ସୁଖିରାମ ଭାରି ଗରିବ | ତାର ଜମିବାଡ଼ି କିଛି ନାହିଁ | ଦିନ ମଜୁରି କରି ଚଳେ ସେ | ପ୍ରତିଦିନ ସକାଳେ ସେ ଗାଁରୁ ଚାଲି ଚାଲି ଆସି ସହର ଛକରେ ଠିଆ ହୁଏ | ଯାହାର ଦରକାର ସେ ଆସି ତାକୁ କାମ କରିବା ପାଇଁ ନେଇଯାଏ | ସେଦିନ ବନ୍ଦ ବୋଲି ତାକୁ ମାଲୁମ ବି ନଥିଲା | ସେ ତାର ସବୁଦିନ ଭଳି ସକାଳୁ ତା ଗାଁରୁ ଚାଲି ଆସିଛି | ଦେଖିଲାବେଳକୁ ଦୋକାନବଜାର ସବୁ ବନ୍ଦ | କରିବ କଣ? ବିଚରା ଚୁପ୍ଚାପ ଛକମୁଣ୍ଡ ତାରିଣୀ ମନ୍ଦିର ବାହାର ପାହାଚରେ ବସିଥିଲା | ମୋଟର ସାଇକେଲ୍ରେ ଦୁଇଜଣ ଲୋକ ଆସି ପହଞ୍ଚିଲେ | ଜଣକ ଆଖିରେ କଳା ଚଷମା, ଜଣକ ହାତରେ ଷ୍ଟିଲ୍ ବଳା | ଚଷମା ବାଲା ଆସି ତାକୁ କହିଲା, କାମ କରିବୁ?
-କି କାମ?
-କିଛି ଭିଡ଼ କାମ ନୁହଁ ମ! ରାସ୍ତାରେ ଟାୟାର ପକେଇ ନିଆଁ ଜାଳିବୁ, ଗାଡ଼ିମଟର ଯାଉଥିଲେ ତା ଉପରକୁ ଢେଲା ପକେଇବୁ, ଯେଉଁ ଲୋକ ସ୍କୁଟର ମଟରସାଇକେଲ୍ରେ ଯାଉଥିବ- ସେମାନଙ୍କୁ ବାଡ଼େଇବୁ |
-ଏଟା କଣ କାମ?
-ସେଥିରୁ ମୋତେ କଣ ମିଳିବ? ତୋତେ ଟଙ୍କା ମିଳିବ |
ସୁଖରାମ ଟଙ୍କା ନେଲା, ଏବଂ ତାକୁ ଯାହା କୁହାଗଲା, ତାହା କଲା | ରାସ୍ତାରେ ନିଆଁ ଜାଳିଲା, ସ୍କୁଟର ମୋଟରସାଇକଲ୍ରେ ଯାଉଥିବା ଲୋକଙ୍କୁ ବାଡ଼େଇଲା, କାର୍ ର କାଚ ଭାଙ୍ଗିଲା |
କିଛି ସମୟ ଭିତରେ ପୋଲିସ ତାକୁ ଗିରଫ କରିନେଇଥିଲା | ଜାମିନରେ ଯିବା, ମକଦ୍ଦମା ଲଢ଼ିବା- ଏ ସବୁର କ୍ଷମତା ସୁଖିରାମର ନଥିଲା | ତେଣୁ ତା‘କୁ ସଜା ହୋଇଗଲା | ସୁଖିରାମ ପ୍ରଥମ ଥର ଜେଲ୍ ଗଲା | ଜେଲ୍ରେ ସୁଖିରାମ ମାଗଣା ଖାଇବାକୁ ପାଇଲା | ଗରମ ଭାତ, ଡାଲି ଓ ତରକାରି | ଜେଲ୍ଟା ତାକୁ ଭଲ ଲାଗିଲା | ସେ ଠିକ୍ କରିନେଲା, ଏଣିକି ସେ ଜେଲ୍ରେ ହିଁ ରହିବ |
(୨)
ପ୍ରତ୍ୟେକ ଲୋକର କିଛି ନା କିଛି ଇଚ୍ଛା ଥାଏ, କିଛି ଲୋକଙ୍କର ଇଚ୍ଛାଟା ଅବ୍ସେସନ୍ ପର୍ଯ୍ୟାୟକୁ ଚାଲିଯାଏ | ସେତେବେଳେ ମନେହୁଏ- ଏଇଟା ନ ହେଲେ ବା ଏଇଟା ନ ପାଇଲେ ବଞ୍ଚିବାରେ କିଛି ଲାଭ ନାହିଁ | ତାକୁ ପାଇବା ପାଇଁ ସେମାନେ ପାଗଳ ପ୍ରାୟ ହୋଇଉଠନ୍ତି |
ସେମିତି ଜଣେ ହେଲା ସଞ୍ଜୟ | ତାର ଇଚ୍ଛା: ଟେଲିଭିଜନରେ ତା ମୁହଁଟା ଦିଶନ୍ତା | ଯେତେବେଳେ ସେ ଟେଲିଭିଜନ ଦେଖେ, ଟିଭି ପରଦାରେ ଚାଲବୁଲ କରୁଥିବା ଚରିତ୍ର ଭିତରେ ସେ ନିଜକୁ ଖୋଜିପାଏ |
ଟିଭିରେ ମୁହଁ ଦେଖଇବା ପାଇଁ ବହୁ ଚେଷ୍ଟା କରିଛି ସଞ୍ଜୟ | ଟେଲିଭିଜନ ଧାରାବାହିକରେ ଏତେ ଚରିତ୍ର, ତାକୁ ଗୋଟେ ଚରିତ୍ର ମିଳନ୍ତାନି!
ହେଲେ ତାକୁ କେହି କୌଣସି ଚରିତ୍ରରେ ଅଭିନୟ ପାଇଁ ଡାକି ନାହଁନ୍ତି | ଯେତେ ରିୟାଲିଟି ଶୋ ହୁଏ, ସବୁଥିରେ ସେ ଆବେଦନ କରିଛି | କେଉଁଥିରେ ତା‘ର ହୋଇନି | ଭୁବନେଶ୍ବରରେ ଟେଲିଭିଜନ ଚ୍ୟାନେଲଗୁଡ଼ିକର ଅଫିସ୍କୁ କମ୍ ଥର ଯାଇନି ସେ | ତାର ଏ ଅବ୍ସେସନ୍ ବିଷୟରେ ତାଙ୍କ ସାହିରେ ସମସ୍ତେ ଜାଣନ୍ତି | ବେଳେବେଳେ ତାକୁ ଏଥିପାଇଁ ଥଟ୍ଟା ବି କରନ୍ତି |
ସେଦିନ ବନ୍ଦ ଥିଲା | ବନ୍ଦ ପୂର୍ବଦିନ ତାଙ୍କ ସାହିର ବୁଲାଦାଦା କହିଲେ- ଆବେ ସଞ୍ଜୟ, ଗୋଟେ କାମ କରିପାରିବୁ- ତୋ ମୁଁହ ଟିଭିରେ ଦେଖେଇବା ପୂରା ପକ୍କା |
-କ‘ଣ?
ବୁଲାଦାଦା ଯାହା କାମ କହିଲା, ତାକୁ କରିବା ପାଇଁ ତା ଆତ୍ମା ଡାକୁ ନଥିଲା | କିନ୍ତୁ ଟିଭିରେ ମୁହଁ ଦେଖେଇବାର ଲୋଭରେ ସେ ହଁ କହିଦେଲା |
ବନ୍ଦ ବେଳେ ନିଆଁ ଜାଳିଲା ସେ | ବସ୍ ଉପରକୁ ଟେକା ଫୋପାଡ଼ିଲା | ପୋଲିସ ଆସିଲା | ପୋଲିସ ପଛରେ ଥିଲେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍ର କ୍ୟାମେରାମ୍ୟାନ୍ମାନେ | ଅନେକଗୁଡ଼ିଏ କ୍ୟାମେରା | ସଞ୍ଜୟକୁ ଲାଗିଲା, ତାରି ଫଟୋ ଉଠଉଛନ୍ତି ସେମାନେ | ସଞ୍ଜୟ ସାମ୍ନାକୁ ଆସି ପୋଲିସ ଉପରକୁ ଟେକାପଥର ଫୋପାଡ଼ିଲା | ପୋଲିସ ଗୁଳି ଚଳେଇଲା | ଗୁଳି ବାଜିଲା ସଞ୍ଜୟ ଛାତିରେ | ଟଳି ପଡ଼ିଲା ସେ |
ସାରା ଭାରତ ଦେଖିଲା ତା‘ର ମୃତ ଦେହର ଚିତ୍ର |
(୩)
ଅଫିସରଙ୍କ କଡ଼ା ତାଗିଦ୍: ବନ୍ଦ ଦିନ ସମସ୍ତଙ୍କୁ ନିହାତି ଅଫିସ ଆସିବାକୁ ପଡ଼ିବ | ଅଫିସ୍ରେ ହାଜିରା ପକେଇ ତେଣିକି ଯିଏ ଯାହା କର | କାମ କର ନ କର କିଛି କଥା ନାହିଁ, ହାଜିରା ପକେଇବା ନିହାତି ଜରୁରି | ତେଣୁ ବନ୍ଦବାନ୍ଦ ଆରମ୍ଭ ହେବା ପୂର୍ବରୁ ଚଞ୍ଚଳ ଚଞ୍ଚଳ ଅଫିସ୍ ପହଞ୍ଚଯିବ ସମସ୍ତେ |
ବନ୍ଦ କିଛି ନୂଆ ହେଉନି ଓଡ଼ିଶାରେ | ସମସ୍ତେ ଜାଣନ୍ତି ବନ୍ଦ ଦିନ ସମସ୍ତେ ଚଞ୍ଚଳ ପହଞ୍ଚନ୍ତି | ହାଜିରା ପକାନ୍ତି | ଅଳ୍ପ କିଛି ସମୟ ରହନ୍ତି | ତାପରେ ମଉକା ଦେଖି ଗୋଟିଏ ଗୋଟିଏ ଖସିଯାଆନ୍ତି | ସେଦିନ ଅଫିସ୍ କାମ ଦାମ କିଛି ହୁଏନି | ଅଫିସ୍ ବି ପ୍ରାୟ ଫାଙ୍କା ଥାଏ |
ସେଇଥିପାଇଁ ବୁଦ୍ଧିରାମ ଆଜି ବଡ଼ି ସକାଳୁ ଅଫିସ୍ ବାହାରିଛି | ଆଜି ପାର୍ବତୀ ବି ନିଶ୍ଚୟ ଚଞ୍ଚଳ ଅଫିସ୍ ଆସିବ | ବହୁଦିନ ଧରି ଥାଥା ମାମା ହୋଇ ଗତକାଲି ବୁଦ୍ଧିରାମ ତାକୁ ଗୋଟେ ଲଭ୍ ଲେଟର ଦେଇଛି | ପାର୍ବତୀ ତାକୁ ପଢ଼ିଛି ଆଉ ସେ ବି ନିଶ୍ଚୟ ବୁଦ୍ଧିରାମକୁ ଲଭ୍ କରୁଛି | ନହେଲେ ଅଫିସ୍ ଛୁଟି ହେଲା ବେଳକୁ କାହିଁକି ତାକୁ ଚାହିଁ ମୁହଁ ଚିପି ଗୋଟେ ସ୍ମାଇଲ୍ ଦିଅନ୍ତା! କହନ୍ତା, କାଲି ଆସନ୍ତୁ, ଏହାର ଉତ୍ତର ଦେବି |
ଆଜି ପାର୍ବତୀ ବି ଚଞ୍ଚଳ ଅଫିସ୍ ଆସିଯିବ | ଫାଙ୍କା ଅଫିସ୍ରେ ସେ ଆଉ ପାର୍ବତୀ | ପାର୍ବତୀ ଆଉ ସେ | ପାଖାପାଖି ବସି କେତେ କଥା ହେବ | ବୁଦ୍ଧିରାମ ଭାବୁଥିଲା, ସବୁଦିନ ଏମିତି ବନ୍ଦ ହୁଅନ୍ତା, ସବୁଦିନ ଏମିତି ଅଫିସ୍ଟା ଖାଲି ଥାଆନ୍ତା |
(୪)
ବନ୍ଦ ଦିନ ସବୁ ବନ୍ଦ | ଦିପହରେ ଖାଇବ କ‘ଣ ସଞ୍ଜୟ? ସେ ଗୋଟେ ଜରୁରି କାମରେ ଆସିଥିଲା ଭୁବନେଶ୍ବରରେ ଗୋଟେ ଅଫିସ୍କୁ | ଅଫିସର୍ କହିଥିଲେ, ବନ୍ଦ ହେଲେବି ମୁଁ ତ ଆସିଥିବି | ସେଦିନ ଅନ୍ୟ କର୍ମଚାରୀମାନେ ଆସିବା ନ ଆସିବା ଭଳି | ଅଫିସ୍ରେ କେହି ବିଶେଷ ନଥିବେ | ମୁଁ ନିରୋଳାରେ ଆପଣଙ୍କ କାମଟା କରିଦେବି |
କାମ ସରିଗଲା ଦିପହର ବେଳକୁ | ବାହାରକୁ ବାହାରି ଆସିଲା ସଞ୍ଜୟ | ସକାଳୁ ତରବରରେ ବାହାରି ଆସିଥିଲା ଯେ ବ୍ରେକ୍ଫାଷ୍ଟ୍ କରି ନଥିଲା ଠିକ୍ କରି | ଗୋଟାଏ ସାଣ୍ଡ୍ଉଇଚ୍ କୌଣସି ମତେ ପାଟିରେ ପୁରାଇ ଚାଲିଆସିଥିଲା | ସେତେବେଳେ କେତେ ଶୀଘ୍ର ଅଫିସ୍ରେ ପହଞ୍ଚିବ, ସେ ଚିନ୍ତା | ଏବେ କାମଟା ସରିଗଲା ପରେ ସଞ୍ଜୟ ଅନୁଭବ କଲା – ବେଶ୍ ଭୋକ ହେଲାଣି | ହେଲେ ଖାଇବ କ‘ଣ ସେ? ଆଖପାଖ ସବୁ ଦୋକାନ ବନ୍ଦ | ପାନଦୋକାନ ବନ୍ଦ | ବନ୍ଦ ପାଇଁ ନିଜ କାର୍ ଆଣିନି ସଞ୍ଜୟ | ଗାଡ଼ିମଟର ଚାଲୁନି ଏ ଯାଏଁ | ଭୋକଟା ବଢ଼ିବାକୁ ଲାଗିଲା | ଗୋଟିଏ ଗୋଟିଏ ଆଗକୁ ଚାଲିଲା | କାଳେ କିଛି ଦୋକାନ ଖୋଲା ଥିବ | ସାପ ଯେମିତି ପେଡ଼ି ଭିତରୁ ବାହାରି ଆସେ, ସଞ୍ଜୟର ମନେ ହେଲା ଭୋକଟା ବି ଗୋଟେ ସାପ ଭଳି ତା ପେଟ ଭିତରୁ ବାହାରକୁ ବାହାରି ଆସିବାକୁ ଚାହୁଁଛି | ଭୋକ ଯେ ମଣିଷକୁ ଏମିତି ଦୁର୍ବଳ ଆଉ ଅସହାୟ କରିଦିଏ – ତାହା ପ୍ରଥମ ଥର ପାଇଁ ଅନୁଭବ କଲା ସଞ୍ଜୟ | ଏଇ ସମୟରେ ସେ ଦେଖିଲା – ରାସ୍ତା କଡ଼େ ଝୋପଡ଼ି ହୋଟେଲ୍ଟିଏ, ଅଧା ଖୋଲା ହୋଇ ରହିଛି | ସାଧାରଣ ଅବସ୍ଥାରେ ସଞ୍ଜୟ ଖାଇବାରେ ଯାହାକୁ ଇଂରାଜୀରେ କହନ୍ତି ଭାରି ଫସି | ଟିକେ ଅଳିଆ ହୋଇଥିଲେ ସେ ସେଠିକି ଯାଏନି | ବିଦେଶରେ ରହି ଏ ଶିକ୍ଷା ତାର ହୋଇଛି | ଏମିତି ରାସ୍ତା କଡ଼ ଝୋପଡ଼ି ହୋଟେଲ୍ରେ ଖାଇବା କଥା ସେ କେବେ ଚିନ୍ତା ବି କରି ନଥାନ୍ତା! ହେଲେ ଆଜିକାର କଥା ଅଲଗା |
ଝୋପଡ଼ି ଦୋକାନୀକୁ ପଚାରିଲା ସଞ୍ଜୟ, ଖାଇବାକୁ ଅଛି କିଛି?
ଦୋକାନୀ ଯେତେବେଳେ କହିଲା- ଡାଲମା ଆଉ ଭାତ ହେବ, ସଞ୍ଜୟର ମନେ ହେଲା ଦୋକାନୀ ରୂପରେ ସାକ୍ଷାତ୍ ଭଗବାନ ତା ସାମ୍ନାରେ ଠିଆ ହୋଇ ତାକୁ ବରଦାନ ଦେଲେ |
-ଦିଅ |
ଗୋଟେ ସିଲ୍ଭର ଥାଳିରେ ଆସିଲା ବଗଡ଼ା ଭାତ ଆଉ ଡାଲମା | ସଞ୍ଜୟକୁ ଲାଗିଲା – ଅମୃତ | ଭୋକରେ ଯେ ଅଲଗା ସୁଆଦ ଅଛି – ଆଜି ପ୍ରଥମ ଥର ପାଇଁ ଅନୁଭବ କଲା ସଞ୍ଜୟ |
(୫)
ସତ୍ୟହରି ବାବୁଙ୍କ ନେତୃତ୍ବରେ ବନ୍ଦ ହେଲା ଓଡ଼ିଶାରେ | ବନ୍ଦ ମାନେ ଜବରଦସ୍ତ ବନ୍ଦ | ତାଙ୍କ ସହକର୍ମୀମାନେ କହିଲେ ଏମିତି ଜବରଦସ୍ତ ବନ୍ଦ ଆଉ କେହି କରେଇ ପାରି ନାହାନ୍ତି | ସବୁ ବନ୍ଦ କରିଦେଇଛନ୍ତି ସତ୍ୟହରି ବାବୁ | ଦୋକାନବଜାର ଅଫିସ୍ପତ୍ର କଥା ଛାଡ଼ ଗାଡ଼ିମଟର ବି ସବୁ ବନ୍ଦ | ଶଳା ସାଇକଲ୍ରେ ବି ଲୋକ ଯାଇ ପାରିନାହାନ୍ତି | ସାଇକଲ ଚକାରୁ ପମ୍ପ ଖୋଲି ଦେଇଛନ୍ତି ସତ୍ୟହରିବାବୁଙ୍କ ଦଳର ଲୋକମାନେ |
ସତ୍ୟହରି ବାବୁଙ୍କ ପୁଅ ପଢ଼େ ବାଙ୍ଗାଲୋରରେ | ନାଁ, ଓଡ଼ିଶାରେ ପଢ଼େଇବାର ଭୁଲ୍ ସତ୍ୟହରି ବାବୁ କେମିତି କରେଇବେ | ଏଠି ପାଠ ଅଛି ନା ଶାଠ ଅଛି | ପ୍ରତିଦିନ ଷ୍ଟ୍ରାଇକ୍ | ପାଠର ନାଁ ଗନ୍ଧ ନାହିଁ | ବାଙ୍ଗାରୋର୍ରେ ଗୋଟେ ପାଠର ଆଟ୍ମସ୍ଫିଅର ଅଛି | ହେଲେ ସେଦିନ ବାଙ୍ଗାଲୋରରେ ବି ହୋଇଥିଲା ବନ୍ଦ | ସେଇଦିନ ତାଙ୍କ ପୁଅ ବାଥରୁମ୍ରେ ଗିଜର ଅନ୍ କରୁ କରୁ ଇଲେକ୍ଟ୍ରିକ୍ ସକ୍ ଖାଇ ଓଲଟି ପଡ଼ିଲା ଯେ ମୁଣ୍ଡରେ ବାଜିଲା ଆଘାତ | ତାକୁ ବଡ଼ ହାସପାତାଳକୁ ନେବା ଦରକାର ଥିଲା | ହେଲେ ସେ ହାସପାତାଳ ପହଞ୍ଚି ପାରିଲାନି | ଆନ୍ଦୋଳନକାରୀମାନେ ତାକୁ ପହଞ୍ଚେଇ ଦେଲେନି | ବାଟରେ ମରିଗଲା ସତ୍ୟହରି ବାବୁଙ୍କ ପୁଅ |
ଏ କ୍ଷଣେ ସତ୍ୟହରି ବାବୁଙ୍କ ଦୁଇଟା ହାତରେ ଦୁଇଟା ମୋବାଇଲ୍ ଫୋନ | ଗୋଟାକରେ ବଧେଇ: ଆପଣ ଏତେ ସୁନ୍ଦର ବନ୍ଦ କରେଇଛନ୍ତି, ତେଣୁ ଦଳର ହାଇକମାଣ୍ଡ ଆପଣଙ୍କୁ ବିଧାୟକ ଆସନ ପାଇଁ ଟିକଟ ଦେବା ପାଇଁ ମନସ୍ଥ କରୁଛନ୍ତି | ଆର ଫୋନ୍ଟି ବାଙ୍ଗାଲୋରରୁ: ଆପଣଙ୍କ ପୁଅ ଆଉ ନାହିଁ | ବନ୍ଦ ପାଇଁ ଆମ୍ବୁଲାନ୍ସ ବାଟରେ ଅଟକି ରହିଗଲା | ଅତିରିକ୍ତ ରକ୍ତକ୍ଷରଣ ପାଇଁ ତାର ମୃତ୍ୟୁ ହୋଇଗଲା |
0 Response to "ବନ୍ଦ: ୫ଟି କାହାଣୀ"
Post a Comment