ରଫ୍ ଖାତା

ରଫ୍ ଖାତା

ରଫ୍ ଖାତା

 ମନ୍ମଥ କୁମାର ଦଳେଇ

ବସ୍ତାନି ଭିତରେ
ରଫ୍ ଖାତାଟିର ସ୍ଥିତି ବଡ ଭୟଙ୍କର।
ତା’ର ପ୍ରତିଟି ପୃଷ୍ଠା ଉତ୍ସର୍ଗ କରିଛି
ଅନ୍ୟର ଉପକାର ପାଇଁ।
ଲେଖାମାନଙ୍କର ଗହଳି ଭିତରେ
ବ୍ୟସ୍ତ ରହୁଥିବା ପ୍ରତିଟି ଫର୍ଦ୍ଦ
ସୂଚେଇ ଦେଇଛି ‘କର୍ମ ହିଁ ଭଗବାନ’,
ପରିଶ୍ରମ ହିଁ ସଫଳତାର ଚାବିକାଠି।

ସର୍ବେ ଭବନ୍ତୁ ସୁଖିନଃ ନ୍ୟାୟରେ
ଏହି ରଫ୍ ଖାତାଟି ବଞ୍ଚିବା ଶିଖିଛି।
ଦଳିତ ନିଷ୍ପେସିତଙ୍କ ପରି
ବାଜେ ଖାତାର ପରିଚୟ ନେଇ
ସାରି ଦେଇଛି ତା’ର
ତମାମ ଆୟୁଷକୁ।
ବୟସ ପୁରିବା ଆଗରୁ କେତେବେଳେ ଭାସି ଯାଇଛି
କାଗଜ ଡ଼ଙ୍ଗା ହୋଇ ବରଷା ସୁଅରେ ତ,
କେତେବେଳେ ଝାଲ୍‌ ମୁଢ଼ିର ଠୁଙ୍ଗା
ହୋଇ ମିଳେଇ ଯାଇଛି ଅଳିଆ ଗଦାରେ।

ବିନା ସ୍ଵାକ୍ଷର, ବିନା ସ୍ୱୀକୃତିରେ
ଏହି ଖାତାଟି ମୁଣ୍ଡେଇଛି
ସବୁ ଖାତାମାନଙ୍କର ବୋଝ,
ଅସୁନ୍ଦର ଅକ୍ଷରମାନଙ୍କୁ ନେଇ
କଦାକାର କରିଛି ତା’ର ଚେହେରା,
ପୁରୁଣା ଖାତାମାନଙ୍କର ବଳକା
କାଗଜମାନଙ୍କରେ ଗଢ଼ିଛି
ନିଜ ନିର୍ମମ ଭବିଷ୍ୟତ।
ଅତ୍ୟଧିକ ଚାପ ଭିତରେ
ଆଲିଙ୍ଗନ କରିଛି ଅକାଳ ମୃତ୍ୟୁକୁ।

0 Response to "ରଫ୍ ଖାତା"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel