ରବି କାନୁନ୍ଗୋ
ଜାତିସଂଘ ଉଦ୍ଦ୍ୟେଶିକାରେ ଆଉ ଗୋଟିଏ ପଦ ଯୋଡାଯାଇଥିଲେ ବିଶ୍ବ ଲୋକସଂଖ୍ୟାର ପାଖାପାଖି ଅଧେ, ଅର୍ଥାତ୍ ପୁରୁଷ ଜାତି ଉପକାର ପାଇଥାନ୍ତେ | ତାହା ହେଲା, ନିଜ ରୂପ ଆକର୍ଷଣୀୟ ଦେଖାଯିବା ମଧ୍ୟ ଏକ ମାନବାଧିକାର | ବିଶ୍ବ ସମତା ପ୍ରତିଷ୍ଠା ଦିଗରେ ଏହା ଅନ୍ତତଃ ଏକ ପଦକ୍ଷେପ ତ ହୋଇଥାନ୍ତା | ସନ୍ଧି-କୂଟନୀତି-ଯୁଦ୍ଧ-ଶାନ୍ତି ଭିନ୍ନ ନୂଆ କିଛି ରୋମାଣ୍ଟିକ୍ ଧାରଣା ପୁରୁଷ ଜାତି ପାଇଁ ସୃଷ୍ଟି ହେବାର ସମ୍ଭାବନା ଥାଆନ୍ତା | ବିଶ୍ବର ଅବସ୍ଥା ଯାହା ଥାଉ ନା କାହିଁକି, ବାକି ଆଠ’ଣା ନାରୀମାନେ ନୈଷ୍ଠିକ ଭାବେ ତାହା ପାଳନ କରିବାର ପ୍ରାକୃତିକ ଅଧିକାର ପାଇଛନ୍ତି |
ବାବୁ ଚନ୍ଦ୍ରକାନ୍ତ ମୌକିଲ୍ | ଦେଖିବାକୁ ବେଶ୍ ସୁନ୍ଦର | ସ୍ତ୍ରୀ ମନୋରମାଙ୍କ କଥା ନ କହିଲେ ଚଳିବ | ଦେବୀ ଭାଷାରେ, ଯଥା କାର୍ତ୍ତିକେୟସ୍ୟ ବ୍ରହ୍ମା ନନ୍ଦିନୀ ବା ଦି’ଜଣଯାକ ଯେମିତି ଫିଲଟର୍ ଉଇଲ୍ସ୍ ସିଗାରେଟ କମ୍ପାନୀର ବିଜ୍ଞାପନ- ମେଡ୍ ଫର୍ ଇଚ୍ ଅଦର୍ ପରି |
କାନ୍ତ ଥରେ ଟୁର୍ରୁ ଫେରି ବ୍ୟାଗ୍ ବ୍ରିଫ୍କେଶ୍ ଫୋପାଡି ତରବର ହୋଇ ଅଫିସ୍ ପଳାଇଲେ | ଜିନିଷପତ୍ର କାଢି ସଜାଡିବା ବେଳକୁ ରମା ଏମିତି କିଛି ଦ୍ରବ୍ୟ ଦେଖିଲେ ଯାହା ତାଙ୍କୁ ନିହାତି ଅସଙ୍ଗତ ଲାଗିଲା | ଆଇବ୍ରୋ ପେନ୍ସିଲ, ଟୁଇଜର୍ ଓ ଲିପ୍ଷ୍ଟିକ୍ | ସ୍ବାମୀଙ୍କୁ ଏ ପ୍ରକାର ସନ୍ଦେହ ସେ କେବେ କରି ନ ଥିଲେ | ବାହାଘର ଏଗାର ବର୍ଷ ହେଲାଣି | ପୁଅର ଚତୁର୍ଥ ଶ୍ରେଣୀ | ରମାଙ୍କ ପଞ୍ଜରା ଭିତରଟା ଅଜାଣତରେ ଥରିଉଠିଲା | ପରିବା ଭାବେ ସାରୁ ଓଲୁଅ ଇତ୍ୟାଦିକୁ ପଛେ ବିଶ୍ବାସ କରିହେବ କିନ୍ତୁ ପୁରୁଷ ମନ ଯେ ଭୋଦେଇ ବଉଦ; ଢାଳିଦେଲା ତ ସବୁ ଭାସିଗଲା, ଉଡିଗଲା ତ ଠିଆ ମରୁଡି | ସେଇଥି ସକାଶେ ବଡପୁରୁଷ କହିଛନ୍ତି- ନର ମାୟା ନାରାୟଣଙ୍କୁ ଅଗୋଚର |
ପୁରୁଷର ବିତ୍ତ ବା ବରବାଦୀ ଜାଣିବା ହୁଏତ ଅସମ୍ଭବ ହୋଇପାରେ, ମାତ୍ର ଦୁଶ୍ଚରିତ୍ର ଠଉରେଇବା ମାମଲାରେ ନାରୀ ନିଜେ ଏକ ଚବିଶଘଣ୍ଟିଆ ଭ୍ରାମ୍ୟମାଣ ପରୀକ୍ଷାଗାର | ଆଉ ବଡ ପରୀକ୍ଷା କଥା ଦୂରକୁ ଥାଉ; ସ୍ବାମୀ ପୁଅ କି ଝିଅ କାହା ସହ ଘଷିନେଷି ହୋଇଥିଲେ, ସେମାନେ ସାର୍ଟ ବା ଗଞ୍ଜି ଶୁଂଘି ଜାଣିପାରନ୍ତି |
ଏଣିକି ରମାଙ୍କ ମନକୁ ଆସିଯାଉଥାଏ, ପୁରୁଷ ମନ ଯେ ଭ୍ରମର ପ୍ରାୟ | ନିଜକୁ ସିଏ ତତ୍କ୍ଷଣାତ୍ ବୁଝେଇଦିଅନ୍ତି | ହ୍ୟାତ୍, ଯିଏ ଶାଳୀମାନଙ୍କ ସହିତ ଦେଢ଼ଶୁର ପରି ହୁଅନ୍ତି ତାଙ୍କର ପୁଣି ଏତେ ସାହାସ ଆସିବ କୋଉଠୁ ? ପଚାରି ଦେବେ କି ? ପୁଣି ମନ କହେ – ବୋକୀ ଲୋ, କେହି କଣ ଏମିତି କଥାରେ ସତ କହନ୍ତି ଯେ, ତତେ ସେ କହିବେ ? କୁଆଡ଼େ ପୁରୁଷ ମାନି ଯାଏ, କ୍ଷମା ମାଗେ, ହଲପ କରି କହେ – ଆଉ ସେମିତିକା ଭୁଲ କରିବନି ! ଫୁଃ, ଏଗୁଡ଼ାକୁ ସବୁ ବହି କଥା | ପଢ଼ିଲେ ଭଲ ଲାଗେ | ହେଲେ ରକ୍ତମାଂସର ଜୀବନ କିନ୍ତୁ ଏତେ ନାଟକ ସମ୍ଭାଳିବାକୁ ପ୍ରସ୍ତୁତ ହୁଏନା |
ଏମିତିକା ମନଛନ୍ଦା ଜଞ୍ଜାଳରୁ ରମାଙ୍କୁ ନିସ୍ତାର ମିଳୁ ନ ଥାଏ ଯେମିତି | ଘଟଣା ସତ ହୋଇଥିଲେ ବି ମନ କହୁଥାଏ ବିଶ୍ବାସ କରନା ଲୋ, ମରିଯିବୁ | ବରଂ ଉଚିତ୍ ହେବ, ସନ୍ଦେହ ବୋଲି ଭାବି ବଞ୍ଚିଯା | ସେଇ ମନ ପୁଣି ଟାଣିଭିଡ଼ି ନେଇଯାଏ ତାକୁ ନିଷିଦ୍ଧ ଓ ଗହନ ଇଲାକାକୁ, ପ୍ରମାଣ ପରେ ପ୍ରମାଣ ଉଣ୍ଡାଳିବାକୁ |
ତାଙ୍କ ପ୍ରେମ ପାଇଁ ମୁଁ ହିଁ ଅନନ୍ୟ ଓ ଶ୍ରେଷ୍ଠ ପରି ଯୁକ୍ତି ସପକ୍ଷରେ ନାରୀ ଯେଉଁ ବଳୟଟି ତିଆରି କରି ତହିଁରେ କାହାରି ଅନୁପ୍ରବେଶ ଅସମ୍ଭବ ବୋଲି ଭାବି ରହିଥାଏ ଏବଂ ତାହା ପରଖିବା କଦାପି ସମ୍ଭବ ହେଉ ନ ଥିବାରୁ, ଭାଗ୍ୟହୀନର ପ୍ରତିରକ୍ଷା ମଧ୍ୟ ସେହିପରି ବେଅକଲ ଅନୁମାନ ଉପରେ ନିର୍ଭର କରି ରହିଥାଏ | ଭାଙ୍ଗି ନ ଯିବା ପର୍ଯ୍ୟନ୍ତ, ଭୁଶୁଡ଼ି ନ ଯିବା ପର୍ଯ୍ୟନ୍ତ ପ୍ରେମ କଣ ବା ଫିସାଦି କଣ, ତୁ କେମିତି ଜାଣିବୁ, ଲୋ ହୁଣ୍ଡି ? ମନେ ପଡ଼େ, ତା କେଶରୁ କେଉଁଠି ଗୋଟେ ଅଧେ ପାଚିଯାଇଥିବା ଚନ୍ଦ୍ରକାନ୍ତଙ୍କୁ କାହିଁକି ଦେଖାଯାଉଥିଲା ? ସେ ତାଙ୍କୁ ଡାଇଙ୍ଗ୍ କରିବାକୁ କହୁଥିଲେ ତା’ହେଲେ ଏଇଥି ସକାଶେ ? ପୁରୁଷଗୁଡ଼ାଙ୍କର ସବୁ ବେଷ୍ଟ ଦରକାର ନା ? ଅଇଁଠା ଚାଟିଲା ବେଳେ ସତରେ ଯେମିତି ସେଇଆ ମିଳୁଥାଏ !
ଯଦିଓ ପରକୀୟା ପାଠ ତୁଲେଇବାରେ ପୁରୁଷମାନେ ଧୂର୍ତ୍ତ ଓ ଧୁରନ୍ଧର, କିନ୍ତୁ ଚନ୍ଦ୍ରକାନ୍ତଙ୍କର ନୈଷାବରଣରେ ଟିକେ ବି ତୃଟି ନ ଥାଏ | ଇଏ କେମିତି ସମ୍ଭବ ? ରମାଙ୍କୁ ଅଥୟ ଲାଗୁଥାଏ | ଏତେ କଥା ଭାବିବାକୁ ମନ ହେଉ ନଥାଏ, କିନ୍ତୁ ଭୁଲିବାକୁ ଭୟ ବି ଲାଗୁଥାଏ | ବୈବାହିକ ଜୀବନକୁ ମ୍ୟୁନିସିପାଲ୍ଟି ନର୍ଦ୍ଦମାରେ ପକାଇବାକୁ ଚାହୁଁ ନ ଥିବା ଯେ କୌଣସି ବିଚାରସିଦ୍ଧ ମଧ୍ୟବିତ୍ତ ନାରୀ ପରି ଠାକୁରଠାକୁରାଣୀଙ୍କୁ ମାନସିକ ଯାଚିବା ଛଡ଼ା ମନୋରମା ନିଜ ବ୍ୟବହାରରେ ଖାସ କୌଣସି ପରିବର୍ତ୍ତନ କରିପାରିଲେ ନାହିଁ | ସ୍ବାମୀଙ୍କ ଉପରେ ଯଥା ସମ୍ଭବ ନିଘା ରଖିଲେ |
ଏଣିକି ସେ ଦେଖୁଥିଲେ ଯେ କାନ୍ତ ସେଭିଙ୍ଗ୍ ହେଲାବେଳେ ପାଟିରେ ପବନ ପୁରାଇ ଗାଲ ଫୁଲାନ୍ତି | ବୁଲେଇ ବଙ୍କେଇ ଆଇନାରେ ମୁହଁ ଦେଖନ୍ତି | କି ସୁନ୍ଦର ହେଜ ଲାଇନ ପରି ବଢ଼ିଥିବା ନିଶ ହଳକ କ୍ରମେ କ୍ରମେ ପତଳାରୁ ପତଳା ଏବଂ ପ୍ରସ୍ଥ କ୍ଷୀଣ ହୋଇ ପ୍ରାୟ ଅଧଇଞ୍ଚ ବହଳରୁ ଦେଢ଼-ଦି ସୁତା ସାଇଜ ହୋଇଗଲା | କାହିଁକି ବା, ଆଉ କାହା ବରାଦରେ ତୁମେ ମୋ ପ୍ରିୟ ମୁହଁର ମାନଚିତ୍ର ବଦଳାଇବ ? ଏତିକି ପଚାରିବାକୁ ମନ ଉବୁକା ମାରିଥିଲେ ସୁଦ୍ଧା ରମାଙ୍କର ସାହାସ କୁଳୋଉ ନ ଥାଏ |
ଦିନେ ସନ୍ଧ୍ୟାରେ ଏକ ବାହାଘର ଭୋଜିକୁ ଯିବାର ପ୍ରସ୍ତୁତିରେ କାନ୍ତ କହିଲେ, ହେ ଶୁଣୁଚ ? ମୋ ଟୁର୍ କିଟ୍ରୁ ଆଇବ୍ରୋ ପେନ୍ସିଲ୍ଟା ଆଣିଲ |
କଣ ହବ ?
ନିଶ ବହୁତ ପାଚି ଗଲାଣି | ଟିକେ ଘଷି ଦବା |
ଟୁଇଜର ?
ଗୋଟେ ଅଧେ ଧଳା ଦେଖି ସିନା ଓପାଡ଼ିଦେଉଥିଲି | ଏବେ ଅସଂଖ୍ୟ | ଟୁଇଜର ବେଶି ବ୍ୟବହାର କଲେ ଡାକ୍ତର ପାଖକୁ ଯିବାକୁ ପଡ଼ିବ |
ଆଉ ଲିପ୍ଷ୍ଟିକ ?
ତୁମେ ନେଇନ କି ? ରୋଜ୍ କଲର୍ର | ଏକଦମ୍ ମିଶିଯିବ ତୁମ ଓଠ ସହିତ | ସେଇଥିପାଇଁ ତ ଆଣିଥିଲି | ବହୁତ ଦାମିକା | ଦୁଇ ଶହ କେତେ ଟଙ୍କା, ଆଜି ଲଗା, ପ୍ଲିଜ୍ |
ତୁମେ ସେଇଟା ମୋ ପାଇଁ ଆଣିଥିଲ ? ସତ କହିଲ | ମନୋରମା ସ୍ବାମୀଙ୍କ ମୁହଁକୁ ଚାହିଁ ରହିଗଲେ | ଇସ୍ କେତେ ଭଲ ମଣିଷଟେ ବିରୁଦ୍ଧରେ ମୁଁ କି ପାପ କଥାସବୁ ନ ଭାବିଚି ଟି ! ମନ ହେଉଥିଲା, ସେଇଠି ତାଙ୍କ କୋଳରେ ଓଜାଡ଼ିହୋଇ ପଡ଼ିବାକୁ | ପୁଅ ବଦମାସ ଡ୍ରେସ୍ପଟା ହୋଇ ସେଇଠି ଆସି ନାଚିଲା, ‘ଶୀଘ୍ର ଯିବା’ |
0 Response to "ବୟସର ଦୁଃଖ"
Post a Comment