ଶ୍ରାବଣର ଏକ ମଖମଲି ଅପରାହ୍ନ |
ମଝିରେ ମଝିରେ ମେଘ ଗର୍ଜି ଘୋଷଣା କରୁଥାଏ ବର୍ଷାର ଆଗମନୀକୁ | ରଜତର ରୁମ୍ ଭିତରକୁ ଝଲ୍କା ଝଲ୍କା ବିଜୁଳିର ଉଜ୍ଜ୍ବଳତା ଧସେଇପଶୁଥାଏ | ରଜତ ପୁଣି ଗୋଟାଏ ଜବରଦସ୍ତ ଦମ୍ ଟାଣି ସିଗାରେଟ୍ ଧୂଆଁକୁ କୁଣ୍ଡଳୀ ଆକାରରେ ଛାଡ଼ିଲା ଓ ସେହି ଧୂଆଁ ମଧ୍ୟରେ ଶ୍ରାବଣୀର ନିରାବରଣ ଶରୀରକୁ ଦେଖି ଶିହରିଉଠିଲା |
ଆଜିର ସ୍ବପ୍ନିଳ ସନ୍ଧ୍ୟାକୁ ତୁଛ କରିଦେବାକୁ ଆଦୌ ଇଚ୍ଛା ନ ଥିଲା ରଙ୍ଗୀନ୍ ମିଜାଜୀ ରଜତର | ଝିପ୍ଝିପ୍ ବର୍ଷା ସାଙ୍ଗକୁ ହାତରେ ସୁରା ଓ ବାହୁରେ ଶ୍ରାବଣୀ | ଆଃ…, ରଜତର ତଣ୍ଟି ଶୁଖିଗଲା | ହ୍ବିସ୍କୀର ଦ୍ବିତୀୟ ପେଗ୍ରେ ଓଠ ଲଗାଇଲା ସେ | ଯଦିଓ ଖୁବ୍ ନାରୀସକ୍ତ ରଜତ କିନ୍ତୁ ସ୍ବାସ୍ଥ୍ୟସଚେତନ ମଧ୍ୟ | ତେଣୁ ସେ ନିଜର ସୁନ୍ଦର ଶରୀର ଓ ବାକ୍ଚାତୁର୍ଯ୍ୟକୁ ଆୟୁଧ କରି ବନିଶୀ ପକାଏ ଘରୋଇ ପୋଖରୀଗୁଡ଼ିକରେ |
ବେଶ୍ କିଛି ଦିନ ହେବ ତା ନଜର ପଡ଼ିଛି ଶ୍ରାବଣୀ ଉପରେ | ଶ୍ରାବଣୀ, ଇଞ୍ଜିନିୟର ଇନ୍ଦ୍ରଜିତ୍ ଦାସଙ୍କ ସହଧର୍ମିଣୀ | ସେ କବିତାକୁ ଭଲ ପାଆନ୍ତି ଓ କବିଙ୍କୁ ପ୍ରଚୁର ସମ୍ମାନ କରିନ୍ତି ବୋଲି ଇନ୍ଦ୍ରଜିତ୍ କିଛି ଦିନ ତଳେ ଜୋର୍ କରି ଧରିନେଇଥିଲେ ସାଥୀ ଇଞ୍ଜିନିୟର ତଥା କବି ରଜତଙ୍କୁ | ପ୍ରଥମ ଦେଖାରେ ହିଁ ରଜତର ପରଖିଲା ଆଖି ଶ୍ରାବଣୀକୁ ଚିହ୍ନିନେଇଥିଲା | ଛଳଛଳ କଳକଳ ପାହାଡ଼ୀ ଝରଣା ଭଳି ଚପଳ ଓ ସ୍ବଚ୍ଛ ଶ୍ରାବଣୀକୁ କବିତା ଶୁଣେଇ ସହଜରେ ବଶ କରିନେଇହେବ ବୋଲି ମନେ ହୋଇଥିଲା ତା’ର |
ସୁଯୋଗ ବି ଆସି ପହଞ୍ଚିଥିଲା ଶୀଘ୍ର | ଇନ୍ଦ୍ରଜିତ୍ କିଛି ଦିନ ପାଇଁ କମ୍ପାନୀ ତରଫରୁ ଟୁର୍ରେ ଯାଇଥିଲା | ମଦ ପିଉପିଉ ରଜତ ଭାବିଲା, ଏ ସନ୍ଧ୍ୟାକୁ ବେଶ୍ ଉପଭୋଗ କରାଯାଇପାରିବ ଶ୍ରାବଣୀର ସାନ୍ନିଧ୍ୟରେ |
ବାହାରେ ଝିପ୍ଝିପ୍ ବର୍ଷା |
ଶ୍ରାବଣୀ ବୋର୍ ହେଉଥିଲା ଖାଲି ଟିଭି ଦେଖିଦେଖି | ଏତେ ଜଲଦି ଶୋଇବାର ଅଭ୍ୟାସ ତା’ର ନାହିଁ | ଭୋକ ବି ଲାଗି ନ ଥିଲା | ସମୟ କାଟିବାକୁ ସେ ବହି ଥାକରୁ ‘ମେଘଦୂତମ୍’ ଆଣି ପଢୁଥିଲା |
ଠକ୍ଠକ୍ ଶବ୍ଦରେ କବାଟ ଖୋଲି ସେ ଦେଖେ ତ- କବି ରଜତ | ଶ୍ରାବଣୀ ଖୁସି ହୋଇଗଲା, ଆଃ, ଆଜିର ସନ୍ଧ୍ୟାଟା କବିତା ଓ ଚା’ ସହ ଖୁବ୍ ସୁନ୍ଦର ଭାବେ କଟିଯିବ ତ! ଶ୍ରାବଣୀ ରୋଷେଇ ଘରକୁ ଚା’ କରିବାକୁ ଗଲା | ରଜତ ମଧ୍ୟ ତା’ ପଛେପଛେ ଯାଇ ହାଜର | ରଜତର ଆଖି ଅଲଗା ଲାଗୁଥିଲା, କେମିତି ଗୋଟେ | ତାକୁ ଦେଖି ନିଜ ଆଖିକୁ ବିଶ୍ବାସ କରିପାରିଲାନି ଶ୍ରାବଣୀ | ଅବିଶ୍ବାସ ଓ ଦୁଃଖରେ ସ୍ତବ୍ଧ ହୋଇଗଲା | ରଜତ କିନ୍ତୁ ତା’ର ନିରବତାକୁ ସମ୍ମତିର ଲକ୍ଷଣ ମନେ କରି ଆହୁରି ଆଗେଇଲା | ନିଜକୁ ରକ୍ଷା କରିବାର ଅନ୍ୟ ଉପାୟ ନ ପାଇ ଶ୍ରାବଣୀ ଚା’ ସସ୍ପେନ୍ ଉଞ୍ଚେଇଲା…. |
ବର୍ଷାର ବେଗ ବଢ଼ିବଢ଼ି ଚାଲିଥାଏ | ରଜତ ଛକରେ ଠିଆ ହୋଇଥାଏ | ବାଁ ପଟ ମୁଣ୍ଡର ଫୁଲା ଜାଗାରେ ହାତ ମାରି ଦେଖିଲା, ଏବେ ବି ବେଦନା ଅଛି | ସସ୍ପେନ୍ ମାଡ଼ ଖାଇ ଶ୍ରାବଣୀ ଘରୁ ପଳାଇଆସିଲା ବେଳେ ତାକୁ ପଛରୁ ଶୁଭୁଥିଲା- ମୋ ବେଡ୍ରୁମ୍ରେ ପଶିବାର ସ୍ବପ୍ନ କ’ଣ ଦେଖୁଛନ୍ତି, ମୋ ଡ୍ରଇଂ ରୁମ୍ରେ ମଧ୍ୟ ବସିବାର ଯୋଗ୍ୟତା ଆପଣଙ୍କର ନାହିଁ | ଶବ୍ଦଗୁଡ଼ାକର ପ୍ରତିଧ୍ବନୀ ସେ ପର୍ଯ୍ୟନ୍ତ ତା’ ଛାତିରେ ବାଡ଼େଇହେଉଥିଲା |
ଘର ବାହାରେ ଗାଡ଼ି ରାତିସାରା ଠିଆ ହୋଇରହିଥିଲେ ଲୋକେ ସନ୍ଦେହ କରିପାରନ୍ତି ଭାବି ରଜତ ଗାଡ଼ି ନେଇ ନ ଥିଲା | ହେଲେ ସନ୍ଧ୍ୟାପରେ ବର୍ଷାର ପ୍ରକୋପ ଏତେ ବଢ଼ିଯିବ ବୋଲି କିଏ ଜାଣିଥିଲା | ରାସ୍ତାଘାଟ ଏବେ ଶୂନ୍ଶାନ୍ | ଟେମ୍ପୋ କିମ୍ବା ଟାକ୍ସି ଦୂରେ ଥାଉ, ରିକ୍ସାଟିଏର ମଧ୍ୟ ଦେଖାଦର୍ଶନ ନାହିଁ | ଘରକୁ କେମିତି ଯିବ ଚାଲିଚାଲି !
ପରିସ୍ଥିତିରୁ ମୁକୁଳିବାର ନୂଆ କିଛି ଯୋଜନା କରୁକରୁ ଆରପଟରୁ ଗୋଟେ କାର୍ ଆସୁଥିବାର ଦେଖାଗଲା | ରଜତର ହାତ ତା’ ଅଜାଣତରେ ଲିଫ୍ଟ୍ ମାଗିବା ଭଙ୍ଗୀରେ ଉପରକୁ ଉଠିଗଲା | କାର୍ ରହିଲା ତା’ ପାଖରେ | ପଛପାଖ ଦରଜା ଖୋଲିଦେଲେ ଜଣେ ମହିଳା | ଅବଶ୍ୟ ମେକ୍ଅପ୍ରେ ହେଉ କିମ୍ବା ଆଲୋକର ସ୍ବଳ୍ପତାରେ, ବୟସ କିମ୍ବା ସୌନ୍ଦର୍ଯ୍ୟ କିଛି ଠିକ୍ରେ ଜଣା ପଡୁ ନ ଥିଲା | କାଳବିଳମ୍ବ ନ କରି କାର୍ ଭିତରକୁ ଲମ୍ଫ ଦେବା ପ୍ରାୟ ପଶିଗଲା ରଜତ |
ସମ୍ଭ୍ରାନ୍ତ ମହିଳାଙ୍କ ନିମନ୍ତ୍ରଣ ଏଡ଼ାଇ ନ ପାରି ରଜତ ତାଙ୍କ ସହ ଗଲା ତାଙ୍କ ଘରକୁ | ଖୁବ୍ ସୁଦୃଶ୍ୟ ତଥା ନିରୋଳା ଅଟ୍ଟାଳିକା | ଭବ୍ୟ ଡ୍ରଇଂରୁମ୍ ପାର ହୋଇ ବିଳାସମୟ ଶୟନ କକ୍ଷକୁ ତାଙ୍କୁ ନେଇଗଲେ ଭଦ୍ର ମହିଳା | ସମାନ୍ୟ କଥୋପକଥନ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ହୋଇଆସିଲେ ସେ | ଶୟନ କକ୍ଷରେ ଥିବା ବାର୍ରୁ ଦୁଇଟି ଗ୍ଲାସ୍ରେ ମଦ ଢ଼ାଳି ଗୋଟିଏ ରଜତ ଉଦ୍ଦେଶ୍ୟରେ ବଢ଼ାଇଦେଲେ | ରଜତ ଓଠରେ ଗ୍ଲାସ୍ ଲଗଉଲଗଉ ତା’ ମନ ଭିତରକୁ ଶ୍ରାବଣ ରାତିକୁ ନେଇ ଗୋଟେ କବିତାର ପଦଟିଏ ଆସିଗଲା | କିନ୍ତୁ କବିତା-ବୀତସ୍ପୃହ ଭଦ୍ରମହିଳା ବାଥରୁମ୍କୁ ଚାଲିଗଲେ ଫ୍ରେସ୍ ହେବାକୁ | ଝର୍କା ବାହାରର ବର୍ଷାକୁ ଉପଭୋଗ କରୁକରୁ ରଜତ ମନେ ପକାଇଲା ଶ୍ରାବଣୀକୁ | ତାକୁ ହଠାତ୍ ସବୁ କିଛି କେମିତି ଗୋଟେ ଖାଲି ଖାଲି ଲାଗିଲା |
ଏହାପରେ ଘଟିଥିବା ଘଟଣା ସବୁ ରଜତର ଭାବନା ପରିଧିର ବାହାରେ ଥିଲା | ବାଥ୍ରୁମ୍ରୁ ସ୍ବଳ୍ପ ପୋଷାକରେ ଫେରିଆସିଲେ ସେହି ମହିଳା | ତା’ପରେ ତାଙ୍କ ବୟସ ଓ ମେଦ କ୍ରମଶଃ ରଜତ ଆଖି ଆଗରେ ସ୍ପଷ୍ଟ ହୋଇଉଠିଲା | ସେ ସ୍ବପ୍ନପୁରୀ ଏବେ ତାକୁ ପ୍ରେତପୁରୀ ମନେ ହେଲା | ରଜତ ସେଠାରୁ ଧାଇଁ ପଳେଇବାକୁ ଚାହିଁ ବିଫଳ ହେଲା | ତାକୁ ଜୋର୍ କରି ଅଟକାଇ ଧରି ମହିଳା ଦରଜା ବନ୍ଦ କରିଦେଲେ |
ବାହାରେ ରାତି ସାରା ଭୀଷଣ ବର୍ଷା | ସେ ବର୍ଷା ରାତିସାରା କମିବାର ନାମ ନେଲାନି |
ରଜତ ଶ୍ରାବଣୀ ସହ ଯାହା ଯାହା ଘଟନା ଘଟେଇବାକୁ ଚାହୁଁଥିଲା; ସେଇ ନିବୁଜ କୋଠରିରେ ସବୁ ଗୋଟିକ ପରେ ଗୋଟିଏ ଘଟିଚାଲିଥିଲା | ତଫାତ୍ କେବଳ ଏତିକି ଯେ, ରଜତ ନିଜ ଭୂମିକାରେ ଅବତୀର୍ଣ୍ଣ ନ ହୋଇ ଶ୍ରାବଣୀର ଭୂମିକାରେ ଥିଲା |
ସକାଳ ହେଲା | ଧର୍ଷିତା ନାରୀର କୋହ ପରି ଆକାଶରେ ମେଘ ଖଣ୍ଡମାନ ଆହୁରି ଗୁମୁରୁଥିଲେ | ନାଲି କାର୍ଟି ରଜତକୁ ତା’ ଘର ପାଖରେ ଛାଡ଼ିଦେଇ କେତେବେଳୁ ଯାଇସାରିଥିଲା | ରଜତ ଗେଟ୍ ଆଗରେ ଠିଆ ହୋଇ ଆକାଶରୁ ଚାହିଁଚାହିଁ ଭାବୁଥିଲା- ଶ୍ରାବଣ ରାତିକୁ ନେଇ କେବଳ କବିତା କାହିଁକି, ଭଲ ଥ୍ରିଲର୍ ବି ଲେଖାଯାଇପାରେ |
0 Response to "କବିତା / ଥ୍ରିଲର୍"
Post a Comment