ଚେଷ୍ଟା

ଚେଷ୍ଟା

ଚେଷ୍ଟା
 
ଲିପିକା ମହାପାତ୍ର

ଘିଅମିଶା ସିନ୍ଦୁରକୁ କପାଳରେ ଗୋଲ କରି ଲଗେଇଲା ରମେଇ ମାଁ | ଆଖିରେ କଜ୍ବଳ, ବେକରେ ମନ୍ଦାର ହାର, ମୁକୁଳା ଘନକେଶ | ମାଟି କାନ୍ଥରେ ଟଙ୍ଗା ହୋଇଥିବା ଦର୍ପଣରେ ନିଜର ପରିବର୍ତ୍ତିତ ମୁହଁଟାକୁ ପରଖି ନେଲା |

ହଁ …. ସବୁ ଠିକ୍ଅଛି |

ଆଶ୍ବସ୍ତ ହେଲା |

ଏଥର କନା ଲୁଗାଟାକୁ ସିଧାକରି ପିନ୍ଧିଲା | କିଛି ମୁହୂର୍ତ୍ତ ମଧ୍ୟରେ ଲୁଗାଟା ତା କଳାମୁଗୁନି ପଥର ଭଳି ଶରୀରରୁ ଅଲଗା ହେଇଯିବ | ପାଦ ଫାଟି ରକ୍ତ ଝରିବ | ମନ୍ଦାର ହାରଟା ଛିଣ୍ଡି ଦାଣ୍ଡ ଅଗଣା ସାରା ବିଛେଇ ହେଇଯିବ | ସବୁ ବେଠିକ୍ହେଇଯିବ | ଅନୁଭବୀ ବେପାରି ତା ପ୍ରକୃତ ଗ୍ରାହକ ଚିହ୍ନିଲା ପରି ବେଠିକ୍ଭିତରୁ ଠିକ୍ଟା ଯିଏ ଚିହ୍ନିପାରେ ସେ ହିଁ ଜୀବନର ଆନନ୍ଦ ନିଏ |

ଛୋଟ ହସଟେ ତାମୁହଁରେ ଖେଳିଗଲା |
ଉଲ୍ଲାସର ହସ |

ସିନ୍ଦୁରରୁ ଶକ୍ତି ପାଏ ରମେଇ ମାଁ’ | ରମେଇ ବାପା ଘରଛାଡ଼ି ଚାଲିଗଲାବେଳେ ରମେଇ ମାସକର ହୋଇଥିଲା | ଝାଟିମାଟି ଘର, ମାଆଉ ପୁଅ | ଗାଁ ଲୋକେ କେତେ ରକମର ଉଡ଼ାକଥା କୁହନ୍ତି | ରମେଇ ମାଁ ପିଞ୍ଜରା ଭିତରେ ସେକଥା ଭେଦ କରେନି କିମ୍ବା ସିନ୍ଦୁର ଲଗାଇଲାବେଳେ ହାତ ଥରେନି | ପେଟର ଭୋକ ଭୟଙ୍କର | କାଙ୍ଗାଳମାନେ ଜାଣିବେ | ସେମାନଙ୍କ ପେଟ ଖାଦ୍ୟରେ ପୂର୍ଣ୍ଣ | କେବଳ ଦେହ ଆଉ ମନର ଭୋକ ପାଇଁ ସେମାନେ ଆତୁର | ପେଟର ଭୋକ ଶାଖାପ୍ରସାଖା ମେଲାଇ ରକ୍ତମାଂସର ଶରୀରଟିକୁ ଛନ୍ଦି ପକାଏ | ଶରୀର ଖାଲି ଛଟପଟ ହୁଏ | ଫୁଟୁଥିବା ଗରମ ପାଣିରେ ଜୀବନ୍ତ କଙ୍କଡ଼ା ପରି |

ଜୀବନଟା ଭୋକ |

ରମେଇର ଢୋଲ ଶୁଭିଲାଣି ଦାଣ୍ଡ ଅଗଣାରୁ | ପୋଲିଓ ବେମାରି ଯୋଗୁଁ ଗୋଡ଼ ଦିଟା ଛଚିନ୍ଦ୍ରା ଭଳିଆ ସରୁ, ହେଲେ ହାତ ଯୋଡ଼ିକ ଶକ୍ତ ଆଉ ଚଳଚଞ୍ଚଳ | ଖୁବ୍ସୁନ୍ଦର ଢୋଲ ବଜାଏ ରମେଇ | ଜୀବନରେ ଅନୁଭବଗୁଡ଼ିକ ତାଢୋଲର ତାଳରେ ଜୀବନ୍ତ ହୋଇ ଉଠନ୍ତି |

ବିଷାଦ, ଶୋକ, ଆନନ୍ଦ, କ୍ରୋଧ, ପ୍ରେମ ଆଉ ଭକ୍ତି.. ଏଇତ ଜୀବନ | ଦେବତାମାନେ ମଧ୍ୟ ଆଗ୍ରହୀ ଏଇ ଜୀବନର ସ୍ବାଦ ଚାଖିବାକୁ |

ରମେଇ ଢୋଲ ବଜାଏ ମାଁ କୁ ଖୁସି କରିବାକୁ | ମାଁ ମୁହଁରେ ହସ ଦେଖିଲେ ତାକୁ ଲାଗେ ମାଁ କାନିରେ ପୃଥିବୀଟା ଅଜାଡ଼ି ଦେଲା |

ପୃଥିବୀ, ସିଏ ଆଉ ମାଁ ଝୁମନ୍ତି ଆନନ୍ଦରେ |
ଜୀବନଟା ସହଜ |

ସକାଳର କଅଁଳ ଖରାରେ ଦାଣ୍ଡ ଅଗଣାଟା ସୁନେଲୀ ଦିଶିଲାଣି | ରମେଇ ମାଁ ପଦାକୁ ବାହାରି ଆସିଲା ମୁଖରେ ଏକ ଅପୂର୍ବ ଠାଣିର ମୁଖାପିନ୍ଧି |

ରମେଇର ପଙ୍ଗୁଗୋଡ଼ ଉପରେ ଚକ୍ଷୁ ମୁହୂର୍ତ୍ତେ ପାଇଁ ସ୍ଥିରକରି ଆରମ୍ଭକଲା ନୃତ୍ୟ | ଢୋଲର ତାଳରେ, କ୍ରୋଧର ତାଣ୍ଡବ | ମଝିରେ ମଝିରେ ଚିତ୍କାର କରୁଥାଏ,
ଗାଁରେ ବର୍ଷ ବର୍ଷା ହବନି
ସ୍କୁଲଘରେ ନିଆଁ ଲାଗିଯିବ, ସାବଧାନ୍‌’

କୁକୁଡ଼ା କାଇଁ ?’
ବୀର ଗୁଡ଼ିଆ ପୁଅ ପବନା ଆଖିକୁ ଅପ୍ରାକୃତିକ ଦୃଶ୍ୟ ଅଛପା ରହିଲାନି | ଅଣ୍ଟାରେ ଗାମୁଛାଟାକୁ ଭିଡ଼ିଦେଇ ଦଉଡ଼ିଲା ପ୍ରଚାର କରି କରି, ‘ରମେଇ ମାଁ କୁ କାଳସୀ ଲାଗିଲା ହୋ, …ପୁଣି ଲାଗିଲେ.. |’

ଦିନୁମାଷ୍ଟ୍ରେ ପିଣ୍ଡାରେ ବସି ଖବରକାଗଜ ପଢ଼ୁଥିଲେ | ପବନାର କଥାଟା ଗୁଳି ଭଳିଆ ଭେଦ କରିଗଲା ତାଙ୍କ କାନରେ | ପାଟିରୁ ଅସ୍ପଷ୍ଟ ଭାବେ ବାହାରିଗଲା,

ଏବେ ପା ଲାଗିଥିଲେ, ପ୍ରଳୟ ଆସନ୍ନ ତାହେଲେ |

ବିସ୍ମୟ ଆଉ ଭୟର ହାଲୁକା ଝଡ଼ଟେ ଗାଁରେ ବହିଗଲା | ମାଇପିମାନେ ଘରଦ୍ବାର ଅଣ୍ଡାଳି ପକେଇଲେ, ଚାଉଳ ଗଣ୍ଡେ କି ନଡ଼ିଆଟିଏ ପାଇଲେ ମାଁ ଙ୍କୁ ଅର୍ପଣ କରିବେ | ଚମ୍ପି ଖୁଡ଼ି ନଡ଼ିଆଟେ ଧରି ଝଅଟ ଝଅଟ ପାଦ ପକେଇଲା | ଏଥର ମାଁ ଙ୍କୁ ସବୁକଥା କହିବ | ତା ତେର ବର୍ଷର ଝିଅମିତୁକଥା କହିବା ବନ୍ଦ କରିଦେଇଛି | ଦିନଯାକ ମାଟି କାନ୍ଥକୁ ରାମ୍ପୁଥାଏ | ମିତୁକୁ କଥା କୁହାଇବା ପାଇଁ ଚମ୍ପି ଖୁଡ଼ିର ସବୁଚେଷ୍ଟା ମିତୁର ନଖରମ୍ପା କାନ୍ଥକୁ ଲିପୁ ଲିପୁ ମାଟିରେ ମିଶିଯାଏ | ଆଖିରେ ଆଖିଏ ଲୁହ | ଏଥର ସବୁଠୁ ଆଗ ପହଞ୍ଚି ମାଁଙ୍କୁ ମନର ବ୍ୟଥା କହିବ |

ରମେଇ ମାଁ ଘରଆଗେ କ୍ରମାଗତ ଭାବେ ଭିଡ଼ ଜମିଲାଣି | ଭିଡ଼ ସାଙ୍ଗରେ ତାଳଦେଇ ଉଠା ଦୋକାନ ଅଧ ଡଜନେ ଖଣ୍ଡେ ଖୋଲି ଯାଇଛି | ନଡ଼ିଆ, ଫୁଲ, ଧୂପ ଠାରୁ ଆରମ୍ଭ କରି ଚକୁଳି ପିଠା, ତରକାରୀ ପର୍ଯ୍ୟନ୍ତ ସବୁ ମିଳିବ | କାନ୍ଦୁରା ପିଲାଟା ପାଇଁ ବେଲୁନ୍କିଣାର ମଧ୍ୟ ବ୍ୟବସ୍ଥା ଅଛି | କିଏ ଜାଣେ ମାଆ କେତେ ସମୟ ରହିବେ |
ରମେଇ ମାଁ ନୃତ୍ୟ ଭୟଙ୍କର ହୋଇଉଠିଛି | ଭକ୍ତମାନେ ସ୍ବୟଂକୁ ମାଁଙ୍କ ପାଖରେ ସମର୍ପଣ କରି ତଳେ ଲୋଟି ଯାଇଛନ୍ତି |

ମାୟାର ସମର୍ପଣ ସତ୍ୟ ସମ୍ମୁଖରେ |

ରମେଇ ମାଁର ମଥାର ସିନ୍ଦୁର ମୁହଁସାରା ଲେସିହୋଇ ଗାଁ ଦେବତାଙ୍କ ସିନ୍ଦୁରବୋଳା ପଥର ମୁହଁ ପରି ମନେ ହଉଛି | ମୁଣ୍ଡରୁ ଝାଳ ଆଉ ପାଦ ଫାଟି ରକ୍ତ, ଅଗଣା ଧୂଳିରେ ମିଶି ଯାଉଛି | ଭକ୍ତମାନଙ୍କର ପ୍ରଶ୍ନ ଆଉ ଉତ୍ତର ଆଶାରେ ଉତ୍କଣ୍ଠା  | ଭିଡ଼ ଭିତରୁ ଜଣେ ପଚାରିଲା, ‘ମାଁରମେଇ ବାପା ଫେରିବ ?’
ଏମିତିଆ ପ୍ରଶ୍ନରେ ଛାତି କୋରି ହୋଇଯାଏ ରମେଇ ମାଁ  | ପ୍ରଶ୍ନକୁ ବାଆଁରେଇ ଦେଇ କହିଲା, ‘ବାସ୍ସେତିକି  |’

ରମେଇ ମାଁ ପରଘରେ କାମ କରି ପେଟ ପୋଷିଲେ ମଧ୍ୟ, ମାଁ ପୁଅ ଅନେକ ଦିନ ଓପାସ ରୁହନ୍ତି | ପେଟର ଭୋକ ମାରିବା ପାଇଁ ରଘୁବାବୁଙ୍କ ବାଡ଼ିରୁ ସଜନା ଛୁଇଁ ଚୋରି କରିବାଟା ଅପରାଧ ମାନେନି ରମେଇ ମାଁ କିମ୍ବା ରାତିରେ ଉଲଗ୍ନ ହୋଇ ଶୋଇବାଟା ଅସଭ୍ୟତା ନୁହେଁ ବରଂ ଗୋଟିଏ ବୋଲି ପିନ୍ଧା ଲୁଗାକୁ ବେସିଦିନ ଟାଣି ନବାର ଚେଷ୍ଟା |

ଚେଷ୍ଟା ଏକ ସୁନ୍ଦର ପ୍ରୟାସ ଯାହା ମଣିଷର ଆଶାକୁ ହାତମୁଠାକୁ ଆଣିବାରେ ସାହାଯ୍ୟ କରେ | ଅନେକ ସମୟରେ ମଣିଷଟି ମନପ୍ରାଣ ଦେଇ ଚେଷ୍ଟା କରେ | ହେଲେ ହାତମୁଠା ଖୋଲିଲା ବେଳକୁ ଅଧା ଖଣ୍ଡିଆ ଆଶାକୁ ଭେଟେ | ଦୁଃଖ ପାଏ | ଏଇଟା ମାୟାର ଖେଳ | ମଣିଷଟି ତାହା ବୁଝି ପାରେନି | ରମେଇ ମାଁ ଆପ୍ରାଣ ଚେଷ୍ଟାରେ, ରମେଇ ବଡ଼ ହୋଇଗଲା ସିନା କିନ୍ତୁ ତା ଖଣ୍ଡିଆ ଗୋଡ଼ ଦିଟା ଛିଗୁଲେଇବା ଆରମ୍ଭ କଲେ ରମେଇ ମାଁକୁ | ଆଶାର ଖଣ୍ଡିଆ ରୂପ |

ଗ୍ରାମ ଦେବତୀ ପୁଜାରୀ ହରି ମିଶ୍ର କେତେବାର କହିଛନ୍ତି, ‘ଆଲୋ- ଟୋକାଟାକୁ ମନ୍ଦିରରେ ବସେଇ ବଡ଼ ଖଣ୍ଡିଆ ଗୋଡ଼ ଦିଟା ଦେଖାଇଲେ କିଛି ମିଳିବ |’ ପଣ୍ଡିତଙ୍କ ଭଳି ଶ୍ରେଷ୍ଟ ଲୋକଙ୍କ କଥା ଅମାନ୍ୟ କରିବା ଅପରାଧ | ରମେଇ ମାଁ ସେ ଅପରାଧ କରେ | ପଣ୍ଡିତେ ତାତ୍ସଲ୍ୟ କରି କୁହନ୍ତି, ‘ପୂର୍ବ ପାପରୁ ଗେରସ୍ତ ଛୁ…. ପୁଅ ଛୋଟା.. ପୁଣି ବହପ ଦେଖ |’ ପଣ୍ଡିତଙ୍କ କଥାଟା ବିରୁଡ଼ି ଭଳିଆ କାନ ପାଖରେ ଭଁ ଭଁ ହୁଏ | ଚୁପ୍ରହେ, କିନ୍ତୁ ରମେଇକୁ ଭିକ ମାଗିବାକୁ ଛାଡ଼େନି |

ଜୀବନଟା ପ୍ରଶ୍ନ |

ତାଅନ୍ତେ ରମେଇ ବଢ଼ିବ କେମିତି | ପ୍ରଶ୍ନଟି ହାତୁଡ଼ି ମାରିଲା ପରି ପିଟି ହଉଥାଏ ବାରମ୍ବାର |

ଜୀବନଟା ଅଭିନୟ |

ଗାଁରେ ଗୀତାପାଠ ବେଳେ ଖଣ୍ଡେ ଖଣ୍ଡେ ବାକ୍ୟ ତାକାନରେ ପଡ଼ିଛି | ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କ ସଖା ଆଉ ସାରଥି ହୋଇଥିଲେ | ସେଟା ଅଭିନୟ ନୁହେଁ ଆଉ ?

ସେ ଅଭିନୟ କରିବ | ମାଁ କାଳିସୀ ଲାଗିବାର ଅଭିନୟ | ବଞ୍ଚିବାର ଏଇ ନୂତନ ଉପାୟଟି ଆବିଷ୍କାର କଲାପରେ ରମେଇ ମାଁ ଆଉ ପଛକୁ ଫେରି ଚାହିଁନି | ଗୋଧନ ଆଉ ଅନ୍ନରେ ପୂରି ଉଠିଛି ଘର | ରମେଇର ଭବିଷ୍ୟତ ପ୍ରଶ୍ନବାଚିରୁ ଏକ ରଙ୍ଗୀନ୍ ସତ୍ୟକୁ ଋପାନ୍ତରିତ ହୋଇଯାଇଛି |

ଧନ୍ୟ ସେ ଅଭିନୟ | ଆଶ୍ଚର୍ଯ୍ୟ ସେ ଅଭିନୟ  |

ସେ ସ୍ବପ୍ନକୁ ଭୁଲିଯାଏ | ରମେଇର ଢୋଲ ଶବ୍ଦହୀନ ହୋଇଯାଏ |
ଶବ୍ଦହୀନ ପୃଥିବୀ |
ଝୁଣା ଧୂଆଁ, ଧୂପ, ଘଣ୍ଟଘଣ୍ଟା, ଝାଳ ଆଉ ରକ୍ତ | ରମେଇ ମାଁ ଶରୀର ଦୋହଲୁଥାଏ ଯେମିତି, ପ୍ରବଳ ଝଡ଼ରେ ଗ୍ରସ୍ତ ଗଛର ଡାଳଟିଏ ଦିଗହୀନ ଭାବେ ଦୋହଲିଲା ପରି | ଯେକୌଣସି ମୁହୂର୍ତ୍ତରେ କଟକଟ କରି ଭାଙ୍ଗି ପଡ଼ିବାଟା ବିଚିତ୍ର ନୁହେଁ |

ଆକାଶକୁ ଚାହିଁଲା ରମେଇ ମାଁ  | ମଧ୍ୟାହ୍ନ ସୂର୍ଯ୍ୟ | ପ୍ରଖର ଖରା | ଶୋଷରେ ତାତଣ୍ଟି ଶୁଖିଗଲା |

ଜୀନଟା ଶୋଷ |

ସରାରେ ସଦ୍ୟ ବଳିପଡ଼ିଥିବା କୁକୁଡ଼ାର ରକ୍ତ | ଢକ ଢକ କରି ପିଇଗଲା ରମେଇ ମାଁ ସେ ରକ୍ତକୁ | ହେଲେ ମଧ୍ୟ ଶୋଷ ମେଣ୍ଟିଲାନି | ଶରୀରଟା କଚାଡ଼ି ହୋଇ ଲୋଟି ପଡ଼ିଲା ଭୂମିରେ | ରମେଇର ହାତ ସ୍ଥିର ହୋଇଗଲା | ଢୋଲ ଉପରେ | ଭକ୍ତମାନେ ଶୂନ୍ୟେ ଶୂନ୍ୟେ ଟେକିନେଲେ ରମେଇ ମାଁକୁ, ଆଉ ଯତ୍ନରେ ଶୁଆଇ ଦେଲେ ଖଟିଆ ଉପରେ |

ମାଆ ବୋଧେ ଦେହରୁ ବାହାରି ଗଲେଚମ୍ପି ଖୁଡ଼ି କହିଲା- ଏକ ନିରାସିଆ ସ୍ବରରେ | ଆଉ ଜଣେ ଭିଡ଼ ଭିତରୁ କହିଲା, ‘ଏତେ ସମୟ ରହିଲେ |’ ଗାଁ ମାଇପିମାନେ ରମେଇ ମାଁ ସେବାରେ ଲାଗିଯାଇଥାନ୍ତି | ରମେଇ ମାଁ ଦୀର୍ଘଶ୍ବାସଟିଏ ନେଲା | ଆଶ୍ବସ୍ତିର |

ନିଶ୍ବାସ ତଳୁ କହିଲା, ‘ଜୀବନଟା ଚେଷ୍ଟା ନୁହେଁଚେଷ୍ଟା ହିଁ ଜୀବନ |’

--

 

0 Response to "ଚେଷ୍ଟା"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel