ହସ ଖୋଜେ ମଣିଷ

ହସ ଖୋଜେ ମଣିଷ

ହସ ଖୋଜେ ମଣିଷ

 ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ

ହସିବାର ଅଦମ୍ୟ ଅଭିଳାଷ
ଆଜି ଚିର ପ୍ରଶମିତ
ଛାତି ଭିତରେ ଧକ୍କା ଖାଉଥିବା
ଅଜଣା ଢେଉର ଆକ୍ରୋଶରେ
ଆକ୍ତାମାକ୍ତା ଏ ଜୀବନ ୤
ପୁନେଇଁ ଚାନ୍ଦର
ଆତ୍ମୀୟତାର ହସ ଅବା
ଅଭିସାରିକାର କପଟୀ ହସ
ଆଜି ମୋ ପାଇଁ
ସବୁକିଛି ନିରସ ୤

ହସି ହସାଉଥିବା ଏ ମନ,
ଆଜି କନ୍ଦାକଟାର କୁଟିଳ
ପରିସୀମାରେ ଆବଦ୍ଧ,
କଣ୍ଟାବାଡ଼ ଘେରା ଏ ଜୀବନରେ
ହସ ଆଜି କ୍ଷତାକ୍ତ ୤
ହସଟିଏ ଫେରି ପାଇବାର ଇଚ୍ଛା,
ଆଜି ଅପୂରଣୀୟ
ହେଲେ,
କଣ ପାଇଁ ଏ ସବୁ ?
ଦିଲ୍ଲୀର ଦାମିନୀ ପାଇଁ ନା,
ପିପିଲିର ବବିନା ପାଇଁ ?
ଦି ଟଙ୍କିଆ ଚାଉଳରୁ ଦି’ଶ ଟଙ୍କିଆ
କମ୍ବଳର ରାଜନୀତିରେ
ଅପହୃତ ମୋ ହସ |

କେହି କହିବ କି,
କାହାର ନିର୍ବାଚନୀ ଇସ୍ତାହାରରେ
ଅଛି ଯୋଜନା,
ଚେନାଏ ହସ ପାଇଁ ?
ନା,
ସୀମା ଆରପାରିକୁ
ଭାରତୀୟ ଯବାନ୍‌ର କଟାମୁଣ୍ଡ
ସହ ଚାଲିଯାଇଛି ମୋ ହସ ?

0 Response to "ହସ ଖୋଜେ ମଣିଷ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel