ଶ୍ୟାମସୁନ୍ଦର ଅଗ୍ରୱାଲା
ପୁରୁଣା କଥା ମନେପଡୁଛି | ରେଭେନ୍ସା କଲେଜ ହଷ୍ଟେଲରେ ରହି ପଢୁଥିଲୁ | ପ୍ରତି ଶନିବାର ଦିନ ମୁଁ ଗାଁକୁ ଆସେ ଆଉ ସୋମବାର ଦିନ ସକାଳୁ ସକାଳୁ ବସ୍ ଧରି କଟକ ଯାଉଥାଏ | ପ୍ରାୟ ସବୁ ସୋମବାର ଦିନ ସକାଳୁ ମୁଁ ଜଳଖିଆ ଖାଇ ବାହାରିଲା ବେଳକୁ ଦେଖେ ମୋ ବ୍ୟାଗଟା ନାହିଁ | ବୁଝିଲାବେଳକୁ କ’ଣ ନା ବାପା ବ୍ୟାଗଟିକୁ ନେଇ ଘର ବାହାରେ ବାରଣ୍ଡାରେ ଥୋଇ ଦେଇଛନ୍ତି | ମୁଁ ଟିକେ ବିରକ୍ତ ହୋଇ ‘କାହିଁକି ମୋ ବ୍ୟାଗଟା ଏତେ ସକାଳୁ ନେଇ ବାହାରେ ରଖି ଦେଇଛ ବୋଲି’ ପଚାରିଲା ବେଳକୁ ସେ କୁହନ୍ତି ‘ଆରେ ପାଞ୍ଜି ଦେଖିଲି ଆଜି ତୋ କୁମ୍ଭରାଶି ପାଇଁ ସାତଟା ପରେ ଘାତଚନ୍ଦ୍ର ଅଛି | ଆଉ ପାଞ୍ଚଟା ପଇଁଚାଳିଶଠୁ ଛଅଟା ପନ୍ଦର ଯାଏଁ ମାହେନ୍ଦ୍ରବେଳା ଅଛି, ତେଣୁ ସେଇ ସମୟ ଭିତରେ ମୁଁ ତୋ ବ୍ୟାଗ୍ଟିକୁ ଆଣି ଘର ବାହାରେ ରଖି ଦେଇଛି | ହଉ, ଶୀଘ୍ର ବାହାର ଡେରି ହୋଇଗଲାଣି, ବସ୍ଷ୍ଟାଣ୍ଡ ଯିବା’ | ତା’ପରେ ସେ ମୋ ପଛେ ପଛେ ଚାଲିଥିବେ | ମୁଁ ମନେ ମନେ ବିରକ୍ତ ହେଉଥିବି | ସେ କିନ୍ତୁ ପଛେ ପଛେ ଚାଲିଥିବେ |
ବସ୍ଷ୍ଟାଣ୍ଡରେ ଆରମ୍ଭ ହୋଇଯିବ ତାଙ୍କ ପ୍ରବଚନ | ‘କଟକ ସହର, ଟିକେ ଦେଖିକି ଚଳିବୁ | କାହା ସାଥିରେ ଗଣ୍ଡଗୋଳ କରିବୁ ନାହିଁ | ସିଧା ସିଧା କଲେଜକୁ ଯିବୁ ଆଉ ହଷ୍ଟେଲକୁ ଆସିବୁ | ବେଶୀ ଗୁଡ଼େ ସାଇକେଲ ଚଲେଇ ବୁଲିବୁ ନାହିଁ | ଗାଡ଼ି ମଟର ଦେଖିକି ଯିବୁ | ସଦାବେଳେ ବାଁକୁ କାଟି ଚଲେଇବୁ | ବଜାରରୁ ୟ୍ୟାଡୁ ସ୍ୟାଡୁ ଗୁଡ଼େ କିଣିକି ଖାଇବୁ ନାହିଁ… ଇତ୍ୟାଦି ଇତ୍ୟାଦି ଚାଲିବ ଯେ ଚାଲିବ, ନନ୍ଷ୍ଟପ୍ ବସ୍ ଆସିବା ପର୍ଯ୍ୟନ୍ତ | ଏ କଥାଗୁଡ଼ିକ ବାରମ୍ବାର ଶୁଣି ମୁଁ ସେତେବେଳକୁ ବିରକ୍ତ ହୋଇଯାଇଥିବି | ହଁ, ହଁ, ତମେ ଗଲ’ ମୋ’ର ଏମିତି ବାରମ୍ବାର କହିବା ସତ୍ତ୍ବେ ବି ସେ ରୋଡ଼ ଆରପଟେ ଯାଇ ଛିଡ଼ା ହୋଇଯିବେ | ବସ୍ ଖିଡ଼ିକି ବାଟେ ମୋତେ ଦେଖି ପୁଣି ଆରମ୍ଭ କରିଦେବେ ‘ହଁ, ପହଞ୍ଚି ଗୋଟେ ଫୋନ୍ କରିଦେବୁ | କଲେଜ ଛକରେ ଓହ୍ଲେଇ ପଡ଼ିବୁ | ଦେଖିକି, ବସ୍ ରହିଲା ପରେ ଯାଇ ଓହ୍ଲେଇବୁ | ନହେଲେ ଆଗକୁ ମଙ୍ଗଳାବାଗ ଛକରୁ ରିକ୍ସା କରି ପଳେଇ ଆସିବୁ | ହୋ, କଣ୍ଡକ୍ଟର ବାବୁ, ତୁମର କଲେଜ୍ ଛକରେ ବସ୍ ରହୁଛି କି ନାହିଁ ?’ ବାପାଙ୍କ ପ୍ରଶ୍ନକୁ ହେୟଜ୍ଞାନ କରି କଣ୍ଡକ୍ଟର ଘଣ୍ଟି ମାରିଦେବ | ମୁଁ ମନେ ମନେ ଭାବେ ‘ଓହୋ, ମଣିଷ ଏବେ ଟିକେ ଶାନ୍ତିରେ ନିଶ୍ବାସ ମାରିଲା |’ ତାପର ସପ୍ତାହରେ ପୁଣି ଏହାର ପୁନରାବୃତ୍ତି ହୋଇଥାଏ |
ବାପା କେବେଠୁ ଆରପରିକୁ ଗଲେଣି | ମୋତେ ବର୍ତ୍ତମାନ ଷାଠିଏ ପାଖାପାଖି | ମୋ’ର ପୁଅଝିଅ ସବୁ ବଡ଼ ବଡ଼ ହୋଇଗଲେଣି, କିନ୍ତୁ ଏବେ ବି ମୋ ପୁଅଝିଅ ଯେତେବେଳେ ଟ୍ରେନ୍ରେ ବସି ବମ୍ବେ କି କଲିକତା ଯାଉଛନ୍ତି ମୁଁ ଠିକ୍ ସେମିତି ମୋ ବାପାଙ୍କ ଭଳି ବ୍ୟବହାର କରୁଛି | ଘରୁ ଆରମ୍ଭ ହୋଇଯିବ ମୋ ଡ୍ରାମା | ‘ଆରେ ଟିକେଟ୍ ନେଲୁ କି ନାହିଁ ? କିଛି ଭୁଲିଲୁ ନାହିଁ ତ ? ବଡ଼ ବଡ଼ ନୋଟ୍କୁ ଚୋରା ପାକେଟ୍ ଭିତରେ ରଖିଦେ | କୁଲିଫୁଲିକୁ ଦେବା ପାଇଁ ଛୋଟ ଛୋଟ ନୋଟ୍ କିଛି ସାଇଡ଼ ପକେଟ୍ରେ ରଖ | ବାଟରେ କିଏ କ’ଣ ଯାଚିଲେ ଖାଇବୁ ନାହିଁ | ତଳ ଚେନ୍ରେ ବାକ୍ସକୁ ବାନ୍ଧି ଦେବୁ | ପ୍ଲାଟ୍ଫର୍ମରେ ମିଳୁଥିବା ବରା ପିଆଜିଗୁଡ଼ାକୁ ଖାଇବାକୁ ନାହିଁ | ରାସ୍ତାରେ କାହା ସାଥୀରେ ଭାବଦୋସ୍ତି କରିବା ଦରକାର ନାହିଁ |’ ପୁଅ ମନା କରିବା ସତ୍ତ୍ବେ ବି ମୁଁ ଷ୍ଟେସନ ଯାଇଥାଏ | କ୍ୟାବିନ୍ ଭିତରେ ସେ ବସିଥାଏ | ମୁଁ ପ୍ଲାଟ୍ଫର୍ମ ଉପରେ ଛିଡ଼ା ହୋଇ ଖିଡ଼ିକି ବାଟେ ମୋର ଭାଷଣ ଚଳେଇଥାଏ | ବାରମ୍ବାର ସେଇ କଥା ‘ଟିକେଟ୍ ରଖିଲୁ ତ ? ସୁବିଧାରେ ଯିବୁ | ଆଜିକାଲି ବହୁତ ପକେଟ୍ମାର | ଟିକିଏ ହୁସିଆର ରହିବୁ | ଷ୍ଟେସନରୁ ଓହ୍ଲେଇ ଗୋଟେ ଅଟୋ କରି ପଳେଇବୁ | ଅଟୋବାଲାଙ୍କ ସହିତ ବେଶୀ ଝକ୍ ଝକ୍ କରିବୁ ନାହିଁ | ଟ୍ରେନ୍ ଛାଡ଼ିଲା ପରେ ଶୋଇପଡ଼ିବୁ | ମୋ ପୁଅର ବିରକ୍ତି ଭାବ ତା’ ମୁହଁରେ ପ୍ରକାଶ ପାଉଥିଲେ ମଧ୍ୟ ମୁଁ ତାକୁ ଖାତିର ନକରି ସତର୍କତା ସହିତ ମୋ ଉପଦେଶଗୁଡ଼ିକ ବାରମ୍ବାର ଦେଇ ଚାଲିଥାଏ |
ଯେପରି ବାପା ମୋ ପାଇଁ ଦିନେ ବିରକ୍ତିକର ଥିଲେ, ମୁଁ ବାପା ହୋଇଗଲାପରେ ଠିକ୍ ସେହିପରି ମୋ ପୁଅଝିଅଙ୍କ ପାଇଁ ବିରକ୍ତିର ପାତ୍ର ହୋଇଯାଇଛି | ଫରକ୍ ଏତିକି ଯେ, ମୁଁ ସେତେବେଳେ ଚୁପ୍ ହୋଇକି ରହିଯାଉଥିଲି, ଆଉ ଏବେ ପିଲାମାନେ ବିରକ୍ତ ହୋଇ ଉତ୍ତର ଦେଇଦଉଛନ୍ତି | ଦିନେ ମୋର ଜଣେ ବନ୍ଧୁ ମୋ ଝିଅକୁ ବଜାରରେ ଖୁବ୍ ଜୋର୍ରେ ସ୍କୁଟି ଚଳାଉଥିବାର ଦେଖି ମୋତେ ଖବର ଦେବାରୁ ମୁଁ ସେଦିନ ଡାଇନିଂ ହଲ୍ରେ ସମସ୍ତେ ଖାଇବସିଥିବା ବେଳେ ତାକୁ ତାଗିଦ୍ କରିଥିଲି | ଭାଇଭଉଣୀ ଦୁହେଁ ମୋ’ର ଏକଥାକୁ ପସନ୍ଦ ନକରି କହିଥିଲେ ‘ବାପା, ତୁମେ ଏମିତି ଡରିଲେ ଚଳିବ ନାହିଁ | କ’ଣ ହେବ ? କିଛି ହେବ ନାହିଁ | ଦିନକୁ ଦିନ ତୁମେ ଏତେ ଡରକୁଳା କାହିଁକି ହୋଇଯାଉଛ ?’ ମୁଁ ଅନୁଭବ କଲି ସେମାନେ ମୋ ବିଷୟରେ ଯାହା କହୁଛନ୍ତି ଏକଦମ୍ ଠିକ୍ କହୁଛନ୍ତି | ଆଜିକାଲି ଟିକିଏ ଟିକିଏ କଥାରେ ମୁଁ ଡରିଯାଉଛି | ବଡ଼ିଭୋର୍ରୁ ଫୋନ୍ଟେ ବାଜିଲେ ଡରିଯାଉଛି | ରାତି ଅଧରେ କିଏ ଉଠେଇଦେଲେ ଚମକି ପଡ଼ୁଛି | ବାଥ୍ରୁମ୍ କବାଟ ଠକ୍ ଠକ୍ ହେଲେ ଘାବରେଇ ଯାଉଛି | କ’ଣ ହେଲା କି ? କିଛି ଅଘଟଣ ଘଟିଲା କି ? ଏ ଅବେଳରେ କିଏ କାହିଁକି ଡାକୁଛି ?
ଦିନେ ପୁଅଝିଅଙ୍କୁ ନେଇ ବଜାରକୁ ଯାଇଥିଲି | ସେମାନେ ଗୋଟେ ଇଲେକ୍ଟ୍ରୋନିକ୍ କାର୍ ଗେମ୍ ଖେଳିବାକୁ ଚାହିଁଲେ | ମୁଁ ବି ଦଶଟଙ୍କିଆ କଏନ୍ଟିଏ ନେଇ ଖେଳିବାକୁ ସ୍ଥିର କଲି | ମୁଁ ଭଲଭାବରେ ଜାଣିଛି ଏଗୁଡ଼ାକ ଟିଭି ପର୍ଦ୍ଦା ଉପରେ ହେଉଛି | ମୋ ପାଖରେ ଛୋଟ ଛୋଟ ପିଲାମାନେ ଗାଡ଼ିଗୁଡ଼ିକୁ ଦୁଇଶହରୁ ଅଢ଼େଇଶହ କିଲୋମିଟର ସ୍ପିଡ୍ରେ ଚଲେଇ ଢ଼ୋ ଢ଼ୋ ଆକ୍ସିଡେଣ୍ଟ କରୁଛନ୍ତି ଅଥଚ ମୋର ସ୍ପିଡ୍ ପର୍ଦ୍ଦାରେ ଷାଠିଏ ସତୁରୀରୁ ଅଧିକ ହୋଇଗଲା ପରେ ମୋ ହାତଗୋଡ଼ ଥରୁଛି | ଏଇଥିପାଇଁ ପ୍ରକୃତରେ ମୁଁ ଗାଡ଼ିରେ ବସି କୁଆଡେ ଯାଉଥିବା ବେଳେ ମୋ ପୁଅ କହେ ‘ବାପା, ତୁମେ ପଛରେ ବସ,’ କାରଣ ମୁଁ ଆଗରେ ବସିଥିଲେ ପ୍ରତି ପାଞ୍ଚମିନିଟ୍ରେ ତାକୁ ସତର୍କ କରାଉଥିବି | ‘ଦେଖ, ଆଗରୁ ଟ୍ରକ୍ଟେ ଆସୁଛି | ଆରେ ଇଣ୍ଡିକେଟର ଦେ, ଟିକେ ସ୍ଲୋ କରିଦେ | ପଛପଟ ଗାଡ଼ିଟାକୁ ପାସ୍ ଦେଇଦେ | ଆଗରେ ହମ୍ପ ଅଛି, ବ୍ରେକ୍ ଦେ’….. ଇତ୍ୟାଦି | ମୋ’ର କିନ୍ତୁ ଅଭ୍ୟାସ ଯେ ମୁଁ ପଛରେ ବସିବିନି ଆଉ ଆଗରେ ବସି ଏମିତି ଡାଇରେକ୍ସନ ଦେଉଥିବି |
ବର୍ତ୍ତମାନ ପ୍ରଶ୍ନ ଉଠେ ଏମିତି କାହିଁକି ହେଉଛି ? ମୁଁ ଭାବିବାରେ ମୋ’ ଭଳି ଆପଣମାନଙ୍କର ମଧ୍ୟ ଉଣା ଅଧିକେ ଏମିତି ହେଉଥିବ | ଆଧୁନିକ ମନସ୍ତତ୍ତ୍ବବିତ୍ମାନଙ୍କ ମତରେ ଏହା ହେଉଛି ଏକ ଭୟର ଲକ୍ଷଣ, ଯାହା ଆପଣଙ୍କର ପିଲାମାନଙ୍କ ପ୍ରତି ଅଗାଧ ପ୍ରେମରୁ ସୃଷ୍ଟି ହୋଇଥାଏ | ଏଭଳି ପ୍ରେମରୁ ମୋହ ଜାତ ହୋଇଥାଏ ଓ ମୋହରୁ ଭୟ ସୃଷ୍ଟି ହୋଇଥାଏ | ଏହା ଲକ୍ଷ୍ୟ କରାଯାଏ ଯେ, ମା’ ବାପାମାନଙ୍କର ଯେତିକି ମୋହ ପିଲାମାନଙ୍କ ପ୍ରତି ଥାଏ ସେତିକି ମୋହ ପିଲାମାନଙ୍କର ବାପା ମା’ଙ୍କ ପ୍ରତି ନଥାଏ ବରଂ ବେଳେ ବେଳେ ଏହାର ବିପରୀତ ଭାବରେ ପ୍ରତିରୋଧ କଲାଭଳି ଏକ ଉଦାସୀନ ମନୋଭାବ ଥାଏ | ବାପାଟିଏ ଚିନ୍ତା କରୁଛି ଯେ ସେ ଯାହା ଜାଣିଛି ଶିଖିଛି ସବୁ ବାଟିକି ତା ପିଲାକୁ ପିଆଇ ଦେବ | ପିଲାଟି କିନ୍ତୁ ଯାହା ବାପା ମା’ କହୁଛନ୍ତି ତାକୁ ପାଳନ କରିବା ତ ଦୂରର କଥା ବରଂ ଠିକ୍ ଓଲଟା କଥାଟି ମାନ କରି ତା’ର ଏକ ବିଦ୍ରୋହାତ୍ମାକ ଲକ୍ଷଣର ପରିଚୟ ଦେବ | ଆପଣ ଆପଣଙ୍କ ସାଙ୍ଗସାଥୀରେ କଥାବାର୍ତ୍ତା ହେଉଛନ୍ତି “କ’ଣ କରିବି ? ପିଲାଟା ଆଦୌ ବୁଝୁନି |” ପିଲା କିନ୍ତୁ ତା’ ସାଙ୍ଗ ମେଳରେ କ’ଣ କଥାବାର୍ତ୍ତା ହେଉଛନ୍ତି ଜାଣନ୍ତି- “କ’ଣ କରିବି କହିଲୁ ? ବାପା ଆଦୌ ବୁଝୁନାହାଁନ୍ତି |”
ବନ୍ଧୁଗଣ, ଏହା ସ୍ବାଭାବିକ | ଏଥିରେ ବ୍ୟସ୍ତ ହେବାର କିଛି ନାହିଁ | ଥରେ ଭାବିଲେ ଆପଣ କ’ଣ ଆପଣଙ୍କ ବାପାଙ୍କ ସବୁ କଥାକୁ ମାନିଥିଲେ ? ମୁଁ ତ ମୋ ବାପାଙ୍କ ଅନେକ କଥାକୁ ମାନିନାହିଁ | ବାପାଙ୍କୁ ଲୁଚେଇକି ମୁଁ ଗାଡ଼ି ଚଳେଇବା ଶିଖିଛି | ବାପା ଯଦି କହିବେ ବାଁକୁ ଚାଲେ, ମୁଁ ଡାହାଣକୁ ଚାଲିଛି | ବାପା ଯଦି କହିବେ ଉପରକୁ ଅନା ମୁଁ ତଳକୁ ଅନେଇଛି | ଗାଁ ଛାଡ଼ି ଯେତେବେଳେ ବାହାରକୁ ଆସିଲି ବାପା କହିଲେ ‘ଚାକିରିରେ କ’ଣ ଅଛି, ବେପାର କର |’ ମୁଁ କିନ୍ତୁ ତାଙ୍କ କଥା ନମାନି ଚାକିରି କଲି | ଆଉ ଯେତେବେଳେ ମୁଁ ନିଜେ ସ୍ଥିର କଲି ଯେ ଚାକିରି ଛାଡ଼ି ବେପାର କରିବି ସେତେବେଳେ ବାପା ପୁଣି କହିଲେ ‘ଭୁବନେଶ୍ବରରେ କ’ଣ ଅଛି, କଟକରେ ବେପାର କର |’ ମୁଁ ପୁଣି ତାଙ୍କ କଥାକୁ ବିରୋଧ କରି ଭୁବନେଶ୍ବରରେ ବେପାର କଲି | ଏଇଥିପାଇଁ ଅନେକ ଥର ଆମ ଘରେ ଅଶାନ୍ତି ହୋଇଛି କିନ୍ତୁ ମୁଁ ମୋ’ର ସବୁ ଜିଦ୍ରେ ଅଟଳ ରହିଛି | ୟା ଅର୍ଥ କ’ଣ ଆମ ବାପା ପୁଅର ସମ୍ପର୍କ କଟିଗଲା ?
ଜଣେ ଦାର୍ଶନିକ କହିଥିଲେ “ଆପଣ ଯେତେବେଳେ ଅନୁଭବ କରନ୍ତି ଯେ ଆପଣଙ୍କ ବାପା ଯାହା କହୁଥିଲେ ଠିକ୍ କହୁଥିଲେ ଠିକ୍ ସେତିବେଳେ ଆପଣଙ୍କ ପୁଅ ଆପଣ ଯାହା କହୁଛନ୍ତି, ଭୁଲ୍ କହୁଛନ୍ତି ବୋଲି କହିବା ଆରମ୍ଭ କରିଦିଏ |” ଏହା ଏକ ଗତାନୁଗତିକ ଧାରା, ଯାହା ବଂଶ ବଂଶ ଧରି ଚାଲିଥାଏ | ଏଥିପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ | ମୁଁ ଜାଣେନି ଆପଣ ଜଣେ ବାପା କି ପୁଅ ? ଯଦି ପୁଅ ହୋଇଥାନ୍ତି ତେବେ ବାପାଙ୍କୁ ଅସମ୍ମାନ କରିବାର କୌଣସି ଆବଶ୍ୟକତା ନାହିଁ | ସେ ଚାହୁଛନ୍ତି ଯେ ସେ ଜିଇଁ ଥାଉ ଥାଉ ଦୁନିଆର ଯେତେ ଭଲ ଭଲ କଥା ଆପଣଙ୍କୁ ବତେଇ ଦେବେ | ଏହା ତାଙ୍କର ଆପଣଙ୍କ ପ୍ରତି ଆସକ୍ତିର ପରିଚୟ | ଯଦି ଆପଣ ବାପଟିଏ ହୋଇଥାନ୍ତି; ତେବେ ପୁଅର ସବୁ ପ୍ରତିରୋଧକୁ ହସି ହସି ଗ୍ରହଣ କରିନେଇ ପଦୁଟିଏ ତାକୁ କୁହନ୍ତୁ “ପୁଅରେ, ମୁଁ କାହିଁକି ଏମିତି କହୁଛି, ତୁ ବାପା ହେଲେ ଜାଣିବୁ |”
0 Response to "ପୁଅରେ, ତୁ ବାପା ହେଲେ ଜାଣିବୁ"
Post a Comment