ମାଧୁରୀ,ଇଶ୍ବର ଓ ଚାକିରୀ

ମାଧୁରୀ,ଇଶ୍ବର ଓ ଚାକିରୀ

ମାଧୁରୀ,ଇଶ୍ବର ଓ ଚାକିରୀ
ଲଳିତା ଖଣ୍ଡା

ମାଧୁରୀ ଦିକ୍ଷିତ-ବମ୍ବେର ଅପହଞ୍ଚ ସିନେମା ତାରକା, ଅଥଚ ଅବିନାଶର ନିଃସଙ୍ଗତାର ଚିରସାଥୀ | ଈଶ୍ବର-ଏବେ ସୁଦ୍ଧା ଅବିନାଶ ପାଇଁ ଏକ କୁହେଳିକା ଅଥଚ ତାଙ୍କର ନାମମାତ୍ର ଉଚ୍ଚାରଣରେ କେଡ଼େ ସାହାସ, ଓ ଆତ୍ମବିଶ୍ବାସ ଖୁନ୍ଦି ହେଇଯାଏ ହୃଦୟ ଭିତରେ | ଚାକିରୀ- ଏଯାବତ୍‌ ଅବିନାଶ ପାଇଁ ମରୀଚିକା, ଅଥଚ ତାକୁ ପାଇବା ପାଇଁ କି ପ୍ରଗାଢ଼ ପ୍ରଚେଷ୍ଟା |

ମାଧୁରୀ, ଇଶ୍ବର ଓ ଚାକିରୀ | ତୃତୀୟ ଅବସ୍ଥିତିଟିକୁ ଅବିନାଶ କେଳେଇବ | ସେଥିରେ ସେ ବଞ୍ଚିବ, ଖାଇବ ଓ ପିନ୍ଧିବାକୁ ପାଇବ | ମୁଣ୍ଡ ଗୁଞ୍ଜିବାକୁ ଜାଗା ପାଇବ | ଛାତି ଫୁଲାଇ ଗାଁ ଦାଣ୍ଡରେ ଚାଲିବ | ଅନ୍ୟ ଦୁଇଟା ତା ପାଇଁ ପରବର୍ତ୍ତୀ ଅବସ୍ଥା |

ଚାକିରୀ ଆଣିବ ଜୀବନରେ ଉଦ୍ଦାମତା, ସ୍ବପ୍ନିଳ ଜହ୍ନରାତି, ବାପା ବୋଉଙ୍କ ପାଇଁ ଔଷଧ, ସାନ ଭଉଣୀର ବାହାଘର, ତା ନିଜ ପାଇଁ ବିବାହ ପ୍ରସ୍ତାବ, ମଧୁରାତ୍ରୀ, ସୁନ୍ଦରୀ ପତ୍ନୀ ମୁଁହରେ ସେ ଦେଖିବ ମାଧୁରୀର ପଲିସ୍‌ କରା ହସ, ଆଖି ନଚା ଠାଣି, ତାର ଗରମ ଗରମ ନିଃଶ୍ବାସରେ ତରଳି ଯିବ କଠୋର ସଂଯମ |ଇସ୍‌, ଚାକିରୀ କଣ ସ୍ବର୍ଗର କାମଧେନୁ! ନା କଳ୍ପତରୁ! ଏଇ ଚାକିରୀ ଖଣ୍ଡେ ପାଇଁ କି କୁଚ୍ଛ୍ର ସାଧନା | ରାତି ଅନିଦ୍ରା ହେଇ ପଢୁଛି | ଦୁଇ ଓଳି ଆଠଟା ହାଇସ୍କୁଲ ପିଲାଙ୍କୁ ଟ୍ୟୁସନ କରୁଛି | ବଖୁରିକିଆ ଟିଣ ଛପର ଘରଟାରେ ନିଜ ପାଇଁ ଭାତ ଡାଲ୍‌ମା ନିଜେ ରାନ୍ଧୁଛି, ଅଥଚ ଏଯାଏ ଚାକିରୀଟାଏ ସେ ପାଇନି |

ମା କେତେଥର ଚିଠି ଦେଲାଣି ଗାଁକୁ ଚାଲିଆସ | ଏଇଠି ଘରେ ଥାଇ ଚାକିରୀ ପାଇଁ ଚେଷ୍ଟା କର | ଅବିନାଶ ଯାଇ ପାରିନି | ଗାଁରେ ରହିବାକୁ ଏବେ ତାକୁ କେମିତି ମାଡ଼ି ମାଡ଼ି ପଡ଼ୁଛି |

ଗାଁକୁ ଗଲେ ବିଲ ବାଟରେ ଲୁଚି ଲୁଚି ବାରିପଟ ଦେଇ ଘରକୁ ପଶୁଛି | କୋଉଁଥି ପାଇଁ ? ଏଇଥି ପାଇଁ ଯେ, କେହି ପଚାରି ଦିଏ, ଅବିନାଶ ଏତେ ପାଠ ପଢିଛି, ଏବେ କଣ କରୁଛି? ଅବିନାଶ କଣ କହିବ? ତାର ବେଳେବେଳେ ମନେହୁଏ ସେ ଯେମିତି ନିଜର ପୁରୁଷତ୍ବ ହରେଇଛି, ନିଜ ଭିତରେ କେମିତି ଗୋଟାଏ ହିଞ୍ଜଡ଼ା ଭାବ ଧୀରେ ଧୀରେ ତାକୁ ଅଣପୁରୁଷା କରିଦେଉଛି |

ନିମ୍ନମଧ୍ୟବିତ୍ତ ବାପାଙ୍କର ସମସ୍ତ କଷ୍ଟୋପାର୍ଜିତ ଝାଳବୁହା ଧନକୁ ଆତ୍ମସାତ୍‌ କରି ସେ ପାଠ ପଢ଼ିଛି | ସେମାନଙ୍କ ଆଖିରେ ଭରି ଦେଇଛି ଅଜସ୍ର ସୁନେଲି ସ୍ବପ୍ନ | ପୁଅ ଖୁବ୍‌ ପାଠ ପଢ଼ୁଛି, ବଡ଼ ଚାକିରୀ କରିବ | ତାଙ୍କ ପରିବାରର ମର୍ଯ୍ୟାଦା ବଢ଼େଇବ | ସବୁ ଅଭାବ, ଦାରିଦ୍ର୍ଯ ଧୂଳି ପରି ଉଡ଼ିଯିବ |

ଓଃ ଅବିନାଶର ମୁଣ୍ଡକୁ କିଏ ଅବା କୋରି ପକଉଥିଲା | ନଡ଼ିଆ କୋରିଲା ଭଳି | ଆଃ ଚାକିରୀ -ଦୂରନ୍ତ ମରୀଚିକା | ପୌଷ ସକାଳର ଏକ ବିଳମ୍ବିତ ମୁହୂର୍ତ୍ତରେ ସୁଦ୍ଧା ଅବିନାଶ ଶେଯ ଛାଡ଼ିନାହିଁ | ଶୀତର କାଲୁଆ ପାପୁଲି ଏବେବି ଜାବୁଡ଼ି ଧରିଛି ରାସ୍ତା ଘାଟ, ସହର ବଜାର, ଗାଡିଘୋଡ଼ା ଓ ଗଛପତ୍ରକୁ ସୁଦ୍ଧା | ସହରଟା ଯେମିତି ଜାକିଜୁକି ହେଇ ତାର ଅବସ୍ଥିତିଠାରୁ କ୍ଷୁଦ୍ର ହେଇଯାଇଛି | ଯେମିତି ଅବିନାଶ କମ୍ବଳ ତଳେ ଜାକି ଜୁକି ହେଇ ଛଅଫୁଟର ଯୁବକରୁ ପାଲଟି ଯାଇଛି ଆଠବର୍ଷର ବାଳକଟିଏ |

ବିଛଣାରେ ତକିଆ କଡ଼ରେ ପଡିରହିଛି ପ୍ଲାଷ୍ଟିକ୍‌ ଖୋଳ ଭିତରେ ତାର ବିଶ୍ବବିଦ୍ୟାଳୟର ଡିଗ୍ରୀ ଓ ବିଭିନ୍ନ ପ୍ରତିଯୋଗିତାରେ ପାଇଥିବା ସାର୍ଟିଫିକେଟ୍‌ଗୁଡ଼ା |

ଅବିନାଶ କଡ଼ ଲେଉଟାଇଲା, ହଠାତ୍‌ ତାର ଗାଲରେ ଘଷିହେଲା ପ୍ଲାଷ୍ଟିକ୍‌ ଖୋଳଟାଏ, ଆଃ କି ଥଣ୍ଡା, ତାକୁ ଜଣାଗଲା ଏଇସବୁ ମୁଦ୍ରିତ କାଗଜଗୁଡ଼ା ଏକାଧାରରେ ମୂଲ୍ୟବାନ ଓ ମୂଲ୍ୟହୀନ, ଓଜନିଆ ଓ ହାଲ୍‌କା, ଆଲୋକ ଓ ଅନ୍ଧାର | ଏସବୁ ତା ପାଇଁ ହୁଏତ ସଂସାର ର ସବୁଠୁ ଦୁର୍ମୂଲ୍ୟ ବସ୍ତୁ | ଅଥଚ, ବେଳେବେଳେ ମନେ ହୋଇଛି ଏ ଗୁଡିକର କୌଣସି ମୂଲ୍ୟ ହିଁ ନାହିଁ | ଅଥଚ ଏଇସବୁ ସାର୍ଟିଫିକେଟର ଅକ୍ଷରଗୁଡ଼ା ଯେମିତି ଶତାଦ୍ଦୀ ଶତାଦ୍ଦୀ ଧରି ପାଠପଢ଼ା ମଣିଷମାନଙ୍କ ଅକୁହା ଇତିହାସର ମୁଦ୍ରିତ ପୃଷ୍ଠବନ୍ଧ |

ବାହାରେ ପୋଷ୍ଟ୍‌ପିଅନ୍‌ର ଡାକ ଶୁଭିଲା | ଓଃ ଏବେ ଗୁଡ଼ାଏ ଦିନ ହେଲାଣି ବାପାଙ୍କ ଚିଠି ଆସି ନଥିଲା | ଆସିଛି ବୋଧେ |

ବାପାଙ୍କ ଚିଠି ସାରା ଗୀତା ଭାଗବତରୁ ଉଦ୍ଧୃତ ଓଜନିଆ ମହତ୍‌ ବାଣୀ | ଭଲ ମଣିଷ ଓ ବଡ଼ ମଣିଷ ହେବାପାଇଁ ଅସରା ଅସରା ଉପଦେଶ | ଅବିନାଶ ଭାବୁଥିଲା, ଆସିଥାନ୍ତା କି ଗୋଲାପି ରଙ୍ଗର ଲଫାପାଟିଏ, କେଉଁ ଏକ ଅଜଣା ପ୍ରେମିକାର | ଚମ୍ପାକଢ଼ି ଆଙ୍ଗୁଳିର ବାଇଁଗଣ ମଞ୍ଜି ପରି ଅକ୍ଷରରେ ଲେଖା ଚିଠି ଖଣ୍ଡେ | ଭୁରୁଭୁରୁ ବାସୁଥାନ୍ତା ନାଁ ଅଜଣା ଅତର ବାସ୍ନାରେ |

ପୋଷ୍ଟ୍‌ପିଅନ ଡାକ ପୁଣି ଶୁଭିଲା ଆଜ୍ଞା ବାହାରନ୍ତୁ, ଆପଣଙ୍କର ରେଜିଷ୍ଟର୍‌ଡ଼ ଚିଠି ଅଛି | ଅବିନାଶ ଅଳସ ଭାଙ୍ଗି ଉଠିଲା, ହାଇଟାଏ ମାରୁ ମାରୁ ଟାୱେଲ୍‌ରେ ଆଖି କୋଣର ନେଞ୍ଜରା ପୋଛି ବାହାରକୁ ଆସିଲା | ଦସ୍ତଖତ କରି ଚିଠି ନେଲା | ନା ଏଇଟା ବାପାଙ୍କ ଚିଠି ନୁହେଁ | ବାପା ସବୁବେଳେ ପୋଷ୍ଟକାର୍ଡ଼ ନହେଲେ ଇନଲ୍ୟାଣ୍ଡ ଲେଟରରେ ଦିଅନ୍ତି | କୌଣସି ଅଜଣା ପ୍ରେମିକାର ଅତରସିଞ୍ଚା ଲଭ୍‌ଲେଟର୍‌ ବି ନୁହେଁ | ମାଟିଆ ଖାମ୍‌ରେ ସିଲ୍‌ ହୋଇଥିବା ରେଜିଷ୍ଟର୍‌ଡ଼ ଲଫାପା | ହୁଏତ କେଉଁ ପରୀକ୍ଷାର ଆଡ୍‌ମିଟ୍‌ କାର୍ଡ ଅବା କେଉଁ କମ୍ପାନୀର ଇଣ୍ଟରଭ୍ୟୁ ଲେଟର୍‌ | ସେ ଲଫାପା ଖୋଲିଲା ନାହିଁ | ତକିଆ କଡ଼େ ଫିଙ୍ଗି ଦେଲା | ଅବିନାଶ ଆଉଥରେ ବିଛଣାରେ ଗଡ଼ିଗଲା | ସେଇମିତି ଶୋଉ ଶୋଉ ମାଧୁରୀ ଦେହର ଉଷ୍ଣତାକୁ ନିଜ ଦେହରେ ଅନୁଭବ କରିବାକୁ ଚେଷ୍ଟା କଲା | ଅଥଚ ମଝିରେ ମଝିରେ ମାଆର ମୁହଁଟି ଭାବନା ମଝିକୁ ପଶିଆସିବାରୁ ବିରକ୍ତ ହେଲା |

ଅବିନାଶ ଯେ ତା ମାଙ୍କୁ ଭଲ ପାଏନା, ସେମିତି ନୁହେଁ, ମାଙ୍କୁ ସେ ଖୁବ୍‌ ଭଲ ପାଏ, ଶ୍ରଦ୍ଧା ଓ ଭକ୍ତି ବି କରେ | ତେବେ ବେଳେବେଳେ ତାକୁ ଏକଦମ୍‌ ନିରୋଳା ମାଧୁରୀମୟ ସମୟ ଦରକାର, ଏକାନ୍ତ ଭାବରେ |

ଦିନ ବାରଟା ଉପରେ ହେଲାଣି | ଅବିନାଶ ଉଠିଲା ଟେବୁଲ ଉପରୁ ଜଗ୍‌ରୁ ପାଣି ଟେକି ଢକ୍‌ ଢକ୍‌ କରି ପିଇଗଲା | ହଠାତ୍‌ ତାର ଆଖି ପଡ଼ିଲା ସେଇ ଲଫାପା ଉପରେ, ଠିକଣାଟି ପଢିବା ପରେ ତାର ଦେହ ଝିମ୍‌ ଝିମ୍‌ ହେବାକୁ ଲାଗିଲା | ଏଇ କେତେଦିନ ତଳେ ସିଏ ସେଲ୍‌ ମ୍ୟାନେଜ୍‌ମେଣ୍ଟ ଟ୍ରେନିଂ ପାଇଁ ଲିଖିତ ପରୀକ୍ଷା ଦେଇଥିଲା | ପରେ ଇଣ୍ଟର୍‌ଭ୍ୟୁ ମଧ୍ୟ ଦେଇ ଆସିଥିଲା | ଏଇଟା ଆଉ ଆପଏଣ୍ଟ୍‌ମେଣ୍ଟ୍‌ ଲେଟର୍‌ ନୁହେଁ ତ?

ସେ ଚଟ୍‌ କରି ଲଫାପାଟି ଚିରି ଦେଇ ପଢ଼ିଲା | ତାର ଆପଏଣ୍ଟ୍‌ମେଣ୍ଟ୍‌ ଲେଟର୍‌ | ଏକ ପ୍ରକାର ଉତ୍‌କ୍ଷିପ୍ତ ହୋଇ ସେ ଓଠ କାମୁଡ଼ି, ଆଖିବୁଜି, ଆଣ୍ଠୁମାଡ଼ି ବିଛଣାରେ ବସି ପଡ଼ିଲା | ହେ ଇଶ୍ବର ତୁମେ ଅଛ… ତୁମେ ଅଛ… ତୁମେ ନିଶ୍ଚୟ ଅଛ | ସେ ଆପଏଣ୍ଟ୍‌ମେଣ୍ଟ୍‌ ଲେଟର୍‌ଟାକୁ ଦୁଇଥର-ଚାରିଥର, ଆଠଥର ପଢ଼ିଲା |ମନ ତାର ପୁଲକରେ ଭରିଗଲା | ଚିଠିଟାକୁ ଛାତିରେ ଚାପିଧରିଲା | ଗାଲରେ ଘଷି ଦେଲା ସତେ ଯେମିତି ଏଇ ଚିଠି ନୁହେଁ | ମାଧୁରୀ ଦିକ୍ଷିତର ଗାଲରେ ଗାଲ ଘଷୁଛି ସେ |

ପୁଣି ଚିଠିଟାକୁ ଦୁଇ ହାତରେ ଧରି ବାପା-ମାଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲା | ସେ ଆଜି ନିଜ ଭିତରେ ଏକ ଅଭୁତ ପୌରୁଷର ସତ୍ତାକୁ ଅନୁଭବ କରୁଥିଲା | ସେ ଚାକିରୀ ପାଇଛି | ନିଜ ଚେଷ୍ଟାରେ ପାଇଛି | ନିଜ ପରିଶ୍ରମରେ ପାଇଛି |

ଏବେ ସେ ଖାଲି ଶୋଇ ସ୍ବପ୍ନ ଦେଖିବନି | ସ୍ବପ୍ନ ସବୁକୁ ସାକାର କରିବାର ସାମର୍ଥ୍ୟ ବି ତାର ହୋଇଯାଇଛି | ଏକ, ଅତୁଳନୀୟ ହର୍ଷୋତ୍ତଫୁଲ୍ଲତା ଓ ଅଦମନୀୟ ଉନ୍ମାଦନା ତାର ସମଗ୍ର ସତ୍ତାକୁ ଭିଜେଇ ଦେଉଥିଲା, କୁଢ଼ କୁଢ଼ ଗଙ୍ଗଶିଉଳିର ବାସ୍ନା ପରି |

 

0 Response to "ମାଧୁରୀ,ଇଶ୍ବର ଓ ଚାକିରୀ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel