ସରସ୍ଵତୀ ବେହେରା, ଷଷ୍ଠ ଶ୍ରେଣୀ
ସାର୍ଥା ୟୁ.ଜି.ୟୁ.ପି. ବିଦ୍ୟାଳୟ
--------------------------------------
ଗୋଟିଏ ଗାଁରେ ଜଣେ ବୋକା ଲୋକ ରହୁଥିଲା | ତା’ର ନାମ ଥିଲା ରତନା | ତା’ର ଆଉ କେହି ନ ଥିଲେ | ଗାଁରେ ସେ ମୂଲ ଲାଗି ପେଟ ପୋଷୁଥିଲା |
ରତନାର ସାଇ ପଡିଶା ସହିତ ଭଲ ପଡ଼େ | ହୁଣ୍ଡା ହୋଇଥିବାରୁ ସାଇ ପଡିଶାର ସବୁ ଲୋକ ତାକୁ ଭଲ ପାଉଥିଲେ | ଦିନେ ସେହି ଲୋକମାନେ ମିଶି ତାକୁ ବାହା କରିଦେଲେ | ରତନା ଆଉ ତା’ ସ୍ତ୍ରୀ ଅନନ୍ୟା ଦୁହେଁ ଖୁସିରେ ଚାଲିଲେ |
କିଛି ଦିନ ପରେ ଅନନ୍ୟାର ବାପା ମରିଗଲେ | ରତନା ଆଉ ଅନନ୍ୟା ଦୁହେଁ ମିଶି ଶ୍ଵଶୁର ଘରକୁ ଗଲେ | କ୍ରିୟା କର୍ମ ସରିଲା ପରେ ଅନନ୍ୟା, ରତନାକୁ କହିଲା, “ତୁମେ ଏକା ଘରକୁ ଫେରିଯାଅ | ମୁଁ ଆଉ ଦିନେ ଦୁଇ ଦିନ ମାଆ ପାଖରେ ରହି ଘରକୁ ଯିବି |”
ସମୟ ୧୦ଟା | ଖରା ମୁଣ୍ଡ ଉପରକୁ ଉଠି ଉଠି ଯାଉଛି | ସେତିକିବେଳେ ରତନା ନିଜ ଘରକୁ ଯିବାକୁ ବାହାରି ପଡ଼ିଲା | ବାଟରେ ଯାଉଥିବାବେଳେ ନିଜ ଛାଇକୁ ଦେଖି ମନେ ପାକେଇଲା, “ମୋ ସ୍ତ୍ରୀ ତ ମୋତେ ଏକୁଟିଆ ଯିବା ପାଇଁ କହିଥିଲା | ତେବେ ଏ କ’ଣ ପାଇଁ ମୋ ସହିତ ଯାଉଛି ?”
ରତନା ନିଜ ଛାଇକୁ ପ୍ରଶ୍ନ କଲା, “ତୁ କ’ଣ ପାଇଁ ମୋ ସହିତ ଯାଉଛୁ ? ଅହଃ... ବୁଝିଲି | ମୋ ଜାମା ନେବୁକି ?” ଏତକ କହି ସେ ନିଜେ ମୁଣ୍ଡ ଟୁଙ୍ଗାରିବାରୁ ତା’ ଛାଇ ମଧ୍ୟ ମୁଣ୍ଡ ଟୁଙ୍ଗାରିଲା | ତେଣୁ ସେ ନିଜ ଜାମାକୁ ବାହାର କରି ତଳେ ପକେଇ ଦେଲା ଓ ଆଗକୁ ଚାଲିଲା |
ପୁଣି କିଛି ବାଟ ଯାଇଛି | ସେହି ଘଟଣାର ପୁନରାବୃତ୍ତି ଘଟିଲା | ଛାଇ ମଧ୍ୟ ତା’ ସହିତ ଚାଲୁଥିଲା | ଏଥର ସେ କହିଲା, “ତୁ ଫେର୍ ମୋ ପଛେ ପଛେ କ’ଣ ପାଇଁ ଗୋଡେଇଛୁ ? ମୋ ଗେଞ୍ଜି ନେବୁକି ?” ଏତକ କହି ଗେଞ୍ଜିକୁ ଖୋଲି ତଳେ ପକେଇ ଦେଲା ଆଉ ଆଗକୁ ଚାଲିଲା |
ପୁଣି କିଛି ବାଟ ଯାଉ ଯାଉ ତଳକୁ ଅନେଇ ଦେଖିଲା, ଛାଇ ତା’ ସହିତ ଚାଲିଛି | ସେ ଏଥର ଟିକେ ଗମ୍ଭୀର ଭାବରେ କହିଲା, “ଦେଖ୍ ! ମୋ ସ୍ତ୍ରୀ ମୋତେ ଏକା ଯିବା ପାଇଁ କହିଛି | ତୁ ମୋ ସହିତ ଗଲେ ସେ ଖରାପ ଭାବିବ | ତେଣୁ ତୁ ମୋ ଧୋତି ନେ ଆଉ ମୋ ପିଛା ଛାଡି ଦେ |” ଏତକ କହି ଧୋତିଟିକୁ ଖୋଲି ଦେଇ ତଳକୁ ପକେଇ ପଳେଇ ଆସିଲା |
ପୁଣି କିଛି ବାଟ ଗଲାପରେ ଛାଇ ତା’ ସହିତ ଯାଉଥିବାର ଦେଖି ସେ ରାଗିଗଲା ଆଉ କହିଲା, “ମୋ ପେଣ୍ଟ ନେବା ପାଇଁ ମୋ ପଛରେ ଗୋଡେଇଛୁ ନା ?” ଏହା କହି ସେ ମୁଣ୍ଡ ହଲେଇବାରୁ ତା’ ଛାଇ ମଧ୍ୟ ମୁଣ୍ଡ ହଲେଇଲା | ତେଣୁ ସେ ପେଣ୍ଟଟାକୁ ମଧ୍ୟ କାଢ଼ି ତଳେ ପକେଇ ଦେଲା |
ଏବେ ସେ ସମ୍ପୂର୍ଣ୍ଣ ଲଙ୍ଗଳା | ବାଟରେ ଲଙ୍ଗଳା ହୋଇ ଚାଲୁଥିବାର ଦେଖି ଲୋକମାନେ ତାକୁ ପାଗଳ କହି ପିଟିବା ପାଇଁ ଗୋଡେଇଲେ | ସେ ନିଜକୁ ରକ୍ଷା କରିବା ପାଇଁ ପୁଣି ଶାଶୁ ଘରକୁ ମୁହଁ କରି ଜୋରରେ ଦୌଡିଲା ଏବଂ ଶାଶୁ ଘର କଦଳୀ ବାଡିରେ ପଶିଗଲା | ବାରି ପଟରେ ତା’ ସ୍ତ୍ରୀର ଲୁଗା ଶୁଖୁଥିଲା | ସେ ସେହି ଲୁଗାକୁ ଆଣି ଦେହରେ ଗୁଡେଇ ଦେଇ ଘର ଭିତରକୁ ପଶିଗଲା | ଏତିକିବେଳେ ତା’ ଶାଶୁ ତାକୁ ଦେଖି ଘଟଣା ପଚାରିଲେ | ରତନା ଓଲୁ ଥିବାରୁ ସବୁ ସତ କଥା କହିଦେଲା | ଏ ସବୁ ଶୁଣି ତା’ ଶାଶୁ ଆଉ ସ୍ତ୍ରୀ ହସି ହସି ଗଡ଼ିଗଲେ |
ତା’ ପର ଦିନ ସକାଳେ ରତନା ବାରି ପଟକୁ ଝାଡା ଯାଇଥିଲା | ଜମୁ କୋଳି ଗଛ ତଳେ ଟିକେ ବଣ ଭଳିଆ ଥିଲା | ସେଇଠାକୁ ଯାଇ ସେ ଝାଡା ଫେରୁଥିଲା | ସେହି ସମୟରେ ତା’ ମୁଣ୍ଡ ଉପର ଦେଇ ପିଜୁଳିକୁ ଥୋଣ୍ଟରେ ଧରି ଚଢ଼େଇଟି ଉଡି ଉଡି ଯାଉଥିଲା | ହଠାତ୍ ଚଢ଼େଇ ଥୋଣ୍ଟରୁ ପିଜୁଳି ଟି ରତନାର ଗୁହ ଉପରେ ଖସି ପଡ଼ିଲା | ରତନା ଟିକେ ଲୋଭୀ ଥିଲା | ତେଣୁ ଚାରି ପାଖକୁ ଚାହିଁଲା କାଳେ କିଏ ଦେଖୁଥିବ |ତା’ ପରେ ଆଗ ପଛ ବିଚାର ନ କରି ଗୁହରୁ ପିଜୁଳିକୁ ଉଠେଇ ଭଲ ଭାବରେ ଧୋଇ ଟକ୍ କିନା ଖାଇଦେଲା |
ସେଦିନ ସେଇ ଗାଁରେ ଯାତ୍ରା ହବାର ଥିଲା | ରାତିରେ ଖାଇ ପିଇ ଗାଁ ଲୋକ ସମସ୍ତେ ଯାତ୍ରା ପଦାରେ ରୁଣ୍ଡ ହେଲେ | ରତନା, ଅନନ୍ୟା ଆଉ ତା’ର ଶାଶୁ ମଧ୍ୟ ଯାତ୍ରା ଦେଖିବାକୁ ଯାଇଥିଲେ |
ଯାତ୍ରା ଆରମ୍ଭ ହେଲା | ପ୍ରଥମେ ମେଲୋଡି ବାଲା ଆସି ଗୀତ ପରିବେଷଣ କଲେ | ଗାୟକ ଗାଇଲେ, “କହିବି କହିବି ଆଜି ସକାଳର କଥା |” ଏହା ଶୁଣି ରତନା ଭାବିଲା, “ ମୁଁ ଗୁହରୁ ପିଜୁଳି ଉଠେଇ ଖାଇଥିଲି | ଇଏ ବୋଧେ ଦେଖି ନେଇଛି | ସେଥିପାଇଁ ସେ କହିବ କହିବ ହଉଛି | ତେଣୁ ସେ ବୁଦ୍ଧି ପାଞ୍ଚି ଷ୍ଟେଜ୍ ଉପରକୁ ଯାଇ ଗାୟକକୁ ୧୦୦ ଟଙ୍କା ଦେଇ ସେ ଭଲ ଗୀତ ଗାଉଛି ବୋଲି କହିଲା | ଗାୟକ ପଇସା ନେଇ ପୁଣି ଗୀତ ଗାଇବା ଆରମ୍ଭ କଲା, “ କହିବି କହିବି ଆଜି ସକାଳର କଥା |” ପୁଣି ରତନା ଷ୍ଟେଜ୍ ଉପରକୁ ଯାଇ ୫୦ଟଙ୍କା ଦେଇ ଭଲ ଗୀତ ଗାଉଛ ବୋଲି କହିଲା | କିନ୍ତୁ ଗୀତଟି ସମ୍ପୂର୍ଣ୍ଣ ସରି ନ ଥିବାରୁ ଗାୟକ ପୁଣି ଆରମ୍ଭ କଲା, “କହିବି କହିବି ଆଜି ସକାଳର କଥା |”ଏଥର ବି ରତନା ଉଠି ଯାଇ ୧୦ ଟଙ୍କା ଦେଇ କହିଲା ଯେ ସେ ଭଲ ଗୀତ ଗାଉଛି |
ପଦୁଟିଏ ଗୀତ ଗାଇବାରୁ ଗାୟକ ୧୬୦ ଟଙ୍କା ପାଇଲା | ତେଣୁ ସେ ଭାବିଲା, “ମୁଁ ଯଦି ଭଲ କରି ଗାଏ, ତେବେ ମୋତେ ଆହୁରି ପଇସା ମିଳିବ |” ଏହା ଭାବି ସେ ଭଲ କରି ସୂର ବାନ୍ଧି ଗାଇବା ଆରମ୍ଭ କଲା, “କହିବି କହିବି ଆଜି ସକାଳର କଥା |” ଏଥର ରତନା ରାଗି ଯାଇ ଷ୍ଟେଜ୍ ଉପରକୁ ଗଲା ଆଉ ରାଗରେ କହିଲା, “କହିବୁ ତ କହିଦେ, ମୁଁ ସକାଳେ ଗୁହରୁ ପିଜୁଳି ଉଠେଇ ଖାଇଛି | ସେତେବେଳଠୁ ତାମସା ଲଗେଇଛି |” ଏତକ ଶୁଣି ସବୁ ଦର୍ଶକ ଜୋରରେ ହସି ଉଠିଲେ |
x
-------------------0-------------------
x
x
0 Response to "କହିବି କହିବି ଆଜି ସକାଳର କଥା"
Post a Comment