ମୃତ୍ୟୁଲଗ୍ନ

ମୃତ୍ୟୁଲଗ୍ନ

ମୃତ୍ୟୁଲଗ୍ନ
କାଶୀନାଥ ନନ୍ଦୀ

ଶ୍ୟାମଳୀର ଦୁଃଖସୁଖର ଜୀବନ ଲାଗିଥାଏ | ଯେତିକି ବର୍ଷା ବତୁରାଇ ଦେଉଥାଏ, ସେତିକିକୁ ଖରା ଶୁଖାଇ ଦେଉଥାଏ | ଭଲ ଲାଗୁଥାଏ ଜୀବନ | ସବୁବେଳେ ତାସହ ଜଡ଼ିତ ଥାଏ ଶ୍ବେତାମ୍ବର | ଜୀବନରେ ଏତେ ଖୁସି ଥାଏ ଯାହାର ମାପି ହେଉ ନଥାଏ ଦୂରତା, ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଓଜନ | ସୁଖଭରା ଜୀବନରେ ଫୁଲ୍ଫୁଲିଆ ଦୁଃଖ ବି ରହୁଥାଏ | ଏମିତି ଜୀବନର ପରମାୟୁ ଥାଏ ମାତ୍ର ଦିବର୍ଷ | ବିବାହର ଦିଟା ବର୍ଷ ପରେ ଜୀବନକୁ ଆସ୍ତେଆସ୍ତେ ଘେରିଆସେ ଅସନ୍ତୋଷ, ଦୁଃଖ, ସନ୍ତାପ, ଜ୍ବାଳା, ଅପମାନ ଲାଞ୍ଛନା | ଶ୍ୟାମଳୀ ସହୁଥାଏ | ସହିପାରୁଥାଏ ବୋଲି ତାମୁହଁ ଉପରେ ହିଁ ଶ୍ବେତାମ୍ବର ବହୁତ କିଛି କରିଚାଲିଥାଏ | ଦେଖେଇ ଦେଖେଇ କରୁଥାଏ ପାପ | ଯେତେ ଯେତେ କୁକର୍ମ କରିଚାଲିଥାଏ, ଶ୍ୟାମଳୀ ପ୍ରତିବାଦ କରୁ ନଥାଏ | ଶ୍ବେତାମ୍ବରର ସବୁ କୁକର୍ମ ତାମନ-ବନରେ ବୁଲୁଥାଏ | ସେ କାନ୍ଦୁଥାଏ | ଆଖି ଲୁହ ଆଖିରେ ମାରୁଥାଏ |

ଶେଷକୁ ଆଉ ସହି ହେଲାନାହିଁ ଜୀବନ | ସବୁ ସହିବା ଦିନଠୁ ସରିଗଲା ଯେଉଁଦିନ ଶ୍ବେତାମ୍ବର ଚରିତ୍ରହୀନାର ଦୋଷ ଲେଖିଲା ଶ୍ୟାମଳୀର କପାଳରେ | ନାରୀ ପେଟକଷ୍ଟ ସହିଯାଏ, ଦେହକଷ୍ଟ ସହିଯାଏ, ମନର କଷ୍ଟକୁ ବି ସହିଯାଏ; ତେବେ ତାଚରିତ୍ରକୁ ଛିଡ଼େଇଦେଲେ ଫୁଲ ପରି ସେ ଶୁଖିଯାଏ ମରିଯାଏ | ସେ ଆଉ କେତେ ସହନ୍ତା ? ଆଉ ହେଲାନାହିଁ | ତାଜୀବନ ତାକୁ ଧିକ୍ ଲାଗିଲା | ଜୀବନ ହାରିଦେବାକୁ ସ୍ଥିର ନିଶ୍ଚିତ କଲା | ସେ ଭାବିନେଲା ତାମୃତ୍ୟୁ ହିଁ ସବୁର ସମାଧନ | ତେବେ ତାମୃତ୍ୟୁଲଗ୍ନ ଫିଟୁ ନଥିଲା |

ଶ୍ବେତାମ୍ବର ଆଜି ଗୋଇଠା ମାରିଲା ଶ୍ୟାମଳୀର ମରମକୁ | ଯେଉଁଠୁ ଆରମ୍ଭ ଜୀବନ, ସେଇଠି ଥିଲା ସେ ପ୍ରହାର | ସବୁ ଭାଙ୍ଗିଗଲା | ଏଥର ଶ୍ୟାମଳୀ ନିର୍ଦ୍ଦିଷ୍ଟ ହେଇଗଲା ମୃତ୍ୟୁ ନିକଟରେ | ମୃତ୍ୟୁଲଗ୍ନ ଫିଟିଗଲା | ସେ ମରଣମୁଖୀ ହେଲା | କୌଣସି ଏକ ନିକାଞ୍ଚନ ସ୍ଥାନ, ନୀରବ ମୁହୂର୍ତ୍ତ କିଛି ଅନ୍ଧାର ତାସନ୍ଧାନରେ ଥିଲା |

ଶ୍ୟାମଳୀ ଚାଲିଥିଲା | ବାଟ ଲମ୍ବଥିଲା | ଅନ୍ଧାର ତଥାପି ଆସିବାକୁ ବାକି ଥିଲା | କନ୍ଦରକେଲାରୁ ବାଟଟା ବୁଦୁବୁଦିଆ ଜଙ୍ଗଲ ଦେଇ ଲମ୍ବି ଯାଇଥିଲା | ସେ ଚାଲିଚାଲି ଯାଉଛି, ମନର ସବୁ ଅବସୋସ୍ ତାକୁ ଖାଇ ଖାଇ ଯାଉଛି | ସେ ମନରେ ମରିମରି ଯାଉଛି | ଏତିକିବେଳେ ଟାଟା ସୁମୋଟେ ତାପାଖରେ ବ୍ରେକ୍ ଦେଲା | ଜଣ ଓହ୍ଲେଇପଡ଼ିଲେ ଧଡ଼ଧାଡ଼ | ତାକୁ ଘେରିଗଲେ | ସେମାନଙ୍କୁ ଦେଖି ଶ୍ୟାମଳୀର ମୃତ୍ୟୁମନସ୍ଥ ମନରେ ହଠାତ୍ କିଛି ପଶୁ ନଥିଲା | ସେ ସେମାନଙ୍କୁ କେବଳ ଚାହିଁଥିଲା, ଟିକିଏ ମାତ୍ର ସମୟ | ତାପରେ ସ୍ପଷ୍ଟ ହେଇଗଲା | ସେ ସେମାନଙ୍କ ମୁହଁରେ ଦେଖିଲା ଦୁଷ୍ଟ ଲୋଭ | ଯାହା ଟହଟହ ଦିଶୁଥିଲା | ତାମନ ଭାଙ୍ଗିଯିବାକୁ ବେଳ ନେଇ ନଥିଲା | ତାବିଭକ୍ତ ମନ ଏଥର ବୁଝିବାକୁ ଲାଗିଲା ଲୋକଗୁଡ଼ାଙ୍କ ଉଦ୍ଦେଶ୍ୟ | ଆଖିଗୁଡ଼ା ଯେମିତି ତାକୁ ଖାଇ ଯାଉଥିଲା | ସେମାନେ ଶ୍ୟାମଳୀକୁ ଧରିପକାଇଲେ | ପଣ୍ୟ ପରି ଗାଡ଼ିକୁ ଉଠାଇନେଲେ | ମୃତ୍ୟୁର ବସାଘର ଭାଙ୍ଗିଯାଇଥିଲା | ଶ୍ୟାମଳୀର ମନ ଓହ୍ଲାଇ ଯାଇଥିଲା ନର୍ଦ୍ଦମାକୁ | ଯେଉଁଠି ପୋକ ପରି ତାଜୀବନ ଲହଲହ ହେଉଥିଲା | ଢେର ଦୂରଯାଏ ସେ ଯାତ୍ରା ଥିଲା |

ସେମାନେ ବ୍ରେକ୍ କରି ଗାଡ଼ି, ଠିଆକଲେ | ଏଣେ ତେଣେ ଅନେଇଲେ | କୁହାକୁହି ହେଲେ-ଏଇଟା ଠିକ୍ ଜାଗା | ଏଇଠି ଠିକ୍ ହେବ | ସ୍ଥାନଟା ନିର୍ଜନ ଥିଲା | ଯେଉଁଠି ପତିତ ମନ୍ଦିରଟିଏ ନିକାଞ୍ଚନରେ ଆଶ୍ରୟ ପରି ଠିଆ ହୋଇଥିଲା | ଯାହାକୁ ଆଶ୍ରୟ କରି କିଏ କିଏ ରହୁଥିବାର ଜଣାଯାଉଥିଲା | କାରଣ ମନ୍ଦିର ବେଢ଼ା କିଛିଟା ପରିଚ୍ଛନ୍ନ ଥିଲା | ସେମାନେ ଓହ୍ଲାଇଗଲେ | ଶ୍ୟାମଳୀକୁ ଓହ୍ଲାଇଲେ | ଗାଡ଼ିରେ ବାନ୍ଧିଥିବା ତାଆଖି ପାଟିର ପଟି ସେମିତି ବନ୍ଧା ଥିଲା | ଟିକିଏ ସମୟ ସମସ୍ତେ ଠିଆ ହୋଇଗଲେ | ଏଣେତେଣେ ଆଉଥରେ ଅନେଇଲେ | ଜଣେ ଦେଖିଦେଲା | କହିଲା-ଶଳା ଏଠି ଗୋଟେ ବାବା ବେ | ଜାଗା ଠିକ୍ ନୁହେଁ | ଅନ୍ୟ ଆଡ଼େ ଚାଲ | ଆଉ ଜଣେ ପ୍ରତିବାଦ କଲା-ଶଳାଟା ଆମର ତାଡ଼ିବ ? ହୁଟ୍ | କଥା ଖେଳିଗଲା | ବାବା ଜଣକ ମୁହଁ ବୁଲାଇଲେ ଅନ୍ୟଜଣେ ମନ୍ଦିରରୁ ବାହାରି ପଡ଼ିଲେ |

ଜଣେ କହିଲା- ଶଳାଗୁଡ଼ା ଦିଟା ବେ | ଶଳା ଦିଟାକୁ ହାଣିଦିଅ | କାମ ତମାମ କର | ପ୍ରତିବାଦ କଲା ଜଣେ-ଶଳା ଫାଲତୁ ବକ୍ ନା | ଦେଖ୍ ଶଳାର ବୁଦ୍ଧି | ମାଲ୍ରେ ଲାଲ୍ରଙ୍ଗ ଚଳେ କି ବେ ?

ଟିକିଏ ବୟସ୍କ ହଡ଼ାବଳଦ ଭଳି ଦିଶୁଥିବା ବୁଢ଼ାଳିଆ ଟୋକାଟେ କହିଲା- ଶଳାଗୁଡ଼ାଙ୍କୁ ଯାଇ ଭୁଜାଲି ଦେଖା | ସେମିତି ହେଲା | ଏଠୁ ଝପଟିଗଲେ ଦିଜଣ | କାବୁ କରିଦେଲେ ବାବା ଦିଜଣଙ୍କୁ | କଥା ଛିଡ଼ିଲା-ପାଳିକରି ଜଗ, ପାଳିକରି ଆସ |

ସେମିତି ହେଲା | ନୀରବ ମାଂସ କଣ୍ଢେଇ ହେଇ ହାତରେ ଝୁଲୁଥିବା ଶ୍ୟାମଳୀକୁ ତଳେ ଥୁଆହେଲା | ତାନୀରବତା ଉପରେ କୁକଥା କୁହାଗଲା | ବେଶ୍ୟାର ଆରୋପ ଦିଆଗଲା ବିବସନା କରାଗଲା | ଟିକିଏ ବି ପ୍ରତିରୋଧ କରୁ ନଥିଲା ଶ୍ୟାମଳୀ | ତାପରେ ପୁରୁଷ ପରେ ପୁରୁଷ | ଗୋଟିଏ ପୁରୁଷର ପୁରୁଷାକାର ଗୁଡ଼ାଏ ଆବର୍ଜନାରେ ପରିଣତ ହେଇଯିବାକୁ ଯେତିକି ସମୟ ଗଲା, ସେତିକି ବା ତାଠୁ କମ୍ ସମୟ ବ୍ୟବଧାନରେ ଜଣେ ପରେ ଜଣେ ପୁରୁଷ ଆବର୍ଜନା ପାଲଟୁଥିଲେ | ଶ୍ୟାମଳୀ ପ୍ରତିଥର ଛେପ ଫିଙ୍ଗୁଥିଲା ମାଟିକୁ | ଏମିତି ଫିଙ୍ଗୁଥିଲା ଯେମିତି ସେ ଛେପ ଫିଙ୍ଗୁଥିଲା ସେମାନଙ୍କ ମୁହଁକୁ | କିଛି ସମୟ ଏକୁଟିଆ ରହିଲା ଶ୍ୟାମଳୀ | ଭାବିଲା ସବୁଗୁଡ଼ା ମରିଗଲେ ବୋଧହୁଏ | ଶ୍ୟାମଳୀ ଉପରେ ଗଡ଼ି ଗଡ଼ି ଚାଲିଯାଇଥିଲା ସମୟ | ଗୋଟାଏ ପୁରୁଷଠାରୁ ବଞ୍ଚିବା ପାଇଁ ସେ ଚାହିଁଥିଲା ମୃତ୍ୟୁ | ଏବେ ତାସାମ୍ନାରେ ଅନେକ ପୁରୁଷ | ପୁରୁଷର ହାଇ ତାଉପରେ ମାଡ଼ିଗଲା | ସେ ଘୃଣାରେ ଅପମାନରେ ଛିଞ୍ଚାଡ଼ି ଦେଲା ତାମନକୁ | ସେ ଧଡ୍କି ଉଠିଲା | ବିହ୍ବଳ ପୁରୁଷଗୁଡ଼ା ପ୍ରସ୍ତୁତ ହେଇଥିଲେ ଚାଲିଯିବାକୁ | ଶ୍ୟାମଳୀ ସେମାନଙ୍କୁ ଚାହିଁଲା | ସବୁରି ମୁହଁରେ ବିଜୟ ଭେରୀ | ଆଖିରେ ପୁରୁଷର ମିଛ ଗୌରବ | ସେ ସହିପାରିଲା ନାହିଁ | ତାଆଖି ମାଡ଼ିଧରିଲା ପୁରୁଷଗୁଡ଼ାଙ୍କୁ | ଯେପରି ପୁରୁଷର ବଳ ମାଡ଼ିବସେ ନିରୀହଙ୍କୁ |

ଏଥର ଠିଆହେଲା ଶ୍ୟାମଳୀ | ତାଉଲଗ୍ନ ଦେହକୁ ଆଖି କଲେ ବିଜୟୀ ପୁରୁଷଗଣ | ସେ ମୁକ୍ତହେଇ ସାରିଥିଲା ନିଜ ଭିତରେ | ପଡ଼ିଥିବା ଭୁଜାଲିଟାକୁ ସେ ଉଠେଇ ଧରିଲା | ସେମାନେ ଦେଖୁଥିଲେ ଦୃଶ୍ୟ | ହସି ଉଡ଼େଇଦେଲେ ଦୃଶ୍ୟକୁ | ନିସ୍ତେଜ ପରି ପଡ଼ିରହିଥିବା ଦେହକୁ ବିଦାରିଥିବା ପୁରୁଷଗୁଡ଼ା କାହିଁକି ବା ଭୟ କରନ୍ତେ ତା ରୂପକୁ ? ସମସ୍ତେ ଭୋଗ କରୁଥିଲେ ଦୃଶ୍ୟ | ଶ୍ୟାମଳୀ ଏଥର ଆଗେଇଗଲା ତିନି ପାଦ | ପିନ୍ଧିବାକୁ ଆରମ୍ଭ କରିଥିବା ଜଣେ ପୁରୁଷର ଚୁଟି ଧରିନେଲା | ହାଣିଲା ଚୋଟେ | ଦିଗଡ଼ ହେଇଗଲା ଗୋଟେ ଲଙ୍ଗଳା ଦେହ | ରକ୍ତ ପିଚିକି ପଡ଼ିଲା | ଯେଉଁ ରଙ୍ଗ ରଙ୍ଗେଇଦେଲା ଶ୍ୟାମଳୀର ମୁହଁ ଦେହ | ତାରକ୍ତମୁହାଁ ଆଖି, ତାରକ୍ତଓଦା ମୁହଁ ଖୁବ୍ ଭୟଙ୍କର ଦିଶୁଥିଲା | ଭୟରେ କାତର ଅନ୍ୟ ପୁରୁଷମାନେ ଦୌଡ଼ିବାକୁ ଲାଗିଲେ |

ଏଥର ଶ୍ୟାମଳୀ ଆଖି ବାବାଙ୍କ ଉପରେ | ଯେଉଁ ଆଖିରୁ ନିଆଁ ବର୍ଷୁଥିଲା, ସେଇ ଆଖିରେ ବାବାମାନେ ପଡ଼ିଗଲେ, ଜଳିଗଲେ, ଭସ୍ମିଭୂତ ହୋଇଗଲେ | ତଥାପି ଅନ୍ଧାର ଆସି ନଥିଲା | ଅନ୍ଧାର ଯାଏଁ ବ୍ୟାପିରହିଥିବା ସମୟ ଉପରେ ଧୀର ପବନ ବହୁଥିଲା | ଶ୍ୟାମଳୀର ମୃତ୍ୟୁଲଗ୍ନ ଫିଟି ନଥିଲା |

 

0 Response to "ମୃତ୍ୟୁଲଗ୍ନ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel