ଆଖି ଲୁହକୁ ହାତ ପାପୁଲିରେ ପୋଛୁପୋଛୁ ବୁଦ୍ଧୁରାମ କହିଲା, ଦି,ଦି’ଟା ପିଲା ମ’ର ଖରାପ ହେଇଗଲେ ଏଇ ଛଅମାସ ଭିତରେ | ବେଜୁଣୀ କହୁଚି, ଝିଅଟାକୁ ଦୁଷ୍ଟ ଡୁମା ନୁହେଁ, ଡାହାଣୀଟେ ଗୁଣି କରି ଦେଇଛି | ପୂଜା ଠିକ୍ଠାକ୍ ହେଇଥିଲା, ବଳି ବି ଦିଆଯାଇଥିଲା, ଝଡ଼ାଫୁଙ୍କା ହେଇଥିଲା, ଚେରମୂଳି ଇଲାଜ ବି ହେଇଥିଲା | ଠିକ୍ ନ ହେଲା କାହିଁକି ? ପୁଅଟାକୁ ବି ସେଇ ଡାହାଣୀ ଗୁଣିକରି ଦେଇଥିଲା ଯେ ଶୁଖିଶୁଖି ଖରାପ ହେଇଥିଲା | ଝାଡ଼ା ବନ୍ଦ ହେଲା ନାହିଁ, ବାନ୍ତି ବନ୍ଦ ହେଲା ନାହିଁ | ତୁ ତ ଦେଖିଚୁ କାଲା, କେମିତି ରାଗିଲା ଭଳି ତଳଓଠକୁ କାମୁଡ଼ି ବଡ଼ବଡ଼ ଆଖିରେ ଚାହୁଁଥିଲା ?”
କାଲା ସେଇଠୁ କହିଲା, ବେଜୁଣୀକି କହିଲୁ ନି | ଏମିତି ମନ, କରିଥାଆନ୍ତା ଯେ, ଡାହାଣୀଟା ପେଟକୁ ଧରି ଛଟପଟ ହେଇଥାଆନ୍ତା | ବେଜୁଣୀ ପା’ ଡଙ୍ଗରଡୁମାର ପୂଜକ | ଡାହାଣୀଟା ତାକୁ ବଳିଯିବ ?
ଡାକିଥିଲି, ଡାକିଥିଲି, ସବୁ ଦେଖିଲା, କିଛି କରିପାରିଲା ନାହିଁ ”- କହୁକହୁ ବୁଦ୍ଧୁରାମ କାନ୍ଦିବାକୁ ଲାଗିଲା |
କାନ୍ଦନା, କାନ୍ଦନା”, କହି କାଲା ପିପାଁରୁ ଆଉ ଗିଲାସେ ମହୁଲି ଢାଳି ତା ହାତକୁ ବଢ଼େଇ ଦେଲା | ଏକାଥରକରେ ଗ୍ଲାସ୍ଟାକୁ ଖାଲି କରିଦେଇ ବୁଦ୍ଧୁରାମ ପୁଣି କାନ୍ଦିଲା “ଡାହାଣୀଟା ଶକ୍ତ ଗୁଣି କରି ଦେଇଛି | ମ’ ବଅଁଶ ବୁଡ଼ି ଗଲାରେ କାଲା–”
“ଆଉ କାନ୍ଦନା, କାନ୍ଦନା, ଆମ ଗାଁର ଆହୁରି କେତେ ପିଲାଙ୍କୁ ଗୁଣିକରି ଡାହାଣୀଟା ମାରି ପକେଇ ସାରିଲାଣି | ମ’ ସ୍ତ୍ରୀଟାକୁ ଗୁଣି କରିଦେଲା ଯେ, ସେ ଶୁଖିଶୁଖି ମଲା | ଦେବାଦେବୀ, ଡୁମା ଦେବତା, ପିତୃପୁରୁଷ ସମସ୍ତଙ୍କୁ ପୂଜାକରି ସନ୍ତୁଷ୍ଟ କଲି | ହେଲେ ଡାହାଣୀର ଗୁଣିକୁ କେହି ଅଟକାଇ ପାରିଲେ ନାହିଁ | ତୁ ଦେଖିଲୁ ପା, ଶାଲାପେନୁଙ୍କୁ ସନ୍ତୁଷ୍ଟ କଲି, କିଛି ହେଲା ?”
ବୁଦ୍ଧୁରାମ କହିଲା, “କିଛି ହବନି, ଯେ ଯାଏ ଏ ଗାଁରେ ସେ ଡାହାଣୀଟା ଅଛି, କେହି ବଞ୍ଚିବେନି |” ସମସ୍ତଙ୍କର ରକ୍ତ ଶୋଷି ନେଇ ମାରିଦବ | ତାକୁ ଖତମ ନ କଲେ ଏ ଗାଁ ପଦା ହୋଇଯିବ | ତମର ସମସ୍ତଙ୍କର ଗୋଟେ ସ୍ତ୍ରୀ କି ଗୋଟେ ପିଲାକୁ ଖାଇଲା, ମ’ର ତ ଦି,ଦି’ଟା ପିଲାଙ୍କୁ ମାରିଲା | ଆଉ ତାକୁ ଛାଡ଼ିବିନି, ଆଜି ତାକୁ ଖତମ କରିବି |”
କାଲା କହିଲା, “ଠିକ୍, ଠିକ୍ | ମୁଁ ବି କହୁଛି, ଆଜି ତାକୁ ଖତମ କରିବା | କିନ୍ତୁ କରିବା କଣ ? ଶୀତ ରାତିଟା, ଶୀତ ଲାଗିବ-”
“ଶୀତକୁ ଡରୁଛୁ | ନେ, ନେ ଆଉ ଦି’ଗିଲାସ ମାରି ଦେ | ଦେଖିବୁ ଶୀତଟା ଡରିମରି ତତେ ଛାଡ଼ି ପଳେଇବ |”
କାଲା ଘରେ ବସି ବୁଦ୍ଧୁ ସହିତ ମହୁଲି ପିଉଥାଏ | ଡଙ୍ଗର ପୂଜା ବେଳୁ ଗୋଟାଏ ପିପାଁରେ କିଛି ମହୁଲି ସହିତ ଟିକିଏ ସଲଫେଟ ମିଶାଇ କାଲା ଘରେ ରଖିଥିଲା | ନିଶାଟା ଯେମିତି ବଢ଼ିବ | କେଇଦିନ ଆଗରୁ ତା ସ୍ତ୍ରୀଟାକୁ ଡାହାଣୀ ଗୁଣିକରି ମାରି ଦେଇଥିଲା | ସେ ଏବେ ଏକା | ଶଲପ୍ଟୋଲିର, ଝିଅ ନୁର୍ସିକୁ ସେ ରାସ-କାପଡ଼ା (ଟଣାଝିଙ୍କା ବିବାହ) କରିଥିଲା | ନୁର୍ସିଟା ଥିଲା ବହୁତ ସୁନ୍ଦର | ରାସ-କାପଡ଼ା ବାହାଘର ଯୋଗୁଁ ଖର୍ଚ୍ଚ ବି କମ୍ ହେଇଥିଲା | ନ ହେଲେ କାଲା ପାଖରେ ଟଙ୍କା କଉଠି ଥିଲା ଯେ ସେ ଫୁଲବାହା କରିଥାଆନ୍ତା ? ଅବଶ୍ୟ ରାସ-କାପଡ଼ାରେ ବୁଦ୍ଧୁରାମ ତାକୁ ସାହାଯ୍ୟ କରିଥିଲା | ଧରା ପଡ଼ିଯାଇଥିଲେ ସେମାନେ ମାଡ଼ ମାରି ତା ଜୀବନ ନେଇ ଯାଇଥାଆନ୍ତେ |
ଆଗେ ତାରାକୁ ସମସ୍ତେ ଖୋଜାଲୋଡ଼ା କରୁଥିଲେ | ରୋଗ ହେଲେ, ହଇଜା, ବସନ୍ତ, ପେଟବଥା, ଜ୍ବର ଇତ୍ୟାଦି ବ୍ୟାପିଲେ ଗୁଣି କରି ଚେରମୂଳି ଦେଇ ସେ ଭଲ କରି ଦଉଥିଲା | ଦୁଷ୍ଟ ଡୁମାକୁ ତଡ଼ି ଦଉଥିଲା | ଡଙ୍ଗର ପୂଜା ବେଳେ ତା ଗେରସ୍ତ ସଙ୍ଗୁରୁ ସାଙ୍ଗରେ ମିଶି ଢେର କାମ କରୁଥିଲା |
କିନ୍ତୁ ଯେଉଁଦିନ ସଙ୍ଗୁରୁଟା ଖରାପ ହେଇଗଲା, ଗାଁ ଲୋକେ ସନ୍ଦେହ କଲେ | ଭଲ ଲୋକଟା, ଖରାପ ହେଇଗଲା କାହିଁକି ? ଡଙ୍ଗର ତଳ ଜମି ଖଣ୍ଡକରେ ମାଣ୍ଡିଆ ବୁଣି ଫେରିଲା ପରେ କଣ ହେଲା କେଜାଣି, ଖାଇ ସାରିଲା ପରେ ଯନ୍ତ୍ରଣାରେ ଛଟପଟ ହେଲା | ବେଜୁଣୀ ଆସିଲା, ଡୁମା ପୂଜା କଲା, ଶାଲାପେନୁ, ପିତୃ-ପୁରୁଷଙ୍କୁ ପୂଜା କଲା | ସଙ୍ଗୁରୁ ବଞ୍ଚିଲା ନାହିଁ | ସେଇଠୁ ଗାଁ ଲୋକେ ଧରି ନେଲେ, ତାରାଟା ଡାହାଣୀ | ନିଜ ସ୍ବାମୀ ସଙ୍ଗୁରୁକୁ ସେ ମାରିଛି |
କାହିଁକି ନା ସଙ୍ଗୁରୁ ପାଖରୁ ତା’ର ପିଲାପିଲି କିଛି ହଉ ନଥିଲେ | ସ୍ବାମୀ ମଲା ପରେ ତାରା ପର ପିଲାଙ୍କ ଉପରେ ଦୃଷ୍ଟି ପକେଇଲା | ଗାଁର ଯଉ ପିଲାଙ୍କ ଦେହରେ ହାତ ମାରି ଦଉଥିଲା, କାଖେଇ ପକାଉଥିଲା, ଏମିତି କି ଚାହିଁ ଦେଉଥିଲା ସେମାନେ ଝାଡ଼ା କି ଜ୍ବର ରୋଗରେ ପଡୁଥିଲେ ବୋଲି ଗାଁ ଲୋକଙ୍କର ଗୋଟାଏ ଅନ୍ଧବିଶ୍ବାସ ହୋଇଗଲା | କେବଳ ତା’ ନୁହେଁ, ଗାଁରେ ତିନି, ଚାରି ଜଣ ଲୋକଙ୍କୁ ସେ ଗୁଣିକରି ମାରି ପକେଇଲା ବୋଲି ବୁଦ୍ଧୁରାମ ଓ ଆଉ କେତେକ ତାରା ନାମରେ ଅପପ୍ରଚାର କଲେ | କାହିଁକି ନା ବେଜୁଣୀ ଯେତେ ପୂଜାପାଠ କରୁଥିଲା, ଯେତେ ପୋଢ଼ ବଳି ଦଉଥିଲା, ଯେତେ ଚେରମୂଳି ଔଷଧ ଦେଉଥିଲା, କିଛି କାମ କରୁ ନଥିଲା | ବେଜୁଣୀ ବି କହିଥିଲା, “ଏଇ ତାରା ହିଁ ଗୁଣି କରି ସମସ୍ତଙ୍କୁ ମାରୁଛି | ତାକୁ ଖରାପ ନକଲେ, ସାରା ଗାଁଟାକୁ ପଦା କରି ପକେଇବ-”
ସେଇଠୁ ସେମାନେ ତାରାକୁ ଏକଘରକିଆ କରିଦେଲେ | ନିଆଁପାଣି ବନ୍ଦ | ତାରା ତା’ଘର ଭିତରୁ ପଦାକୁ ଗୋଡ଼ କାଢ଼ିଲା ମାତ୍ରେ ସ୍ତ୍ରୀ ଲୋକମାନେ ନିଜନିଜର ଛୁଆମାନଙ୍କୁ ଧରି ଘର ଭିତରେ ଲୁଚି ଯାଉଥିଲେ | ଦୂରରୁ ତା ଉପରକୁ ଏମିତି ଢେଲା ଫିଙ୍ଗୁଥିଲେ ଯେ ସେ ଦଉଡ଼ି ଦଉଡ଼ି ଯାଇ ତା’ଘର ଭିତରେ ପଶି କବାଟ ବନ୍ଦ କରି ଦେଉଥିଲା | ଦିନ ବେଳେ ଘରୁ ବାହାରିବାକୁ ସାହସ କରୁ ନଥିଲା |
ବୁଦ୍ଧୁରାମ ଓ କାଲାରାମ ଉଭୟ ମହୁଲି ଦ୍ବାରା କବଳିତ ହୋଇ ସାରିଥିଲେ | ସେମାନଙ୍କ ଭିତରେ ଥିବା ମଣିଷ ଦି’ଟା ବାହାରି ପଳେଇ ଯାଇଥିଲେ |
ଥରଥର ଗଳାରେ ଏବଂ ଭଙ୍ଗାଭଙ୍ଗା ବାକ୍ୟରେ ବୁଦ୍ଧୁରାମ କହୁଥିଲା, “ମ’ ଖୁଡ଼ି ହେଲେ କଣ ହେଲା ଶାଳୀ ଡାହାଣୀଟାଏ | ମ’ ପୁଅକୁ ଗୁଣି କରି ମାରିଦେଲା ଯେ ଏଇ ହାତରେ ଗାତ ଖୋଳି ତାକୁ ପୋତିଲି, ଦେଖ ଏଇ ହାତ, ଆଜି ତାକୁ ଛାଡ଼ିବି ନାହିଁ | ଏବେ ତା’ ନଜର ପଡ଼ିବ ମ’ ସ୍ତ୍ରୀ ଉପରେ | ତା’କୁ ବି ଖାଇଯିବ | ତା’ଘରକୁ ଲାଗି, ମ’ ଘର ତ |”
ତା’ପରେ ହଠାତ୍ ବସିଥିବା ସ୍ଥାନରୁ ଉଠି ପଡ଼ିଲା ଏବଂ କାଲାର ଘର କୋଣରେ ଥୁଆ ହୋଇଥିବା ଟାଙ୍ଗିଆଟାକୁ ଉଠାଇ ଆଣିଲା, “ଚାଲ୍ କାଲା, ଆଜି ସେ ଡାହାଣୀଟାକୁ ଶେଷ କରିଦେବି |”
ମଦ ନିଶାରେ ପାଦ ଏପାଖ, ସେପାଖ ପଡ଼ୁଥାଏ, ଆଖି ଲାଲ୍ ଲାଲ୍ | କ୍ରୋଧରେ ଗର୍ଜନ କରୁଥାଏ- ଆଜି ତାକୁ ଛାଡ଼ିବି ନାହିଁ |
କାଲାର ଘର ସାମ୍ନା ରାସ୍ତାରେ ଆସି ସେ ଛିଡ଼ା ହେଲା | ମାଘ ମାସର ଶୀତରାତି | ଘନ ଅନ୍ଧକାର ଭିତରେ ଡଙ୍ଗରିଆ-କନ୍ଧ ବସ୍ତିର ଘରଗୁଡ଼ା ଲୁଚି ଯାଇଛି | ବଡ଼ ବଡ଼ ଗଛଗୁଡ଼ା ରାକ୍ଷସମାନଙ୍କ ଭଳି ଗାଁ ଚାରିପଟେ ଜଗି ରହିଛନ୍ତି | ଆକାଶରେ ତାରା, ତଳେ ଜୁଳୁଜୁଳିଆ ପୋକମାନଙ୍କର ଆଲୋକ ବ୍ୟତୀତ ଆଉ କେଉଁଠି ଆଲୋକର ରେଖାଟିଏ ମଧ୍ୟ ନାହିଁ | ମଝିରେ ମଝିରେ କୁକୁର, ପେଚା ଆଉ ବଣ ଆଡୁ ଶିଆଳ, ହେଟାମାନଙ୍କର ଚିତ୍କାର ଭାସି ଆସୁଥାଏ | ଗାଁ ଭିତରେ ପାଖକୁ ପାଖ ଲାଗି ନୁଆଣିଆ ଚାଳଘର | ସେଗୁଡ଼ିକ ସାମ୍ନାରେ ସରୁ ପାଦଚଲା ରାସ୍ତା | ଚାରିଆଡ଼େ ନିରବତା, ନିସ୍ତବ୍ଧତା | ରାତି କେତେ ହେବ କେଜାଣି ? ଗାଁ ଯାକର ଲୋକ ନିଦ୍ରାରେ ଅଚେତ୍ |
ଟାଙ୍ଗିଆଟାକୁ ହାତରେ ଧରି ଆଗରେ ବୁଦ୍ଧୁରାମ ଓ ତା’ପଛରେ କାଲାରାମ | ବୁଦ୍ଧୁରାମର ଖପୁରି ଭିତରେ ନିଆଁ ଲାଗିଛି | ସେ ନିଆଁର ଧାସ ତା’ ହାତରେ, ଗୋଡ଼ରେ, ଦେହରେ, କିଛି ଭାବିବା ବା କିଛି ଚିନ୍ତାକରିବା ଅବସ୍ଥାରେ ସେ ନଥାଏ, ଚାରିଆଡ଼େ କେବଳ ତାକୁ ଝାପ୍ସା ଝାପ୍ସା ଦେଖାଯାଉଥାଏ | ଗୋଟିଏ ଘର ପାଖରେ ସେମାନେ ଅଟକି ଗଲେ ଏବଂ ବାଉଁଶ ଫାଳିଆରେ ତିଆରି କବାଟଟାକୁ ଧକ୍କାଟାଏ ମାରି ଖୋଲି ଦେଲେ | ସେହି ଅନ୍ଧାର ଭିତରେ କେହି ଜଣେ ଘୋଡ଼ିଘାଡ଼ି ହେଇ ଚଟାଣରେ ଶୋଇଥିବାର ବୁଦ୍ଧୁରାମ ଅନୁମାନ କଲା | ନିଘୋଡ଼ ନିଦରେ ବୋଧେ ଡାହାଣୀଟା ଶୋଇଛି | କବାଟ ଖୋଲିବାର ଶବ୍ଦରେ ମଧ୍ୟ ତା ନିଦ ଭାଙ୍ଗିଲା ନାହିଁ |
ବୁଦ୍ଧୁରାମ ମନରେ ହଠାତ୍ ଭାବନାଟାଏ ପଶିଗଲା | ଏଇ ତାରା ଡାହାଣୀ, ତା ଖୁଡ଼ି | ଘରକୁ ଘର ଲାଗିଛି | ସଙ୍ଗୁରୁ କେତେ ଭଲ ପାଉଥିଲା ବୁଦ୍ଧୁରାମକୁ, ତା’ ପୁଅ, ଝିଅ ଦି ଜଣଙ୍କୁ | ଖୁଡ଼ି ହେଇ ବି ତା’ ପିଲା ଦି’ଟାଙ୍କୁ ଗୁଣିକରି ମାରିଲା ? ଏବେ ତା’ ସ୍ତ୍ରୀ ଉପରେ ଦୃଷ୍ଟି ପକାଇଚି ?
ଚଟାଣରେ ଶୋଇଥିବା ଏବଂ ଅଖା ଘୋଡ଼ି ହୋଇଥିବା ସ୍ତ୍ରୀ ଲୋକଟା ପାଖକୁ ସେ ଝପଟି ଗଲା ଏବଂ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିବାରେ ଲାଗିଲା | ତା’ଭିତରୁ ଏକ ନାରୀ କଣ୍ଠର ବିକଟ ଚିତ୍କାର ନିସ୍ତବ୍ଧତାକୁ ବିକ୍ଷୁବ୍ଧ କରି, ଅନ୍ଧାରକୁ ଚିରି ବାହାରି ଆସିଲା, ତା’ପରେ ବନ୍ଦ ହୋଇଗଲା, କେହି ଶୁଣିଲେ ନାହିଁ, କେହି ଜାଣିଲେ ନାହିଁ |
ତା’ପରେ ବୁଦ୍ଧୁରାମ ଓ କାଲାରାମ ବାହାରକୁ ଆସି ଦଉଡ଼ିବାକୁ ଲାଗିଲେ | ପାଖ ଗଡ଼ିଆଟା ଭିତରକୁ ଟାଙ୍ଗିଆଟାକୁ ଫିଙ୍ଗି ଦେଇ ଉଭୟ କାଲା ଘର ଭିତରକୁ ଟାଣି କବାଟ କିଳି ଦେଲେ | ସକାଳ କେତେବେଳେ ହେଲା, କେତେବେଳେ ସୂର୍ଯ୍ୟ ଉପରକୁ ଉଠିଲେ ଏବଂ କେତେବେଳେ ଗାଁ ଭିତରଟା କୋଳାହଳରେ ଭରିଗଲା, ସେମାନେ ଜାଣି ପାରିନାହାଁନ୍ତି | ଗାଁର ଦୁଇଜଣ ଯୁବକ ଯେତେବେଳେ କାଲାରାମର ଦାଣ୍ଡ କବାଟ ଭାଙ୍ଗି ଘର ଭିତରେ ପଶି ଦୁଇଜଣଙ୍କୁ କେଞ୍ଚାକେଞ୍ଚି କଲେ, ସେତେବେଳେ ଉଭୟ ଉଠିବସିଲେ |
ଜଣେ କହିଲା, “ଆବେ ବୁଦ୍ଧୁ ! କାଲି ରାତିରେ ତ ସ୍ତ୍ରୀକୁ ଘରେ ଏକୁଟିଆ ଛାଡ଼ିଦେଇ ଏଠି ଆସି ଶୋଇଛୁ ? ରାତିଯାକ ମଦ ପିଇଚୁ ? ଦେଖିବୁ ଯା, ରାତିରେ ଏକୁଟିଆ ପାଇ ତାକୁ କିଏ କାତିରେ କାଟି ଟୁକ୍ଟୁକ୍ କରି ଦେଇଛି |”
ବୁଦ୍ଧୁରାମ କିଛି ବୁଝି ପାରୁ ନଥିଲା | ମହୁଲିଗୁଡ଼ା ତା’ ମୁଣ୍ଡକୁ ସେତେବେଳ ଯାଏ କବ୍ଜାରେ ରଖିଥାଏ | ସେ ଡବଡବ କରି ଯୁବକଟିକୁ ଚାହିଁଲା | ଯୁବକଟି କହିଲା, “ଆବେ ଚାହିଁଚୁ କଣ, ଜଲଦି ଯା, ତ ସ୍ତ୍ରୀକୁ କାଲି ରାତିରେ, କିଏ ହାଣି ପକେଇଚି, ପୋଲିସ୍ରେ ରିପୋର୍ଟ ଲେଖେଇବୁ-”
ଶିକାରୀର ଗୁଳିବାଜି ତଳକୁ ଖସି ପଡୁଥିବା ପକ୍ଷୀଟି ଭଳି ବୁଦ୍ଧୁରାମ ଆକାଶରୁ ଖସି ମାଟି ଉପରେ ଦୁଲ୍ଦାଲ୍ ହୋଇ କଚାଡ଼ି ହୋଇ ପଡ଼ିଲା |
0 Response to "ଗୁଳିବିଦ୍ଧ ପକ୍ଷୀ"
Post a Comment