ସ୍ନେହଲତା ନାୟକ
ବତାସୀ ଠେକିଟାକୁ ଖଜୁରୀ ଗଛରୁ ଓହ୍ଲାଇ ଖୁବ୍ ସନ୍ତର୍ପଣରେ ତଳକୁ ଆସିଲା | ସଜ ତାଡ଼ି ପିଇବାକୁ ଢେର ଗରାଖ | ହାଁ କରି ଉପରକୁ ଅନେଇ ଠିଆ ହେଇଛନ୍ତି କେତେବେଳୁ | ଗରାଖଙ୍କ ଭିତରେ ଧନୀ, ଗରିବ, ଦୀନମଜୁରିଆଙ୍କଠୁ ଆରମ୍ଭ କରି ନେତାଙ୍କ ଚେଲାଚାମୁଣ୍ଡା ଆଉ ତାଙ୍କ ଛୁଆମାନେ ବି ଅଛନ୍ତି | ଏଇ ଇଲେକ୍ସନ୍ ସମୟରେ ଗରାଖଙ୍କ ସଂଖ୍ୟା ବଢ଼ିଯାଏ | ଗାଁ ଗଣ୍ଡାରେ ଯଦିଓ ଦେଶୀ ମାଲ ଅଧିକ ପରିମାଣରେ ବିକ୍ରୀ ତଥାପି ତାଡ଼ିର ଆଦର କମିନାହିଁ | ଆଜି ଠାକୁରାଣୀ ଛକରେ ମିଟିଙ୍ଗ ଅଛି ଆମ୍ବଚି଼ହ୍ନ ବାଲାଙ୍କର | ଦଶଟା ଖଜୁରୀ ଗଛରୁ ତାଡ଼ି ସଂଗ୍ରହ କରିଛି ସେ | ବାସୀ ସହ ମିଶେଇ ବିକିଯିବ | ଯେଉଁ ଗିଲାସକୁ ଦଶଟଙ୍କା ନିଏ ଆଜି ସେଇଟା ଡବଲରେ ଯିବ | ଅତିକମ୍ରେ ଦି’ ହଜାର ପାଇବ | ରାସ୍ତା କଡ଼େ କଡ଼େ ଖଜୁରୀ ଗଛ ଭର୍ତ୍ତି | ସେ ଖଜୁରୀ ରସ ନେଲାବେଳେ ପିଞ୍ଛା ବି କାଟିନିଏ | ସେଥିରେ କୁସୁମୀ ଝାଡୁ ଆଦି କ’ଣ କ’ଣ ବନାଏ | ତା’ ବାଦେ ବାଉଁଶରେ ନାଳିଆ, କୁଲା, ପାଛିଆ ବୁଣେ | ଏଇଥିରୁ ଗୁଜୁରାଣ ମେଣ୍ଟାନ୍ତି ପାଞ୍ଚ ପ୍ରାଣୀ କୁଟୁମ୍ବ | ବତାସୀର ବାପ ହାଡ଼ିଆ କୋଉ କାଳରୁ ମଲାଣି | ମାଆ ତ ଆହୁରି ଆଗରୁ ଯାଇଥିଲା | ସାଆନ୍ତରାବାବୁ ଘର ତା’ ବାପାକୁ ଏଇ ଜାଗାଖଣ୍ଡକ ଦେଇଥିଲେ | ଗାଁର ଶେଷ ମୁଣ୍ଡରେ ଆମ୍ବ, ଜାମୁ, ବରଗଛ, ଆହୁରି କେତେଟା ଜଣାଶୁଣା ଗଛ | ସେଇ ଭିତରେ ବଡ଼ ବଡ଼ ଚାଳିଆ ଦି’ଖଣ୍ଡ ତାଙ୍କର | ଗୋଟାକରେ ଛେଳି, ଜାଳକୁଟା, ଖଜୁରୀ ପିଞ୍ଛା, ଚୁଲୀ ଚଉକା, ଆରଟିରେ ସେମାନେ ଶୁଆବସା କରନ୍ତି | ଖରାଦିନ ରାତିଟା ବାହାରେ ବିତେ | ଫର୍ଚ୍ଚା ଜହ୍ନ ଆଲୁଅରେ କୁସୁମୀ ସବୁ କାମ କରିନିଏ | ତାଙ୍କର ହାତ ପଙ୍ଖା ଲୋଡ଼ା ହୁଏନାହିଁ | ବଢ଼ିଆ ସୁଲୁସୁଲିଆ ପବନ ପୋଖରୀ ଆଡୁ ହୁଲୁହୁଲୁ ହେଇ ମାଡ଼ିଆସେ | ଆଉ ଶୀତ ମାସର ଦିନଟା ବିତେ ଖରାରେ | ଚାଳିଆ ଆଗକୁ ଆଉ ଗୋଟେ ଚୁଲୀ ବିଛେଇ କୁସୁମୀ ସେଇଠି ରୋଷେଇବାସ କରେ | ଗୋବରରେ ପୂରା ଦାଣ୍ଡଟାକୁ ଲିପିଦେଇଥାଏ | ସେଇ ନରମ ଉଷୁମ ଖରାରେ ସମସ୍ତଙ୍କର ଖାଇବାପିଇବା କାମ ହୋଇଯାଏ | ବର୍ଷା ଦିନରେ ଯାହା ଖାଲି ଚାଳିଆ ଭିତରେ ରନ୍ଧାବଢ଼ା ହୁଏ |
ଘର ବାହାରେ ଦି’ଖଣ୍ଡ ଦଉଡ଼ିଆ ଖଟ | ଗରାଖ ସେଇ ଖଟରେ ବସନ୍ତି | ବଡ଼ ବଡ଼ ସିଲ୍ଭର୍ ଗ୍ଲାସ୍ରେ ତାଡ଼ି ପିଅନ୍ତି | ପରସ୍ପରକୁ ଅଶ୍ରାବ୍ୟ ଭାଷାରେ ଗାଳିଫଜିତ୍ କରନ୍ତି | ଯେତେବେଳେ ନିଶାଟା ଗାଢ଼ ହୁଏ କିଏ କାହାକୁ କୁଣ୍ଢୋଉଥାଏ, ଗେଲ କରୁଥାଏ ତ ପୁଣି କେତେବେଳେ ମାଡ଼ପିଟ୍ ଲହୁଲୁହାଣ | ଏ ସବୁକୁ ଦେଖିଦେଖି ବତାସୀର ଦିହ ପଥର ହେଇଯାଇଛି ସିନା କୁସୁମୀ ସେଇ ସମୟରେ ଘରୁ ବାହେରେନି | ସେ ତା’ର ତିନି ଛୁଆଙ୍କୁ ନେଇ ଭିତରେ ବସିଥାଏ | ସୋଲା, ରାଗ ମଟର, ମୁଢ଼ି ଓ କଞ୍ଚାଲଙ୍କା ସବୁ ଜିନିଷ ବତାସୀ ପାଖରେ ଥୋଇଦେଇଥାଏ ଆଗରୁ | ବଡ଼ପୁଅ ଝିଅ ଦି’ଟା ଗାଁ ସ୍କୁଲରେ ପାଠ ପଢୁଛନ୍ତି | ସାନଟି ମା’ କ୍ଷୀର ଛାଡ଼ିନି | ବତାସୀ ସିନା ତାଡ଼ି ବିକୁଛି ହେଲେ କୁସୁମୀର ସ୍ବପ୍ନ ଅସରନ୍ତି | ବାହାରେ ହୋ’ହାଲ୍ଲା ଚାଲିଥିବା ବେଳେ ସେ ତା’ର ଚାଳିଆ ଭିତରେ ବସି ବୁଣୁଥାଏ ସ୍ବପ୍ନର ବୁଢ଼ିଆଣୀ ଜାଲ | ତା’ ପିଲାଏ ବଡ଼ ହେବେ | ପାଠ ଦି’ଅକ୍ଷର ପଢ଼ି ସାଆନ୍ତରାବାବୁ ଘର ଛୁଆଙ୍କ ଭଳି ବଡ଼ ବଡ଼ ଅଫିସ୍ରେ ଚାକିରୀ କରିବେ | ସହରରୁ ଚାରିଚକବାଲା ଗାଡ଼ି ଚଢ଼ି ଆସିବେ | ସେ ନିଇତି ନୂଆ ନୂଆ ଶାଢ଼ୀ ପିନ୍ଧି ଗାଁ ଭିତରକୁ ଯିବ | ଗାଁ ମାଇପେ ସବୁ ତାକୁ ଘେରିଯାଇ ପଚାରିବେ- ତୋ’ ପୁଅ ଆଣିଛି କିଲୋ ଏ ଶାଢ଼ୀ, ଢେରେ ଟଙ୍କା ପଡ଼ିଥିବ | ସେ ତା’ ପୁଅଙ୍କ ସାଙ୍ଗରେ ଗାଡ଼ିରେ ବସି ସହରକୁ ଯିବ | ଏ ଚାଳିଆ ଦି’ଖଣ୍ଡକୁ ଭାଙ୍ଗି କୋଠା ଘର ପାଞ୍ଚ ବଖରା ବନେଇବ | ଗୋଟାକରେ ସେ ଓ ବତାସୀ ଆଉ ତିନିଟାରେ ପୁଅଝିଅ, ଗୋଟିଏରେ କୁଣିଆ ବନ୍ଧୁବାନ୍ଧବ ବସାଉଠା କରିବେ | ଏଇମିତି ଭାବୁଭାବୁ ରାତି ମାଡ଼ିଆସେ | ଗରାଖ ଫେରିଯାନ୍ତି ଆପଣା ବାଟରେ | ବେଳେବେଳେ କିଏ କିଏ ପଡ଼ିଥାନ୍ତି ସେଇ ଦଉଡ଼ିଆ ଖଟରେ ନହେଲେ ତଳେ ରାତି ଅଧଯାଏ, ବିଳିବିଳେଇ ହଉଥାନ୍ତି | ନେତାଙ୍କୁ, ଶ୍ବଶୁର ଘରକୁ, ପୁଅ ମାଇକିନାଙ୍କୁ ଶୋଧୁଥାନ୍ତି କାନ ନ ଶୁଣିଲା ଭଳିଆ ଭାଷାରେ |
ବତାସୀ ଭାରରେ ତାଡି ଠେକିଗୁଡ଼ାକ ବୋହିଆଣି ବାହାରୁ ଡାକ ପକେଇଲା- ଏ କୁସୁମୀ ! ଆଣ ଲୋ ପାଣି ଢାଳେ | ଓଃ କି ଗରମ, ଚଇତରୁ ଏତେ ତାତି, ଆହୁରି ଦିନକାଳ ଅଛି | ଉଚ୍ଛୁଣି ସୁଲୁସୁଲୁ ପବନରେ ଦିହମନ ଉଲୁସିଯାଉଥାନ୍ତା | ଦକ୍ଷିଣା ବାଆ କାଇଁ ? ଗମଗମ ଝାଳ ବାହାରୁଛି ଦିହରୁ…. କୁସୁମୀ ପାଣି ଢାଳେ ଆଣି ଥୋଇଲା | କହିଲା- ପଖାଳ ବାଢ଼ିଦେମି ? ଆଜି ନବା ମା ଆସିଥିଲା | ଶିଳା ଶୁଖୁଆ ଅଧାକେଜି ରଖିଚି ତା’ଠୁ | ବଡ଼ି, ଶୁଖୁଆପୋଡ଼ା ନଗେଇ ପଖାଳ ଖାଇଦିଅ | ଗରାଖ ଆଇଲେ ଆଉ ତର ସହିବନି…. | ଦେଖୁନ ଗାଡ଼ିଗୁଡ଼ାକ କେମିତି ଘାଉଁଘାଉଁ ହେଇ ଘୂରୁଛନ୍ତି |
–
ହଁ.. ଇଲେକ୍ସନ୍ ବଜାର, ଘୂରିବେନି! ଦିନକୁଦିନ ଦଳ, ଚି଼ହ୍ନ ସବୁ ବଢ଼ିଚାଲିଛି | ସମସ୍ତଙ୍କୁ ହଁ ହାଁ ମାରିଚାଲିବା କଥା | ଆମଠୁ ସବୁ ତଳବାଲା ପିଉଛନ୍ତି | ଆଜି ତ ଠାକୁରାଣୀ ଛକରେ ଆମ୍ବଚି଼ହ୍ନ ବାଲାଙ୍କର ମିଟିଙ୍ଗ୍ ଅଛି | ଆଲୋ କୁସୁମୀ ଆମ ଆମ୍ବ ଗଛରେ କେତେ ବଉଳ, କଷି ଭର୍ତ୍ତି ହେଇଛି ଲୋ | ଏସନ ଢେରେ ଆମ୍ବ ଫଳିବ |
– ସେ କଥା କ’ଣ କହିହବ | ଆମ୍ବ ପାଚିବାକୁ କେତେ ବାଧା | ବଇଶାଖୀ ଝଡ଼ ବତାସ ଆଗକୁ ଅଛି, କୁହୁଡ଼ିରେ ତ ଅଧା ଜଳିଗଲା | ଏଇନେ କଷି ବାହାରୁଛି | ପାଚିବାକୁ ଆଉରି କେତେ ବାଟ |
–
ହଉ ତୁ ଛାଡ଼ ସେ କଥା | ଶୁଖୁଆ ଯେବେ କିଣିଚୁ ଭାଜିଦେ | ତାଡ଼ି ସାଙ୍ଗରେ ଶୁଖୁଆ ଜମିବ | ମୁଁ ଆଉ ପାଞ୍ଚଟଙ୍କା ଲେଖାଏଁ ଅଧିକା ନେମି |
କୁସୁମୀ ସଞ୍ଜ ସଳିତା ଜାଳିଲା ବେଳକୁ ଠାକୁରାଣୀ ଛକ ଖାଲି ଉଠୁଥିଲା ପଡ଼ୁଥିଲା | ବତାସୀ ଠେକିରେ ଟୋପାଟେ ହେଲେ ତାଡ଼ି ନାହିଁ | ସବୁ ତା’ଉପରେ ଗରମ | ଯଦି ତାଡ଼ି ନାଇଁ, ଯା… ଦେଶୀ ମାଲ୍ କୋଉଠୁଁ ଆଣେ | ବତାସୀ ଟିକେ ଏପାଖସେପାଖ ହେଲା, ଦେଶୀ ମାଲ୍ ଉପରେ ଏବେ ଟିକେ କଟକଣା | ପୁଲିସ୍ ଲାଗ୍ଲାଗ୍ ଦି’ତିନିଥର ଚଢ଼ଉ କଲାପରେ ନନ୍ଦିଆର ପଛପଟିଆ କାରବାର ବନ୍ଦ | ଦେଶୀ ମାଲ, ତାଡ଼ି, ଭାଙ୍ଗ ଗଞ୍ଜେଇ ନହେଲେ କି ମିଟିଙ୍ଗ୍ ହୋ…. ଲୋକେ ନାକ ଛିଞ୍ଚାଡ଼ି ସଭା ଜାଗା ଛାଡ଼ି ବତାସୀ ଚାଳିଆ ଆଗରେ ଭିଡ଼ ଜମେଇଲେ | କୁସୁମୀ ଆଗରୁ ସବୁବେଳେ ବତାସୀକୁ କହିଛି- ଏ ତାଡ଼ି ବିକା ଧନ୍ଦା ଛାଡ଼ିଦିଅ | ସାଆନ୍ତରାବାବୁ ଘରେ ପଛେ ମଜୁରୀ ଖଟ, ଏ ଝାମେଲାରେ ପଡ଼ନା | ମୋ କଥା ଛାଡ଼ | ଝିଅଟା ଆମର ବଡ଼ ହେଲାଣି | ନିଶାଡିଗୁଡ଼ାଙ୍କର ହୋସ୍ ରହୁନି | କେତେବେଳେ କ’ଣ କରିବସିବେ | ବତାସୀ ତାକୁ ହାଙ୍କେ- ମୋର ଏଇ ଧନ୍ଦା ଢେର ଭଲ | କାହିଁକି କା’ ଘରେ ମୁଣ୍ଡ ବିକିମି ? ତୁ ତ ଝାଡୁଫାଡୁ ବାନ୍ଧୁଛୁ | ଏ ବେପାରରେ ବି ଦି’ପଇସା ବାହାରୁଛି | ଏତେ ଆଗକୁ କାହିଁକି ଭାବୁଛୁ | ଝିଅଟା ଭୂଇଁରୁ ବାହାରିନି | ପନ୍ଦର ବର୍ଷ ଆଗକୁ ମାଡ଼ି ଯାଉଛୁ |
ଆଜି ତାଡ଼ି ସରିଗଲାଣି ବୋଲି କେତେ ଗାଳିଫଜିତ୍ ଖାଇଲାଣି ବତାସୀ | ଯେତକ ପିଇଛନ୍ତି କେହି ହୋସ୍ରେ ନାହାନ୍ତି | ଆଉ ଗୋଟେ ଦଳର ନେତାଙ୍କ ମାଆଭଉଣୀ, ଚଉଦପୁରୁଷଙ୍କୁ ଦୁନିଆ ପ୍ରକାର ଅକଥା କହି ଗାଳି ଦେଉଛନ୍ତି | ବତାସୀ ପଛପଟ ଦୁଆର ଦେଇ ନନ୍ଦିଆ ଦୋକାନରେ ପହଞ୍ଚିଲା | ଆଗପଟେ ନ ଯାଇ ଟିକେ ବୁଲାଣିରେ ଯାଇ ପଛପଟେ ଢୁକିଲା | ଡବଲ ଦାମ୍ ଦେଇ ଗୋଟେ ବେରେଲ୍ ଭର୍ତ୍ତି ମଦ ଧରି ଦୌଡ଼ିଲା ଘର ଆଡ଼େ | ୟାକୁ ଆଜି ଚାରିଗୁଣାରେ ବିକିବ | ଇଛୁଣି ସମସ୍ତଙ୍କ ପକେଟ ଗରମ | ଯାହାକୁ ଯାହା ମାଗିଲେ ମିଳିବ | ତା’ର ତ ଦଳଫଳ ନାହିଁ | ସମସ୍ତଙ୍କୁ ଆଜ୍ଞା ହଜୁର୍ କରି ଦି’ପଇସା କମେଇଲେ ଗଲା | ଆଉ ଦି’ଦିନପରେ ଡ଼ଙ୍ଗା ଚିହ୍ନ ବାଲାଙ୍କର ମିଟିଙ୍ଗ୍ | ଏଇନେ ଭଲ କରି କମେଇଲେ ବରଷା ଚାରି ମାସକୁ ଆଉ ଝାମେଲା ନ ଥିବ | ବତାସୀ ବାଡ଼ିପଟ ଦୁଆର ଦେଇ ଘର ଭିତରେ ପଶିଲା | ଦାଣ୍ଡରେ ଲୋକେ ହୋହୋ ହଉଛନ୍ତି | ବଗୁଲିଆ ଟୋକା ପିତେଇ ଗାଁ ର ଜଣେ ସାଆନ୍ତଙ୍କୁ କୁଣ୍ଢେଇ ଗୀତ ଗାଉଛି , ମୋ ରଙ୍ଗବତୀ ଲୋ ରଙ୍ଗବତୀ , ଆମ୍ବଚି଼ହ୍ନରେ ତୁ ଭୋଅଟ ଦେବୁ ଲୋ ଡଙ୍ଗାକୁ ମାରିବୁ କାତି | କୁସୁମୀ ଛୁଆଙ୍କୁ ଧରି କୋଣରେ ପଶିଛି | ତା’ଛାତି ଖାଲି ଦାଉଁଦାଉଁ ପଡୁଛି | ଆଜି କ’ଣ ଏଇ ଚାଳିଆ ଭିତରେ ପ୍ରଳୟ ହେବ କି ? ବତାସୀ ମଦ ବେରେଲ ଓ ଗ୍ଲାସ୍ ଧରି ବାହାରକୁ ବାହାରିଗଲା | ଥାଳିରେ ଥାଳିଏ ରାଗ ମଟର ଭଜା ପୁଅ ଆଣି ଥୋଇଦେଲା ତା’ପାଖରେ | ବେରେଲ୍ଟା ଯାକ ମଦ ନିମିଷିକ ଭିତରେ ଖତମ୍ | ପେଟେ ପେଟେ ପିଇ ନଗେନ୍ ଭାଇ ଜିନ୍ଦାବାଦ୍ କହି ଲୋକେ ଚାଲିଲେ ମିଟିଙ୍ଗ୍ ପାଖକୁ | ବତାସୀର ଟଙ୍କା ବାକ୍ସ ପୁରା ଫୁଲ୍ | ଜିନିଷ ପତ୍ର ଉଠାଉଠି କରିସାରିଲା ବେଳକୁ ଦୁଆର ଖୋଲି ବାହାରକୁ ଆସିଲା କୁସୁମୀ | ଖଟ ତଳେ ଉପରେ ଆହୁରି ତିନିଚାରିଟା ଗଡୁଛନ୍ତି | କିଏ କିଏ ଅସଭ୍ୟ ଭାଷାରେ ବିଳିବିଳେଉଛନ୍ତି | ଗୋଟେ ତ ଆଉ ଗୋଟେ ନିଶାଡିକୁ ତା’ ମାଇକିନା ଭାବି ଟଣାଓଟରା କରୁଛି |
ଛି- ଏ ମର୍ଦ୍ଦଗୁଡ଼ାକ କ’ଣ ହଉଛନ୍ତି ଲୋ ମା | ନିଶା ପିଇବ ବୋଲି ଇମିତି ହବ… ଘରଭିତରକୁ ପଶିଆସି କୁସୁମୀ କହିଲା ବତାସୀକୁ |
-ଏ… ତୁ ଚୁପ୍ଚାପ୍ ରହ | ବାହାରକୁ ବାହାରେନା | ଏଇଠି ଗଣ୍ଡେ ଫୁଟାଇଦେ | ଯାଉ ଆଉ ପନ୍ଦର ଦିନ | ସବୁ ଥଣ୍ଡା ପଡ଼ିଲେ ଯାଇ ବାହାରେ ରୋଷେଇ କରିବୁ | ଦିନରେ ବଳିଥିବା ତିନି ଚାରୋଟି ଶୁଖୁଆକୁ ପୋଇ ସାରୁ ପକେଇ ଝୋଳ କଲା କୁସୁମୀ | ଗରମ ଭାତ ତରକାରୀ ବାପଛୁଆ ଚାରିଜଣଙ୍କୁ ବାଢ଼ିଦେଲା | ବାସନତକ ଘରର ଗୋଟେ କୋଣରେ ଥୋଇଦେଲା | ସକାଳେ କୂଅରୁ ପାଣି କାଢ଼ି ମାଜିବ | ବାହାରେ ଏ ଯାଏଁ ବି ଘୋଘୋ ଶବ୍ଦ, ଗାଳିଫଜିତ୍ | ଆଉ ଥରେ ଥରେ ମାଲ୍ ପିଇବାକୁ ଲୋକେ ତାଙ୍କ ଦୁଆର ବାଡ଼େଇବାଡ଼େଇ ଫେରିଗଲେଣି | ଛୁଆମାନଙ୍କୁ ଧରି ବତାସୀ ଓ କୁସୁମୀ ଭିତରୁ ଛିଟିକିଣି ଦେଇ ଶୋଇଗଲେ ନିଘୋଡ଼ ନିଦରେ | ଟୋକା ତିନିଚାରିଟା ତଥାପି ଗଡୁଛନ୍ତି ସେଇଠି |
କୁଆ କା’ କରିବା ଆଗରୁ ନିଦ ଭାଙ୍ଗିଲା କୁସୁମୀର | ଅଣ୍ଡାଳିପକେଇଲା ବିଛଣାକୁ | ଏଁ ଝିଅଟା କୁଆଡ଼େ ଗଲା ? ଏଇଠି ତ ଶୋଇଥିଲା | ଧଡ଼ପଡ଼ ହେଇ ଉଠିଲାବେଳକୁ ଦେଖିଲା ବାଡି ଦୁଆର ଠିଆ ମେଲା | ତା ଛାତିରେ ଖାଲି ହାତୁଡି ପାହାର, ସେ ବତାସୀକୁ ହଲାଇଦେଲା ଜୋର୍ରେ | ନିଦ ମଳ ମଳ ଆଖିରେ ଉଠି ବସିଲା ବତାସୀ |
– କ’ଣ ହେଲା ଇମିତି ଚିଲ୍ଲଉଚୁ କାହିଁକି ?
– ଝିଅ ତ ଘରେ ନାହିଁ |
– ଝିଅ ଘରେ ନାଇଁ ? କୁଆଡ଼େ ଗଲା ? ଏଇ ଝାଡ଼ାଝପଟ ଲାଗି ଯାଇଥିବ ବାଡିଆଡ଼େ, ଏଇଥିରେ ବ୍ୟସ୍ତ ହେଉଛୁ ! ବତାସୀ କୁସୁମୀର ହାତଧରି ଘର ଚାରିପଟେ ଅଣ୍ଡାଳିଲା | କ’ଣ ପୋଖରୀ ଆଡ଼େ ପଳେଇଲା କି ? ଆକାଶ ଫର୍ଚ୍ଚା ଦିଶିଲାଣି | ଦିହେଁ ଦି’ଦିଗକୁ ଖେଦିଗଲେ | ତୋଟାର ଶେଷ ମୁଣ୍ଡରେ ଝିଅକୁ ଦେଖିଲା କୁସୁମୀ | ତା’ପାଟିରେ ଲୁଗା ବିଣ୍ଡା | ଦିହରେ କପଡ଼ା ନାହିଁ | ନ ବର୍ଷର ଛୁଆକୁ….
ଆହା କି ଚାଣ୍ଡାଳ କାମ….. ଝିଅକୁ କୁଣ୍ଢେଇଧରି ବଡ଼ ପାଟିକଲା କୁସୁମୀ | ଦଉଡ଼ିଆସିଲା ବତାସୀ | ଝିଅର ନିଃଶ୍ବାସ ଟିକେ ଟିକେ ଚାଲିଛି | କୁସୁମୀ ତା’ଲୁଗା କାନି ଘୋଡ଼େଇ ଝିଅକୁ ଘରଯାଏ ଟେକିଆଣିଲା | ଡାକ୍ତରଖାନାକୁ ବାହାରିଲା ବେଳକୁ ଦୁଆର ମୁହଁରେ ପୋଲିସ |
–
ତୁ ବତାସୀ ନା, ଚାଲ ଥାନାକୁ | ମଦରେ କ’ଣ ମିଶେଇ ବିକିଛୁ | ରାତିସାରା ଲୋକେ ଡାକ୍ତରଖାନାକୁ ଧାଡ଼ି ଲଗେଇଛନ୍ତି | ଚୋରା ମଦ କାରବାର କରୁଛୁ ନା, ତୋ ମଜ୍ଜା ଛଡ଼େଇବି ଆଜି, ଥାନା ବଡ଼ବାବୁ ଧମକେଇଲେ ବତାସୀକୁ…. | କୁସୁମୀ ତାଙ୍କ ଗୋଡ଼ ତଳେ ଛୁଆକୁ ଗଡ଼େଇ ଦେଇ ଭେଁଭେଁ ହୋଇ କାନ୍ଦିଲା…. ବାବୁ ମୋ ଝିଅକୁ ବଞ୍ଚାନ୍ତୁ |
–
ତାହେଲେ ଏଇଠି ଦିଇଟା କେସ୍ |
ପୋଲିସ୍ ବାପ ମାଆ ଛୁଆ ତିନିଜଣଙ୍କୁ ଗାଡ଼ିରେ ବସାଇ ନେଇଯାଇଥିଲା ବେଳେ ଆଉ ଦି’ପୁଅ ଗାଡ଼ି ପଛେ ପଛେ ଦଉଡୁଥିଲେ ଅଣନିଃଶ୍ବାସୀ ହେଇ |
0 Response to "ଛାଇ ଆଲୁଅ"
Post a Comment