ଆଶାରାଣୀ ବେଉରା
ପ୍ରିୟମ୍ବଦା ମନ ମୋର
ଫୁଲଫୁଟା ଋତୁର ବେଳରେ
ଯିବୁନାହିଁ ବସନ୍ତର ବଗିଚାକୁ
ବନ୍ଦି କରିଦେବ ତୋତେ ନାଗଫେଣୀ କଣ୍ଟାର ଅରଣ୍ୟ
କିଏ ବା କରିବ ମୁକ୍ତ?
ପକ୍ଷୀରାଜ ଘୋଡ଼ା ଚଢ଼ି ରାଜପୁତ୍ରମାନେ କେବେଠୁଁ ଗଲେଣି
ଏବେ ଯେ ଆସିବେ ସବୁ ଛଳନାରେ ଛଦ୍ମବେଶ ପିନ୍ଧି
ରାବଣର ମାୟାମୃଗ ହୋଇ ଅବା
ସୂବର୍ଣ୍ଣ କଙ୍କଣଧାରୀ ବାଘରୂପ ନେଇ
ପ୍ରିୟମ୍ବଦା ମନ ମୋର
ଯାଅ ନାହିଁ ପଦ୍ମପୋଖରୀକୁ
ଘୁମର ଘୁମର କଳାପାଣି ଭିତରେ ତ କୋରକିତ ପଦ୍ମର ବିପଣି
ମନ୍ଦ୍ର ନିରବତା ମଧ୍ୟେ କପଟୀ କୁମ୍ଭୀରର କୁଟିଳ ଚାହାଣି
ଛଳନାର ଦୁର୍ଗ ଯାହା ଚାରିଆଡ଼େ,
କପଟପାଶାର ଖେଳେ ପଣଟିଏ ହେବା ପାଇଁ ଖୋଜାପଡ଼େ ତୋର
ନୁହେଁ ତୁହି ପ୍ରିୟତିମା କା’ ର, ଦିଗ୍ବିଜୟୀ ସମ୍ରାଟର ଏକ ଜିତିଥିବା ଗଡ଼
ପ୍ରିୟମ୍ବଦା ମନ ମୋର
ଚାରିମେଘ ବର୍ଷିଲେ ବି ତୋଷ କରିପାରିବେନି
ଶୋଷ ତୋ ଚାତକୀ ଓଠର
ଯେ ଶ୍ରାବଣ ବେପଥୁରେ ଆଜି ତୁହିଁ ଉଚ୍ଚାଟ ଅଧିର
ସେ ଶ୍ରାବଣ ନୁହେଁ ଯେ ତୋହର
ପ୍ରିୟମ୍ବଦା ମନ ମୋର
ଫେରିଆ ସେ ମାୟାଜାଲ କାଟିଦେଇ
ନିଃସଙ୍ଗତା ମୁହୂର୍ତ୍ତକୁ ଆପଣାର କରି
ଗଭୀର ବିଶ୍ବାସରେ,
ଏକାନ୍ତ ଆଳାପର ଦୂର୍ଲଭ ମୁହୂର୍ତ୍ତର ଅପେକ୍ଷାରେ
ସେ ପରା ତୋର ପରମ ଆତ୍ମୀୟ
0 Response to "ଆଳାପ"
Post a Comment