ଡ. ଶଶିଭୂଷଣ ବେହେରା
ମୁଁ ଓ ତୁମେ *
ମୁଁ ଯେ ପାହାନ୍ତି ପହର ଦୂର ଦିଗନ୍ତର
ମଉଳା ଚନ୍ଦ୍ରଲେଖା
ତମେ କାକର ପଖଳା ସୌମ୍ୟ ସକାଳ
ସୂର୍ଯ୍ୟ କିରଣ ମଖା |୦|
ତମେ ସ୍ବପ୍ନ ବିଭୋର ପ୍ରଥମ ପ୍ରଣୟ
ଖିଆଲି ମନର ନିଶା
ମୁଁ ଯେ ଝରା ଶେଫାଳିର ଉଜୁଡ଼ା ଅତୀତ
ଦହନର ପରିଭାଷା
ତମେ ସମ୍ଭାବନାର ଆଲୋକଧାରା, ମୁଁ
ମୁଦ୍ରିତ ଦୀପଶିଖା… |୧|
ତମେ ପ୍ରୀତି-ପିଆଲାର ସଜ ଅନୁଭୂତି
ଜିଇଁବାର ମିଠା ଲୋଭ
ମୁଁ ଯେ ତଳ ବରଡ଼ାର ହାହାକାର ଭରା
ଅନ୍ତିମ ଅନୁଭବ
ତମେ ଫଗୁଣ ବନର ସବୁଜ ମାୟା, ମୁଁ
ଝରା ପତ୍ରର ଶାଖା… |୨|
* ଜୀବନ *
ଜୀବନକୁ ବେଳେବେଳେ
ବୁଝି ହୁଏନା
ସବୁଥାଇ ବଞ୍ଚିବାକୁ
ଇଚ୍ଛା ହୁଏନା |୦|
ଆଖି ଥାଇ ବେଳେବେଳେ ସ୍ବପ୍ନ ମିଳେନା
ପାଦଥାଇ ଚାଲିବାକୁ ପଥ ମିଳେନା
ବେଳେବେଳେ ଦୁଃଖ ଆସେ ସହି ହୁଏନା
ମନକଥା କାହା ଆଗେ କହି ହୁଏନା
ଅଭିମାନ ଆସେ ମନେ
ଅଭିଯୋଗ କରି ହୁଏନା… |୧|
ମନ ଖୋଜେ ମନପାଇଁ ଏମିତି ସାଥୀ
ବୁଝୁଥିବ ଦୁଃଖସୁଖ ସେନେହ ପ୍ରୀତି
ଜୀବନରେ ସାଥୀ ମିଳେ ପ୍ରୀତି ମିଳେନା
ସୁଖ ଟିକେ ଖୋଜୁ ଖୋଜୁ ମିଳେ ଯନ୍ତ୍ରଣା
ପ୍ରତିବାଦ ଆସେ ମନେ
ପ୍ରତିଶୋଧ ନେଇ ହୁଏନା… |୨|
0 Response to "ଦୁଇଟି ଗୀତି କବିତା"
Post a Comment