ଲକ୍ଷ୍ମୀଧର ମହାନ୍ତି
ଦିନେ ଦିନେ ରାତି ଅଧରେ ସେପଟ ଅଗଣା ମଝିରେ ଠିଆ ହୋଇ ସେ ବଡ଼ ପାଟିରେ ଡାକ ଛାଡ଼େ “ଝୁମା ! ଆଲୋ ହେ ଝୁମା ! ଆଲୋ କୁଆଡ଼େ ଚାଲିଗଲୁ ଅଲକ୍ଷଣୀ, ଆଲୋ ବାରବୁଲି | କେଉଁଠି ଅଛୁ ଘରକୁ ଆ | ଆରେ-ଏ, ମୋତେ ଟିକିଏ ଛାଇ ନିଦ ନାଗିଛି କି ନାହିଁ ବାରବୁଲି ଖସିଗଲା ମୋ କୋଳରୁ | କେତେ ଆକଟ କରିବି ତାକୁ?”
ଟିକିଏ ରହି ସେ ଚାରିଆଡ଼କୁ ଆଖି ପକାଏ | ପାଉଁଶିଆ ଜହ୍ନ ଆଲୁଅ ଭିତରେ ସବୁ ଝାପ୍ସା ଦେଖାଯାଏ | ସାନବାବୁ ଘର ସେଇ ଇଟା ପାଚେରୀ କୋଣ ଖଣ୍ଡେ ଭାଙ୍ଗି ଯାଇଛି କୋଉଦିନରୁ | ସେଇ ଭଙ୍ଗା କାନ୍ଥି ଉପରେ କୁଦା ମାରି ସେ ହୁଏତ ଚାଲିଯାଇଥିବ ଆରପଟକୁ | ଝାପ୍ସା ଦେଖାଯାଉଛି ସେଇ ଅଧା କାନ୍ଥ ଉପରେ କିଏ ଗୋଟିଏ ବସିଲା ପରି | ଲମ୍ବା ଲମ୍ବା ଶାଗୁଆ ନଡ଼ିଆ ବରଡ଼ା ଉପରୁ ଜହ୍ନ ଆଲୁଅ ଖସିଆସୁଛି ତଳକୁ | ତରଳ ରୂପା ବହିଯିବା ଭଳି |
ପୁଣି ପାଟି କରି ମନକୁମନ ବଜରବଜର ହୁଏ ବୁଢ଼ୀ | ଗୁଡ଼ାଏ ଗାଳି ବର୍ଷଣ ହୋଇଯାଏ ସାନ ବାବୁ ଘର ସେଇ ଭୂଆ ବିଲେଇ ଉପରେ, “ସେ ଖଣ୍ଡକ ତ କମ୍ ନୁହେଁ | ସତେ ଯେମିତି ଏ ଗାଁର ଆଉ କେଉଁଠି ବିଲେଇ ନାହାନ୍ତି | ମୋ’ରି ଝୁମା ଉପରେ ତା’ର ଆଖି ଲାଗିଛି | ସବୁବେଳେ ରାତି ଅଧରେ ମ୍ୟାଉଁ ମ୍ୟାଉଁ ଡାକ ଛାଡୁଛି | ସେ ଡାକ ଶୁଣିବା ସଙ୍ଗେ ସଙ୍ଗେ ଏ ବାରବୁଲି ଛତରଖାଇ ଶ୍ରୀକୃଷ୍ଣଙ୍କର ବଂଶୀ ଶବଦ ଶୁଣିଲା ଭଳି ନୁଙ୍ଗୁନୁଙ୍ଗୁ
ହୋଇ ଚାଲିଯାଇଛି ନାଁ ପକେଇବାକୁ | ଆଜି ଆ ତୁ, ଦେଖିବୁ କ’ଣ କରିବି |”
‘ଝୁମା’ କେଉଁଠି ଥାଏ କେଜାଣି ନୁଙ୍ଗୁନୁଙ୍ଗୁ ହୋଇ ଧୀର ପାଦରେ ଆସି ଅଖାରୀ ବୁଢ଼ୀର ପାଦ ପାଖରେ ଲଟରପଟର ହୋଇ ଘସିହୋଇଯାଏ | ବୁଢ଼ୀର ଲୁଗା ପଣତଟାକୁ କାମୁଡ଼ି ଧରି ତା’ ଚାରିପଟେ ବୁଲିଆସେ ଥରେ ଦି’ଥର |
ଅଖାରୀ ବୁଢ଼ୀ ଡିଆସିଲି ମାରି ଡିବି ଲଗାଏ | ଡିବି ଆଲୁଅରେ ‘ଝୁମା’ର ସାରା ଦେହଟାକୁ ଅଣ୍ଡାଳିପକାଏ | ପାଦରୁ ମଥା ପର୍ଯ୍ୟନ୍ତ ତା’ର ଲୋମଶ ଶରୀରରୁ ଉଙ୍କୁଣି ବାଛିଲା ପରି ଟିକିନିଖି ପରୀକ୍ଷା କରିନିଏ |
ଛତରଖାଇ ! ଛତରକୁ
ଯାଇଥିଲୁ ନା ? ହଉ ଯାହା ତ କଲୁ କଲୁ | ଆ’ ଶୋଇପଡ଼େ- ଆ | ନିହାତି
ବାଧ୍ୟ ଶିଶୁଟି
ପରି ଝୁମା
ପଶିଯାଏ ଅଖାରୀ
ବୁଢ଼ୀ କୋଳରେ
| ଅଖାରୀ ତା ମଇଳା ଅସନା ପଣତ କାନିଟାକୁ ଝୁମା ଉପରେ
ଢାଙ୍କିଦିଏ | ଦୁହିଙ୍କର
ଆଖିରେ ଭରିଯାଏ
ପାହାନ୍ତି ନିଦ |
-‘ନାଁ ସବୁ ଠିକ୍ ଅଛି | ପାଦରେ ଅଳତା ମାଖିଥିଲି ଠିକ୍ ଅଛି | ପୋଡ଼ାମୁହିଁ | ପଙ୍କ କାଦୁଅରେ ପଶିନି | ମଥା ଉପରେ ଯେଉଁ ନାଲି ଟିକିଲିଟା ମାଖିଥିଲି ସେଇଟା ମଧ୍ୟ ଖସିନି | ବେକରେ ବନ୍ଧା ହୋଇଥିବା ପିତଳ ତିଆରି ଘୁଙ୍ଗୁର ପାଞ୍ଚଟାରୁ କିଛି ଖସିନି, ତେବେ ? ଆଲୋ ! ତୋ ମୁଣ୍ଡରେ ଖଣ୍ଡିଆ ଦାଗ ଆସିଲା କୁଆଡ଼ୁ ? ପୋଡ଼ପାଡ଼ି ମରୁନୁ ତୁ ! ମୁହଁ ସାରା ଖାଲି ନଖ ଆଞ୍ଚୁଡ଼ା ଦାଗ | ଛତରଖାଇ ! ଛତରକୁ ଯାଇଥିଲୁ ନା ? ହଉ ଯାହା ତ କଲୁ କଲୁ | ଆ’ ଶୋଇପଡ଼େ- ଆ | ନିହାତି ବାଧ୍ୟ ଶିଶୁଟି ପରି ଝୁମା ପଶିଯାଏ ଅଖାରୀ ବୁଢ଼ୀ କୋଳରେ | ଅଖାରୀ ତା ମଇଳା ଅସନା ପଣତ କାନିଟାକୁ ଝୁମା ଉପରେ ଢାଙ୍କିଦିଏ | ଦୁହିଙ୍କର ଆଖିରେ ଭରିଯାଏ ପାହାନ୍ତି ନିଦ |
ଅଖାରୀ ବୁଢ଼ୀର ଏଇ ହେଲା ନିତିଦିନିଆ ଜୀବନ | ସବୁ ମଣିଷମାନଙ୍କଠାରୁ ସେ ଆସ୍ଥା ହରାଇବା ପରେ ଶେଷ ଜୀବନରେ ଝୁମାକୁ ହିଁ ଆଦରି ନେଇଛି | ନିଜର ନିଃସନ୍ତାନ ଜୀବନର ଏକମାତ୍ର ସନ୍ତାନ ଭଳି, ଅଖାରୀ ବୁଢ଼ୀ କହୁ କହୁ ଥରେ ଥରେ କହିପକାଏ- “ପଥରକୁ ଡାକିଲେ ପଥର ଓ କରିବ, ମାତ୍ର ମଣିଷକୁ ଡାକିଲେ ମଣିଷ ମୁହଁ ଆଡ଼େଇଦେବ |” ସେ ଦୃଷ୍ଟିରୁ ଝୁମା ତା’କୁ ଛାଡ଼ି କୁଆଡ଼େ ଯାଏନା, ବିଛଣା ପାଖରେ ବସି ଲୁହ ଗଡ଼ାଏ | ଅଖାରୀ ବୁଢ଼ୀର ବାପଘରେ କେହି ନାହାଁନ୍ତି କି ଶାଶୁଘରେ କେହି ନାହାଁନ୍ତି | ସମସ୍ତେ ମରି ହଜିଗଲେଣି | ଧର୍ମକୁ ସାକ୍ଷୀ ରଖି ଯାହାର ହାତ ସେ ଧରିଥିଲା, ବାହା ହେବାର ଦୁଇ ବର୍ଷ ପରେ ତା’ର କାଳ ହୋଇଗଲା |
ଏଥିପାଇଁ ଅଖାରୀ ବୁଢ଼ୀ ଗାଁ ଗୋଟାକରେ ଘୃଣ୍ୟ | ସେ କୁଆଡ଼େ ଗୋଟେ ଅଲକ୍ଷଣୀ | ତା’ ମୁହଁ ଚାହିଁଲେ ପାପ | ବାହା ହଉ ହଉ ଯିଏ ଶାଶୁ, ଶ୍ବଶୁର, ଗେରସ୍ତଙ୍କୁ ଖାଇଲା, ସେ ଅଲକ୍ଷଣୀ ନୁହେଁ ତ ଆଉ କ’ଣ ? ଖାଲି ଅଲକ୍ଷଣୀ କ’ଣ, କେହି କେହି ତା’କୁ ପିତାଶୁଣି ବୋଲି ମଧ୍ୟ ଡାକନ୍ତି | ବିଚାରୀ ଏକଘରିକିଆ ହେଲା ଭଳି କେମିତି ତା’ର ସମୟ କଟାଇବ ? କେତେଥର ବିଷ ଖାଇବାକୁ ଯାଇଛି, ଅଥଚ଼ ଖାଇପାରିନି | ଏଇ ଝୁମା ହିଁ ପରୋକ୍ଷରେ ତା’କୁ ବାରଣ କରିଛି |
-“ମୁଁ ମରିଗଲେ ଝୁମା ମୋ’ର ଅନାଥିନୀ ହୋଇଯିବ | ଝୁମାକୁ ଆଉଁସୁ ଆଉଁସୁ ଅଖାରୀ ବୁଢ଼ୀ ପିଲାଙ୍କ ଭଳି ଭେଁ ଭେଁ ହୋଇ କାନ୍ଦିଉଠେ | ଓଃ, ବଡ଼ ଦୁର୍ବିସହ ଏ ଜୀବନ | ରାତି ପାହିଲେ ବୁଢ଼ୀ ଚିନ୍ତା କରିବସେ କେମିତି ବିତିବ ଆଜିର ଦିନଟା | ସକାଳ, ଖରାବେଳ, ସଞ୍ଜ ଓ ରାତି | ଅତି ଦୀର୍ଘ ଏ ସମୟର ଚକ | କଳ୍ପନା କରେ ଅଖାରୀ ବୁଢ଼ୀ- ସେ ମରିଯାଇଛି | ତା’ର ଶବ ପଡ଼ିରହିଛି ଘର ଭିତରେ | ଗାଁ ଲୋକେ କେହି ଆସୁନାହାନ୍ତି ଶବ ପାଖକୁ | ଶବ ଉଠାଇବା କଥା ଭିନ୍ନ ମାତ୍ର ପାଖକୁ ଆସିବାକୁ କ’ଣ ପାପ ଲାଗି ଯାଉଛି ! ପାଖରେ ଜଗିରହିଛି ଝୁମା | ଆଖିରୁ ତା’ର ଧାର ଧାର ଲୁହ ବୋହି ଯାଉଛି | କିଏ ତା’ର ଶବ ଉଠାଇବ ? କିଏ ତା’ର ଶୁଦ୍ଧିକ୍ରିୟା କରିବ ? କିଏ ବ୍ରାହ୍ମଣ ଖୁଆଇବ ? ଅଖାରୀର ମୁଣ୍ଡଟା ଝାଇଁ ଝାଇଁ କରେ | ପାଖରେ ଶୋଇଥିବା ଝୁମାକୁ ସେ କୋଳେଇ ନିଏ | ତା’ ପିଠିରେ ଆଙ୍ଗୁଳି ଚଳାଉ ଚଳାଉ କହେ- ହଁ ଲୋ ଝୁମା ! ମୁଁ ଆଗ ନ ମରି ତୁ ଯଦି ମରିଯାଉ ନା, ତେବେ ତୋତେ ନେଇ ବାରିପଟ ଖତଗଦା ସେପଟେ ସମାଧି ଦେବି | ତୋର ଦଶାହକୁ ଦଶଜଣ ବ୍ରାହ୍ମଣ ଖୁଆଇବି | ବାରପତ୍ର ପକାଇ ସାଇ ଲୋକଙ୍କୁ ଖାଇବାକୁ ଦେବି | ଦାଣ୍ଡପିଣ୍ଡାରେ ଏକୁଟିଆ ବସି ବସି ତାକୁ ବିଜାର ଲାଗେ | ଏମିତି ଗୁଡ଼ାଏ ଚିନ୍ତା ତା’ମୁଣ୍ଡ ଭିତରେ ପଶି ମୁଣ୍ଡଟା ତା’ର ଖରାପ ହୋଇଯାଏ | ଦିନଦିନ ମାସମାସ ବର୍ଷବର୍ଷ ଏମିତି ଚିନ୍ତା ସବୁ ତା’ ଶେଥା ମୁହଁର ରେଖାଗୁଡ଼ିକୁ ବିକୃତ କରିପକାନ୍ତି |
କେବେ ସାବୁନ୍ ମରା ହୋଇନଥିବା ତେଲ ଚିକିଟା ଗାମୁଛାଖଣ୍ଡକରେ ପରସ୍ତ ପରସ୍ତ ମଇଳା ଆସ୍ତରଣ ବସିଯିବା ପରେ ଆଉ ସଫା ନ ଫିଟିଲା ଭଳି ଅଖାରୀ ବୁଢ଼ୀର ମୁଖମଣ୍ଡଳରେ ବିଷାଦ ଲେପିହୋଇଯାଏ | ଶୁଖିଲା ମୁହଁ ଓ ଶୁଖିଲା ଓଠ ଉପରେ କେବେ କେମିତି ହସ ଉକୁଟିଲେ ତାହା ମଧ୍ୟ ଶୁଖିଲା ଦେଖାଯାଏ | ସେ ହସରେ ନଥାଏ ଆନ୍ତରିକତା, ନଥାଏ ସରସତା ବରଂ ଭରି ରହିଥାଏ ତା’ର ନିଃସଙ୍ଗତା, ଅସହାୟତା ଓ ଦାରିଦ୍ର୍ଯର କେତେ ଅକୁହା କାହାଣୀ |
ଅଖାରୀ ବୁଢ଼ୀର ହସ ଲୋଭନୀୟ ହୋଇଯାଏ, ଗାଁକୁ ଶୁଖୁଆବାଲା ଆସିଲେ | ନିଜେ ବୈଧବ୍ୟ ବ୍ରତ ପାଳନ କରି ଆଇଁଷ ଛୁଏନାଁ, ମାତ୍ର ଝୁମା ପାଇଁ ପଚାଶେ କି ଶହେ ଚିଙ୍ଗୁଡି ବା ତାମ୍ପେଡ଼ା ଶୁଖୁଆ କିଣିବା ପାଇଁ ଧାଇଁଯାଏ, ଗାଁ ଦାଣ୍ଡରେ ଡାକ ଛାଡୁଥିବା ଶୁଖୁଆ ବିକାଳୀ ପାଖକୁ | ପ୍ରତି ମଙ୍ଗଳବାର ଯଦି ଶୁଖୁଆବାଲା ନ ଆସେ ତେବେ ବୁଢ଼ୀର ଭାଳେଣି ପଡ଼ିଯାଏ | ଆଉ କ’ଣ ଦେଲେ ତ ସେ ଖାଇବନି | ପାଖରେ ପଇସା ଥିଲେ ଅବା ସେ ଦୁଇଶ ଅଢ଼େଇଶ ଶୁଖୁଆ କିଣି ରଖନ୍ତା, ମାତ୍ର ପଚାଶେ ଶହେ କିଣିବାକୁ ବି ପଇସା ନିଅଣ୍ଟ ହୁଏ | ଆରପାଳିକୁ ବାକି ରହେ ପୁଣି ଶୁଝିବାକୁ | ଶୁଖୁଆ କିଣିଲାବେଳେ ସେ ଝୁମାକୁ ସାଙ୍ଗରେ ନିଏ | ଝୁମା ଶୁଖୁଆ ବୋଝ ଚାରିପାଖରେ ମ୍ୟାଉଁ ମ୍ୟାଉଁ ବୋବାଏ | ଅଖାରୀ ବୁଢ଼ୀ ଶୁଖୁଆ କିଣିସାରି କହି ପକାଏ, -ଦଉନୁ ମୋ ଝିଅକୁ ଦି ଚାରିଟା ଶୁଖୁଆ | ଲାଭ ଦବୁନି କି ?
ଗାଁ ମୁଣ୍ଡ ମଣ୍ଡପ କରରେ ଷ୍ଟକ୍ମ୍ୟାନ ସେଣ୍ଟର | ଷ୍ଟକ୍ମ୍ୟାନ ସ୍ବାଇଁବାବୁ | ଅଖାରୀ ବୁଢ଼ୀ ସ୍ବାଇଁବାବୁଙ୍କ ପାଖରେ ପହଞ୍ଚିଯାଏ, ଯେତେବେଳେ ଝୁମାକୁ ଝାଡ଼ା ହୁଏ ବା ଜ୍ବର | ଏମିତି ଆପଦବିପଦ ବେଳେ ସ୍ବାଇଁବାବୁ ଔଷଧ ଦେଇ ଝୁମାକୁ ଭଲ କରି ଦିଅନ୍ତି | ଅଖାରୀ ମୁହଁରେ ସେତିକିବେଳେ ହସ ଫୁଟିଉଠେ |
ସେଦିନ ପଶୁ ଡାକ୍ତରଖାନା ଖୋଲିବା ପୂର୍ବରୁ ଅଖାରୀ ବୁଢ଼ୀ ହାଜର ହୋଇଗଲା | ସ୍ବାଇଁବାବୁଙ୍କ ଆସିବା ବାଟକୁ ଚାହିଁରହି ସେ ଖାଲି ଏପଟ ସେପଟ ହେଉଥାଏ | ଆଖିରେ ଲୁହ | ଡାକ୍ତରଖାନା ବାରଣ୍ଡା ତଳେ ବସିରହି ସେ କେବଳ ଭୂଇଁ ସାଉଁଟିବାରେ ଲାଗିପଡ଼ିଥାଏ | ମଝିରେ ମଝିରେ ତା’ର ହାତ ଦୁଇଟାକୁ ନିଜ ଛାତି ଉପରେ ବାଡ଼େଇ ବାହୁନା ପକାଉଥାଏ | ସ୍ବାଇଁବାବୁ ଆସିବା ମାତ୍ରେ ସେ ତାଙ୍କର ଗୋଡ଼ ଦୁଇଟାକୁ ଜାବୁଡ଼ିଧରି ବଡ଼ ପାଟିରେ ବାହୁନା ପକାଇଲା |
“ମୁଁ କ’ଣ କରିବି ଡାକ୍ତରବାବୁ | ମୋ ଝୁମାର କ’ଣ ହୋଇଯାଇଛି | ସେ ଆଖି ଖୋଲୁନି | ବାନ୍ତି କରି ଭୂଇଁରେ ଲୋଟିପଡ଼ିଛି | ମୁଁ ତା’ଉପରେ ଖଣ୍ଡିଆ ଛାଞ୍ଚୁଣୀ ଘୋଡ଼େଇଦେଇ ଆସିଛି | ତମେ ଟିକିଏ ଆସ ଡାକ୍ତର ବାବୁ, ତମ ଯନ୍ତ୍ର ଲଗାଇ ତା’କୁ ଟିକିଏ ଦେଖ ଡାକ୍ତର ବାବୁ | ତା’କୁ ବଞ୍ଚାଅ- ନ ହେଲେ ଏଇଠି ତୁମ ଆଗରେ ମୁଁ ଜୀବନ ହାରିଦେବି |” ଏତିକି କହି ବୁଢ଼ୀ ସ୍ବାଇଁବାବୁଙ୍କ ପାଦ ଦୁଇଟାକୁ ଧରି ଲମ୍ବ ହୋଇ ଭୂଇଁରେ ଲୋଟିଗଲା |
କି ବିକଳ ସେ ପ୍ରାର୍ଥନା ! ରାସ୍ତାରେ ଯାଉଥିବା ଲୋକେ ବୁଢ଼ୀର କାନ୍ଦଣା ଶୁଣି ଠୁଳ ହୋଇଗଲେ | ସମସ୍ତେ ଭାବିଲେ ଝୁମା ବୋଧହୁଏ ବୁଢ଼ୀର ଝିଅ କି ବୋହୂ ହୋଇଥିବ | ସ୍ବାଇଁବାବୁ କିନ୍ତୁ ଅବିଚଳିତ | ସମସ୍ତେ ସ୍ବାଇଁବାବୁଙ୍କୁ ପଚାରିବାରେ ବ୍ୟସ୍ତ | ବୁଢ଼ୀ ତା’ ଝୁମା ପାଇଁ ପି.ଏଚ୍.ସି. ଡାକ୍ତରଙ୍କ ପାଖକୁ ନ ଯାଇ ଏ ପଶୁ ଡାକ୍ତରଙ୍କ ପାଖକୁ ଆସି ମୁଣ୍ଡ ପିଟୁଛି କାହିଁକି ? ଯେତେବେଳେ ସମସ୍ତେ ଜାଣିବାକୁ ପାଇଲେ ଯେ ଝୁମା ବୁଢ଼ୀର ଝିଅ ନୁହେଁ କି ବୋହୂ ନୁହେଁ, ଛାର ବିଲେଇଟାଏ, ସେତେବେଳେ ସମସ୍ତେ ହସି ହସି ମୁହଁ ମୋଡ଼ିଦେଲେ ବୁଢ଼ୀକୁ ଅନାଇ | ଅଖାରୀ ସେମାନଙ୍କ ମୁହଁମୋଡ଼ାରେ ରାଗିଯାଇ ଷ୍ଟକ୍ମ୍ୟାନଙ୍କ ହାତ ଧରି ଟାଣି ଟାଣି ନେଇଗଲା ତା’ ଘରକୁ |
ସ୍ବାଇଁବାବୁ ଝୁମା ପାଖରେ ପହଞ୍ଚିଲା ବେଳକୁ ଝୁମାର ଶେଷ ଅବସ୍ଥା | ଗୁଡ଼ାଏ କଳା ବାନ୍ତି କରି ଝୁମା ନିର୍ଜୀବ ହୋଇ ପଡ଼ିରହିଥିଲା | ସ୍ବାଇଁବାବୁ ତା’ ଉପରେ ପୁଣି ଛାଞ୍ଚୁଣିଟାକୁ ଘୋଡ଼ାଇ ଦେଇ କହିଲେ, “ଆଉ ଲାଭ ନାହିଁ | ପଏଜନ୍ କେଶ୍ | କିଏ ତା’କୁ ବିଷ ଦେଇ ମାରିଦେଇଛି | ଏତିକି ଶୁଣିବା ପରେ ଅଖାରୀ ବୁଢ଼ୀ ତା’ ମୁଣ୍ଡଟାକୁ ଢୋ କରି ବାଡ଼େଇ ଦେଲା ଦୁଆର ବନ୍ଧ ଉପରେ | ଝରଝର ହୋଇ ରକ୍ତ ବୋହିଲା ତା’ ମଥାରୁ | ବୁଢ଼ୀ ବଡ଼ ପାଟିରେ ଗର୍ଜିଉଠିଲା | ମଣିଷକୁ ଲାଗି ଲାଗି ପାରିଲନି, ଶେଷକୁ ପଶୁଟା ଉପରେ ଦାଉ ସାଧିଲା ସବୁ ରାଗ ତମର, ସେଇଠି ସୁଝାଇଲ ? ହଉ ହେ ଧର୍ମଦେବତା ! ତମେ ବୁଝିବ |
ହାତ ସାରା ରକ୍ତ ଆଉଟୁପାଉଟୁ ହୋଇ ଅଖାରୀ ବୁଢ଼ୀ ବାହୁନା ପକାଇଲା ଝୁମା ଆଡ଼କୁ ଚାହିଁ- କୋଉ ଚଣ୍ଡାଳୁଣୀ ଏକଥା କଲା ଲୋ, ବାୟାଣୀ ମୋର ; କେମିତି ତାହାର ହାତ ଚାଲିଲା ଲୋ, ବାୟାଣୀ ମୋର ; ଝୁମା ଡାକି ଦେଲେ ଯେଉଁଠି ଥିବୁ ଲୋ, ବାୟାଣୀ ମୋର ; ଝୁମୁଝୁମୁ ହୋଇ କୋଳେ ପଶିବୁ ଲୋ, ବାୟାଣୀ ମୋର |
ସେଇ ଲୋକ ଗହଳି ଭିତରୁ ଜଣେ କିଏ ଚିପାଗଳାରେ ଟୁପୁଟୁପୁ ହେବାର ଶୁଣାଗଲା | କିଏ ଏକଥା କଲା କ’ଣ ଅଛପା ଅଛି କି ? କାଲି ସଞ୍ଜ ବେଳେ ଯୋଉ ଲୋକର କୁକୁଡ଼ା ଛୁଆକୁ ଝୁମା ଗୋଡ଼େଇଥିଲା ଖାଇବ ବୋଲି- ସେଇ ଏମିତି କରିଥିବ ତ, ଆଉ କିଏ ?
ଅଖାରୀ ବୁଢ଼ୀର ହଂସା ଉଡ଼ିଗଲା | ସେ ଗଛ କାଟିଲା ପରି ଭୁଇଁ ଉପରେ ଲୋଟିପଡ଼ିଲା | ଦାନ୍ତ ପଡ଼ିଗଲା, ଆଖି ତରାଟିହୋଇଗଲା | ମଥାରେ ଯେତେ ପାଣି ମାରିଲେ ମଧ୍ୟ ବୁଢ଼ୀ ଆଉ ଉଠିଲା ନାହିଁ | ଝୁମାର ଶବ ଭିତରୁ ତା’ର ଜୁଳୁଜୁଳୁ ଆଖି ଦିଇଟା ଚାହିଁରହିଥିଲା ଅଖାରୀ ବୁଢ଼ୀର ମୁହଁକୁ |
ଗାଁ ଲୋକେ ଜଳଜଳ କରି ଚାହିଁରହି ସେ ଦୃଶ୍ୟକୁ ଉପଭୋଗ କରୁଥିଲେ କେବଳ | ଜଣେ କିଏ କହିପକାଇଲା ଖଟିଆଟାଏ ଆଣ, ବୁଢ଼ୀକୁ ସେଥିରେ ପକାଇ ଡାକ୍ତରଖାନା ନେଇଯିବା | ଏତକ ଶୁଣିବା ପରେ ଲୋକ ଗହଳି ଧୀରେ ଧୀରେ କମିବାରେ ଲାଗିଲା | ବୁଢ଼ୀ ଅଗଣାରେ କେହି ରହିଲେ ସିନା, ଖଟିଆ ଆଣି ବୁଢ଼ୀକୁ ସେଥିରେ କାନ୍ଧେଇବା ପାଇଁ କିଏ କହିବ ?
ସେତେବେଳକୁ ଛାଇ ଗଡ଼ିଯାଇଥିଲା | ଖାଇବାବେଳ ବି ଗଡ଼ିଯାଇଥାଏ | ବୁଢ଼ୀ ମରିଛି କି ନାହିଁ ସେ ପର୍ଯ୍ୟନ୍ତ ଜଣା ନାହିଁ, ତା’ ପୂର୍ବରୁ ଗାଁ ସାରା ଭାତ ଗଣ୍ଡାଏ ଗଣ୍ଡାଏ ପେଟରେ ପକାଇ ଦେବା ପାଇଁ ବ୍ୟଗ୍ର ହୋଇ ଉଠିଲେ ସମସ୍ତେ | ମରିବା ଖବରଟା ପ୍ରଘଟ ହୋଇଗଲେ ଶବ ପଡ଼ିଥିଲା ପର୍ଯ୍ୟନ୍ତ ଆଉ ଖାଇ ହେବନି ଯେ ! ଜଣ ଜଣ ହୋଇ ବୁଢ଼ୀର ଅଗଣାରୁ ଖସିଯିବା ପାଇଁ ଚେଷ୍ଟା କରୁଥିଲେ ସମସ୍ତେ | ଉଦୁଉଦିଆ ସୂର୍ଯ୍ୟ କିରଣ କ୍ରମେ ମଳିନ ପଡ଼ିଆସୁଥିଲା |
0 Response to "ଝୁମା"
Post a Comment