ନାମ ଫଳକ

ନାମ ଫଳକ

ନାମ ଫଳକ
 କମଳା ଶତପଥି

ଦୀର୍ଘବର୍ଷର ଲୀଳାଖେଳା ସାରି ଆଜି ହଠାତ୍ସକାଳୁ ସକାଳୁ ଇହଧାମ ତ୍ୟାଗ କଲି ମୁଁ l ରାତିରେ ସବୁକିଛି ଠିକ୍ଠାକ୍ଥିଲା, ଖିଆପିଆ ବି ବେଶ୍କରିଥିଲି l ଔଷଧପତ୍ର ଯାହା ଖାଇବା କଥା, ସେସବୁ ବି ଖାଇଥିଲି, ପତ୍ନୀ ସୁରମାଙ୍କ ଶତ ବାରଣ ସତ୍ତ୍ବେ ରାତି ଅଧ ଯାଏଁ ବହି ପଢ଼ିଥିଲି l ତାଙ୍କ ସହିତ ସାମାନ୍ୟ ଯୁକ୍ତିତର୍କ (ଯାହାକୁ ସେ ଝଗଡ଼ା ବୋଲି କୁହନ୍ତି) ବି କରିଥିଲି l ସବୁକିଛି ନିତିଦିନର କଥା ପରି ନିହାତି ସ୍ବାଭାବିକ ଥିଲା, କିନ୍ତୁ ଆଜି ସକାଳୁ ଉଠୁଉଠୁ ଲାଗିଲା ସତେ ଯେମିତି ମୋ ଭିତରୁ କିଛି ଗୋଟାଏ ବାହାରି ଯାଉଛି l ଛାତି ଭିତରଟାକୁ କିଏ ଯେମିତି ଶକ୍ତ ହାତରେ ଦଳିଚକଟି ପକାଉଛି l ସୁରମାଙ୍କୁ ଅତର୍ଚ୍ଛା ଡାକ ଛାଡ଼ିଲି, ମାତ୍ର ଡାକଟା ପାଟି ବାଟ ଦେଇ ବାହାକୁ ବାହାରି ପାରିଲା ନାହିଁ l ଆଉ ସେଇ ଶୋଇବା ଅବସ୍ଥାରେ ହିଁ ମୁଁ ଟଳିପଡ଼ିଲି l

ଏକପ୍ରକାର କହିବାକୁ ଗଲେ ଭଲ ହିଁ ହେଲା l କାହାକୁ ହଇରାଣ କରିନି, କାହାରି ବିରକ୍ତି ସହିଲିନି, ରୋଗରେ ପଡ଼ି ଘୁଅମୁତରେ ଘାଣ୍ଟି ବି ହେଲିନି, ଶୁଖିଲାଟାରେ ହାତଗୋଡ଼ ଚାଲୁ ଚାଲୁ ଚାଲିଗଲି l

ଦୀର୍ଘଶ୍ବାସଟିଏ ବାହାରି ଆସିଲା l ଆଶ୍ବସ୍ତିର କି ଅବସୋସର କହିପାରିବିନି, ତେବେ ବୋଝ ଉତୁରିଯିବାର ଅନୁଭବଟା କାହିଁକି କେଜାଣି ତୀବ୍ର ଭାବରେ ଅନୁଭୂତ ହେଉଥିଲା l

ବେଶ୍ସମୟ ପର୍ଯ୍ୟନ୍ତ ମୋ ଅସାଡ଼ ଶରୀରଟା ସେମିତି ଖଟ ଉପରେ ଏକୁଟିଆ ହୋଇ ପଡ଼ି ରହିଲା l ସବୁଦିନ ସମୟଟାରେ ମତେ କେହି ବିବ୍ରତ କରିବାର ସାହସ କରନ୍ତିନି କେବେ l ଡ଼େରିରେ ଉଠିବା ମୋର ସବୁଦିନର ଅଭ୍ୟାସ l ତାଛଡ଼ା ସୁରମାର ଏଇଲେ ପୂଜାପାଠ ଚାଲିଥିବ l ଆଉ ଘଣ୍ଟାଏ ଲାଗିବ ତାକୁ ମୋ ପାଖକୁ ଚାନେଇ ଆସିବାକୁ l

ବାହାହେବା ଦିନରୁ ହିଁ ସକାଳର ଚାମୁଁ ସୁରମାଙ୍କ ହାତରୁ ପିଏ l ତାଙ୍କ ପରି ଚାଆଉ କେହି ବନାନ୍ତିନି l ଦିନର ଶୁଭାରମ୍ଭ ତାଙ୍କ ହାତ ତିଆରି ଚାରୁ କରିସାରିଲା ପରେ ଯାଇ ଅନ୍ୟ କିଛି ମୁଁ କରେ l ନଚେତ୍ପୁରା ଦିନଟା ମୋର ଖରାପ ଯାଏ l (ଏଇଟା ମୋର ନିହାତି ବ୍ୟକ୍ତିଗତ ଅନୁଭୂତି, ବିଷୟରେ ସୁରମାଙ୍କୁ କିଛି ବି ଜଣାନାହିଁ l ତାହା ହିଁ ଠିକ୍‌, ନହେଲେ ସ୍ତ୍ରୀ ଲୋକମାନେ ଏସବୁ ବିଷୟରେ ଜାଣିଯିବା ପରେ ବେଶ ଗୋଡ଼ ଲମ୍ବେଇ ଥାଆନ୍ତି l)

ଅଜି ସୁରମା ଚାକରି ଆଣିବେ, ମାତ୍ର ତାକୁ ଉପଭୋଗ କରିବାକୁ ମୁଁ ଆଉ ନାହିଁ l ମନ ବିଚଳିତ ହୋଇଉଠିଲା l ଲାଗିଲା ଏମିତି ସକାଳୁ ସକାଳୁ ମରି ଆଉ କିଛି ସମୟ ପରେ ମରିଥିଲେ, ଭଲ ହୋଇଥାଆନ୍ତା l କମ୍ସେ କମ୍ସୁରମାଙ୍କ ପରିଶ୍ରମ ବ୍ୟର୍ଥ ଯାଇ ନଥାନ୍ତା l ପାଖଆଖରେ କେହି ଜଣେ ବି ନାହାନ୍ତି ଦେଖିବାକୁ l ମୋର କିଛି ହେଲା ନହେଲାର ଧ୍ୟାନ ଦେବାର ଆବଶ୍ୟକତା କେହି ଜଣେ ବି ମଣୁ ନାହାନ୍ତି l ବଡ଼ ବିରକ୍ତି ଲାଗିଲା, କେତେ ଦାୟିତ୍ବହୀନ ପରିବାର ମୋର ସତରେ ! ବୟସ୍କ ଲୋକଙ୍କୁ ଏମିତି ଏକୁଟିଆ ଏତେ ସମୟ ପାଇଁ କେହି ଛାଡ଼େ ! ମଝିରେ ମଝିରେ ଆସି ଦେଖାପରଖା କରିବା କଥା ନୁହେଁ !

ପୁଣି ମନେ ପଡ଼ିଲା, କେମିତି କିଏ ବା ଆସିବ ଏପଟକୁ l ମୋ ନିଦ ଖୁବ୍ପତଳା l ସାମାନ୍ୟ ଖଡ଼୍ଖାଡ଼୍ହେଲେ ନିଦ ଭାଙ୍ଗିଯାଏ ବୋଲି ସମସ୍ତଙ୍କୁ ବାରଣ କରି ରଖିଥାନ୍ତି ସୁରମା l ତାଛଡ଼ା ଘରର ଏପଟ କଣରେ ଥିବା ଏହି ଘର ଭିତରକୁ ବିନା କାରଣରେ କିଏ ବା କାହିଁକି ଅସମୟଟାରେ ଆସିବାକୁ ଯିବ l ଏମିତି ବି ମୋ ମଲାଗଲାକୁ କିଏ ବା ଚାହିଁ ବସିଛି ଯେ !

ସୁରମା ଆସିବା ସମୟ ହେଇଗଲା l ମୁଁ ପ୍ରସ୍ତୁତ ହେଇଗଲି ତାଙ୍କ ବ୍ୟାକୁଳତା ଦେଖିବାକୁ (ଖୁସି ବି ଦେଖିପାରେ) l ଖୁବ୍ଦୟା ଆସୁଥିଲା ମୋରି, ତାଙ୍କ ଉପରେ କି ନିଜ ଉପରେ କହିପାରିବିନି l ଜୀବନସାରା ମୋର ଉପରେ ନିର୍ଭର କରି ଆସିଛନ୍ତି ସେ l ମୋରି ଭଲମନ୍ଦ ଦେଖିବାରେ ସାରା ଜୀବନ ତାଙ୍କ ବ୍ୟତୀତ ହୋଇଛି କହିଲେ ଅତ୍ୟୁକ୍ତି ହେବନି l କେତେ ଶରଧାରେ ଚାକରି ଆଣିଛନ୍ତି, ଆଉ ଏଇଲେ ଦେଖିବେ

ଖଡ଼୍କରି କିଛି ଗୋଟାଏ ପଡ଼ିଗଲା ବୋଧେ, ଚମକିଉଠିଲି ମୁଁ l ଦରଜା ଆଡ଼କୁ ନଜର ଚାଲିଗଲା l ଧଳାରେ ନାଲିଧଡ଼ି ବାଲା ଶାଢ଼ୀ ପିନ୍ଧି ସୁରମା ଘର ଭିତରକୁ ଧୀରେ ପଶି ଆସୁଆସୁ କିଛି ଗୋଟାଏ ଝୁଣ୍ଟିପଡ଼ିଲେ ବୋଧେ l କ୍ଷଣିକ ପାଇଁ ଅଟକି ଯାଇ ଏକଡ଼ ସେକଡ଼ ଚାହିଁ ପୁଣି ଭିତରକୁ ଆସିଲେ l ଅପୂର୍ବ ସୁନ୍ଦର ଦିଶୁଛନ୍ତି ସେ l ଓଦାବାଳରୁ ଟୋପେ ଟୋପେ ଜଳକଣା ଝରିପଡ଼ୁଛି l ମଥାର ସିନ୍ଦୂରଟୋପା ଦାଉ ଦାଉ ଦିଶୁଛି l ପାଟିରେ ଏପର୍ଯ୍ୟନ୍ତ ବି ଗୁଣୁଗୁଣୁ କରି ମନ୍ତ୍ର ଗାଇ ଚାଲିଛନ୍ତି, ହାତରେ ଅଛି ବାମ୍ଫଉଠା ଚାକପ୍‌ l ମୋ ପାଖକୁ ଆଗେଇ ଆସୁଛନ୍ତି ସେ l ଚାଦର ଖୋଲି ମତେ ଡାକିଲେ l … ଥରେ ଦିଥରମୋ ନିଶ୍ଚଳ ଶରୀର ଗୋଟେ ପଟକୁ ଗଡ଼ିପଡ଼ିଲା l

ତାପରେ ପରେ ତାଙ୍କ ଆକୁଳ ଚିତ୍କାରରେ ଘରର କଡ଼ିବରଗା ଦୋହଲିଗଲା l

କାନ୍ଦବୋବା, ଛାତିଫଟା, ମୁଣ୍ଡବାଡ଼ାସବୁକିଛି ଗୋଟିକ ପରେ ଗୋଟିଏ ଚାଲିଲା ପ୍ରାୟୋଜିତ କାର୍ଯ୍ୟକ୍ରମ ପରି l ସନ୍ତୋଷରେ ମନ ଭାରି ଭାରି ଲାଗୁଥିଲା l ଯାହାହେଉ ମୋର ଅବର୍ତ୍ତମାନ ଘର ଉପରେ, ପରିବାର ଉପରେ, ଖାସ୍କରି ସୁରମାଙ୍କ ପରେ ଗଭୀର ପ୍ରଭାବ ପକେଇଛି l ଖୁବ୍ବିଚଳିତ ଲାଗୁଛନ୍ତି ସମସ୍ତେ l ହଁ, ଏତିକିର ଆଶା ମୋର ବି ଥିଲା l

ଚାହୁଁ ଚାହୁଁ କିଛି ସମୟ ଆମ ଘରର ଶାନ୍ତ ପରିବେଶ ପୁଅବୋହୂ, ଝିଅଜୋଇଁ, ଶଳାଶାଳୀ, ବନ୍ଧୁବାନ୍ଧବଙ୍କ କଳରବରେ ଗହଳଚହଳ ହେଇଉଠିଲା l ରବିବାରର ସକାଳ, ତେଣୁ ପହଞ୍ଚିବାରେ କାହାର ବିଳମ୍ବ ହେଲାନାହିଁ l ଅବଶ୍ୟ କେହି କେହି ନିଶ୍ଚୟ ମନେ ମନେ ଭାବୁଥିବ, ଗଲା, ଆଜି ବୁଢ଼ା ପାଇଁ ପୂରା ରବିବାରଟା ଖରାପ ହୋଇଗଲା l କେତେ ନିଶ୍ଚିତରେ ବସିବସି ଦିନଯାକର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା, ସବୁ ମାଟିରେ ମିଶିଗଲା l ୟାକୁ କଣ ଆଉ କେଉଁଦିନ ମରିବାକୁ ହେଲାନାହିଁ l ମଲା ମଲା, ରବିବାର, ପୁଣି ସକାଳୁ ସକାଳୁ l

ନା, ନା, ସେମିତି କେହି ଭାବୁ ନଥାଇ ପାରନ୍ତି ଏଇଲେ, ସମସ୍ତଙ୍କ ମନ ଦୁଃଖରେ ଭାରି ଭାରି ହୋଇଗଲା ପରି ଲାଗୁଛି l ଅବଶ୍ୟ ମୁଁ ସେମାନଙ୍କ ପାଇଁ ଅଲୋଡ଼ା ଅଖୋଜା ଥିଲି, ତଥାପି ଥିଲି l ପ୍ରଥମରୁ ମୁଁ ଏତେଟା ସାମାଜିକ ପ୍ରାଣୀ ନୁହେଁ l ଯାହା ସାମାନ୍ୟ ବା ଥିଲି, ଏଇ କିଛି ବର୍ଷ ହେଲାଣି ସମସ୍ତଙ୍କଠାରୁ ଏକଦମ୍କଟିଯାଇ ସବୁଥିରେ ପୂର୍ଣ୍ଣଚ୍ଛେଦ ମାରି ଦେଇଛି l ନା କୁଆଡ଼େ ଯାଉଥିଲି, ନା କେହି ଆସିଲେ ମତେ ଖୋଜୁଥିଲେ l ଯେ କେହି ବି ଆସୁଥିଲେ ସେମାନେ ସେପଟୁ ସେପଟୁ ବିଦା ହେଉ ଯାଉଥିଲେ l ଘରର ଏପଟକୁ, ମାନେ ମୋ ପାଖକୁ ସୁରମାଙ୍କ ବ୍ୟତୀତ ଆଉ କେହି କେବେ ଆସିବାର ମୋର କାହିଁ ମନେ ପଡ଼ୁନି l ସତ କହିବାକୁ ଗଲେ କାହାର ନଆସିବାଟା ହିଁ ମତେ ଭଲ ଲାଗୁଥିଲା l

ସେପଟ ଘର ଏଇଲେ ହୋ ହୋ ଶବ୍ଦ ଜୋରରେ ଶୁଭୁଛି l ସମସ୍ତେ ସୁରମାକୁ ବୋଧ ଦେଉଛନ୍ତିବୋଧ ଦେଉଛନ୍ତି କି ମୋ ମୃତ୍ୟୁ ପାଇଁ ବଧେଇ ଜଣାଉଛନ୍ତି କେଜାଣି ! ନିଶ୍ଚୟ ସୁରମାଙ୍କ ଉପରେ ମୁଁ ବୋଝ ଥିଲି l ମୋ ଲାଗି ସେ କୁଆଡ଼େ ଯାଇ ଆସି ପାରୁ ନଥିଲେ l ସେଇଥିପାଇଁ ସେଦିନ ବିରକ୍ତ ହେଇ କହିଥିଲେ, ଆଚ୍ଛା ଲୋକ ହେଇଛି, ଟିକିଏ କାହା ସଙ୍ଗେ ଯାଇ ମିଳାମିଶା କଲେ କଣ ହୁଅନ୍ତାନି l ବାହାର ଦୁନିଆରେ କଣ ଚାଲିଛି, କେମିତି ଚାଲିଛି, ଯଦି ଏଠୁ ନବାହାରିବ, ତେବେ ଜାଣିବ କେମିତି ? ସମସ୍ତେ ତମ କଥା ପଚାରି ପଚାରି ମତେ ହାଲିଆ କରୁଛନ୍ତି, କାହିଁକି ଯାଉନ ବୋଲି ଫୋନ୍କରୁଛନ୍ତି, ଏମିତି ହେଲେ କେମିତି ଚଳିବ ?

ଏଇଟା ତାଙ୍କର ମୋ ପ୍ରତି ପ୍ରଶ୍ନ ନା ଅଭିଯୋଗ, ମୁଁ ବୁଝିପାରି ନଥିଲି ପ୍ରଥମେ l ଏତେ ବର୍ଷ ହେଲାଣି ଘରସଂସାର କରିବା ମୋ ସହିତ l ସେ ଆଜିଯାଏ ଜାଣିନାହାନ୍ତି ମତେ ଲୋକବାକଙ୍କ ସହିତ ଅଯଥାରେ ମିଳାମିଶା କରିବା ପସନ୍ଦ ନୁହେଁ ବୋଲି l ତେବେ ଆଜି ହଠାତ୍କାହିଁ ପ୍ରଶ୍ନ ! ନିଶ୍ଚୟ ବିରକ୍ତ ହେଇଯିବେଣି l ମୁହଁରେ କହିଲେ ବି ମନେ ମନେ ଭାବୁଥିବେ କେବେ ମୁଁ ସଂସାର ତ୍ୟାଗ କରିବି, ଆଉ ସେ ଶାନ୍ତିରେ ନିଶ୍ବାସ ମାରିବେ l ଅବଶ୍ୟ ମୁଁ ତାଙ୍କୁ କେବେ ବାନ୍ଧି ରଖିନାହିଁ କି କୁଆଡ଼େ ଯିବାକୁ ବାରଣ କରିନାହିଁ l ସେ ନିଜେ ନିଜେ ହିଁ ମୋ ପଛରେ ବାନ୍ଧି ହୋଇଯାଇଛନ୍ତି l ମୁଁ ଜାଣିଛି, ବାହାରେ ବୁଲାବୁଲି କରିବାଟା ତାଙ୍କୁ ଭାରି ପସନ୍ଦ l କିନ୍ତୁ ମୋରି ପାଇଁ କେବେ କୁଆଡ଼େ ଯାଇ ପାରୁନାହାଁନ୍ତି ବୋଲି ପ୍ରକାରାନ୍ତରେ ଅନେକ ଥର ଏଇ ଭିତରେ ଜଣେଇ ଦେଇ ସାରିଲେଣି l ପ୍ରତ୍ୟକ୍ଷରେ ବି ଥରେ ଦିଥର କହିଦେବା କଥା ମୋର ମନେ ପଡ଼ିଯାଉଛି l

ଭଲହେଲା ମୁଁ ଆଜି ମରିଗଲି l ସ୍ବାଧୀନ ହେଇଗଲେ ସେ l ଯୁଆଡ଼େ ଇଚ୍ଛା ସିଆଡ଼େ ଯାଇ ବୁଲିବେ, ମଉଜ କରିବେ, ସାଙ୍ଗଦୋସ୍ତି ବଢ଼େଇ ସିନେମା ଥିଏଟର ଯିବେ, ପାର୍ଟି ପିକ୍ନିକ୍କରିବେ l

ସେପଟ ବାରଣ୍ଡା ଉପରେ ଠିଆହୋଇ ଲୋକମାନଙ୍କୁ ସ୍ବାଗତ କରିବା ସାଥେ ସାଥେ ବଡ଼ ବିକଳ ସ୍ବରରେ କାନ୍ଦି ଚାଲିଛନ୍ତି ପୁଅ ଦୁଇଜଣ l ଦୁଃଖରେ କାନ୍ଦୁଛନ୍ତି କି ସୁଖରେ, କିଏ କହିପାରିବ ! ରାଇଜଯାକର ଲୋକଙ୍କୁ ଯୋଉ ଏକାଠି କରିଛନ୍ତି, ସମସ୍ତେ ସେଇମାନଙ୍କ ଚିହ୍ନା ପରିଚିତ, ଆଉ ତାଙ୍କ ଆଗରେ ଲୁହ ଗଡ଼େଇ କାନ୍ଦିଲେ କେମିତି ଚଳିବ ! ନିଜ ସମ୍ମାନ ବଞ୍ଚେଇବାକୁ ହେଲେ ଖୁସି ହେବାର ପ୍ରଦର୍ଶନ କେମିତି କରିପାରିବେ ! ହେଲେ ମୁଁ ଜାଣିନି ବୁଢ଼ାବାପା ତାଙ୍କ ପାଇଁ କେତେ ବୋଝ ଥିଲା l ହେଇ ସେଦିନ ପରା ଶୁଣେଇ ଶୁଣେଇ ନିଜ ମାଇପକୁ କହୁଥିଲା, ‘ଡାକ୍ତର କହିବା ଅନୁସାରେ ବାପାଙ୍କ ଦେହ ସେମିତି କିଛି ହୋଇନିକିନ୍ତୁ କରାଯିବ, ସେ ମାନିଲେ ! ଅଯଥାରେ ଗୁଡ଼ାଏ ପଇସା ଖର୍ଚ୍ଚ ହେଉଛି…’

ହଁ, ବାପାଙ୍କ ଚିକିତ୍ସା ଖର୍ଚ୍ଚ ପୁଅ ପାଇଁ ସବୁବେଳେ ଅଯଥା ହିଁ ହୋଇଥାଏଦୁନିଆରେ ନିୟମ ଏଇଟା l ଆଉ ସେ କାହିଁ ସେ ନିୟମ ଭଙ୍ଗ କରିବ l ଯଦି ସବୁ ଖର୍ଚ୍ଚରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା, ତାହାହେଲେ କାହିଁ ଆଉ ଲୁହଝରାର ନାଟକ l ଏବେଠୁ ପ୍ରତି ମାସରେ ସଞ୍ଚୟ ବଢ଼ିବଢ଼ି ଯିବ l ହଁ, ମୁଁ ଦେଖିବିନି କିକେତେ ପଇସା ରଖି କୋଠାବାଡ଼ି ବାଡ଼େଇ ପକାଉଛି !

ସାନଟା ବି କୋଉ କମ୍‌ ! ସୁରମାଙ୍କ ସହିତ ସେଦିନ ପରା ଘାମାଘୋଟ ଯୁକ୍ତିତର୍କ କରୁଥିଲା ନା ଏଥର ଘରଦ୍ବାର ବାଣ୍ଟ କରିଦେବା ଠିକ୍ରହିବ l ଭାଇ ତାସଂସାର ଚଳଉ, ମୁଁ ଚଳେଇବି ମୋର l ରାଗ ମାଡ଼ିଥିଲା ମତେ l ବାପା ମାଆ ଦିଇଟା ବଞ୍ଚି ଥାଉ ଥାଉ କେମିତି ଭାବି ପାରୁଛି ସେ ସମ୍ପତ୍ତିର ଭାଗବଣ୍ଟୁରା କଥା! ସମ୍ପତ୍ତି ସରଗରୁ ଓହ୍ଲାଇଥିଲା, ସବୁ ମୋରି ରକ୍ତ ଆଉ ଝାଳରେ ଗଢ଼ା l କୋଉ ହିସାବରେ କହି ଦଉଛି ଭାଗବଣ୍ଟରା କରିଦିଅ ବୋଲି !

ଚଢ଼ା ଗଳାରେ ପଚାରି ଦେଇଥିଲି, ‘ସବୁକିଛି ତୁମ ଦୁଇଜଣଙ୍କ ଭିତରେ ବାଣ୍ଟ କରିଦବୁ ଯଦି ଆମେ ଚଳିବୁ କେମିତି ! ରହିବୁ କୋଉଁଠି ? ମୋର ଗମ୍ଭୀର ସ୍ବର ସମସ୍ତଙ୍କୁ ଚମକେଇ ଦେଇଥିଲା l ହୋଇ ଉଠିଥିଲେ ଦୁହେଁ l ସାଧାରଣତଃ ମୋ ପରିକା ସଂସାର ବିରାଗୀ ଲୋକ ପାଖରୁ ଏହି ଏକ ପ୍ରଶ୍ନର ଆଶା ସେମାନେ କରି ନଥିଲେ l

କିନ୍ତୁ ବଡ଼ର ବୁଦ୍ଧିକୁ ମାନିବାକୁ ପଡ଼ିବ l ଚଟ୍କରି କହିଦେଲା, ‘ତୁମେମାନେ ମୋ ପାଖରେ ରହିବ l ମୁଁ ଘରର ବଡ଼ପୁଅ, ତୁମମାନଙ୍କର ଦାୟିତ୍ବ ମୋର l ସାନ ଯଦି କହୁଛି, ତେବେ ତୁମେ ଥାଉ ଥାଉ ସବୁକିଛି ବାଣ୍ଟି ଦବାଟା ଠିକ୍ରହିବ l

ଶେଷ ଧାଡ଼ିଟା ମନ ଉଚ୍ଚାଟ କରିପକେଇଲା l ମୁଁ ଥାଉ ଥାଉ ମାନେ ? ସମସ୍ତେ ଭାବିନେଲେଣି ମୁଁ ଆଉ ବେଶୀ ଦିନର ନୁହେଁ l ନିରାଶ ହେଇଗଲି ମୁଁ l ଅବଶ୍ୟ ସବୁ ନୈରାଶ୍ୟ ଭିତରେ ବି ବଡ଼ର ଆଶ୍ବାସନା ଯେ ଆମର ଦାୟିତ୍ବ ସେ ନିଜେ ନେବ, ଭଲ ଲାଗିଥିଲା ମତେ l କିନ୍ତୁ କିଏ ଜାଣେ, ସେଥିରେ କେତେ ଆତ୍ମୀୟତା ରହିଛି ! ଯୋଉଁ ପିଲାମାନେ ବାପା ମାଥାଉ ଥାଉ ଘର ମଝିରେ କାନ୍ଥ ଠିଆ କରିଦେବାକୁ ମନ ପକ୍କା କରିନେଲେଣି, ସିଏ ପରେ ବାପାମାଆଙ୍କ ଭିତରେ ଭାଗ ବାଣ୍ଟୁରା କରିନେବେନି !

ସ୍ବାର୍ଥପର ! ସମସ୍ତେ ସ୍ବାର୍ଥପର ! ସମସ୍ତେ କେବଳ ନିଜ ନିଜର ସୁଖସୁବିଧା କଥା ଚିନ୍ତା କରିବାରେ ବ୍ୟସ୍ତ ଏଠି l ଭଲ ହେଲା, ଏମାନଙ୍କଠୁ ପିଛା ଛଡ଼େଇ ନେଲି ମୁଁ l ଆଉ କିଛିଦିନ ଆଗରୁ ଚାଲି ଯାଇଥିଲେ ବେଶୀ ଭଲ ହୋଇଥାଆନ୍ତା l ସେମାନେ ନୁହେଁ, ମୁଁ ହିଁ ମୁକ୍ତି ପାଇ ଯାଇଥାନ୍ତି l

ମୁଁ କୁଆଡ଼େ ବଦ୍ରାଗୀ, ଅସଂସାରୀ, କଞ୍ଜୁସ୍‌, କାହା ପ୍ରତି ମାୟା ମମତା ନାହିଁ ମୋରଏଇ ଜୀବନକାଳ ଭିତରେ ଥରଥର କରି ଅନେକ ଥର ମୋରି ଉଦ୍ଦେଶ୍ୟରେ କୁହାଯାଇଛି ଏସବୁ l ମୋ ପରିକା ଲୋକ ସତରେ ଶୀଘ୍ର ମରିଯିବା କଥା l ଯେତେ ବେଶୀ ବଞ୍ଚିରହିବି, ସେତେ ଅସୁବିଧା ସୃଷ୍ଟି କରିବି ସମସ୍ତଙ୍କ ପାଇଁ l ହଁ, ସମସ୍ତେ ନିଶ୍ଚୟ ଏଇଆ ଚାହୁଁଥିବେ, କିନ୍ତୁ ପାଟି ଫିଟେଇ କହିପାରୁ ନଥିବେ l ଯାହାହେଉ ଏତେ ଦିନ ପରେ ସେମାନଙ୍କ ଈପ୍ଷିତ ସ୍ବପ୍ନ ଅଚିରେ ସଫଳ ହେଇଗଲା l

ଗୁଡ଼ାଏ ଦୀର୍ଘଶ୍ବାସ ଅନେକ ଦିନରୁ ଛାତି ଭିତରେ ଜମା କରି ରଖିଥିଲି l ଆଜି ସେମାନଙ୍କୁ ମୁକ୍ତ କଲାବେଳେ ଭାରି ଆଶ୍ବସ୍ତ ଲାଗୁଥିଲା ମତେ l କେହି ଜାଣିବେ ନାହିଁ କି ପଚାରିବେ ବି ନାହିଁକିଛି କହିପାରିବେ ବି ନାହିଁ l ମୁଁ ମରିଯାଇଛିଖୁବ୍ଭଲ ହେଲାମୋ ପାଇଁ ଆଉ ଅନ୍ୟମାନଙ୍କ ପାଇଁ ବି l

ଘରର ଅଗଣାରେ ଧଳା ଚାଦରଟିଏ ଢାଙ୍କି ମତେ ଶୁଆଇ ଦେଇଛନ୍ତି l ସମସ୍ତଙ୍କୁ ସେ ଚାଦର ଭିତରୁ ଭଲ ଭାବରେ ମୁଁ ଦେଖିପାରୁଛି, ଶୁଣି ପାରୁଛି ସେମାନଙ୍କ କଥା l ଅବଶ୍ୟ ଆଉ ସେସବୁ ଶୁଣିବାର ଆଗ୍ରହ ମୋର ନାହିଁ l ଏବେ ଖାଲି ମୁଁ ଭାବୁଛି ମୋ ଘର କଥା l କେତେ ଯତ୍ନରେ, କେତେ ଶ୍ରଦ୍ଧାରେ ବନେଇଥିଲି ତାକୁ ! କେତେ ଅଭାବ, ଅସୁବିଧା, କଷ୍ଟ ଯନ୍ତ୍ରଣା ସହି ଘରର କାନ୍ଥବାଡ଼ ଠିଆ କରିଥିଲି l କୋଉଠୁ ଟାଇଲ୍ ଆଉ କୋଉଠୁ ସିମେଣ୍ଟ ବାଲି ଇଟା ଯୋଗାଡ଼ କରି ଆଣିଥିଲି l ଖରାତରାରେ ନିଜକୁ ସିଝେଇ ଘର ତିଆରି କଲି, କିନ୍ତୁ କି ଲାଭ ! ନିଶ୍ଚିନ୍ତରେ ଦଶଟା ବର୍ଷ ବି ରହିପାରିଲି ନାହିଁ l ରୋଗବଇରାଗ ଗୋଟାକ ପରେ ଗୋଟାଏ କରି ବେଢ଼ିଗଲା ମତେ l କହିଲା ଲୋକ କହିଗଲେ, ତମକୁ ଘର ସୁହାଇଲାନି !

ରାଗରେ ଥରି ଉଠିଥିଲି l ବୟସ ହେଲେ ସମସ୍ତଙ୍କ ଦେହ ମୁଣ୍ଡ ଜବାବ ଦେବ, ଏଥିରେ ଘର ସୁହାଇବା ନସୁହାଇବା କଥା ଅଛି ! ଈର୍ଷାରେ ଜଳିପୋଡ଼ି ଯାଉଛନ୍ତି ସମସ୍ତେ ! କାହିଁକି କେଜାଣି ମୋ ହାତ ତିଆରି ମନ୍ଦିର ବିଷୟରେ କେହି କିଛି ବି କହିଲେ ମୋ ଦେହରେ ନିଆଁ ଚେଙ୍କ ଲାଗିଯାଏ l ସେଇଥିପାଇଁ ସୁରମା କେବେ କେବେ ରାଗରେ ହେଉ କି ଚିଡ଼େଇବାକୁ ହେଉ କହିପକାନ୍ତି, ‘ତୁମ ପାଇଁ ଆମେ ବଡ଼ କି, ଘର ହିଁ ତମ ପାଇଁ ସବୁକିଛି l କୋଉଦିନ ଖାଲି ୟାକୁ ହିଁ ଜାବୁଡ଼ି ଧରି ପଡ଼ି ରହିଥିବ, ଗୋଟି ଗୋଟି ହେଇ ଆମେ ସମସ୍ତେ କୁଆଡ଼େ ଚାଲି ଯାଇଥିବୁ l’

ସତକଥା, ଘରକୁ ମୁଁ ଖୁବ୍ଭଲ ପାଏ l ଘରର ଅନ୍ଧିସନ୍ଧି, ବାଡ଼ିବଗିଚା, ବାରଣ୍ଡା, ଅଗଣା, ସବୁଆଡ଼େ ନିଜର ଛାପ ରଖିବାକୁ ଚାହେଁ l ସହରର ସବୁଠୁ ସୁନ୍ଦର ଘର କହିଲେ, ମୋରି ଘରକୁ ହିଁ ଲୋକମାନେ ଜାଣନ୍ତି l ଏହାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଯେତେ ପରିଶ୍ରମ ମୁଁ କରିଛି, ତାକୁ କେହି କେବେ ଚିନ୍ତା ବି କରିପାରିବେ ନାହିଁ l ବାହାର କାନ୍ଥରେ ଲଗା ଯାଇଥିବା ନାମ ଫଳକରେ ସେଥିପାଇଁ କେବଳ ମୋରି ନାଁ ମୁଁ ଲେଖିଛି l କେତେଜଣ ପଚାରନ୍ତି ସୁରମାଙ୍କ ନାମ କାହିଁ ରଖିନାହିଁ ସେଠି l କିଛି ଉତ୍ତର ଦିଏନି ମୁଁ l ସେସବୁ ମୋର ନିହାତି ବ୍ୟକ୍ତିଗତ ଇଚ୍ଛା, ସେଥିରେ କାହାର ମୁଣ୍ଡ ଖେଳେଇବାକୁ ମୁଁ ପସନ୍ଦ କରେନା l

ଘରକୁ ଭଲ ପାଏ ମୁଁ, ଆଉ ଘର ବି ଭଲପାଏ ମତେ l ଏଇଟା ମୋର ବିଶ୍ବାସ l କିଏ ସେକଥାକୁ ମାନୁ କି ନମାନୁ, ସେଥିରେ ମୋର କିଛି ଯାଏଆସେ ନାହିଁ l ଆମ ଭଲପାଇବାରେ ଅଛି ନିସ୍ବାର୍ଥପରତା l ତାବିନା ମୁଁ, ଆଉ ମୋ ବିନା ସିଏକେତେ ଅସମ୍ପୂର୍ଣ୍ଣ ସତରେ ! କାଲିଠାରୁ ସବୁକିଛି ଶୂନ୍ଶାନ୍ହୋଇଯିବ ଏଠି l ଘରତ ଥିବ, କିନ୍ତୁ ମୁଁ ନଥିବି l କିଏ ଜାଣେ ମୋ ନାଁ ବି ଆଉ କେହି ଉଚ୍ଚାରଣ କରିବ ଏଠି କି ନା ! ଗୁମ୍ସୁମ୍ହେଇଗଲି ମୁଁ l ଆଖିରୁ ଦୁଇଧାର ଲୁହ ଗଡ଼ିଆସି ଓଦାକରି ପକେଇଲା ମୋ ଛାତି l ସନ୍ଧ୍ୟା ପୂର୍ବରୁ ଦାହକାର୍ଯ୍ୟ ଶେଷ କରିଦେଇ ନିଜ ନିଜ ବାଟରେ ସମସ୍ତେ ଚାଲିଯାଇଥିଲେ l ଭାରି ଖାଁ ଖାଁ ଲାଗୁଥିଲା ଘର ଭିତରଟା l ମୋ ଶରୀରରେ ନିଆଁ ଲଗେଇ ତାକୁ ପୋଡ଼ି ଦିଆଗଲା ସିନା, ହେଲେ ମୁଁ ରହିଗଲି ଏଇଠି, ଘରର ନାମଫଳକ ରେ l ସେତିକିରେ ବି ମୁଁ ସନ୍ତୁଷ୍ଟ ଥିଲି l ହେଲେ ରହି ରହି ଭୟଟିଏ ମୋ ଭିତରେ କଡ଼ ଲେଉଟଉ ଥିଲା l ଆଉ କେତେ ସମୟ ରହିପାରିବି ଏଠି ମୁଁ ! ନିଶ୍ଚୟ କିଛି ନା କିଛି ଯୋଜନା କରୁଥିବେ, ସମସ୍ତେ ଏଠୁ ବି ମତେ ବାହାର କହିଦେବା ପାଇଁ l ସବୁଦିନ ପାଇଁ ମତେ ଘରୁ ବିଦା କରିଦେଇ ନିଷ୍କଳଙ୍କ ଭାବେ ଏହାର ଉତ୍ତରାଧିକାରୀ ହୋଇଯିବା ପାଇଁ l

ନା, ନା, ସେମିତି ହେବାକୁ ଦେବିନି ମୁଁ l ମତେ ଏଠୁ କେହି ବି ବାହାର କରିଦେଇ ପାରିବେନି l ଘର ମୋର, ୟାକୁ ମୁଁ ଗଢ଼ିଛି ମୋ ନିଜ ହାତରେ, ଲୁହ ଲହୁ ସିଞ୍ଚି l ତୁମେମାନେ ଯେତେ ଚେଷ୍ଟା କର, ହେଲେ ମୁଁ ୟାକୁ ଛାଡ଼ିଯାଇ ପାରିବିନି l ଦୟାକର ମୋ ଉପରେ l ମତେ ଏଇଠି, କେବଳ ଏଇଠି ରହିବାକୁ ଦିଅ l କାନ୍ଦି ପକେଇଲି ମୁଁ କଇଁ କଇଁ ହୋଇ lମୋ ଘରମୋ ଘର…’ ବୋଲି ଚିତ୍କାର କରିଉଠିଲି l କିନ୍ତୁ କୋଉଁଠି ବି ପ୍ରତିଧ୍ବନିତ ହେଲା ନାହିଁ ସେ ସ୍ବର l ବାର କାର୍ଯ୍ୟ ସରିଗଲା l ବହୁତ ଲୋକ ଡାକି ସବୁକିଛି ଯୋଜନାବଦ୍ଧ ଭାବରେ ସମ୍ପନ୍ନ କରିଦିଆଗଲା l ଯେଉଁମାନେ ଆସିଥିଲେ, ପିଲାଙ୍କୁ ସାନ୍ତ୍ବନା ଦେଉଥିଲେ ଯେତିକି ଘରକୁ ଶୋଷି ଯାଉଥିଲେ ସେତିକି l ସମସ୍ତଙ୍କ ଦୃଷ୍ଟିରେ କେମିତି ଗୋଟିଏ ଈର୍ଷାଳିଆ ଭାବ ଦେଖିପାରିଥିଲି l ହେଲେ ମତେ ଆଉ ସେ ସବୁ ଖରାପ ଲାଗୁ ନଥିଲା l ପାଇଁ ଆଉ ଲାଗିବ ଯେ ! ସେମାନଙ୍କ ପରି ମୁଁ ବି ଘରେ ଆଉ ମାତ୍ର କେଇଘଣ୍ଟା କି ଦିନ ପାଇଁ ହିଁ ରହିବାର ସୁଯୋଗ ପାଇବି l ତାପରେ ସେମାନଙ୍କ ପରି ମୋ ନଜରରେ ବି ଭରି ରହିଯିବ ସବୁଦିନ ପାଇଁ ଗୋଟିଏ ବ୍ୟାକୁଳତା ! ନଥିବାର ଅବଶୋଷ l

ଦିନ ପନ୍ଦରଟା ଯାଉ ନଯାଉଣୁ, ସମସ୍ତେ ଫେରି ଆସିଲେ ନିଜ ନିଜ ରୁଟିନ୍ଭିତରକୁ l ସୁରମାଙ୍କ ରୁଟିନ୍ଯେହେତୁ ମୋ ସହିତ ବନ୍ଧା ରହିଥିଲା, ସେଥିରେ ବହୁତ କିଛି ପରିବର୍ତ୍ତନ ଆସିଗଲା l ମୋ କଥା ମନେ ପକେଇବାକୁ କି ମୋ ପାଇଁ ଘଡ଼ିଏ ଦିଘଡ଼ି ଶୋକ କରିବାକୁ ଆଉ କାହା ପାଖରେ ବି ସମୟ ନଥିଲା l ଘରର ସବୁ ସ୍ଥାନରୁ ମୋ ଅସ୍ତିତ୍ବ ପୋଛା ହୋଇଯାଇଥିଲା, କେବଳ ରହିଯାଇଥିଲି ସେଇ ନାମଫଳକ ଭିତରେ ମୁଁ  l ସେତିକି ସାନ୍ତ୍ବନା ମୋ ପାଇଁ ଯଥେଷ୍ଟ ଥିଲା l

କିନ୍ତୁ ଦିନ କେଇଟା ଭିତରେ ସେ ସାନ୍ତ୍ବନା ସରିଯିବାର ସମୟ ଆସିଗଲା l ପୁଅ ବୋହୂ ନାତିନାତୁଣୀ କିଛି ଦିନ ଧରି ଭାରି ଗୋଟାଏ ଗୁରୁତର ଆଲୋଚନା କରିବାରେ ଲାଗିପଡ଼ିଛନ୍ତି l ସୁରମା ସେ ବିଷୟରେ କିଛି ଜାଣିଥିଲେ କି ନଜାଣିଥିଲେ, କହିପାରିବିନି l ଏମିତି ବି ତାଙ୍କ ଜାଣିବା ଜାଣିବାରେ ଆଉ କିଛି ନଥିଲା  l ଏବେ ସଂସାରର ଡୋର ତାଙ୍କ ହାତରୁ ଯାଇ ପୁଅବୋହୂଙ୍କ ହାତରେ ରହିଗଲାଣି l ସେମାନେ ଯାହା ଚାହୁଁଛନ୍ତି, ନିଜ ହିସାବରେ ହିଁ ସବୁକିଛି କରୁଛନ୍ତି l

ସେମାନଙ୍କୁ ଏମିତି ଫୁଟୁରଫାଟର ହେଉଥିବାର ଦେଖି ମୁଁ ଆତଙ୍କିତ ହୋଇପଡ଼ିଲି l ଘର ଉପରୁ ମୋର ଶେଷ ଅଧିକାର ବି ସମାପ୍ତ ହେଇଯିବାର ସମୟ ଆସିଗଲା l କେତେ କଷ୍ଟରେ କରିଥିଲି ୟାକୁ, କେତେ ଶ୍ରଦ୍ଧାରେ ସଜେଇଥିଲିଆଖିର ଲୁହ ବନ୍ଧବାଡ଼ ନମାନି ବହିଚାଲିଗଲା l

ସେମାନେ ସମସ୍ତେ ଆସି ବାହାର ବାରଣ୍ଡାରେ ଠିଆହେଲେ l ଏପଟସେପଟ କରି ଚାହିଁଲେ l ଧଡ଼୍କରି କାନ୍ଥରୁ ନାତି ଟୋକାଟା ଭିଡ଼ିଆଣିଲା ମୋର ଅସ୍ତିତ୍ବକୁ l ଜରିରେ ପୂରେଇ ରଖିଦେଲା ପରେ ଆଉ ଗୋଟାଏ କାଢ଼ିଲା l ମପାମପି କରି ଦେଖିଲା l ମୁଁ ଆଉ ଚାହିଁ ପାରିଲିନି ସେ ଆଡ଼େ l ମଝି ଆଷାଢ଼ର ବର୍ଷା ବେଗଠାରୁ ବି ଅଧିକ ଥିଲା ମୋର ଆଖିର ଲୁହ l ଅସରନ୍ତି ଅଭିମାନ ନେଇ ଗେଟ୍ଖୋଲି ବାହାରକୁ ଚାଲିଆସିଲି ମୁଁ l ସବୁ ମୋହମାୟା ମୋର ଛିଡ଼ିଗଲା ଆଜିଠୁ l ମୁଁ ଏବେ ପ୍ରକୃତରେ ମରିଗଲି l ଆଉ ସହରରେ ମତେ କେହି ବି ଚିହ୍ନିବେ ନାହିଁ, କେହି ବି ଜାଣିବେ ନାହିଁ l ମୋର ଶେଷ ଅସ୍ତିତ୍ବର ବି ମୃତ୍ୟୁ ହେଇଗଲା l କିନ୍ତୁ ଦୁଃଖର ବିଷୟ ସେ ମୃତ୍ୟୁ ହେଲା ମୋ ଘରଲୋକଙ୍କ ଦ୍ବାରା l ଆଉ ଏଠି ମୋର କିଛି ନାହିଁ, କି ମୋ ପାଇଁ କେହି ନାହିଁ l ଜାଗା ଛାଡ଼ି ଚାଲିଯିବି ବହୁ ଦୂରକୁ l

ଚାଲିଗଲା ପୂର୍ବରୁ ଆଉ ଥରେ ମୋ ସ୍ବପ୍ନର ମନ୍ଦିରକୁ ଆଖି ପୂରେଇ ଦେଖିନେବି କି ? ମନଭରି ଆଉଁସି ଦେବି କି l କିଏ ଜାଣେ, ଆଉ କେବେ ସିଏ ମତେ ଚିହ୍ନିବ କି ଚିହ୍ନିବ ! ଏବେ ଛାତିରେ ତାର ନୂତନ ମାଲିକର ନାଁ l ଆଖି ଛଳଛଳ ହେଇଆସିଲା l ସବୁକିଛି କେତେ ଶୀଘ୍ର ଶେଷ ହୋଇଗଲା ଜୀବନରୁ ! ନା ଜୀବନ ହାରିଲା, ନା ରହିଲା ଭାବପ୍ରବଣତା l ହଉ, ଯାହା ହେବା କଥା ହେଇସାରିଲାଣି l ଆଉ ସେ ସବୁକୁ ଭାବିବସିଲେ କଣ ବା ମିଳିବ ଦୁଃଖ ଛଡ଼ା ! ଯେତିକି ଭାଗ୍ୟରେ ଥିଲା ସେତିକି ଭୋଗ କଲି, ଏବେ ଅନ୍ୟମାନେ କରନ୍ତୁ l

ମନକୁ ବୁଝାଇଥିଲି ସତ, ହେଲେ ମନ କହୁଥିଲା, ଚାଲ ଥରେ ଆମେ ଯିବା l ଏତେ ଦିନର ସମ୍ପର୍କ l ଏତେ ଶୀଘ୍ର ଛାଡ଼ିଯିବାକୁ କଷ୍ଟ ଲାଗୁଛି l ମନ କଥା ଶୁଣିଲି l ଫେରିଆସିଲି l ଦରଜା ଖୋଲି ଭିତରକୁ ପ୍ରବେଶ କଲି l ସବୁକିଛି ଥିଲା ଯେମିତି ସେମିତି l ବହୁ ବର୍ଷ ପୂର୍ବରୁ ଯେମିତି ଗଢ଼େଇଥିଲି ମୁଁ, ଯେମିତି ସଜେଇ ଥିଲେ ସୁରମା, ଠିକ୍ସେମିତି l ଖାଲି ଯାହା ବଦଳି ଯାଇଛି ତାର ମାଲିକ, ଆଉ ବଦଳି ଯାଇଛି ନାମଫଳକ l କାହାର ନାଁ ଲେଖିଲେ ସେମାନେ ! ବଡ଼ରସାନରନା ସୁରମାଙ୍କର ! ଯାହାର ଲେଖନ୍ତୁ, ମୋର ସେଥିରେ କି ଯାଏ ଆସେ ! କି ଫରକ ପଡ଼ିଯିବ ସେଥିରେ ! ଭଲ ପାଇବାର କୋଉ ସେତୁଟା ବାନ୍ଧି ହୋଇଯିବ ସେମାନଙ୍କ ସହିତ ମୋର !

ଏତେସବୁ କହିବା ପରେ ବି କେଉଁ ମୋହରେ ପଡ଼ି ଜଣାନାହିଁ ମୁଖ୍ୟ ଦରଜାର ସେପଟ କାନ୍ଥକୁ ଚାହିଁଦେଲି ମୁଁ l ଆରେ ଇଏ ? ସନ୍ଧ୍ୟାବେଳେ ବଡ଼ ନାତିଟା ଯୋଉଠୁ ପୁରୁଣା ନାମଫଳକ ଭିଡ଼ିଆଣିଥିଲା, ସେଠି ଲଗାହୋଇ ଯାଇଛି ନୂଆ ଚକ୍ଚକ୍କରୁଥିବା ନାମଫଳକ ଟେ, ଯାହା ମତେ ବି ଜଣା ଥିଲା, କିନ୍ତୁ ସେଥିରେ ଲେଖାହେଇଛି ମୋର ନାଁ ! ମୋର ନାଁ ? ହଁ, ମୋର ହିଁ ନାଁ, ଯାହାର ସାମାନ୍ୟ ଆଶା ବି ମୋର ନଥିଲା l

ତାହାହେଲେ ପୁରୁଣାଟା କାଢ଼ୁଥିଲେ କାହିଁକି ? ପାଖକୁ ଦଉଡ଼ିଗଲି ମୁଁ  l ଓଃ, ଆଗରୁ ମୋ ନାଁ ପୂର୍ବରୁ ଯେଉଁ ଶ୍ରୀ ଲେଖା ଯାଇଥିଲା ସେଠି ଏବେ ସ୍ବର୍ଗତ ଲେଖିଛନ୍ତି l କେବଳ ଏତିକି ପାଇଁ ଏତେ ପରିଶ୍ରମ, ଏତେ ଖର୍ଚ୍ଚ ! ତା ମାନେତା ମାନେ ଘର ଏବେ ବି ମୋର ଅଛି ! କେହି ଭୁଲିନାହିଁ ମୋ ଅବଦାନକୁ !

କୁଣ୍ଢେଇ ପକେଇଲି ସେ ନାମଫଳକ କୁ l ଏତେ ଭଲ ପାଇବା ମୋ ପ୍ରତି ! ଏତେ ଭାବପ୍ରବଣତା ! ଆଖିରୁ ମୋର ଧାର ଧାର ଲୁହ ଗଡ଼ି ଯାଉଥିଲା, ହେଲେ ମୁଁ କାନ୍ଦୁ ନଥିଲି, ବରଂ ଆକାଶକୁ ଚାହିଁ ପ୍ରାର୍ଥନା କରୁଥିଲି, ମୋ ନିଜ ପାଇଁ ନୁହେଁମୋ ପିଲାମାନଙ୍କ ପାଇଁ l ସୁରମାଙ୍କ ପାଇଁ ଆଉ ସାରା ଜଗତପାଇଁଶେଷରେ ନୂଆ ନାମଫଳକ ଟା ପାଇଁ l

 

0 Response to "ନାମ ଫଳକ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel