରସେଣାଙ୍କୁ ବଧ କରି ରାଧାଙ୍କୁ ନେଇ ମଥୁରା ଚାଲିଯିବେ | କୃଷ୍ଣଙ୍କ ନାମରେ ସେ ପ୍ରକାର କାହାଣୀ ସବୁ ଶୁଣାଯାଉଥିଲା | ସେ କେବେ ଯୁଦ୍ଧ କରି ଋକ୍ମିଣୀକୁ ହରଣ କରିଥିଲେ ତ କେବେ ସତ୍ୟଭାମାଙ୍କୁ | ବହୁ ସୁନ୍ଦରୀ ରାଜକନ୍ୟାଙ୍କୁ ସେ ଯୁଦ୍ଧକରି, କୂଟନୀତି କରି, ଛନ୍ଦକରି ନିଜ ରାଜ ପ୍ରାସାଦକୁ ଆଣିବାକୁ ସକ୍ଷମ ହୋଇଥିଲେ |
ଏହିସବୁ କଥା ଯେତେବେଳେ ଗୋପପୁରୀରେ ଶୁଣାଯାଉଥିଲା ସେତେବେଳେ ଚନ୍ଦ୍ରସେଣା ଭୟରେ ଶିହରୀ ଉଠୁଥିଲେ | ସେ ଡରୁଥିଲେ | କାରଣ କୃଷ୍ଣ କ୍ରମେ କ୍ରମେ ଭାରତବର୍ଷର ଅଦ୍ବିତୀୟ ବୁଦ୍ଧିମାନ, କୌଶଳୀ ଓ ପରାକ୍ରମଶାଳୀ ଯାଦବ ଶ୍ରେଷ୍ଠ ଭାବରେ ପ୍ରତିପାଦିତ ହୋଇ ଆସୁଥିଲେ | ସେ ନିଶ୍ଚୟ ନିଜର କୈଶୋରର ପ୍ରେମକୁ ଭୁଲି ନ ଥିବେ ଓ ଯେକୌଣସି ଦିନ ଗୋପକୁ ଆସି ରାଧାକୁ ଉଦ୍ଧାର କରିପାରନ୍ତି | ସେ ଏବଂ ତାଙ୍କର ଯାଦବ ସେନା ଗୋପପୁରୀକୁ ଆକ୍ରମଣ କରିପାରନ୍ତି, ସେମାନଙ୍କ ସାମ୍ନାରେ ଚନ୍ଦ୍ରସେଣା ଯେ କେତେ ସାମାନ୍ୟ ସେ କଥା ଚନ୍ଦ୍ରସେଣା ଜାଣନ୍ତି | ଏହି ଚିନ୍ତା ମୁର୍ହୁ ମୁର୍ହୁ ତାଙ୍କୁ ବିଚଳିତ କଲା ଓ ବେଶ୍ କିଛି କାଳ କଟିଗଲା ଏଇ ରକମ ସଂଶୟ ଓ ସଂତ୍ରାସରେ |
ମନେଅଛି ସେ ଥରେ ରାଧାଙ୍କୁ ପଚାରିଥିଲେ କିଛି କଥା | ରାଧାଙ୍କ ଉତ୍ତର ସବୁ ଏବେ ବି ମନେଅଛି ସ୍ପଷ୍ଟତଃ |
ଚନ୍ଦ୍ରସେଣା ପଚାରିଥିଲେ: ମୁଁ ତୁମର କ’ଣ ?
ରାଧା କହିଥିଲେ: ସ୍ବାମୀ !
ଚନ୍ଦ୍ରସେଣା ପଚାରିଥିଲେ: ତୁମକୁ ଭରଣପୋଷଣ କରୁଛି କିଏ ?
ରାଧା କହିଥିଲେ: ଆପଣ ?
ଚନ୍ଦ୍ରସେଣା ପଚାରିଥିଲେ: ତୁମକୁ ଆର୍ଥିକ, ସାମାଜିକ ଓ ପାରିବାରିକ ନିରାପତ୍ତା ଦେଉଛି କିଏ ?
ରାଧା କହିଥିଲେ: ଆପଣ ?
ଚନ୍ଦ୍ରସେଣା ପଚାରିଲେ: ତୁମକୁ ସାମାଜିକ ସ୍ବୀକୃତି ଦେଇଛି କିଏ ? ପରିଚୟ ଦେଇଛି କିଏ ?
ରାଧା କହିଥିଲେ: ଆପଣ ?
ଚନ୍ଦ୍ରସେଣା ଏଥର ନିଜର ପ୍ରକୃତ ମତ ପ୍ରକାଶ କରିଥିଲେ |
କହିଥିଲେ: ସେଇ ଲୋକଟି ତୁମର କିଛି ହିଁ କରିନାହିଁ | କେବେ ବି ଆସିଲା ନାହିଁ | ପଚାରିଲା ନାହିଁ ତୁମେ କେମିତି ଅଛ ? କ’ଣ କରୁଛ ? ଥରଟିଏ ବି ଆସିନାହିଁ ତୁମକୁ ଦେଖିବାକୁ ? ଅଥଚ ତୁମେ ତାକୁ ଏତେ ଝୁରି ମରୁଛ କାହିଁକି ?
ଚନ୍ଦ୍ରସେଣାଙ୍କର
ଏଇ ପ୍ରଶ୍ନର କୌଣସି ଉତ୍ତର ଦେଇ ନଥିଲେ ରାଧା | ସେମିତି ନିରବ ରହି, ଉଦାସ ରହି ମୁହଁ ବୁଲାଇ ନେଇଥିଲେ ଓ ସ୍ଥାନ ତ୍ୟାଗ କରିଥିଲେ | ଏହାପରେ ଶୁଣାଯାଇଥିଲା କୃଷ୍ଣ ମଥୁରା ଛାଡ଼ି ଚାଲିଗଲେ | କାହିଁ କେତେ ଦୂରରେ ଦ୍ବାରିକାରେ ରାଜପୁରୀ ନିର୍ମାଣ କରି ସେଠି ରାଜପଣ କଲେ | କୃଷ୍ଣ ସମେତ ଯାଦବଗଣ ମଥୁରା ଛାଡ଼ି ଚାଲିଗଲା ପରେ, ମଥୁରା ଏକ ଜନମାନବଶୂନ୍ୟ ମରୁଭୂମି ପାଲଟି ଗଲା | ତତ୍ସହିତ ଗୋପର ଅବସ୍ଥା ମଧ୍ୟ ଦୁର୍ବିସହ ହୋଇଗଲା | ଗୋପପୁରୀର ଅନ୍ତେବାସୀମାନଙ୍କର ପ୍ରଧାନ କାର୍ଯ୍ୟ ଥିଲା ଗୋପାଳନ ତଥା ଚାଷ କାର୍ଯ୍ୟ | ତେବେ ସର୍ବାଧିକ ଲୋକ ଗୋପାଳନକୁ ପେଶା ଭାବରେ ଗ୍ରହଣ କରିଥିଲେ | ସେମାନଙ୍କ ବ୍ୟବସାୟର ପ୍ରମୁଖ କ୍ରେତା ଥିଲେ ମଥୁରାରେ | ମଥୁରାର ପତନ ପରେ ସେମାନଙ୍କ ଦୁଗ୍ଧ ବ୍ୟବସାୟ କ୍ଷତି ଆଡ଼କୁ ଆଗେଇଲା | ଲୋକମାନଙ୍କ ଆର୍ଥିକ ମାନଦଣ୍ଡ ଭାଙ୍ଗି ଆସୁଥିଲା | ସେଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଗାଁ ଛାଡ଼ି ଲୋକମାନେ ଦୂରଦୂରାନ୍ତରକୁ ଯିବାକୁ ଆରମ୍ଭ କରିଥିଲେ | ଗୋପପୁରୀର ଏଇ ପ୍ରକ୍ରିୟାରେ ଅଧିକାଂଶ ଲୋକ ବାହାରକୁ ଚାଲିଗଲେ | ଗାଁଟା କ୍ରମେ ପରିତ୍ୟକ୍ତ ଓ ନିରବ ଶ୍ମଶାନସ୍ଥଳୀ ପରି ହୋଇ ଆସୁଥିଲା | କିନ୍ତୁ ଶେଷ ପର୍ଯ୍ୟନ୍ତ ଚନ୍ଦ୍ରସେଣା ଗାଁ ଛାଡ଼ି ନ ଥିଲେ |
ଚନ୍ଦ୍ରସେଣା ନିଜକୁ ନିଜେ କହିଥିଲେ: କୁଆଡ଼େ ଆଉ ଯିବି ଯେ ? କୁଆଡ଼େ ଅବା ଯିବି ? ଯେଉଁ ଦେଶ, ଯେଉଁ ନଗରକୁ ଗଲେ ବି ସବୁଠି ତ ସେଇ କୃଷ୍ଣଙ୍କ ଚର୍ଚ୍ଚା, କୃଷ୍ଣଙ୍କ ଆଲୋଚନା | କୃଷ୍ଣ ୟା’ କଲେ, କୃଷ୍ଣ ତା’ କଲେ | କୃଷ୍ଣ ସମଗ୍ର ଭାରତବର୍ଷକୁ ବନ୍ଧୁତାର ସୂତ୍ରରେ ବାନ୍ଧିଛନ୍ତି | କୃଷ୍ଣ କୌରବଙ୍କ ପତନରେ ସହାୟକ ହୋଇଛନ୍ତି | କୃଷ୍ଣ ଜରାସନ୍ଧକୁ ନିହତ କରାଇଛନ୍ତି | କୃଷ୍ଣ ଶିଶୁପାଳକୁ ବିନାଶ କରିଛନ୍ତି | ଚାରି ଦିଗରେ କେବଳ କୃଷ୍ଣ ଆଉ କୃଷ୍ଣ ଆଉ କୃଷ୍ଣ |
ତା’ ଅପେକ୍ଷା ଏଇ ପରିତ୍ୟକ୍ତ ଗ୍ରାମ ଗୋପପୁରୀ ଭଲ | ଯେଉଁଠୁ ମଣିଷମାନେ କ୍ରମେ ପଳାଇ ଯାଉଛନ୍ତି | ସଖା ସହୋଦରହୀନ ଶ୍ମଶାନ ଇଏ | ଏଇ ଜୀବନ ଭଲ | ଢେର ଭଲ | ଏହାପରେ ଦିନେ ରାଧା ରୋଗରେ ପଡ଼ିଲେ ଏବଂ ଖୁବ୍ଶୀଘ୍ର ଶଯ୍ୟାଶାୟିନୀ ହୋଇଗଲେ | ସ୍ବାମୀର ଯେତିକି କର୍ତ୍ତବ୍ୟ ତାହା କରିବାରେ ହେଳା କରିନାହାଁନ୍ତି ଚନ୍ଦ୍ରସେଣା | କିନ୍ତୁ ସେତେବେଳକୁ ସେ ଖୁବ୍ ଅସହାୟ | ସାହାଯ୍ୟ କରିବାକୁ କେହି ନାହାଁନ୍ତି ଗୋପପୁରୀରେ | ବୈଦ୍ୟରାଜଙ୍କୁ ଡାକିବା ପାଇଁ କାଣିକଉଡ଼ିଟିଏ ପାଖରେ ନାର୍ହି | ତଥାପି ସବୁପ୍ରକାର ସେବା ଶୁଶ୍ରୁଷା କରିଥିଲେ ଚନ୍ଦ୍ରସେଣା |
ରାଧାଙ୍କ ସେଇ ରୋଗଶଯ୍ୟାରେ ଚନ୍ଦ୍ରସେଣା ପୁଣି ପଚାରିଥିଲେ ସେଇ କଥା | ସମ୍ଭବତଃ ସେଇ କଥା ଭୂତ ଭଳି ସାରା ଜୀବନ ସବାର ହୋଇ ରହିଥିଲା ଚନ୍ଦ୍ରସେଣାଙ୍କ ର ଓ ସେ ଜମା ହିଁ ଭୁଲିପାରୁ ନ ଥିଲେ କଥାଟିକୁ |
ପଚାରିଥିଲେ: ତୁମେ କ’ଣ ଭାବୁଚ ସେ ତୁମକୁ ଦେଖିବାକୁ ଆସିବ ?
ରାଧା କିଛି କହିଲେ ନାହିଁ |
ଚନ୍ଦ୍ରସେଣା କହିଲେ: ତୁମେ କ’ଣ ଭାବୁଚ ସେ ତୁମର ସେବା ଶୁଶ୍ରୁଷା କରିବ ? ମୋ’ଠୁ ବେଶି ତୁମର ଯତ୍ନ ନେବ |
ରାଧା ତଥାପି ମଧ୍ୟ କିଛି କହିଲେ ନାହିଁ |
ଚନ୍ଦ୍ରସେଣା ପଚାରିଲେ: ତୁମେ କ’ଣ ଚାହୁଁଛ, ମୁଁ ତାଙ୍କୁ ଖବର ଦିଏ ବୋଲି | ଖବର ପାଇଲେ ସେ ଧାଇଁ ଆସିବେ | ଏମିତି ଆଶା ମନ ଭିତରେ ରଖିଚ ? ରାଧା ନିରୁତ୍ତର ଥିଲେ |
ଚନ୍ଦ୍ରସେଣା କହିଲେ: ଦେଖ ! ମୁଁ ତୁମ ପାଇଁ ବହୁତ କିଛି କରିଛି, ଅଥଚ ସେ ତୁମପାଇଁ କିଛି କରିନାହିଁ | କିନ୍ତୁ ତୁମେ ଥରକ ପାଇଁ ମଧ୍ୟ ମୋତେ କହିଲ ନାହିଁ ତୁମେ ମୋତେ ଭଲପାଅ ବୋଲି | ଅଥଚ ତୁମେ ସେ ଲୋକଟିକୁ ଝୁରିଝୁରି ସରିଗଲ |
ରାଧା ଖୁବ୍ କ୍ଷୀଣ ସ୍ବରରେ ପଚାରିଥିଲେ: ତୁମେ କାହା କଥା କହୁଛ ?
ଚନ୍ଦ୍ରସେଣା କଥାଟାକୁ ସ୍ପଷ୍ଟ କରିବା ପାଇଁ, ବୁଝେଇଦେବା ପାଇଁ ତତ୍ପର ଥିଲେ | କହିଉଠିଲେ: କାହା କଥା ଆଉ କହିବି ? ସେଇ କୃଷ୍ଣ କଥା |
ରାଧା ସେମିତି ମୁର୍ମୂଷୁ ସ୍ବରରେ ପଚାରିଲେ: କୋଉ କୃଷ୍ଣ ?
ଚନ୍ଦ୍ରସେଣା ଟିକେ ବିରକ୍ତ ହେଲେ |
କହିଲେ: କୋଉ କୃଷ୍ଣ ବୋଲି କ’ଣ ପଚାରୁଛ ? ତୁମେ କ’ଣ ତାକୁ ଭୁଲିଯାଇଛ ? ସତରେ ତାକୁ ଭୁଲିଯାଇଛ ?
ଚନ୍ଦ୍ରସେଣାଙ୍କ
ସ୍ବର ଆବେଗ ବିଜଡ଼ିତ ଥିଲା | ଯେମିତି ଗୋଟେ ନୂତନ ସତ୍ୟ, ନୂତନ ଅନୁଭବ, ନୂତନ ତଥ୍ୟ ସେ ପାଇବାକୁ ଯାଉଛନ୍ତି ସେମିତି ଆନନ୍ଦିତ ବା ଉଲ୍ଲସିତ ଥିଲା ତାଙ୍କର କଥା |
ଅଥଚ ରାଧା କିଛି କହିଲେନି |
ତାଙ୍କର ଶେଷ ନିଃଶ୍ବାସ ବାୟୁମଣ୍ଡଳରେ ମିଶିଯାଇଥିଲା ସେତେବେଳକୁ | ଚନ୍ଦ୍ରସେଣା କାନ୍ଦୁ ନଥିଲେ ବା ହସୁ ନଥିଲେ ବା ଭାଙ୍ଗିଯାଉ ନଥିଲେ | ସେ ଗୋଟେ ବିଚିତ୍ର ଅନୁଭବରେ ସ୍ଥାଣୁ ପାଲଟି ଯାଇଥିଲେ, ଯେମିତି ରାଧାଙ୍କ ମୃତ୍ୟୁର ଚର୍ତୁବିଂଶ ଦିବସରେ ଚନ୍ଦ୍ରସେଣା ଦ୍ବାରକା ଅଭିମୁଖେ ପଦବ୍ରଜରେ ବାହାରିଗଲେ |
ଯଦିଓ ଦ୍ବାରକା ବହୁତ ଦୂରରେ ଥିଲା ଓ ଚନ୍ଦ୍ରସେଣା ଭଗ୍ନ ସ୍ବାସ୍ଥ୍ୟ ଓ କପର୍ଦ୍ଦକଶୂନ୍ୟ ଥିଲେ | ତଥାପି ସେ ବାହାରିଥିଲେ | ତାଙ୍କର ଉଦ୍ଦେଶ୍ୟ ଥିଲା କୃଷ୍ଣଙ୍କୁ ରାଧାଙ୍କ ମୃତ୍ୟୁ ସମ୍ବାଦ ଦେବା ଏବଂ ଗୋଟେ ଅଧେ ପ୍ରଶ୍ନ ପଚାରିବା, ତୁମେ ଥରେ ହେଲେ ବି ଗୋପପୁରୀକୁ ଗଲନି କାହିଁକି ? ଥରେ ହେଲେ ତ ଭେଟି ପାରିଥାଆନ୍ତ | ପଚାରିପାରି ଥାଆନ୍ତ, ଥରେ ହେଲେ ତ ପାଖରେ ଠିଆ ହୋଇ ପାରିଥାଆନ୍ତ ଯେ… |
0 Response to "ରାଧା"
Post a Comment