ଭାବମୂର୍ତ୍ତି

ଭାବମୂର୍ତ୍ତି

ଭାବମୂର୍ତ୍ତି
 ମୃଣାଳ

ବାବ୍ଲୁ ଖବରଟା ଦେଲା | ମୁନା, ଶୁଣିଲୁଣି ହିମାଂଶୁଟା ପାଗ୍ଲା ହୋଇଗଲାଣି |
ପାଗଳ ହୋଇଗଲାଣି? ସକାଳୁ ସକାଳୁ ଏମିତି ମର୍ମନ୍ତୁଦ ଖବରରେ ମୁଁ ଆବଶ୍ୟକ ମୁତାବକ ମର୍ମାହତ ହେଲି |

ହିମାଂଶୁ ଆମ ସାଙ୍ଗ | ସେକ୍ରେଟାରିୟେଟ୍ରେ କିରାଣୀ ଚାକିରି କଲାଣି ତିନି ବର୍ଷ ହେଲା | ସେକ୍ରେଟାରିୟେଟ୍ କିରାଣୀମାନେ ଅନ୍ୟମାନଙ୍କୁ ପାଗଳ କରିଦିଅନ୍ତି | ନିଜେ ପାଗଳ ହେବାର ଦୃଷ୍ଟାନ୍ତ ପ୍ରାୟ ନାହିଁ |
କିରେ କାହିଁକି? କଣ ହେଲା? କଣ ପାଗଳାମି କରୁଛି? ମୁଁ ଏକାସାଙ୍ଗରେ ଅନେକ ଗୁଡିଏ ପ୍ରଶ୍ନ ପଚାରିଦେଲି |
ମିତୁ କୁଆଡେ ତାକୁ ଛାଡି ଆଉ କାହାକୁ ବାହା ହୋଇଗଲା | ସେ ଖବର ପାଇଲା ପରଠୁଁ ହିମାଂଶୁ ଖାଲି ମଦ ପିଉଛି |

ମିତୁ ଓରଫ ମିତାଲି ହିମାଂଶୁର ପ୍ରେମିକା | ବର୍ଷ ହେଲା ସେମାନଙ୍କର ଘନିଷ୍ଠ ପ୍ରେମ | ଆମେ ସମସ୍ତେ ଏକଥା ଜାଣିଛୁ | ଏମତାବସ୍ଥାରେ ଜଣେ ଦରଦୀ ସାଙ୍ଗର କର୍ତ୍ତବ୍ୟ ଘଟଣାସ୍ଥଳରେ ପହଞ୍ଚିବା ଏବଂ ଘଟଣାକୁ ସରଜମୀନ ବୁଝିବା | ମୁଁ ସେଇଆ କଲି | ସନ୍ଧ୍ୟାବେଳେ ହିମାଂଶୁର ବସାଘରେ ପହଞ୍ଚିଲି | ହିମାଂଶୁ ଭୁବନେଶ୍ବରର ଅନ୍ୟାନ୍ୟ ବହୁ ଚାକିରିଜୀବିଙ୍କ ପରି ଭଡାଘରେ ରହେ | ଏକୁଟିଆ |

ଦେଖିଲାବେଳକୁ ବାବ୍ଲୁ ଯାହା କହିଥିଲା, ଅକ୍ଷରେ ଅକ୍ଷରେ ସତ | ହିମାଂଶୁ ବୋତଲ ଗ୍ଲାସ୍ ଧରି ବସିଛି | ବୋତଲଟା ଅଧା ଖାଲି, ହିମାଂଶୁ ଆଖି ମଧ୍ୟ ବେଶ ଲାଲ | ଅର୍ଥାତ୍ କିନା ବେଶ କିଛି ସମୟ ହେଲା ମଦ୍ୟପାନ ଚାଲିଛି |

ମୁଁ କହିଲି, ବେ ହିମାଂଶୁ, ଇଏ କଣ?
କଣ? ହିମାଂଶୁ ସାମାନ୍ୟ ମାତାଲ ଗଳାରେ ମୋତେ ଓଲଟା ପଚାରିଲା |
ମିତୁ ତୋତେ ଛାଡି ଆଉ କାହାକୁ ବାହା ହୋଇଗଲା | ଗଲା | ତା ବୋଲି ତୁ ମଦ ପିଇ ବରବାଦ ହେବୁ? ଇଡିଅଟ୍! ତୁ କଣ ଦେବଦାସ?
ନା, ମୁଁ ହିମାଂଶୁ ଦାସ |
ତେବେ ଶଳା ମଦଗୁଡାକ କାହିଁକି ପିଉଛୁ? ମଦ କଣ ଦୁଃଖର ଇଲାଜ? ମଦ ପିଇଲେ ଦୁଃଖ କମେ?
ହାଃ, ହାଃ, ହାଃ! ହିମାଂଶୁ ଖୁବ୍ ହସିଲା | ହସି ହସି ତା ଆଖିରୁ ଲୁହ ନିଗିଡି ପଡିଲା | କହିଲା, ତୁ ବି ଧୋକା ଖା ଗୟା ମେରା ଦୋସ୍ତ!

ଅଳ୍ପ ନିଶା ହେଲେ ଓଡିଆ ହିନ୍ଦୀ କହେ ବୋଲି ମୁଁ ଜାଣିଥିଲି | ଜାଣିଥିଲି ବୋଲି ଟିକେ ଶଙ୍କିଗଲି | ମାତାଲଙ୍କୁ ମୋର ଭାରି ଭୟ | ସେମାନେ କଥା କଥାରେ ହାତ ଉଠେଇଦିଅନ୍ତି |
ହସୁଛୁ କାହିଁକି?
ହସିବିନି? ତୁ କଣ ଭାବୁଛୁ, ମୁଁ ମିତୁ ଚାଲିଯିବା ଦୁଃଖରେ ମଦ ପିଉଛି?
ଆଉ?
ହାଃ, ହାଃ, ହାଃ- ଦେଖ ଗୋଟେ ଗହନ କଥା କହୁଛି, କାହାକୁ କହିବୁନି | ତୁ ମୋର ସଚ୍ଚା ଦୋସ୍ତ ବୋଲି ତୋତେ କହୁଛି |
କହ |
ମିତୁଫିତୁ ଚାଲିଯିବା ଦୁଃଖରେ ନୁହେଁ, ଖାସ୍ ମଦ ପିଇବି ବୋଲି ମଦ ପିଉଛିରେ ଶଳା | ଇଚ୍ଛା ହେଲା, ମଦ ପିଇ ମାତାଲ ହେବି | କିନ୍ତୁ ତୁଚ୍ଛାଟାରେ ମଦ ପିଇଲେ ଲୋକ କହିବେ ଶଳା ମଦୁଆ ହୋଇଗଲା | ଅଭି ମଦ ପିଇଲେ ଲୋକେ କହିବେ- ଆହା ଦୁଃଖରେ ପିଉଛି | କେହି ଆଉ ମୋତେ ଘୋଡା ମଦୁଆ ବୋଲି କହିବେନି | ମାର୍କେଟ୍ରେ ମୋର ଭାବମୂର୍ତ୍ତିଟା ନିର୍ମଳ ରହିବ | ବୁଝିଲୁ! ଜମାନା ବହୁତ ଖରାପରେ ଦିସ୍ତ! ମଦ ଟିକେ ପିଇବା ପାଇଁ ବି ବାହାନା ଦରକାର |

 

0 Response to "ଭାବମୂର୍ତ୍ତି"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel