ତିନିଜଣ ବିଦେଶୀ ଏବଂ ଜଣେ ଭାରତୀୟ ସେଦିନ ରାଜଧାନୀ ଏକ୍ସପ୍ରେସ୍ର ଏକ ଏ.ସି. ଫାଷ୍ଟକ୍ଲାସ୍ କମ୍ପାର୍ଟମେଣ୍ଟରେ ଏକତ୍ର ଯାତ୍ରା କରୁଥିଲେ |
ପ୍ରଥମେ କମ୍ପାର୍ଟମେଣ୍ଟକୁ
ଆସିଥିଲେ ଭାରତୀୟ ଯାତ୍ରୀ ଜଣକ | ଶ୍ୟାମଳ, ଶ୍ମଶ୍ରୁଳ, ମଧ୍ୟବୟସ୍କ ଏବଂ ମଧ୍ୟମ ସ୍ବାସ୍ଥ୍ୟର ଅବୟବଧାରୀ ଏହି ଯାତ୍ରୀ ଜଣକ ନିଜ ବର୍ଥ ଉପରେ ମାଲିକାନା ସାବ୍ୟସ୍ତ କରିବା ପାଇଁ ଏକରକମ ଗଳଦ୍ଘର୍ମ ହୋଇ ଆସିଥିଲେ | ସୁଟ୍କେସ୍, ବ୍ୟାଗ୍, ଝୁଲାମୁଣି ପ୍ରଭୃତି ମିଶାଇ ପାଞ୍ଚୋଟି ଲଗେଜ୍ ଧରି ତାଙ୍କର କୁଲି ପହଞ୍ଚିଲା ଏବଂ ବର୍ଥ ତଳେ ସବୁ ଜିନିଷ ସାନ୍ଧିଦେଲା | କୁଲି ସହ ମୂଲଚାଲ୍ କରି ତା’ର ପ୍ରାପ୍ୟ ଦେଲା ପରେ ସେ ଏକ ସ୍ବସ୍ତିର ସ୍ମିତହାସ୍ୟ ଛାଡ଼ିଲେ ଏବଂ ପଙ୍ଖାକୁ ଜୋର୍ରେ ଘୂରାଇ ଲୋୟର ବର୍ଥଟିରେ ଗୋଡ଼ ଲମ୍ବାଇ ଶୋଇଗଲେ |
କମ୍ପାର୍ଟମେଣ୍ଟର ଦ୍ବିତୀୟ ଯାତ୍ରୀ ହେଲେ ଜଣେ ଚୀନୀୟ ଭଦ୍ରବ୍ୟକ୍ତି | ଶୀର୍ଣ୍ଣକାୟ, ତରୁଣ ଏବଂ ମିଞ୍ଜି ମିଞ୍ଜି ଚକ୍ଷୁଧାରୀ ଯାତ୍ରୀଜଣକ ଟୁରିଷ୍ଟ ଭଳି ମନେ ହେଉଥିଲେ | ଲଗେଜ୍ କମ୍ ଥିଲା | ବେଲ୍ଟ ଭିତରେ ତାଙ୍କର ମୋବାଇଲ ଫୋନ୍ ସହ କିଛି ଦରକାରୀ ଚିଜ ସେ ବାନ୍ଧି ରଖିଥିଲେ | ଅତି ସଲ୍ଲଜ୍ଜ ଭାବେ କମ୍ପାର୍ଟମେଣ୍ଟରେ
ପ୍ରବେଶ କରି ଭାରତୀୟ ସହଯାତ୍ରୀଙ୍କୁ ମଥା ଝୁଙ୍କାଇ ଅଭିବାଦନ କଲେ ଏବଂ ଆସନ ଗ୍ରହଣ କଲେ |
ପରବର୍ତ୍ତୀ ଯାତ୍ରୀ ଜଣେ ଆଫ୍ରିକୀୟ | କୃଷ୍ଣକାୟ, ଦୀର୍ଘ ଅବୟବ, ମୁଣ୍ଡରେ କୁଞ୍ଚକୁଞ୍ଚିଆ କେଶ | ବୟସ ପ୍ରାୟ ଚାଳିଶି ବର୍ଷ ହେବ | ହସ ହସ ଚେହେରା | ସେ ଲଗେଜ୍ ଠେଲି ଠେଲି ମୋବାଇଲରେ କଥାବାର୍ତ୍ତା କରୁଥିଲାବେଳେ ଏଭଳି ହସୁଥିଲେ ଯେ, ମନେ ହେଉଥିଲା ସେ କେବଳ ମୁହଁରେ ହସୁ ନଥିଲେ-ହାଡ଼େ ହାଡ଼େ ହସୁଥିଲେ | ଦିଲ୍ଲୀକୁ କୌଣସି ଆନ୍ତର୍ଜାତିକ
ସେମିନାରରେ ଯୋଗଦାନ କରିବା ପାଇଁ ସେ ଆସିଥିଲେ |
ସବାଶେଷରେ ଯେଉଁ ଯାତ୍ରୀ ପଦାର୍ପଣ କଲେ ସେ ଜଣେ ଆମେରିକୀୟ | ଗାଡ଼ି ଛାଡ଼ିବାର ମାତ୍ର ପାଞ୍ଚ ମିନିଟ୍ ପୂର୍ବରୁ ସେ ପ୍ରବେଶ କଲେ | ହୃଷ୍ଟପୁଷ୍ଟ ହଲଷ୍ଟିନ ବୃଷଭ ପରି ଦିଶୁଥିବା ଏହି ଯାତ୍ରୀଙ୍କ ପିଠିରେ ତାଙ୍କର ପୃଥୁଳକାୟ ଲଗେଜ୍ ବନ୍ଧା ଥିଲା | ମୁଣ୍ଡରେ ପର୍ଯ୍ୟାପ୍ତ କେଶରାଶି ନଥିଲା | ଯତ୍ ସାମାନ୍ୟ ଥିଲା, ଫ୍ୟାନ୍ ପବନରେ ଫୁରୁଫୁରୁ ଉଡ଼ୁଥିଲା | ସେ ରିଜର୍ଭେସନ୍ ଚାର୍ଟରେ ଦେଖିଥିଲେ ଯେ, ତାଙ୍କୁ ଏକ ଅପର ବର୍ଥ ଆଲଟ୍ କରାଯାଇଥିଲା | କିନ୍ତୁ ସ୍ବଭାବ ସୁଲଭ ପ୍ରଗଳ୍ଭତାବଶତଃ
“ହ୍ୟାଲୋ ଏଭ୍ରିବଡ଼ି” ଅଭିବାଦନ କଲାପରେ ସେ ଘୋଷଣା କରି ଦେଲେ- ମୁଁ ଲୋୟାର୍ ବର୍ଥ ନେବି |
ଚୀନୀୟ ଭଦ୍ରବ୍ୟକ୍ତିଙ୍କର
ଥିଲା ଲୋୟର୍ ବର୍ଥ | ସେ ଧଡ଼ପଡ଼ ହୋଇ ଉଠି ନିଜ ବ୍ୟାଗ୍ଟିକୁ ଉପର ବର୍ଥକୁ ସ୍ଥାନାନ୍ତର କରିଦେଲେ | ସେ ବୋଧେ ଉପର ବର୍ଥକୁ ଯିବାଟା ବୁଦ୍ଧିମାନର କାର୍ଯ୍ୟ ବୋଲି ମଣିଲେ | ଏହି ବିଶାଳ ବପୁଧାରୀ ଯାତ୍ରୀଙ୍କ ବର୍ଥ ତଳେ ଶୋଇଲେ କିଛି ଅଘଟଣ ଘଟିପାରେ ବୋଲି ସେ ବୋଧେ ଆଶଙ୍କା କଲେ | ମିତଭାଷୀ ମିଞ୍ଜି ମିଞ୍ଜି ଆଖିର ଏ ଯାତ୍ରୀଙ୍କ ମନ ଭିତରେ କ’ଣ ଥିଲା କହିବା ମୁସ୍କିଲ | ସେ ସୁନାପିଲା ପରି ଉପରକୁ ଚାଲିଗଲେ |
ଏହା ଭିତରେ ଏ.ସି. ଆଟେଣ୍ଡାଣ୍ଟ ଗୋଲାପ ଫୁଲର ସ୍ତବକ କମ୍ପାର୍ଟମେଣ୍ଟର କାନ୍ଥରେ ଥିବା ଖୋପରେ ସଜାଇ ଦେଇଥାଏ | ତକିଆ ଏବଂ ତଉଲିଆ ଦେଇ ଚାଲି ଯାଇଥାଏ | ପ୍ୟାଣ୍ଟ୍ରିକାର ବିୟରର ୱେଲକମ୍ ଡ୍ରିଙ୍କ୍ସ ଓ ଚକୋଲେଟ୍ ପ୍ରଭୃତି ପରଷି ଚାଲି ଯାଇଥାଏ |
ପ୍ରଗଳ୍ଭ ଆମେରିକୀୟ
ଯାତ୍ରୀଙ୍କ ଆନୁକୂଲ୍ୟରେ ପରିଚୟର ପର୍ବଟା
ସରି ଯାଇଥାଏ
| ସେ ଆମେରିକାର
କୌଣସି ଆଇ.ଟି. କମ୍ପାନୀରେ ଜେନେରାଲ
ମ୍ୟାନେଜର ଥିଲେ
ଏବଂ ବ୍ୟବସାୟ
ଉପଲକ୍ଷେ ଭାରତ
ଆସିଥିଲେ | ଚୀନୀୟ
ଭଦ୍ରବ୍ୟକ୍ତି ପ୍ରକୃତରେ
ଜଣେ ଟୁରିଷ୍ଟ
ଥିଲେ | ଭାରତର
ବିଭିନ୍ନ ବୌଦ୍ଧ
ବିହାର ଉପରେ
ସେ ଗବେଷଣା
କରୁଥିଲେ | ଆଫ୍ରିକୀୟ
ଭଦ୍ରବ୍ୟକ୍ତି ଜଣେ ଡାକ୍ତର | ଏଡସ୍ ଉପରେ
ଏକ ଆନ୍ତର୍ଜାତିକ ସେମିନାରରେ ଯୋଗଦେବା
ପାଇଁ ଆସିଥିଲେ
| ଭାରତୀୟ ଯାତ୍ରୀ
ଜଣେ ପ୍ରଫେସର
| ଦିଲ୍ଲୀ ବିଶ୍ବବିଦ୍ୟାଳୟର କୌଣସି ସଭାରେ
ବକ୍ତୃତା ଦେବା
ପରେ ସେ ବକ୍ତୃତା ଦେବାପାଇଁ ବିଶ୍ବଭାରତୀ ଛୁଟିଥିଲେ |
ପ୍ରଗଳ୍ଭ ଆମେରିକୀୟ ଯାତ୍ରୀଙ୍କ ଆନୁକୂଲ୍ୟରେ ପରିଚୟର ପର୍ବଟା ସରି ଯାଇଥାଏ | ସେ ଆମେରିକାର କୌଣସି ଆଇ.ଟି. କମ୍ପାନୀରେ ଜେନେରାଲ ମ୍ୟାନେଜର ଥିଲେ ଏବଂ ବ୍ୟବସାୟ ଉପଲକ୍ଷେ ଭାରତ ଆସିଥିଲେ | ଚୀନୀୟ ଭଦ୍ରବ୍ୟକ୍ତି ପ୍ରକୃତରେ ଜଣେ ଟୁରିଷ୍ଟ ଥିଲେ | ଭାରତର ବିଭିନ୍ନ ବୌଦ୍ଧ ବିହାର ଉପରେ ସେ ଗବେଷଣା କରୁଥିଲେ | ଆଫ୍ରିକୀୟ ଭଦ୍ରବ୍ୟକ୍ତି
ଜଣେ ଡାକ୍ତର | ଏଡସ୍ ଉପରେ ଏକ ଆନ୍ତର୍ଜାତିକ ସେମିନାରରେ ଯୋଗଦେବା ପାଇଁ ଆସିଥିଲେ | ଭାରତୀୟ ଯାତ୍ରୀ ଜଣେ ପ୍ରଫେସର | ଦିଲ୍ଲୀ ବିଶ୍ବବିଦ୍ୟାଳୟର କୌଣସି ସଭାରେ ବକ୍ତୃତା ଦେବା ପରେ ସେ ବକ୍ତୃତା ଦେବାପାଇଁ ବିଶ୍ବଭାରତୀ ଛୁଟିଥିଲେ |
ଗାଡ଼ି ଛାଡ଼ି ସାରିଥିଲା | ଅଧଘଣ୍ଟାଏ ପରେ ବିୟରର ସେଣ୍ଟର ଟେବୁଲ ସଜାଇ ରଖିଲା ପରେ ଗୋଟିଏ ଗୋଟିଏ ଟ୍ରେରେ ସ୍ନାକ୍ସ ଓ ତା’ର ସରଞ୍ଜାମ ସଜାଇ ଆଣି ପହଞ୍ଚିଲା | ସ୍ନାକ୍ସ ଭିତରେ ଗରମ ସିଙ୍ଗଡ଼ା ଠାରୁ ଆରମ୍ଭ କରି କାଜୁବାଦାମ, ଚେନାଚୁର ଏବଂ ମିଠା ପ୍ରଭୃତି ସଜଡ଼ା ହୋଇଥିଲା | ଏସବୁ ଦେଖି ଆମେରିକୀୟ ଯାତ୍ରୀ ଭାରତୀୟ ଯାତ୍ରୀଙ୍କୁ ଲକ୍ଷ୍ୟକରି କହିଲେ- ଏଠି ସବୁଆଡ଼େ ବହୁତ ଖାନାପିନା ଦେଇ ଅଭ୍ୟର୍ଥନା କରୁଛନ୍ତି | ଆପଣଙ୍କ ଦେଶର ଲୋକେ ଖୁବ୍ ‘ହସ୍ପିଟେବଲ’ |
ଭାରତୀୟ ଭଦ୍ରବ୍ୟକ୍ତି
ସ୍ମିତ ହସି ତାଙ୍କ କଥାକୁ ସମର୍ଥନ କଲେ ଏବଂ ମନେ ମନେ ଭାବିଲେ- ଏହା ନିରାଟ ସତ୍ୟକଥା | ସେ ଥରେ ଆମେରିକାକୁ କୌଣସି ସଭାକୁ ଯାଇଥିଲେ | ପୁରାଦିନ ବିତିଗଲେ ବି ଆୟୋଜକମାନେ ଚା’ କପେ ବି ଦେଲେ ନାହିଁ, ବରଂ ଘୋଷଣା କଲେ ଯେ, ପାଖ ରୁମ୍ରେ ଚା’ କଫି ମେସିନ୍ ଅଛି, ଯାହାର ଇଚ୍ଛା ହେବ, ପଇସା ଗଳାଇ ଚା’ କଫି ପିଇପାରିବେ | ଭାରତ ହୋଇଥିଲେ ସଭାର ମୂଳରୁ ଶେଷଯାଏ ଚା’ ଜଳଖିଆ କପ୍ ପ୍ଲେଟ୍ରୁ ଠୁନ୍ଠାନ୍ ଆୱାଜ୍ ଆସୁଥାନ୍ତା |
ଚା’ପାନ ପରେ ପରେ ବିୟର୍ର ରାତିର ଡିନରର ଅର୍ଡ଼ର ନେଇଗଲା | ତିନି ବିଦେଶୀ କଣ୍ଟିନେଣ୍ଟାଲ ଖାନାର ଅର୍ଡ଼ର ଦେଲେ | ଭାରତୀୟ ଭଦ୍ରବ୍ୟକ୍ତି ଅର୍ଡ଼ର ଦେଲେ ନିରାମିଷ ଭାରତୀୟ ଖାଦ୍ୟ-ରୁଟି ଓ ତରକାରୀ |
ରାତି ଆଠଟାରେ ସୁପ୍ ପରିବେଷଣ ହେଲା | ତା’ପରେ ତିନି ବିଦେଶୀଙ୍କର କଣ୍ଟିନେଣ୍ଟାଲ ଡିନର ଆସିଲା | ଭାରତୀୟଙ୍କ ପାଇଁ ଆସିଲା ବରାଦ ମୁତାବକ ଦୁଇଖଣ୍ଡ ଶୁଖିଲା ରୁଟି, ଡାଲି ଏବଂ ତରକାରୀ |
ଖାଦ୍ୟ ପଦାର୍ଥ ପାଟିକୁ ନେବା ପୂର୍ବରୁ ଆମେରିକୀୟ ଭଦ୍ରବ୍ୟକ୍ତି ହୁଇସ୍କି ବୋତଲ ଖୋଲିଦେଇଥିଲେ | ତାଙ୍କ ନିର୍ଦ୍ଦେଶ ଅନୁସାରେ ଆଟେଣ୍ଡାଣ୍ଟ କେତୋଟି ଗ୍ଲାସ୍ ଧରି ପହଞ୍ଚିଗଲା | ହୁଇସ୍କି ଢାଳି ସେ ସହଯାତ୍ରୀମାନଙ୍କୁ ଯାଚିଲେ | ଲଜ୍ଜାଶୀଳ ଚୀନୀୟଯାତ୍ରୀ ଦୋ ଦୋ ପାଞ୍ଚ ହୋଇ ଗ୍ରହଣ କଲେ | ଆଫ୍ରିକୀୟ ଯାତ୍ରୀ ଅତି ଆନନ୍ଦରେ ଗ୍ଲାସ୍ ଧରିଲେ | ଭାରତୀୟ ଭଦ୍ରବ୍ୟକ୍ତି କହିଲେ-ନୋ, ଥ୍ୟାଙ୍କସ୍, ମୁଁ ଟି-ଟୋଟାଲର |
ତାଙ୍କର ଖାଦ୍ୟର ପରିମାଣ ଓ ସାରଲ୍ୟକୁ ଦେଖି ଆମେରିକୀୟ ମନ୍ତବ୍ୟ ଦେଲେ-ଆରେ, ଆପଣ ତ ରିୟଲି ଗ୍ରେଟ୍ | ସିମ୍ପଲ ଲିଭିଂ, ହାଇ ଥିଙ୍କିଂ | ଆପଣ ତ ପ୍ରକୃତରେ ଜଣେ ସାଧୁ, ସନ୍ଥ | ମୁଁ ଆପଣଙ୍କୁ ସ୍ବାମିଜୀ ଭାବେ ଡାକିଲେ କିଛି ମନେ କରିବେନି ତ ?
ଭାରତୀୟ ଯାତ୍ରୀ ହସିଲେ |
ଆମେରିକୀୟ ଯାତ୍ରୀଙ୍କ ଖାଦ୍ୟପଦାର୍ଥ ଜଲ୍ଦି ଜଲ୍ଦି ସରିଗଲା | ତେଣୁ ସେ ପୁଣି କଲିଂ ବେଲ୍ ଟିପିଲେ | ତାଙ୍କ ପାଇଁ ଚିକେନ୍, ସାଲାଡ୍ ଆସିଲା | ମହିଷାକୃତିର ବିରାଟ ଚେହେରା | ବଡ଼ ବଡ଼ ନିତମ୍ବ ଓ ପୃଥୁଳ ଜଙ୍ଘ | ସେଥିରେ ସେ ବର୍ମୁଡ଼ା ହାଫ୍ ପ୍ୟାଣ୍ଟ ପିନ୍ଧି କିମ୍ଭୂତ କିମାକାର ଦିଶୁଥିଲେ |
ଆଫ୍ରିକୀୟ ଯାତ୍ରୀଙ୍କର ଖାଇବା ଜଲ୍ଦି ସରିଗଲା | ତା’ପରେ ସେ ତାଙ୍କର ସୁଟ୍କେଶରୁ ‘ସିଗାର୍’ଟିଏ ବାହାରକରି ସେଥିରେ ଅଗ୍ନି ସଂଯୋଗ କଲେ | କେହି ନ ପଚାରୁଣୁ ମନ୍ତବ୍ୟ ଦେଲେ-ଶୋଇବା ପୂର୍ବରୁ ଏଥିରୁ ଗୋଟିଏ ନ ଧରାଇଲେ ନିଦ ହେବନି |
ରେଳାବାଇରେ ଧୂମପାନ ମନା | ମଦ୍ୟ ସେବନ ମନା | କିନ୍ତୁ ରେଳ କର୍ମଚାରୀମାନେ କେହି ବାରଣ କରୁନଥାନ୍ତି | ବରଂ ସେମାନଙ୍କୁ ସହଯୋଗ କରୁଥାନ୍ତି | ଅତିଥିବତ୍ସଳ ଦେଶ ତ !
ଭାରତୀୟ ଯାତ୍ରୀ ମନେ ମନେ ଏହାହିଁ ଭାବୁଥିଲେ | ତେଣୁ ଏପଟୁ ଧୂଆଁ ଏବଂ ସେପଟୁ ମଦର ଗନ୍ଧ ଆସୁଥିଲେ ବି ଭାରତୀୟ ଜଣକ ସହ୍ୟ କରି ନେଉଥାନ୍ତି |
ରାତି ଦଶଟା ପାଖାପାଖି ହେଲା | ଆମେରିକୀୟଙ୍କର ଖାଦ୍ୟପାନୀୟ ପର୍ବର ଅନ୍ତ ହେଉ ନଥାଏ | ଆଫ୍ରିକୀୟ ଯାତ୍ରୀଙ୍କର ସିଗାରଟା ଆଖୁପରି ବଡ଼ ହୋଇଥିବାରୁ ସରିବାର ନାଁ ଧରୁ ନଥିଲା | ଧୂଆଁ ସହି ନପାରି ବା ଅନ୍ୟ କୌଣସି କାରଣରୁ ଚୀନୀୟ ଯାତ୍ରୀ ତାଙ୍କର ଛୋଟ ବ୍ୟାଗ୍ଟିକୁ ଧରି ଖୁଁ ଖୁଁ କାଶି ବାଥ୍ରୁମ୍କୁ ଗଲେ |
ଆମେରିକୀୟ ଯାତ୍ରୀଙ୍କ ଖାଇବା ପ୍ଲେଟ୍, କଣ୍ଟା ଚାମଚ୍ ହଟିଗଲା ପରେ ବି ପିଇବା ସରିନଥିଲା | ସେ ନିଜ ଆଡୁ ସଫେଇ ଦେଉଥିଲେ- ନିଦ ଆସିବା ପାଇଁ ଆଉ ଦୁଇ ପେଗ୍ |
କିଛି ସମୟ ପରେ ଚୀନୀୟ ଯାତ୍ରୀ ଫେରିଆସି ଉପର ବର୍ଥକୁ ଗଲେ | ଏକ ଆସନ୍ନ ମରଣ ଝିଟିପିଟି ପରି ସେ ଗୋଡ଼ ହାତ ଛାଟିଲେ, ପିଟିଲେ | ସେଣ୍ଟର ଟେବୁଲ ଉଠାଇବାକୁ ଆସିଥିବା ବିୟର୍ର ଭୟ ପାଇ କହିଲା- ସାର୍, ଟ୍ରେନ୍ ସୁପରିଣ୍ଟେଣ୍ଡେଣ୍ଟକୁ ଡାକିବି କି ?
ଆଫ୍ରିକୀୟ ଯାତ୍ରୀ କହିଲେ- ନାଁ ନାଁ ବ୍ୟସ୍ତ ହୁଅନା | ଏଇଟା ତାଙ୍କର ନିଦ୍ରା ଯିବାର ପ୍ରସ୍ତୁତି ପର୍ବ | ସେ ଡ୍ରଗ୍ସ ସେବନ କରିଆସିଛନ୍ତି | ଭାରତୀୟ ଯାତ୍ରୀ ବିଛଣାରେ ପଡ଼ି ଏକଡ଼ ସେକଡ଼ ହେଉଥିଲେ | ଭାବୁଥିଲେ- ଧନ୍ୟ ଏହି ସର୍ବଂସହା ଟ୍ରେନ୍ | ଗଞ୍ଜୋଡ଼, ନିଶାଖୋର, ଜୁଆଚୋର, ଚାଲବାଜ, ଧପାବାଜ, ଦୁଃଖୀରଙ୍କି, ରୋଗୀ, ରାଗୀ, ବୈରାଗୀ- ସମସ୍ତଙ୍କୁ ଆବହମାନ କାଳରୁ ସେ ବୋହି ଧରି ଚାଲିଛି | କାହାପ୍ରତି ଅସୂୟା ନାହିଁ | କାହା ପାଇଁ ଭେଦଭାବ ନାହିଁ, ଦ୍ବେଷ ନାହିଁ, ବିଦ୍ବେଷ ନାହିଁ | କାହା ପ୍ରତି ଭ୍ରୁକୁଞ୍ଚନ ଅବା ନାସିକା କୁଞ୍ଚନ ନାହିଁ | ଆମେରିକୀୟ ଯାତ୍ରୀ ଏଥର ଭାରତୀୟଙ୍କୁ ତୋଷାମଦ କରିବାକୁ କହିଲେ- ସ୍ବାମିଜୀ ! ଆପଣଙ୍କର କ’ଣ କିଛି ନିଦ ଔଷଧ ଦରକାର ହୁଏନି ?
ସ୍ବାମିଜୀ ହସିଲେ ଏକ ରହସ୍ୟମୟ ହସ | ସେ ଉଠି ବସିଲେ | ବର୍ଥ ତଳୁ ତାଙ୍କର ସୁଟ୍କେଶ ଖୋଲିଲେ | ସୁଟ୍କେଶ ଭିତରୁ ବାହାର କଲେ ଏକ ଛୋଟ ପେଡ଼ି |
ପ୍ରଥମେ ପେଡ଼ି ଉପରେ ଗୋଟିଏ ସରୁ ଚାପଡ଼ ଦେଲେ | ପେଡ଼ିରେ ମୁହଁ ଖୋଲି କହିଲେ- ଉଠ୍ ବେଟା, ଆ, ଚୁମାଟେ ଦେ | ନିଦ ଆସୁନି |
ତାଙ୍କ ପୋଷା ଜୀବଟି ଗହନ ନିଦରେ ଶୋଇ ଯାଇଥିଲା | ସେ ତା’ର ଲାଞ୍ଜରେ ଚାପୁଡ଼ାଟିଏ ଦେଲେ | ସେ ଫଁ ଶବ୍ଦକରି ମୁଣ୍ଡ ହଲାଇଲା | ସ୍ବାମୀଜୀଙ୍କର ଦୋଳାୟମାନ ପାପୁଲିକୁ ଦୁଇଥର ଦଂଶିଲା | ପୋଷା ଜୀବଟିର ଝାଉଁଳି ଯାଉଥିବା ଫଣାରେ ସ୍ବାମିଜୀ ଗୋଟିଏ ସରୁ ଚୁମ୍ବନ ଦେଇ ତାକୁ ପେଡ଼ି ଭିତରେ ପୂରାଇ କହିଲେ- ଯା, ବେଟା ଶୋଇଯା |
ଆମେରିକୀୟ ଯାତ୍ରୀ ମୁହଁରେ ମଦ ଗ୍ଲାସ୍ ସହ ଏକ ‘ଷ୍ଟାଚ୍ୟୁ’ ବନିଗଲେ | ଆଫ୍ରିକୀୟ ଯାତ୍ରୀଙ୍କ ମୁହଁରୁ ଅର୍ଦ୍ଧଦଗ୍ଧ ସିଗାର ଟି ତଳେ ଖସିପଡ଼ିଲା | ଚୀନୀୟ ଯାତ୍ରୀଙ୍କ ଛଟପଟ ହେବା ବନ୍ଦ ହୋଇଗଲା |
କହିବା ବାହୁଲ୍ୟ ଯେ, ଏଥୁ ଅନ୍ତେ ଜଣକ ପରେ ଜଣେ ଏମିତି ତିନି ବିଦେଶୀ ବେଙ୍ଗପରି ଫକ୍ ଫକ୍ ଡେଇଁ କମ୍ପାଟମେଣ୍ଟରୁ ନିଷ୍କ୍ରାନ୍ତ ହୋଇଗଲେ |
0 Response to "ନିଦ ଔଷଧ"
Post a Comment