ପ୍ରିୟରଞ୍ଜନ ଦାସ
ସେ ସ୍ବପ୍ନରେ ଆସେ |
ମେଞ୍ଚାଏ ଶବ୍ଦ ସହ
ଚିତ୍ରକଳ୍ପ ଆଙ୍କି
କିଛି ଗୋଟେ କହିବାକୁ ଆସେ |
ଥରେ ଥରେ ସେ ଚାପିଦିଏ
ତାର ସ୍ନେହବସର ପଣତ ତଳେ
ଭୂତ ଓ ଭବିଷ୍ୟ
ଅସ୍ତିତ୍ବ ହରେଇ ଦିଏ
ଝର ଝର ଝରଣା ପରି
ଫେନିଳ ନଦୀ ବକ୍ଷରେ
ପୁଣି ସମର୍ପି ଦିଏ ତାର
ଚଳ ଚଞ୍ଚଳ ଜୀବନ
ଆଲିଙ୍ଗନରତ ସମୁଦ୍ର ଭିତରେ |
ବ୍ୟାପିଯାଏ ଧଳା ଧଳା ଫୁଲ
କଳା କଳା ମେଘ ହୋଇ
ମୃତ୍ୟୁ ରଙ୍ଗ ଠୁଁ
ଈଷତ୍ ଫିକା ନୀଳ ଆକାଶରେ |
ଯୌବନର ଉତ୍ତାଳ ତରଙ୍ଗେ
ଯୁବତୀ ଅଳସ ଚାହାଣୀରେ
ଦେଖେଇ ହେବାର ବୃଥା ଆସ୍ଫାଳନରେ
ବୃଦ୍ଧର ଲୋଳିତ ଚର୍ମ ଓ ତା ଅଭିଜ୍ଞ ଆଖିରେ,
ରୂପ ଶବ୍ଦ ଗନ୍ଧ ନେଇ ସେ ଆସେ |
ପୁଣି ତା ଆଗମନ ଚାବୁକ ପ୍ରହାରରେ
ପ୍ରଜା ମେଳିରେ, ଭାଷା ଆନ୍ଦୋଳନରେ
ତୋଷାମଦିଆର ଚାଟୁରେ
ନିର୍ଭିକ ବାଳକର ମୃତ୍ୟୁରେ |
ସେ ଆସେ ସାଧବ ବୋହୂ ସଙ୍ଗେ
ଶୃଙ୍ଗାର ରଚି ମୌସୁମୀରେ
ବସନ୍ତରେ କୋଇଲିର ମୂର୍ଚ୍ଛନାରେ
ନିଦାଘ ତପତ କାଳେ ଅଂଶୁଘାତର
ବୀଜ ବୁଣି ବୁଣି, ଶରତର ଶିକ୍ତ ମାଟି
ଓ ନିର୍ମେଘ ଶୂନ୍ୟ ଆକାଶରେ |
ଟ୍ରୟର ସମର ଭୂଇଁରୁ
ପଦ୍ମିନୀର ରୂପ, ତା ସତୀତ୍ବରୁ
ନନ୍ଦିଘୋଷର ଘର୍ଘରନାଦ, ଓଁ କାରରୁ
ସାଲବେଗର ଜର୍ଜରିତ ଯନ୍ତ୍ରଣାମୟ ହୃଦୟରୁ
ତ୍ରିଲୋଚନର ଜଟା ମଧ୍ୟରୁ
ଭାଗିରଥିର କୁଳୁ କୁଳୁ ନାଦରୁ
ତ୍ରିବେଣୀ ସଙ୍ଗମ, କୁମ୍ଭ ମେଳାରୁ
ପୁଣି ସେ କେବେ କେବେ ଆସେ |
ସହରର ଝୁମ୍ପୁଡ଼ି ପଟିର ଦୁଃଖରୁ ଦୈନ୍ୟରୁ
ଲାଲବତୀ ଇଲାକାର କାମନାରୁ ବାସନାରୁ
ନଭଶ୍ଚୁମ୍ବୀ ଅଟ୍ଟାଳିକାର ଐଶ୍ବର୍ଯ୍ୟ ଓ ମଦମତ୍ତରୁ
ଫସଲର ସୁନାବେଶ ଆତ୍ମସନ୍ତୋଷରୁ
ଆଈମା କାହାଣୀର କାଉଁରୀ ରାଜ୍ୟର ପାକୁଆ ପାଟିରୁ
ରୂପ ଅରୂପରେ ସେ ଆସେ |
ମଙ୍ଗଳ ଗ୍ରହ ସହ ଜୟଯାତ୍ରା
ଚନ୍ଦ୍ରପୃଷ୍ଠରେ
ମଣିଷର ପଦାପର୍ଣର ଅହମିକା
ପରାମାଣୁର ଧ୍ବଂସ ସ୍ତୁପ ଭିତରୁ
ସେ ଆସେ ଭିନ୍ନ ଏକ ରୂପ ଅବତାରି |
ସେ ଆସେ ପ୍ରତିଟି ମୂହୁର୍ତ୍ତେ ପ୍ରତିକ୍ଷଣେ
ପ୍ରତି ସତ୍ତା ଅନ୍ତସତ୍ତାରେ
ଜିଅନ୍ତା ଶବରେ ପାରି ହୋଇ ଭବତରଙ୍ଗିଣୀ
ଅତୀତ କାଗଜରେ, ବର୍ତ୍ତମାନ କଲମରେ
ଭବିଷ୍ୟତର ଭାଷା ଫୁଟେଇବାକୁ ସେ ଆସେ |
ସେ ସ୍ବପ୍ନରେ ଆସେ |
0 Response to "କବିତା"
Post a Comment