ସକାଳୁ ଝୁମ୍ପୁଡ଼ି ଭିତରୁ ଅଖାଟାକୁ ଆଡ଼େଇ ବାହାରକୁ ଆସି ମୁଣ୍ଡଉପର ଆକାଶକୁ ଚାହିଁଲା ଝିଅଟି | ମେଘର ଚିହ୍ନ ବର୍ଣ୍ଣ ନାହିଁ | ଏକଦମ୍ ସଫା ଆକାଶ | ଭିତରେ ଛିଣ୍ଡା କତରାରେ ପଡ଼ି ରୋଗୀଣା ମା’ ତା’ର ମନା କରୁଥିଲା ଏକା ଯିବାକୁ, ମାନିଲାନି ତା’ କଥା, ବାହାରି ଆସିଲା | ଦଶ ପାଞ୍ଚ ଯାହା ତ ହେଲେ ମିଳିଯିବ | ଘରେ ବସି କରିବ କ’ଣ ?
ବର୍ଷାଟା ଏମିତି ହଠାତ୍ ବର୍ଷିଯିବ ବୋଲି ତ ଆଦୌ ଜାଣି ନଥିଲା ଝିଅଟି | କ’ଣ କରିବ ଭାବୁ ଭାବୁ ବ୍ୟସ୍ତହୋଇ ସାମ୍ନା ଘର ଗେଟ୍ଖୋଲି ପୋର୍ଟିକୋକୁ ପଶିଗଲା | ବଡ଼ ଗାଡ଼ି, ଗାଡ଼ି କଡ଼ରେ ଛୋଟ ସୁନ୍ଦର ଧଳା ଭାଲୁଆ ଗୁଲୁଗୁଲିଆ କୁକୁରଟେ ବନ୍ଧା | ଜାକିଜୁକି, ଡରିମରି ଠିଆ ହୋଇଥାଏ ଝିଅଟି ସାଙ୍କୁଡ଼ି ହୋଇ ଗୋଟିଏ କଣକୁ | ପୁରୁଣା ପତଳା ଲୁଗାଟା ଭିତରୁ ସ୍ପଷ୍ଟ ଫୁଟି ଉଠୁଛି ତା’ ଦେହର ଉଚ୍ଚା ନୀଚା, ଅଙ୍କାବଙ୍କା ଭୂଗୋଳ | ଓଦା ଲୁଗାକୁ ଚିପୁଡ଼ି ଦେହରେ ଭଲ କରି ଗୋଡ଼େଇବାର ଅସଫଳ ପ୍ରୟାସ କରୁଥାଏ ସେ | ମୁହଁରେ ବର୍ଷାର ଟୋପା ଟୋପା ପାଣି ସଜଫୁଟା ଫୁଲ ଉପରେ ସକାଳ କାକରର ଭ୍ରମ ସୃଷ୍ଟି କରୁଥିଲା | ଆଲୁରା ଅସଜଡ଼ା ମୁହଁ ଉପରକୁ ଝୁଲି ପଡ଼ିଥିବା ଚୂର୍ଣ୍ଣ କୁନ୍ତଳରେ ଲାଗିଥିବା ବିନ୍ଦୁ ବିନ୍ଦୁ ବର୍ଷା ରୂପା ଚୁମ୍କି ପରି ଦିଶୁଥିଲା | ଭିକାରୁଣୀ ଦେହରେ ବି ଏତେ ସୌନ୍ଦର୍ଯ୍ୟ | ସେ ସୌନ୍ଦର୍ଯ୍ୟ ଗରିବ ପାଇଁ ତ ଅଭିଶାପ |
ଦୋ’ ମହଲା ଘରର ତଳୁ ପକୁଡ଼ି ଆଉ ଚା’ ବାସ୍ନା ରହି ରହି ଆସୁଥିଲା | ଉପର ମହଲାରୁ କିଛି କାଚ ବୋତଲ, ଗିଲାସର ଟୁଂ ଟାଂ ଶବ୍ଦ ସାଙ୍ଗେ ବେଳେବେଳେ ହୋ ହୋ ତ ବେଳେବେଳେ ଖିଲ୍ଖିଲ୍ ହସର ଆୱାଜ୍ ବର୍ଷାର ଝୁମ୍ଝୁମ୍ ସ୍ବର ସହିତ କାନରେ ବାଜୁଥିଲା ଝିଅଟିର | ମଝିରେ ମଝିରେ କଷା ମାଂସର ବାସ୍ନା ତା’ର ପେଟର ଭୋକକୁ ଜିଭ ପର୍ଯ୍ୟନ୍ତ ଓଟାରି ଆଣୁଥିଲା |
ଘରର ଚାକର ଗୋଟେ ପ୍ଲେଟ୍ରେ ପାଞ୍ଚ/ସାତ ଖଣ୍ଡ ମାଂସ ଆଣି କୁକୁର ମୁହଁ ପାଖରେ ଥୋଇଦେଇଗଲା | ଗଲାବେଳେ ତା’ ଆଖିର ନିରବ ପ୍ରଶ୍ନ ଉତ୍ତରେରେ ଝିଅଟି କହିଲା, “ବାବୁ ବର୍ଷା ଟିକେ କମିଗଲେ ଚାଲିଯିବି |”
କୁକୁର ପ୍ଲେଟ୍ରେ ତଥାପି ରହିଯାଇଛି
ଖଣ୍ଡେ ମାଂସ
| ଆଉ ପେଟରେ
ଜାଗା ନାହିଁ
ନା ତା’ ଭୋକ ବୁଝିପାରି
ଛାଡ଼ି ଦେଇଛି
? ପେଟର ଭୋକ ଦାଉ ସାଙ୍ଗକୁ ପାଟିର
ଲୋଭକୁ ଲଗାମ୍
ଦେଇ ପାରିଲାନି
ସେ | ହାତଟା
ଥାଳି ପାଖକୁ
ନଉ ନଉ କୁକୁର ଛୁଆଟା ଭାଉ ଭାଉ କମ୍ପେଇଲା | ପାଟି
ଶୁଣି ବାହାରକୁ
ଆସିଲେ ଘର ମାଲିକ, ମାଲିକାଣୀ, ମାଲିକଙ୍କ
ଯୁବା ପୁଅ, ତା’ରି ବୟସର
ଝିଅଟେ ଆଉ ଚାକର |
କୁକୁର ପ୍ଲେଟ୍ରେ ତଥାପି ରହିଯାଇଛି ଖଣ୍ଡେ ମାଂସ | ଆଉ ପେଟରେ ଜାଗା ନାହିଁ ନା ତା’ ଭୋକ ବୁଝିପାରି ଛାଡ଼ି ଦେଇଛି ? ପେଟର ଭୋକ ଦାଉ ସାଙ୍ଗକୁ ପାଟିର ଲୋଭକୁ ଲଗାମ୍ ଦେଇ ପାରିଲାନି ସେ | ହାତଟା ଥାଳି ପାଖକୁ ନଉ ନଉ କୁକୁର ଛୁଆଟା ଭାଉ ଭାଉ କମ୍ପେଇଲା | ପାଟି ଶୁଣି ବାହାରକୁ ଆସିଲେ ଘର ମାଲିକ, ମାଲିକାଣୀ, ମାଲିକଙ୍କ ଯୁବା ପୁଅ, ତା’ରି ବୟସର ଝିଅଟେ ଆଉ ଚାକର | ମାଲିକଙ୍କ ହାତରେ ନାଲିପାଣିର ସୁନ୍ଦର ଗିଲାସ | ରଙ୍ଗୀନ ପାଣିରୁ ଢୋକେ ପିଇଦେଇ ଝିଅଟି ଉପରେ ନଜର ପକେଇ ଓଠରେ ଜିଭ ବୁଲେଇ ଆଣି କହିଲେ, “ଡେଟଲ୍ ସାବୁନ୍ରେ ଗାଧୋଇ ସଫାଲୁଗା ଖଣ୍ଡେ ପିନ୍ଧେଇ ଦେଲେ ଘର କାମକୁ ଚଳିଯିବ |”
ଯୁବା ପୁଅଟି ତା’ ହାତରେ ଥିବା ପ୍ଲେଟ୍ରୁ ପକୁଡ଼ି ଗଣ୍ଡାକ ଝିଅଟି ଆଞ୍ଜୁଳିରେ ଟେକି ଦଉ ଦଉ ଆଖି ପହଁରେଇ ଆଣୁଥିଲା ତା ଓଠ, ଓଠରୁ ଛାତି, ଛାତିରୁ ନାଭି ପୁଣି ତା’ ତଳକୁ…. | ଚୁପ୍ ଚୁପ୍ କହୁଥିଲା ଖାଲି ଝିଅଟିକୁ ଶୁଭିବା ପରି, “ଯେତେବେଳେ ବର୍ଷା ହବ ସିଧା ଚାଲି ଆସିବୁ | ମୋ ଭାଗ ପକୁଡ଼ିତକ ଦେଇଦେବି ତତେ |”
ଘରର ଝିଅଟି କେତେଟା ପୁରୁଣା ଜାମାପଟା, ଗୋଟେ ପୁରୁଣା ରେନ୍କୋଟ୍ ଆଉ ଗୋଟେ ଛତା ପଲିଥିନ୍ ବ୍ୟାଗ୍ଟିରେ ଭର୍ତ୍ତିକରି ବଢେଇ ଦେଇଥିଲା ଝିଅଟି ହାତକୁ | କହିଲା, “ଏଇଟା ନେଇଯାଆ | ଏଣିକି ବର୍ଷାରେ ଆଉ ୟା’ ତା’ ଘର ଭିତରେ ପଶିବା ଦରକାର ପଡ଼ିବନି |” ମାଲିକାଣୀ ଅସନ୍ତୁଷ୍ଟ ଆଖିରେ ବିରକ୍ତି ମିଶା ସ୍ବରରେ କହିଲେ, “ଏଗୁଡ଼ାକ ଖାଲି ଏମାନଙ୍କର ବାହାନା | ଅସଲରେ ଓର ଉଣ୍ଡି ଏମିତି ବେଳରେ ବଡ଼ଲୋକଙ୍କ ଘର ଦେଖି ପଶିଯାଆନ୍ତି ମଣିଷଟେ କି ଜିନିଷଟେ ଚୋରେଇ ନବାକୁ | ଏଟାକୁ ଏଠୁ ଶୀଘ୍ର ବିଦା କର ଟଙ୍କେ ଦି’ଟଙ୍କା ଧରେଇ ଦେଇ |”
ସବା ଶେଷକୁ ଚାକରଟା କହିଲା, “ଆ ମୋ ସଙ୍ଗେ ଏଇ ପଛପଟକୁ | ବଖରାଏ ଅଛି | ଯଦି ଚାହିଁବୁ, ଏଇଠି ସବୁଦିନ ରହିପାରିବୁ ନିର୍ଭୟରେ | ତାଲା ପକେଇ ରଖିବି ସମସ୍ତଙ୍କଠୁ ଲୁଚେଇ | ଆଉ ବାହାରକୁ ଯିବା ଦରକାର ପଡ଼ିବନି କି ଛିଣ୍ଡା ପୁରୁଣା ପିନ୍ଧି ଭିକ ମାଗିବୁନି |” ଝିଅଟା ଯେମିତି ପଶି ଆସିଥିଲା ଗେଟ୍ଖୋଲି, ସେମିତି ବାହାରିଗଲା ନିରବରେ | ହାତରେ ଧରିଥିଲା ଖାଲି ଘରର ଝିଅଟି ଦେଇଥିବା ପଲିଥିନ୍ଟି | ବର୍ଷାର ଗତି ଆହୁରି ବଢ଼ି ଚାଲିଥିଲା, କିନ୍ତୁ ତା’ର ଖାତିର୍ ନଥିଲା ଆଉ ସେଥିକି | ଏ ଘରର ଛାତ ତଳ, ହତା ଭିତର ଅପେକ୍ଷା ରାସ୍ତା ଉପରର ବର୍ଷା ତା’ ପାଇଁ ବେଶି ନିରାପଦ ସ୍ଥାନ ସେ ଭାବୁଥିଲା ଚାଲୁ ଚାଲୁ |
0 Response to "ଅଭିଶାପ"
Post a Comment