ସ୍ବପ୍ନ ସାଗର

ସ୍ବପ୍ନ ସାଗର

ସ୍ବପ୍ନ ସାଗର
 
ଡ. ଅଭିମନ୍ୟୁ ବରାଳ

ଗାଁ ମୁଣ୍ଡରୁ ବାହାରି ଅଙ୍କାବଙ୍କା ରାସ୍ତାଟି ଯେଉଁଠି ଉତ୍ତରପଟକୁ ବୁଲିଯାଇଛି, ଠିକ୍ ସେଇଠି ପୂର୍ବପଟେ ରାସ୍ତାକୁ ଲାଗି ଗୋଟାଏ ବିରାଟ ଦଣ୍ଡା | ବର୍ଷାଦିନେ ଗାଁର ଗୋରୁଗାଈ ସେଇଠି ଚରନ୍ତି | ଦଣ୍ଡାର ଗୋଟାଏ ପଟେ ପ୍ରକାଣ୍ଡ ବରଗଛ | ସେହି ବରଗଛର ବଡବଡ ଓହଳରେ ଗାଁ ପିଲାମାନେ ଡାଳିମାଙ୍କୁଡି ଖେଳନ୍ତି | ଗାଈଆଳ ପିଲାମାନେ ଖରାବେଳେ ବରଗଛ ଛାଇରେ ଗାଈପଲକୁ ରଖି ବିଶ୍ରାମ କରନ୍ତି | କେତେବେଳେ କିଏ ଜଣେ ସେହି ଗଛମୂଳେ ଜହର ଖାଇ ମରିଯାଇଥିଲା | ସେହିଦିନୁ ଲୋକମାନେ ତାକୁ କହନ୍ତି ଜହରଖିଆ ବରଗଛ | ଗାଁଠାରୁ ଟିକିଏ ଦୂର ବୋଲି ସଞ୍ଜ ହେଲେ ଆଉ ସେଠାକୁ କେହି ଯାଆନ୍ତିନାହିଁ | ବରଫଳ ଖାଇବାକୁ ବାହୁଡାମାନେ ଆସି ଫଡ୍ଫଡ୍ ହୋଇ ଡାଳରୁ ସେ ଡାଳ ହୁଅନ୍ତି | ଟିକିଏ ଅନ୍ଧାରୁଆ ହୋଇଗଲେ ଗଛ ମୂଳ ହୋଇଯାଏ ଶୂନ୍ଶାନ୍ | କିଏ ବା କାହିଁକି ସେଠାକୁ ଆସିବ ? ବୁଢାମାନେ କହନ୍ତି- ବେଳେ ବେଳେ ସେ ଗଛରୁ ଭୂତ ବାହାରେ | ଭୂତ ଭୟରେ ସଞ୍ଜ ହେଲେ ଆଉ ସେଠାକୁ କେହି ଯାଆନ୍ତିନାହିଁ |

ମୁହଁ ଅନ୍ଧାର ହୋଇଆସିଲାଣି | ସେହି ଗଛ ମୂଳେ ଗଛକୁ ଆଉଜି ଏକୁଟିଆ ବସିଛି ସର | ଆଖି ବୁଜି ସେ ତାର ଅତୀତକୁ ଭାବିଚାଲିଛି | ଜଗୁ ସ୍ବାଇଁର ସେ ଏକମାତ୍ର ଝିଅ | ବାପ-ମାନାଁ ଦେଇଥିଲେ ସରୀତା, କିନ୍ତୁ ଶ୍ରଦ୍ଧାରେ ତାକୁ ସମସ୍ତେ ଡାକନ୍ତି ସର | ସରକୁ ଯେତେବେଳେ ପାଞ୍ଚବର୍ଷ ମାକୁନ୍ତଳା ଆଖି ବୁଜିଲା | ରୋଗ ହେଲା ଯେ, ଆଉ ସେ ଭଲ ହେଲାନି | ବାପ ଗରିବ ଦିନ ମଜୁରିଆ, କୁଆଡୁ ବା ପଇସା ଆଣି କଟକ ନେଇ ରୋଗ ଭଲ କରିଥାନ୍ତା ? ତଥାପି ସେ ପାରୁପର୍ଯ୍ୟନ୍ତେ ଚେଷ୍ଟା କରିଛି | ହେଲେ ସେ ରହିଲାନି, ଗଲାବେଳେ ଏତିକି କହିଥିଲା- ‘ମୋ ଝିଅ ତୁମକୁ ଲାଗିଲା’ | ତାକୁ ହତାଦର କରିବନାହିଁ ‘ | ଜଗୁ ମଧ୍ୟ କୁନ୍ତଳାର କଥାକୁ ଅକ୍ଷରେ ଅକ୍ଷରେ ପାଳିଥିଲା | କରତ କଳରେ କାମ କରି ଯାହା ଆଣେ ବାପଝିଅ ଚଳିଯାଆନ୍ତି | ରୋଷେଇବାସରେ ସାନଭାଇର ପିଲାମାନେ ଟିକେ ସାହାଯ୍ୟ କରିଦିଅନ୍ତି | ଏହିଭଳି ବର୍ଷ ଗୋଟାଏ କଟିଛି କି ନାହିଁ, ଦିନେ କରତ କଳରେ ଦୁର୍ଘଟଣା ଘଟି ଜଗୁ ସେପାରିକୁ ଚାଲିଗଲା | ମାଯାଇଥିଲା | ବାପ ବି ଚାଲିଗଲା | ବିଚାରି ସର କାନ୍ଥକୁ ଆଉଜି ଖାଲି କାନ୍ଦୁଥାଏ | ଫୁଲଟିଏ ଫୁଟିବା ଆଗରୁ ତାର କଢି ଯଦି ପ୍ରଚଣ୍ଡ ଆଘାତ ପାଏ- ସେ କଣ ମନ ଖୁସି ଫୁଟିପାରିବ ?

ସର ଏବେ ଏକା | ଦିଗହଜା ସମୁଦ୍ର ଭିତରେ ନାବିକହୀନ ନୌକା ଭଳି ସେ ଭାସିଚାଲିଛି | କେମିତି କୂଳରେ ଲାଗିବ କେଜାଣି ? ଆହା ! ବୋଲି କହିବାକୁ କେହି ନାହିଁ | ଏହାକୁ ହିଁ କହନ୍ତି ଭାଗ୍ୟର ବିଡମ୍ବନା ! ସଂସାରରେ ବାପ-ମାଙ୍କୁ ହରାଇଛି- ତା ପାଇଁ ସବୁ ଅନ୍ଧାର | ସବୁ ଶୂନ୍ୟ |
ବାପର ଶୁଦ୍ଧିଘର ସରିଲା | ବନ୍ଧୁବାନ୍ଧବ, ସାହିଭାଇ ବସିଲେ | ସରକୁ ଦାଦିଖୁଡ଼ୀଙ୍କ ଜିମା ଦେଲେ | ସମସ୍ତେ ବୁଝେଇଦେଲେ- ଡାଳ ଭାଙ୍ଗିଲେ ମୂଳରେ | କିଛି ଥିଲେ ବି ଜଗୁର ଅଧଗୁଣ୍ଠେ ଘରଡିହ ଅଛି ? ଇଏ ଝିଅ ପିଲାଟା, ଅଳିଆ ଗଦା | ପାଞ୍ଚ ତିନି ବରଷ ଗଲେ ପର ଘରକୁ ଚାଲିଯିବ | ପରହାଣ୍ଡି ଧୋଇ ଖାଇବ | ଘରଡିହଟାକୁ ତୋରି ପିଲାମାନେ ଭୋଗିବେ | ସର ଘରଡିହ ମୁଣ୍ଡେଇନେଇଯିବ ? ଆରେ ଝିଅ କିଏ ଝିଆରୀ କିଏ ? ମାଧିଆ କହୁନୁ ? ସାହିଭାଇଙ୍କ କଥାରେ ମାଧିଆ ରାଜି ହେଲା | ସରକୁ ନିଜ ପାଖରେ ରଖିଲା |

ସର ରୂପରେ ଯେପରି ଗୁଣରେ ମଧ୍ୟ ସେପରି | ଗାଁରେ ସମସ୍ତେ ତାବ୍ୟବହାରରେ ଖୁସି | ବାପମାଛେଉଣ୍ଡ ପିଲାଟିଏ ବୋଲି ସମସ୍ତେ ତାକୁ ଶ୍ରଦ୍ଧା କରନ୍ତି | କାହା ଘରେ ଭଲମନ୍ଦ, ପୁନିଅଁପରବ ହେଲେ ସମସ୍ତେ ସରକୁ ଡାକନ୍ତି | ହେଲେ ସର ଖୁଡୀ କହିଲେ ଯାଏନାହଁ | ଘରକୁ କିଏ ପିଠାପଣା ପଠେଇଲେ ଖୁଡୀର ମନ ହେଲେ କେବେ ଖଣ୍ଡେ ସରକୁ ଦିଏ, ନହେଲେ ନାହିଁ | ସର କିନ୍ତୁ ମନ ଦୁଃଖ କରେନି | ଗୁଣ୍ଡାଏ ଦେଲେ ଖୁନ୍ଦାଏ ମାରିବେ | ସମସ୍ତେ ମାନୁହନ୍ତି | ଦାଦି ମାଧିଆ ସବୁବେଳେ କାମଧନ୍ଦାରେ ଯାଏ | ଘରେ ସବୁ କଥା ଖୁଡୀ ବୁଝାବୁଝି କରେ | ସବୁବେଳେ ସେ ସର ଉପରେ ଗରଗର ହେଉଥାଏ | ଖୁଡୀର କଥାରେ ସର ମନେମନେ ବହୁତ କାନ୍ଦେ | କିନ୍ତୁ କାହାକୁ କିଛି କହେନାହିଁ | କହିଲେ ବା କିଏ କରିବ ? ତାର ବା ଆଉ କିଏ ଅଛି | ସଞ୍ଜବେଳେ ଦାଦି ଘରକୁ ଆସିଲେ ସରକୁ ଡାକି ସୁବିଧା ଅସୁବିଧା କଥା ପଚାରେ | କିନ୍ତୁ ସର କିଛି କହେନାହିଁ | ଦାଦିର କଥାରେ ସ୍ନେହ ଥାଏ, ଆନ୍ତରିକତା ଥାଏ, ଯେତେହେଲେ ବାପର ଭାଇ ଖୁଡୁତା |

ଗାଁ ସେ ମୁଣ୍ଡରେ ସାଗରର ଘର | ଧନୀଘର ପୁଅ ସେ | ପାଠଶାଠ ପଢିଛି | ଗାଁରେ ମଧ୍ୟ ସମସ୍ତେ ତାକୁ ଖାତିର କରନ୍ତି | ଅଭାବ ଅସୁବିଧାରେ ସେ ସମସ୍ତଙ୍କ ପାଖରେ ଠିଆ ହୁଏ | ଶ୍ରାଦ୍ଧମଉଳା, ବାହାପୁଆଣୀରେ କାହାର କିଛି ଅସୁବିଧା ହେଲେ ସାଗର ଯଥା ସମ୍ଭବ ସାହାଯ୍ୟ କରିଥାଏ | ଗାଁରେ କାହାର ରୋଗବୈରାଗ ହେଲେ ସାଗର ଆସି ଠିଆ ହୋଇଯାଏ | ଡାକ୍ତରଖାନା ଯିବାଠାରୁ ଔଷଧପତ୍ର ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ସାଗର କରିଦିଏ | ଗାଁ ଲୋକେ କହନ୍ତି ସାଗରବାବୁ ମଣିଷ ନୁହଁନ୍ତି, ଦେବତା |

ଜଗୁ ସ୍ବାଇଁ ଘର ସହିତ ପାରିବାରିକ ସଂପର୍କ ବହୁ ଆଗରୁ ଅଛି | ଜଗୁର ସ୍ତ୍ରୀ କୁନ୍ତଳା ସାଗରର ଦୂର ସଂପର୍କୀୟ ପିଉସୀ ଲାଗେ | ସାଗର ବେଳେବେଳେ ସର ଘରଆଡେ ବୁଲିଆସେ | ଭଲବନ୍ଦ ବୁଝେ | ସର ସାଙ୍ଗରେ ହସଖୁସି ହୁଏ, ଥଟାମଜା କରେ, ପୁଣି ତା ଘରକୁ ଚାଲିଯାଏ | ଖୁଡୀର ଟାଉଁଟାଉଁ କଥାରେ ସେ ଯେତିକି ଆଘାତ ପାଇଥାଏସାଗର ଭାଇ ସାଙ୍ଗେ କଥାବାର୍ତ୍ତା ହେଲେ ସେତକ ଭୁଲିଯାଏ | ସର ମାମୁଁ ଘରେ କେହି ଥିଲେ ବୋଲି କୁନ୍ତଳା ମରିବା ପରେ ସାଗର ଘରୁ ସରକୁ ପ୍ରଥମାଷ୍ଟମୀ ଦିଅନ୍ତି | ରଜ ଦୋଳପୂର୍ଣ୍ଣମୀରେ ବି କାଟନ୍ତି ନାହିଁ | ମାମୁଁ ଘର ନାହିଁ ବୋଲି ସର କେବେ ଭାବିନାହିଁ |
ରଜ, କୁଆଁର ପୁନେଇଁ, ଖୁଦୁରୁକୁଣୀରେ ଗାଁ ଝିଅମାନେ କେତେ ମଜା କରନ୍ତି | ଚାନ୍ଦାଭେଦା କରି ଭୋଜିଭାତ କରନ୍ତି | ସର ସେଥିରେ ଭାଗ ନେଇପାରେନାହିଁ | ଖୁଡୀ ପଇସାଟିଏ ଦେବନି ଇଏ କାହିଁକି ସେଠିକି ଯିବ ? ସାଗର ଜାଣିବା ପରେ ଗାଁ ପିଲାଙ୍କୁ ସର ଭାଗର ଚାନ୍ଦାଟା ଦେଇଦିଏ | ଏକଥା ଖୁଡୀ ଜାଣେନି | ଗାଁ ଝିଅ ମାନେ କହନ୍ତି ସରଦେଇ ବା ଦବ ? ତା କିଏ ଅଛି ? ସେ ସେମିତି ଆମ ପାଖେ ବସିଲେ କାହିଁରେ |

ଘରର ଯାବତୀୟ କାମ କରେ ସର | ଖୁଡୀ ପାନ ଖିଲେ କଳରେ ଜାକି ଖାଲି ଟହଲ ମାରୁଥାଏ | ଗାଁ ମାଇପିଙ୍କ ସଙ୍ଗେ ଖୁସିଗପ କରେ | ସର ଯଦି କେବେ ଦାଣ୍ଡ ଦୁଆରେ ଟିକେ ଠିଆ ହୋଇଯାଏ ଖୁଡୀ ଟାଉଁଟାଉଁ କରି କହେଭୁଆଷୁଣୀ ଝିଅଟା ବା ଏଠି ଠିଆ ହୋଇଛୁ ? ସର କିଛି କହି ଘର ଭିତରକୁ ଚାଲିଆସେ | ଗୁହାଳ ଗୋବର, ଲିପାପୋଛା ସବୁ କାମ କରେ  | ସମସ୍ତେ ଖାଇପିଇ ଶୋଇଲେ ଦିଟା ଖାଇଦେଇ ସର ଶୋଇବାକୁ ଯାଏ | ଦାଦି ଯେତେବେଳେ ପଚାରେମାସର କିଛି ଅସୁବିଧା ହେଉନି ? ଆଲୋ ମାଖାଇଲୁଣି ? ସେତେବେଳେ ଗୋଟାଏ କହି ଖୁଡୀ କଥାଟାକୁ ଅନ୍ୟଆଡେ ନେଇଯାଏ | ସର ଆଖିର ଲୁହ ଆଖିରେ ମରେ |
ଓଷାପୂନିଅଁରେ ସାଗର ସର ଘରକୁ ଆସେ | ପଇସାପତ୍ର ଦର୍କାର ଥିଲେ ଦେଇଯାଏ | ପର୍ବପର୍ବାଣୀରେ ସରକୁ ନିଜ ଘରକୁ ମଧ୍ୟ ଡାକି ନିଏ | ଅନ୍ୟ କାହା କଥା ହେଲେ ଖୁଡୀ ହୁଏତ କହନ୍ତା | କିନ୍ତୁ ସାଗରକୁ କିଛି କହିପାରେନାହିଁ | ସର ତାଙ୍କ ଘରକୁ ଯାଏ | ଖୁଡୀ ତାଗିଦ କରି କହିଥାଏସଞ୍ଜବେଳକୁ ଛାଡିଦେବ | କେତେବେଳେ କେମିତି ଶାଢୀ ଖଣ୍ଡେ ସରକୁ ସାଗର ଦେଇଥାଏ, ଖୁଡୀ କିନ୍ତୁ ସେ ଖଣ୍ଡକୁ ପିନ୍ଧି ପୁରୁଣା ଖଣ୍ଡେ ସରକୁ ଦେଇଦିଏ | ସର କିନ୍ତୁ କିଛି ଭାବେନି | ଖୁଡୀ ଦେଇଛି ବୋଲି ଖୁସି ହୁଏ |

ଦିଲୁ ଠିକାଦାର | କୋଉଠାର କେଜାଣି ? ଗାଁରେ ଆସ୍ଥାନ ଜମେଇଛି, ବହୁତ ପଇସା ବାଲା ସେ | ଗାଁରେ ତାକୁ ସମସ୍ତେ ଡରନ୍ତି | ଲୋକମାନଙ୍କୁ ଚଢା ସୁଧରେ ଟଙ୍କା କରଜ ଦିଏ | ସୁଧ ଠିକ୍ ବେଳେ ଦେଲେ ବୋଲି କରିଦିଏ | ଶେଷକୁ ଜମିବାଡ଼ି, ଘରଦ୍ବାର ସବୁ ନେଇଯାଏ | ତା ଜାଲରେ ଯିଏ ଥରେ ପଡିଛି ମୁକୁଳିବା କଷ୍ଟ | ମାଧିଆ ତାଠାରୁ କିଛି ଟଙ୍କା ଆଣିଥିଲା ଘର ତୋଳିବାକୁ | ଇନ୍ଦିରା ଆବାସ ଟଙ୍କା ମିଳିଲେ ଦେଇଦେବାକୁ ଭାବିଥିଲା | କିନ୍ତୁ ଇନ୍ଦିରା ଆବାସ ବିଲ୍ ମିଳିଲାନି | ଟଙ୍କାଟା ଫେରାଇବା ସମ୍ଭବ ହେଲାନି |

ଦିନେ ମାଧିଆକୁ ଦିଲୁ ଠିକାଦାର ଟଙ୍କା ମାଗିଲା | ମାଧିଆ ବହୁତ ନଇଁ ନମସ୍ତି ହୋଇ କହିଲାବାବୁ ଟଙ୍କା ମିଳିନି | ସରକାରୀ ଘର କଥା | ଆମ ସରପଞ୍ଚ ବାବୁ କହୁଥିଲେ ଏବେ ମିଳିଯିବ | ମୁଁ ପାଇଲା ମାତ୍ରେ ଆଗ ଆପଣଙ୍କୁ ଦେଇଦେବି | କରିବି ଆଜ୍ଞା, ଆପଣ ଚାହିଁ ଥିଲେ ଘର ଖଣ୍ଡକ ହୋଇପାରି ଥାନ୍ତା | ଟଙ୍କା ମାଗିବାକୁ କେତେଥର ଠିକାଦାର ମାଧିଆ ଘରକୁ ଯାଇଛି | ମାଧିଆ ଝିଆରୀ ସରକୁ ସେ ଦେଖିଛି | ଗରିବ ଘରର ଝିଅ ହେଲେ ହେଲା ଗୋଟିଏ ଚାଉଳରେ ଗଢା | ଖତଗଦାରେ ପଦ୍ମ ! ଠିକାଦାରକୁ ଦେଖିଲେ ସର ଭିତରକୁ ଚାଲିଯାଏ ସତ କିନ୍ତୁ ଠିକାଦାରର ପାପ ଆଖି ସତେ ଯେମିତି ସର ପାଖେ ଥାଏ |

ଦିନେ ଠିକାଦାର ସରର ଖୁଡ଼ୀକୁ କହିଲାକିଲୋ ବନି, ମାଧିଆ ଟଙ୍କା ଦେଲାନି | ନିଜ ଲୋକ ବୋଲି କିଛି କହିପାରୁନି | ଟଙ୍କା ବା ସେ କୋଉଠୁ ଦେବ ? ଜମିବାଡି କିଛି ନାହିଁ | ବରଂ କାମଧନ୍ଦା କରି ପଇସାଟା ଶୁଝୁ | ଏଇ ସରକୁ ଟିକେ ମୋ ଅଫିସ ଆଡେ ଛାଡୁନୁ | ଘର ଟିକେ ଝାଡୁ କରିଦେବ, ଛୋଟମୋଟ କାମ ଯାହା ଥିବ କରିଦେଇଆସିବ | ସେଥିପାଇଁ ମୁଁ କିଛି ଦେବିନି ? କିଛି ଦେଲେ ତୁମ ଟଙ୍କାଟା ଧୀରେ ଧୀରେ ଶୁଝିଯିବ |

ବନି ମନକୁ ଠିକାଦାର କଥାଟା ପାଇଗଲା | ସେ କହିଲାଠିକ୍ ଅଛି ବାବୁ, ତା ଦାଦି ଆସିଲେ ଟିକିଏ ପଚାରି କାଲିଆଡକୁ ପଠାଇବି | ଠିକାଦାର କହିଲାହଁ ପାଞ୍ଚଟା ବେଳକୁ ପଠାଇବୁ | ଘରକାମ କରି ମୁଠାଏ ଖାଇଦେଇଆସିବ | ଯଦି ଆସିପାରିବତେବେ ଘର ଅଭାବ ଅଛି ? ରାତିରେ ରହିଯିବ | କେତେ ଲୋକ ରହୁଛନ୍ତି | ତାର ଅସୁବିଧା ? ଠିକାଦାର ହସିହସି କହିଲା | ଠିକାଦାରର କଥାଗୁଡାକ ସର ଦେହରେ ଛୁରୀ ଭୂଷିଲା ଭଳି ଲାଗୁଥିଲା | ସର ମୁଣ୍ଡରେ ବଜ୍ର ପଡିଲା | ସର ଠିକ୍ ବୁଝିପାରିଲା ଖୁଡୀର ମନ୍ଦ ଉଦ୍ଦେଶ୍ୟ | ଠିକାଦାରର ପାପ ଲାଳସାର ଗନ୍ଧ ବେଶ୍ ବାରିହୋଇଯାଉଥିଲା |
ରାତି ପାହି ସକାଳ ହେଲା | କିନ୍ତୁ ସର ଆଖିକୁ ଯେମିତି ଘନ ଅନ୍ଧାର ମାଡ଼ିଆସୁଥାଏ | କରିବ ସେ, କାହାକୁ କହିବ ତା ଦୁଃଖ ? ସାଗର ଭାଇ କଟକ ଯାଇଛନ୍ତି | କୋଉ ଗୋଟେ ରୋଗୀ କଥା ବୁଝିବାକୁ | ସେ ହେଲେ ଗାଁରେ ଥାଆନ୍ତେ କି ! ସଞ୍ଜ ହେବା ଆଗରୁ ଖୁଡୀ ଠିକାଦାରର କାମ କରିବାକୁ ତାଗିଦ କଲା | ବହୁତ ବାଧ୍ୟ କଲା | ସର କିନ୍ତୁ ଦେହ ଖରାପ ଥିବାର ବାହାନା କରି ଘୋଡିହୋଇ ଶୋଇଲା | ଖୁଡିକୁ ନେହୁରା ହୋଇ କହିଲାମୋ ଦେହ ଆଜି ଭୀଷଣ ଖରାପ, ତୁ ଖବର ଦେଇଦେ, ମୁଁ କାଲିକୁ ଯିବି |

ସକାଳ ହେଲା | ସୂର୍ଯ୍ୟ ଉଇଁଲେ | ସର କିନ୍ତୁ ଦେଖୁଥିଲା, ଭୀଷଣ କୁହୁଡିରେ କେମିତି ଲୁଚିଯାଉଛି ସୂର୍ଯ୍ୟର ଛବି | ତା ପାଇଁ ଆଜି ପରୀକ୍ଷାର ଦିନ | କାଲି ସିନା ଦେହ ଖରାପର ବାହାନା କରି ରହିଗଲା ହେଲେ ଆଜି କହିବ ? ଖୁଡୀ ଆଜି ଯେମିତି ହେଲେ ସରକୁ ପଠାଇବ | ଠିକାଦାର କାଲି ଧମକ ଦେଇଛିଏଥର ଗଲେ ଟାଣିଟାଣି ନେବ | ଦୁଇଦିନ ହେଲାଣି ସାଗର ଭାଇଙ୍କର ଦେଖାନାହିଁ | କାହାକୁ କହିବ ସେ ମନ କଥା | ବେଳ ଦିଘଡି ଅଛି ଖୁଡୀର ତାଗିଦଶିଘ୍ର ବାହାର , ଠିକାଦାର ଘରକୁ ଯିବୁ | ନହେଲେ ଠିକାଦାର ଆଜି ରାଗିବ | କାମ କରିବାକୁ ତା କେହି ନାହିଁ | ଆମକୁ ଯେମିତି ହେଲେ ତାର ଋଣ ଶୁଝିବାକୁ ହବ | ସର ସବୁ ଶୁଣି ନୀରବ ରହିଲା | ଗୋଡହାତ ଧୋଇବାକୁ ବାଡିପଟ ଗାଡିଆକୁ ଗଲା ସର | ଖୁଡୀ କହୁଥାଏଗୋଡହାତ ଧୋଇ ଶୀଘ୍ର | ସଞ୍ଜ ନଇଁ ଆସୁଥାଏ | ଆଗକୁ ପଛକୁ ଚାହିଁ ସର ଏକମୁହାଁ ଚାଲିଲା | କେତେବେଳେ ସେ ଆସି ଜହରଖିଆ ବରଗଛ ମୂଳେ ପହଁଞ୍ଚି ଯାଇଛି ତାକୁ ଜଣାନାହିଁ | ଲଥକିନା ସେଇ ବରଗଛ ମୂଳେ ବସିପଡିଲା | ବରଗଛକୁ ଆଉଜି ଆଖି ବୁଜିଦେଲା ସେ | ଆଖିରୁ ତାର ବହିଯାଉଥାଏ ଧାର ଧାର ଲୁହ | ରାତି ମାଡି ଆସିଲାଣି | ଏଠି ପରା ଭୂତ ବାହାରନ୍ତି | ଭୂତ ଆସି ମୋତେ ମାରିଦିଅନ୍ତା ନି ! ସମସ୍ତେ ମଲେ, ମୁଁ ଏକା ଜୀଇଁ କାହିଁକି ହନ୍ତସନ୍ତ ହେଉଛି | ହୀନିମାନିଆ ଜୀବନ ମୋର ଯାଉନି କାହିଁକି ? ଦଉଡି ଦେବି ? ନାଁ ମୋ ଦାଦିର ବଦନାମ ହେବ | କିଛି ସ୍ଥିର କରିପାରୁନି ସେ | ଜୁଳୁଜୁଳା ପୋକଗୁଡାକ ଚିକ୍ଚିକ୍ କରି ବୁଲୁଛନ୍ତି | ବାଦୁଡିଗୁଡାକର ଚେଁ ଚାଁ ଫଡ୍ଫାଡ୍ ଶବ୍ଦ ନିର୍ଜନ ରାତିକୁ ଗମ୍ଭୀର କରିଦେଉଛି | ବରଗଛ ଫାଙ୍କରେ ଜହ୍ନ ଆଲୁଅ ପଡି ସୁନ୍ଦର ଗାଲିଚା ଭଳି ଦେଖାଯାଉଛି |
ହଠାତ୍ କାହାର ହାତ ସର ମୁଣ୍ଡରେ ଲାଗିଲା | ଚମକିପଡିଲା ସର | ଚିତ୍କାର କଲାନାଁ ନାଁ ମୁଁ ସେଠାକୁ ଯିବିନି | ମରିଯିବି ପଛେ ଯିବିନି |
ତୁ କୁଆଡେ ଯିବୁନି ସର | ତୁ ମୋ ସାଙ୍ଗରେ ଯିବୁ ଆମ ଘରକୁ |
କିଏ ସାଗର ଭାଇ ?
ହଁ ମୁଁ ତୋ ସାଗର ଭାଇ |
ଅତଳ ଜଳରେ ବୁଡିଯାଉଥିବା ଲୋକ ସାହାରା ଟିକେ ପାଇଗଲା ଯେପରି | ସାଗର ଛାତିରେ ମୁଣ୍ଡ ରଖି କଇଁକଇଁ ହୋଇ କାନ୍ଦିଉଠିଲା ସର | ସାଗର ସରର ମୁଣ୍ଡକୁ ଆଉଁଷିଦେଉଦେଉ କହିଲାକଟକରୁ ଆସି ସବୁ ଶୁଣି ତୋତେ ଖୋଜିଖୋଜି ଆସି ଏଠି ପହଞ୍ଚିଲି | ଯାହା ହେଉ ପଛେ କିଛି ଅଘଟଣ ଘଟିବା ପୂର୍ବରୁ ତତେ ପାଇଗଲି | କାଲିକି ସେମାନଙ୍କ ଖବର ବୁଝାଯିବ | ଆଜିଠାରୁ ସବୁଦିନ ପାଇଁ ତୁ ମୋର ହୋଇ ଆମ ଘରେ ରହିବୁ | ସାଗର ଛାତିରେ ମୁଣ୍ଡ ରଖି କାନ୍ଦୁଥିଲା ସର | ଆଖିରୁ ତାର ଅପସରିଯାଉଥିଲା କଳାବାଦଲ | ସର ଦେଖୁଥିଲା ଏକ ନୂଆ ସ୍ବପ୍ନ .. ସାଗର ବକ୍ଷରେ ଶୋଇରହି |

 

0 Response to "ସ୍ବପ୍ନ ସାଗର"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel