ଓଡ଼ିଆସାହିତ୍ୟ ପ୍ରେସ୍
କବି ଓ ସମାଲୋଚକ ଓଡ଼ିଆ ପ୍ରାଧ୍ୟାପକ ଡ.ତୀର୍ଥାନନ୍ଦ ମିଶ୍ର ଓଡ଼ିଆ ଆଧୁନିକ କବିତାରେ ଏକ ସୁପରିଚିତ ନାମ | କେବଳ କବି ଭାବରେ ନୁହେଁ ସମାଲୋଚନା ସାହିତ୍ୟ ଓ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନରେ ମଧ୍ୟ ତାଙ୍କର ସୁଖ୍ୟାତି ରହିଛି | ପକ୍ଷୀଟିଏ ହେଲେ, ଶ୍ୟାମଳ ସାରାଂଶ ଓ କାଳିଝିଅ ସବୁଜାଣେ ଆଦି ସୃଷ୍ଟି କରି ଆଧୁନିକ ଓଡ଼ିଆ କବିତାରେ ସେ ନିଜର ସ୍ଥିତିକୁ ସୁଦୃଢ଼ କରିଛନ୍ତି | ସେହିପରି ପ୍ରାଚୀନ ସାହିତ୍ୟର ଆଲୋଚନାରେ ଡ.ମିଶ୍ର ଶତତଃ ଚେଷ୍ଟିତ |
ତାଙ୍କର ‘କାଳିଝିଅ ସବୁଜାଣେ’ର ଇଲାକା ଏକ ଭିନ୍ନ ଇଲାକା | କାଳିଝିଅ ସବୁଜାଣେ କବିତା ସଙ୍କଳନରେ ମୋଟ ସତଚାଳିଶଟି କବିତା ସନ୍ନିବେଶିତ ହୋଇଛି | କବି ତାଙ୍କର ଏକ ଆଧ୍ୟାତ୍ମିକ କବିତା ନୀଳଚକ୍ରରେ ଲେଖିଛନ୍ତି :
ପବନ ଆଉ ପତାକା ଏକତ୍ର
ନୀଳଚକ୍ର
ଆଗରେ ଖୋଦିତ ହୁଏ ବିଶ୍ବ
ପବନରେ ଖେଳେ ଅଣଚାଶ
ପତାକାରେ ନିଃଶ୍ବାସ
ଚକ୍ରରେ ବିଶ୍ବାସ
ଜୀବନରେ ବିତିଯାଏ
ଦିନ ମାସ ବର୍ଷ |
ଗିରିବାଳା ମହାନ୍ତିଙ୍କ କାଳିଝିଅ ପରି ତୀର୍ଥାନନ୍ଦ ମିଶ୍ରଙ୍କର କାଳିଝିଅ ନିର୍ବୋଧ ନୁହେଁ | ସବୁଜାଣେ, ମିଶାଶ ଫେଡାଣ, ତାରଣ ମାରଣ ସବୁକିଛି କବିଙ୍କ ଭାଷାରେ ସରଳ ଭାବେ ବର୍ଣ୍ଣିତ | ସେହିପରି କାଳିଝିଅର ବହୁ ଆଶା ଆକାଂକ୍ଷା ସବୁରି ପାଖରେ ଅଳି ଅଝଟ ରହିଛି | ଏ ବାବଦରେ କବିଙ୍କ ଭାଷାରେ –
‘ଅନେକରେ ମା ପାଖରେ ରଙ୍ଗ ରୂପ
ବାପା ପାଖେ ଐଶ୍ବର୍ଯ୍ୟମଖା ଆୟୁଷ
ଫୁଲ ପାଖେ ଗହଳ ଗଭା
ନଈ ପାଖେ କଳା ଭଅଁର ଖେଳ |’
ମାଗିବାରେ ତୃଷ୍ଣା ମେଣ୍ଟିନି କାଳିଝିଅର ଓ ତାର ମଧ୍ୟ ଦାନ ପାଇଁ ଇଛା ଥାଏ |
ପୃଥିବୀକୁ ଅକୁଣ୍ଠ ଚିତ୍ତରେ ସମର୍ପଣରେ ଆତ୍ମତୃପ୍ତି ଥାଏ ତାର | କବିଙ୍କ ଭାଷାରେ କାଳିଝିଅ :
ଝରଣାକୁ କ୍ଷିପ୍ରଗତି
ଗୁମ୍ସୁମ୍ ଆକାଶକୁ
ଦରଦୀ ଦୀର୍ଘଶ୍ବାସ
ସମର୍ପଣରେ କେହି
ନିଃସ୍ବ ହୁଏନି ବୋଲି
ଜାଣିଚି ତାହେଲେ କାଳିଝିଅ
‘ହଜିଲା ଦିନ’ର କବିତାରେ କବି ତୀର୍ଥାନନ୍ଦ ମିଶ୍ର ନିଜର ଆତ୍ମଲିପି ଭଳି ବ୍ୟକ୍ତିଗତ ଜୀବନର ସତ୍ୟ ପ୍ରକାଶ କରିବାରେ ନିପୁଣତା ପ୍ରକାଶ କରିଛନ୍ତି | “ହଜିଲା ଦିନ” କବିତାରେ କବିଙ୍କର ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ ଏବଂ ରୋମାଣ୍ଟିକ ଚେତନା ବେଶ ସାବଲୀଳ ଭାବେ ବର୍ଣ୍ଣିତ | ଉଦାହରଣସ୍ବରୂପ କବିଙ୍କ ଭାଷାରେ :-
ମୁଁ ଆଉ ଗୌତମୀ
ସହଧ୍ୟାୟୀ ଥିଲୁ ଭଞ୍ଜବିହାରରେ
କାନ୍ଥବାଡ଼ରେ ଆମ ଦିହିଁଙ୍କ ନାଁ
ପ୍ରତିଟି ଗଛମୂଳେ
ଉଭା ରାତିରେ ବିତିଥିଲା ହଜିଲା ଦିନ
ସେଇ ବିଶ୍ବବିଦ୍ୟାଳୟରେ ଏବେ ରାହୁଳ
ପଦାର୍ଥ ବିଜ୍ଞାନରେ ପଞ୍ଚମ ବର୍ଷରେ
କହିଥିଲି ଗୌତମୀକି
ପୁଅକୁ ପଠାଇବନି ଭଞ୍ଜବିହାର
ତା କାନ୍ଥରେ ବାଡ଼ରେ ତ ନିଭି ନଥିବ ଆମ ନାଁ ଦାଗ
ମାନିଲା ନାହିଁ, ପୁଅ ସେଇଠି ପଢ଼ିଲା |
ସେହିପରି ଦେଖା ସରିନାହିଁ, ସାରା ରାତି ଉଭାରାତି, ଆଖି ଅଭିନୟ, ପାଶାଖେଳ, ନାହିଁ ନଥିବା ଅନୁରାଗ, ଯାତ୍ରା, ଶ୍ୟାମଳ କୁହୁକ, ଆସନ୍ତାକାଲିର ଇତିହାସ ଆଦି କବିତା ସମାଜର ବ୍ୟସ୍ତବହୁଳ ଜୀବନର ନିରୋଳା ପ୍ରତିଛବି | ସେହିପରି ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣ ସହ ଅବକ୍ଷୟମୁଖୀ ସମାଜ ପାଇଁ କବିମନ ଶତତଃ ପ୍ରଚେଷ୍ଟାଶୀଳ | କବିଙ୍କ ଭାଷାରେ “ଗରାଖ” କବିତାରେ:
ସବୁ ହେବ ଯେ,
ହେଲେ ଦିନ ଶେଷକୁ
ଲେଖିବି କ’ଣ ଖାତାରେ
ବାଟ ଚାହିଁଥିବା ସାହୁକାରକୁ
କହିବି କ’ଣ ?
ଟୋପାଏ କିରାସିନି ଆଉ
ମୁଠାଏ ଚାଉଳର ଅପେକ୍ଷାରେ ଥିବା
ଉପାସିଆ ପରିବାର ହାତରେ
ଧରେଇବି କ’ଣ କୁହତ ?
କବି ତୀର୍ଥାନନ୍ଦ ଦୋକାନୀ କବିତାରେ ଲାଭ ଲୋଭର ଏକ ବ୍ୟାଙ୍ଗାତ୍ମକ ଚିତ୍ର ଉପସ୍ଥାପନ କରିଛନ୍ତି | ତାଙ୍କ ଭାଷାରେ:-
ହେଲେ ପରତେ ଯାଅ ହୋ ଗରାଖ ଈଶ୍ବର
ଲାଭ, ଲୋଭରେ ଅଛିକି ନାହିଁ କହି
ଦିଗୁଣ ଦରରେ ବିକିନି କେବେ
ସେମିତି ହୋଇଥିଲେ
ରାତାରାତି
ଭରି ସାରନ୍ତିଣି ଅମାର
କହିସାରନ୍ତିଣି
ପିଲାଙ୍କୁ
ସାଇତି ରଖିଗଲି ମୌରସି
ବିକିଭାଙ୍ଗି ଖାଉଥା ଅକାଳକାଳ |
ତୀର୍ଥାନନ୍ଦ ମିଶ୍ରଙ୍କ କାଳିଝିଅ ସବୁଜାଣେ କବିତାର ସଙ୍କଳନ ଓଡ଼ିଆ ଆଧୁନିକ କବିତାରେ ସହୃଦୟ ପାଠକ ପାଇଁ ଏକ ମାଇଲ ଖୁଣ୍ଟ | ଏଥିରେ ପାଠକ ଜୀବନର ବିଭିନ୍ନ ଦିଗ ବାବଦରେ ସୁକ୍ଷ୍ମ ଦୃଷ୍ଟିଭଙ୍ଗୀ ପାଇଥାଏ | ତେଣୁ ଡ.ତୀର୍ଥାନନ୍ଦଙ୍କର ଏହି ସୃଷ୍ଟି ଓଡ଼ିଆ ପାଠକ ଦରବାରରେ ଆଦୃତ ହେବା ସଙ୍ଗେ ସଙ୍ଗେ କାଳଜୟୀ ହେଉ ବୋଲି ଓଡ଼ିଆ ସାହିତ୍ୟ ଡଟ୍ କମ୍ର ଆଶା ଓ ବିଶ୍ବାସ |
0 Response to " 6 - ପୁସ୍ତକ ସମୀକ୍ଷା"
Post a Comment