ସଦାନନ୍ଦ ତ୍ରିପାଠୀ
ସ୍ମୃତିର ବାହାଘର ସରିଚି | ସମସ୍ତ ବୈଦିକ କର୍ମ ସରିବା ପରେ ଏବେ ସିଏ ଗୋଟିଏ କୋଠରିରେ ମୁଣ୍ଡପୋତି ବସିଚି | ଶାଶୁ ଘରକୁ ଯାଇନି | ଯିବ | ସମୟ ହେଇନି | ଘରେ ସମସ୍ତେ ବ୍ୟସ୍ତ | ଘରପୋଡ଼ି ବେଳର ଗୋଟେ ଧାଁ ଦଉଡ଼ ଚାଲିଚି | ହୋହୋ’ଘୋଘୋ ଭିତରେ ସ୍ମୃତିର କାରୁଣ୍ୟରେ ମୋଟେ ଏକାଗ୍ରତା ରହୁନି | ଭାବନା ଭିତରେ ବି ସୋମୁ ଏଇନା ଗୋଟେ ଉଦ୍ବେଳିତ ସମୁଦ୍ର ! ୟା’ ପରେ ଯେ କୌଣସି ମୁହୂର୍ତ୍ତରେ ବି ତାକୁ ଏକପ୍ରକାର ଟେକିନେଇ ଗାଡ଼ି ଭିତରେ ଲଦି ଦିଆଯାଇପାରେ, ଅଥଚ ଏ ଯାଏଁ ସେ ସୋମୁକୁ ନିଜ ମନରୁ ପୋଛିଦେଇପାରିନାହିଁ | ସେ ଜାଣେ, ଏଣିକି ସୋମୁ କଥା ଭାବିବା ମଧ୍ୟ ତା’ ପାଇଁ ଅଯୌକ୍ତିକ, ଅଶୋଭନୀୟ ଓ ଅଶାନ୍ତିର କାରଣ ହେବ | ତେଣୁ ସୋମୁକୁ ତା’ର ଭୁଲିଯିବା ଉଚିତ, ଯୋଜନାବଦ୍ଧ ଭାବେ |
ସୋମୁ କଥା ଭାବିବନି ବୋଲି ସିନା
ଠିକ୍ କରୁଚି,
ସୋମୁ କଣ ତା ମୁଣ୍ଡର ସୁନେଲି
କେଶଟିଏ ଯେ ଉପାଡ଼ି ଫିଙ୍ଗିଦେବ, ବା ମୂଲ୍ୟବାନ ଗହଣାଟିଏ, କାହାକୁ
ଦାନ କରିଦେବ
?
ଜୀବନ ଗୋଟେ
କେମିତିକା ଚିଜ କେଜାଣି, ମନେହୁଏ ପୃଥିବୀରେ
ପ୍ରଳୟ ହୋଇ ସାରିବା ପରେ ବି, ପୃଥିବୀ ଧ୍ବଂସ ବା ଛାରଖାର ହେଇଯିବା ପରେ ବି ଜୀବନଟିଏ ଜୀବିତ
ଥିବ | ଚାରିଆଡ଼େ
ଶୂନ୍ଶାନ | ଗଛପତ୍ର, ନଈନାଳ, ଜୀବଜନ୍ତୁ,
କିଛି ନାଇଁ
| ଚାରିଆଡ଼ ଖାଲି
ବାଲୁକାମୟ | ଅଥବା
ଅନ୍ୟ କିଛି
ନାଇଁ, ଚତୁର୍ଦ୍ଦିଗ ଜଳାର୍ଣ୍ଣବ | ଜଳ ମଧ୍ୟରେ ଜଳଚର ଜୀବ ବି ନାହାନ୍ତି | ଖାଲି
ଦୁଇପାଦ ସ୍ଥଳଭାଗ
ରହିଚି ଓ ତା’ ଉପରେ ଠିଆ ଅଛି ଜୀବଟିଏ !
ସୋମୁ କଥା ଭାବିବନି ବୋଲି ସିନା ଠିକ୍ କରୁଚି, ସୋମୁ କଣ ତା ମୁଣ୍ଡର ସୁନେଲି କେଶଟିଏ ଯେ ଉପାଡ଼ି ଫିଙ୍ଗିଦେବ, ବା ମୂଲ୍ୟବାନ ଗହଣାଟିଏ, କାହାକୁ ଦାନ କରିଦେବ ?
ଜୀବନ ଗୋଟେ କେମିତିକା ଚିଜ କେଜାଣି, ମନେହୁଏ ପୃଥିବୀରେ ପ୍ରଳୟ ହୋଇ ସାରିବା ପରେ ବି, ପୃଥିବୀ ଧ୍ବଂସ ବା ଛାରଖାର ହେଇଯିବା ପରେ ବି ଜୀବନଟିଏ ଜୀବିତ ଥିବ | ଚାରିଆଡ଼େ ଶୂନ୍ଶାନ | ଗଛପତ୍ର, ନଈନାଳ, ଜୀବଜନ୍ତୁ, କିଛି ନାଇଁ | ଚାରିଆଡ଼ ଖାଲି ବାଲୁକାମୟ | ଅଥବା ଅନ୍ୟ କିଛି ନାଇଁ, ଚତୁର୍ଦ୍ଦିଗ ଜଳାର୍ଣ୍ଣବ | ଜଳ ମଧ୍ୟରେ ଜଳଚର ଜୀବ ବି ନାହାନ୍ତି | ଖାଲି ଦୁଇପାଦ ସ୍ଥଳଭାଗ ରହିଚି ଓ ତା’ ଉପରେ ଠିଆ ଅଛି ଜୀବଟିଏ !
ସ୍ମୃତିକୁ ଅଦ୍ଭୁତ ଲାଗୁଚି, ସେ ତଥାପି ବଞ୍ଚିଛି କେମିତି ? ଅବଶ୍ୟ ନିର୍ଲଜ୍ଜ ହେଲେ ବଞ୍ଚି ରହିହୁଏ | ତା’ଠୁ ବଡ଼ ନିର୍ଲଜ୍ଜ ଆଉ କିଏ ଥିବ କେଉଁଠି ? ତା’ ବାହାଘର ହେଉଥିବା ଖବର ସେ ସୋମୁକୁ ଜଣାଇଥିଲା | ସୋମୁକୁ ନିମନ୍ତ୍ରଣ କରିଥିଲା | ସେ ଆସିଲାନାହିଁ !
ସୋମୁ ଭଲା ଅଚିହ୍ନା ଲୋକଟିଏ ହୋଇଥାନ୍ତା, କେବେ ହେଲେ ତ ଥରେ ଦେଖା ହେବାର ସମ୍ଭାବନା ଥିଲା | ପରିଚୟ ହେଉ ବା ନହେଉ, କେତେବେଳେ କେଉଁ ବସ୍ରେ, ରେଳରେ, ସିନେମାଘର ପାଖରେ, ଦୋକାନବଜାର ପାଖରେ, କେଉଁ ଭିଡ଼ରେ, କେବେହେଲେ ହୁଏତ ଦେଖା ହୋଇଥାନ୍ତା | ସେମିତି ଥରକ ପାଇଁ ବି ଅନେକ ଲୋକ ଦେଖା ହୁଅନ୍ତି | ପରିଚିତ ହୁଅନ୍ତି | କଥାବାର୍ତ୍ତା ହୁଏ | ଗୋଟେ ସାଧାରଣ ସମ୍ପର୍କ ସ୍ଥାପିତ ହୁଏ | ପୁଣି ଥରେ ସାକ୍ଷାତର ସୁଯୋଗ ବି ରହେ | ସମ୍ପର୍କ ସ୍ଥାପିତ ହେଉ ବା ନ ହେଉ, ଏମିତି ଭାବରେ, ଏତେ ଦୟନୀୟ ଓ ଅନନ୍ୟୋପାୟ ଭାବେ ହଠାତ୍ ଛିଣ୍ଡିଯାଏ ନାହିଁ |
ଏଣିକି ସୋମୁ ସହିତ ସାକ୍ଷାତ ତ ଭିନ୍ନ କଥା, ତା’ କଥା ଭାବିବା ମଧ୍ୟ ନିୟମତଃ ଅବୈଧ |
ଏମିତି ଅନାବନା ଭାବନାରେ ସ୍ମୃତି ସନ୍ତୁଳିହେଉଥିବା
ବେଳେ ନମିତା, ତାଙ୍କ ସାହିର ଝିଅ ଓ ତା’ ସାଙ୍ଗ, ତା’ ପାଖକୁ ଆସିଲା | ତା’ କାଖରେ ବସିଥିବା ତା’ର ଦେଢ଼ବର୍ଷର ଝିଅ ରାହା ଧରି କାନ୍ଦୁଥିଲା | ନମିତା ବିରକ୍ତ ହେଲା : ଓ…ହୋ ! ରଖେଇ ଥୋଇଦବନି ଏ ପିଲାଟା |
ନମିତା ବାହା ହେବା ପୂର୍ବରୁ ଗୋଟେ ପିଲାକୁ ଭଲ ପାଉଥିଲା | ଏମିତି ସେ ଭଲପାଇବା ଯେ, କଥା ଯାଇ ରାସ୍ତା ଘାଟରେ ମଦ୍ୟପ ପରି ଗଡୁଥିଲା | ସିଏ ଦିନେ ବାହା ହେଇଗଲା | ତା’ର ହିଂସୁକ ପ୍ରେମିକ, ତା’ ସ୍ବାମୀ ପାଖକୁ ବେନାମୀ ଚିଠି ମଧ୍ୟ ଲେଖିଲା |
ଥରେ ନମିତାକୁ ପଚାରିଥିଲା ସ୍ମୃତି : ତୁ ତ ବଡ଼ ଅଶାନ୍ତିରେ ଥିବୁ !
ନମିତା କହିଲା : ଏ କଂସାରି ଘର ପାରାକୁ କୁଲା ଢାଉଁଢାଉଁ ? ସେ ପୋଡ଼ାମୁହାଁ ମିଛଖଚ କରି ଚିଠି ଲେଖୁଛି ଯେ, ଇଏ ସହଜରେ ବହଲିଯିବେ ? ମୋ ପାଖରେ ଗଦ ଅଛି, ଗଦ ! ଆଉ ପୁରୁଷଗୁଡ଼ାକ ? ସିଏ ପରା ଗୋଟେ ଗୋଟେ ଢେମଣା ସାପ ! ବାହା ହେଇଯିବା ପରେ ତ ଆତ୍ମରକ୍ଷା ପାଇଁ ଧାଇଁପାରୁଥିବା ସେମାନଙ୍କର ଗତି ମଧ୍ୟ ଧିମେଇଯାଏ | ହଁ, କୋଉ କୋଟିକେ ଗୋଟିଏ ନାଗବଚ୍ଚା ଥିଲେ ଥିବେ ! ମୋ ପାଖରେ ଗଦ ଅଛି ପରା, ଗଦ ! ତୁ’ ମଧ୍ୟ ବାହା ହେଲା ପରେ ବଳେ ଦେଖିବୁନି ନା ଜାଣିବୁନି? ଶୁଣାକଥାକୁ ଅଙ୍ଗେଲିଭା କଥା କେତେ ଛାଡୁଚି, ସେ କଥା କ’ଣ ତତେ ଖାଲି କହିଲେ ତୁ ବୁଝିପାରିବୁ ସହଜରେ ?
ସ୍ମୃତି ସହ ସୋମୁର ସମ୍ପର୍କ କଥା କ୍ବଚିତ୍ ଲୋକ ଜାଣିଥିଲେ | ନମିତାକୁ ସ୍ମୃତି ନିଜେ ବାରମ୍ବାର କହିଚି ଓ ଉପାୟ ମାଗିଚି | ନମିତା କହିବ : ପ୍ରେମ କରି ବାହାହେଲେ ଭଲ ନାଇଁ | ପ୍ରକୃତ ସୁଖଟା ଜାଣିହବ ନାଇଁ | ଗୋଟେ ମହାର୍ଘ ଜୀବନ ଅତି ନିଷ୍ପଳ ଭାବେ ବିତିଯିବ | ଜଣେ ପ୍ରେମିକ ଓ ସ୍ବାମୀ ମଧ୍ୟରେ ଅନେକ ଫରକ | ଏକ ପ୍ରକାର ଅସଲି ମନ୍ତ୍ରୀ ଓ ଖବରକାଗଜର ମନ୍ତ୍ରୀ ଭଳି | ଖବରକାଗଜର ମନ୍ତ୍ରୀମାନେ ଆମକୁ କେତେ ଭଲ ଲାଗନ୍ତିନି !
ନମିତାର ଝିଅଟି କାନ୍ଦ ବନ୍ଦ କରୁ ନ ଥିଲା | ନମିତା ବାହାରିଯାଇ ଝିଅକୁ ଅନ୍ୟ କାହା ପାଖରେ ଛାଡ଼ିଦେଇ ଆସିଲା | ସ୍ମୃତିର ପାଖକୁ ଲାଗି ସେ ବସିଲା ଓ ଅନୁଚ୍ଚ ସ୍ବରରେ କହିଲା : ମୁଁ ଶୁଣୁଚି, ତୋ ବର ସୋମୁ ବିଷୟରେ କିଛି କିଛି ଶୁଣିଛନ୍ତି |
ସ୍ମୃତି ଅବଶ୍ୟ ଟିକିଏ ଚମକିଲା | ତେବେ ଭାବ ପ୍ରକାଶ କଲାନାହିଁ | ନମିତାଠାରେ ସବୁକଥା କହିବା ଯୋଗାଏନାହିଁ କି ସବୁ ଭାବନା ମୁକୁଳାଇଦେବାଦ୍ବାରା ନମିତା ତାକୁ ବିଶାଳ ହୃଦୟରେ ଗ୍ରହଣ କରିବ ନାହିଁ | ବରଂ ସେ ନମିତାର ଆଖିରେ ଆଖି ଥୋଇ କହିଲା : ମୁଁ ତ ଠିକ୍ କରିଚି ତାଙ୍କୁ ସବୁ କଥା କହିଦେବି |
ସ୍ମୃତି ଜାଣୁଥିଲା, ନମିତା ତା’ର ଏ ବିଚାରକୁ ସହଜ ଭାବରେ ଗ୍ରହଣ କରିପାରିବ ନାହିଁ | ଉଭୟେ ଅତୀତରେ କାହାକୁ ଭଲପାଇ, ଅନ୍ୟ କାହାକୁ ତା’ପରେ ବାହା ହେଇଥିଲେ ବି, ନମିତା ଓ ତା’ ଭିତରେ ଫରକ କ’ଣ, ତାହା ସ୍ମୃତି ଜାଣିଚି |
ନମିତା କହିଲା : କି ସୃଷ୍ଟିଛଡ଼ା କଥା ? ଏମିତି କ’ଣ କୋଉ ଝିଅ କହେ ? ଯାହାକୁ ପ୍ରେମ କଲୁ ତାକୁ ତ ବାହାହେଇପାରିଲୁନି
| ଯାହାକୁ ବାହା ହେଲୁ, ତାକୁ ଟିକିଏ ପ୍ରେମ କରିଦେବା ପାଇଁ କାହାର କାହିଁକି ଆପତ୍ତି ରହିବ ? ପ୍ରେମ କରୁଥିବା ଲୋକକୁ ବାହା ନ ହେଲେ ସିନା ଚଳିଯାଉଚି, ବାହା ହେଇଥିବା ଲୋକ ଯେ ଭଲ ପାଇବା ଦାବି କରିବ | ଅସୁଲ କରିବ !
ସ୍ମୃତି ଯୁକ୍ତି କରିବାକୁ ଚାହୁଁ ନ ଥିଲା | ତେବେ କହିଲା ମୁଁ ତ ତାଙ୍କୁ ଭଲ ପାଇବିନି ବୋଲି କହିନାହିଁ !
: ଆଉ କ’ଣ କହୁଚୁ ? ନମିତା ଧମକାଇଦେଲା | କହିଲା ଧୀର କଣ୍ଠରେ : ସୋମୁ କଥା ତାଙ୍କୁ କହିଦେଲେ ଭାବୁଚୁ ସେ ଆଉ ମୋଟେ ବିଶ୍ବାସ କରିବେ ଯେ ତୁ ତାଙ୍କୁ ଭଲ ପାଇପାରୁ ? ବରଂ ଡାହାମିଛ କହିବା କଥା | ଅନୁଭୂତି ଅଛି ବୋଲି ସିନା କହୁଚି | ବରଂ ସେ ଯଦି ସୋମୁ କଥା ପଚାରନ୍ତି ମଧ୍ୟ, ତତେ କହିବାକୁ ହବ ଯେ ତୁ ସେଇ ନାଁର ଜଣେ ଲୋକକୁ କେବଳ ଚିହ୍ନିଚୁ | ବାସ୍ | କିଛି ଗୁମର କଥା ପଚାରିଲେ ହସି ଉଡ଼ାଇଦେବୁ | ଶତ୍ରୁ ଶ୍ରେଣୀର ବାଜେ ଲୋକମାନେ କାଳେ କିଛି ଅପପ୍ରଚାର କରିଥିବା କଥା ସେ ଶୁଣିଥିବେ ! ଆଉ ଯଦି ଅଧିକ କଥା କହନ୍ତି- କାନ୍ଦି ପକେଇବୁ | ବାସ୍ | ତୁ ତ କଲେଜ ଡ୍ରାମାରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲୁ |
ସ୍ମୃତି ନୀରବ ଥିଲା |
ନମିତା ତତ୍ତ୍ବ ବଖାଣିଲା : ବିବାହ ପରେ ଜୀବନ, ଏକ ଛଳନାପୂର୍ଣ୍ଣ
ଜୀବନ | ବିବାହ ପରେ ପ୍ରତ୍ୟେକ ମଣିଷ ଦୁଇଟି ମଣିଷ ହେଇଯାଆନ୍ତି | ଭିତରେ ଗୋଟେକୁ ବାହାରେ ଗୋଟେ | ଆଉ ମଧ୍ୟ ବିବାହ ପରେ ସୁଖୀ ହେବାକୁ ହେଲେ ପ୍ରତ୍ୟେକ ନାରୀକୁ ଯେ କୌଣସି ପରିସ୍ଥିତିରେ ବି ହସିବାକୁ ପଡ଼ିବ | ସ୍ବାମୀଟି ପଛେ ଗୋଟାରଙ୍ଗେ ସ୍ତ୍ରୀର ନ ହେଉ, ସ୍ତ୍ରୀକୁ କିନ୍ତୁ ପ୍ରମାଣ କରିବାକୁ ପଡୁଥିବ ଯେ, ସେ ତାଳୁଠୁ ତଳିପା ପର୍ଯ୍ୟନ୍ତ ତା’ ସ୍ବାମୀର; ପଛେ ଛଳନାରେ ହେଉ |
ନମିତାର କଥାରୁ ସ୍ମୃତି ବୁଝିଲା : ତାକୁ କେବଳ ଛଳନା କରି ହିଁ ବଞ୍ଚିବାକୁ ପଡ଼ିବ | ନିଜ ଜୀବନ ପାଇଁ ନ ହେଲେ ବି, ସ୍ବାମୀ ବୋଲି ସ୍ବୀକାର କରି ଯାହାଙ୍କ ହାତ ଧରି ବାହା ହେଲା, ଅଗ୍ନିକୁ ସାକ୍ଷୀ ରଖି ବେଦୀରେ, ଆତ୍ମୀୟ ସ୍ବଜନଙ୍କ ଉତ୍ଫୁଲ୍ଲ ଆଶୀର୍ବାଦ ଓ ଶୁଭେଚ୍ଛା ବଳରେ, ପବିତ୍ରତା ପ୍ରମାଣ କରି | ନିଜ ଓ ତାଙ୍କ ଜୀବନର ଶାନ୍ତି ପାଇଁ ଅନ୍ତତଃ ତାକୁ ପ୍ରମାଣ କରିବାକୁ ପଡ଼ିବ, ଆବଶ୍ୟକ ହେଲେ କହିବାକୁ ପଡ଼ିବ ଯେ- ସେ ହିଁ ତା’ ଜୀବନର ପ୍ରଥମ ପୁରୁଷ, କେବଳ ତା’ ଦେହ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ନୁହେଁ, ହୃଦୟ ଉପରେ ବି; ଯଦିଓ ତା’ ହୃଦୟର ପ୍ରତି ଅଣୁରେ ଲେଖାଅଛି : ସୋମୁ……ସୋମୁ……ସୋମୁ……ସୋମୁ…… | ଏବଂ ଏଇଥିପାଇଁ ସୋମୁକୁ ଭୁଲିଯିବା ତା’ର ପ୍ରଥମ ଦାୟିତ୍ବ !
ସୋମୁକୁ ଭଲପାଇବା ପରଠାରୁ ଏମିତି ଅନେକ ଦିନ ବିତିଚି, ଯେବେ ଦିନ ତମାମ ସୋମୁକଥା ସ୍ମୃତି ଭାବି ନ ଥିବ | କିନ୍ତୁ ତା’ର ବାହାଘର ଠିକ୍ ହେଇଯିବା ପରଠାରୁ ହିଁ ଏମିତି କୌଣସି ଜାଗ୍ରତ ମୁହୂର୍ତ୍ତ ନାଇଁ, ଯେବେ ସୋମୁ କଥା ତା’ ମନକୁ ଆସିନି |
ଚଉଠି ରାତିର ଆରମ୍ଭରୁ ହିଁ ସ୍ମୃତି ଇଚ୍ଛା କଲା, ଶ୍ରୀଦେବଙ୍କୁ କହିଦେବ ସୋମୁ ସହିତ ତା ସମ୍ପର୍କର କଥା | ପୁଣି ଆରମ୍ଭରୁ ଶ୍ରୀଦେବଙ୍କ ମୁଣ୍ଡରେ ଚାଳ ବାଜିବା ଦ୍ବାରା କି ପ୍ରକାର ବିସ୍ଫୋରଣ ସୃଷ୍ଟି ହେବ ଭାବି ଦବିଯାଉଥିଲା | କହି ନ ପାରୁଥିବାରୁ ଅପରାଧବୋଧରେ ମନ୍ଥିହେଇଯାଉଥିଲା ତା’ର ବିବେକ ଓ ମସ୍ତିଷ୍କରୁ କିଏ ଯେପରି ସ୍ନାୟୁ ସରବରାହକୁ ଛିଣ୍ଡାଇ ନିଶ୍ଚଳ କରିଦେଉଥିଲା ତା’ର ସମଗ୍ର ଅବୟବ | ତଥାପି ଶ୍ରୀଦେବଙ୍କ ସୁଖମୟ ରମ୍ୟ ଜୀବନର କଳ୍ପନାକୁ ଅନୁକୂଳରୁ ଶାପଗ୍ରସ୍ତ କରିଦେବା ଅନୁଚିତ ହେବ ବୋଲି ସେ ବିବେଚନା କଲା | ବିବେଚନା କଲା, ନିଜ ବିଷାଦର ମହାଜନିରେ ନିଜ ସ୍ବାମୀକୁ ଅଂଶୀଦାର କରାଇବା ଅନୁଚିତ ହେବ | କ୍ରମେ ଚିନାବାଦାମ ମଞ୍ଜି ଉପରର ପତଳା ଚୋପା ଭଳି ରଙ୍ଗ ଉକୁଟିଆସୁଥିଲା ଶ୍ରୀଦେବଙ୍କ ଆଖିରେ ଓ ସ୍ମୃତି ଝାଉଁଳିପଡ଼ିଲା | କେମିତି ଗୋଟେ ଭୟରେ ସେ ପାଣିପାଣି ହେଇଗଲା | ସ୍ମୃତିକୁ ସବୁ ଅତର୍କିତ ଓ ରୁଚିହୀନ ମନେହେଲା |
ପୁଣି ଥରେ ଜାଣିହେଲା ପଙ୍ଖା ଘୂରୁଛି | ଦେଖାହେଲା ପଶ୍ଚିମପଟ କାନ୍ଥରେ ଟଙ୍ଗାଯାଇଛି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ବନ୍ଧେଇ ଫଟୋ | ଶୁଣିହେଲା ଜୀବନର ତିକ୍ତ ବିଳାପ | ଶରୀର ଭିତରେ କୋଉଠି କିଛି ଭାଙ୍ଗିଯାଇଥିବା ପରି, ଧସିଯାଇଥିବା ପରି କେଉଁ ଯୁଗର ପ୍ରସ୍ତର-ପ୍ରାସାଦ, ଗୋଟେ ଅନୁଭବର କାରୁଣ୍ୟ ପ୍ରତି ସଚେତନତା ଆବୋରିବସିଲା ଚେତନାକୁ |
ବିଷଦାନ୍ତ ଭାଙ୍ଗିଯାଇଥିବା ପରି ନିର୍ଲଜ୍ଜ ହସଟିଏ ଲାଖିରହିଥିଲା ଶ୍ରୀଦେବଙ୍କ ଓଠରେ | ପଙ୍ଖା ଘୂରୁଥିଲା | ସ୍ମୃତି ଭାବିଲା, ଏହା ହିଁ ପ୍ରକୃଷ୍ଟ ସମୟ ଯେବେ ସବୁକିଛି ବର୍ଣ୍ଣନା କରି ସେ ସୋମୁ ସହ ତା’ର ସମ୍ପର୍କ ପାଇଁ ଶ୍ରୀଦେବଙ୍କଠାରେ କ୍ଷମା ଭିକ୍ଷା କରିବ | ଅଥଚ ଘୂରୁଥିବା କଳା ରଙ୍ଗର ଶିଲିଂ ଫ୍ୟାନ୍ଟିକୁ ଲକ୍ଷ୍ୟ କରୁକରୁ ନିଜ ଭିତରେ ସାହସ ସଂଗ୍ରହ କରୁଥିବା ସ୍ମୃତି କିଛି ସମୟ ପରେ କଡ଼ ଲେଉଟାଇ ଦେଖିଲା, ଶ୍ରୀଦେବ ଗୋଟେ ପରିତୃପ୍ତ ସ୍ବାର୍ଥପରତାରେ ନିଘୋଡ଼ ନିଦରେ ଶୋଇପଡ଼ିଛନ୍ତି !
ପ୍ରତିଦିନ ହିଁ ସ୍ମୃତି ଠିକ୍ କରେ ଶ୍ରୀଦେବଙ୍କୁ ସବୁକଥା ଖୋଲି କହିଦେବ | ଅଥଚ ପ୍ରତି ରାତିରେ ହିଁ ଶୋଇବାଘରେ ସେ ପାଲଟିଯାଏ ଆକ୍ବାରିଅମର ମାଛ | ତା’ କଥା ଅକୁହା ରହିଯାଏ |
କ୍ରମେ ଶ୍ରୀଦେବଙ୍କ ଛୁଟିଦିନ ସରିସରି ଆସୁଥାଏ | ଏତିକି ଦିନ ଭିତରେ ସେ ବାରମ୍ବାର କହିସାରିଥିଲେ କି, କର୍ମସ୍ଥଳୀକୁ ଏକାକୀ ଫେରିବା ଦ୍ବାରା ତାଙ୍କୁ ରୁନ୍ଧିହେଲା ପରି ଲାଗିବ | ଶ୍ବାସରୁଦ୍ଧ ଲାଗିବ | କେଜାଣି ସେ ବଞ୍ଚିପାରିବେ କି ନାହିଁ | ସ୍ମୃତିକୁ ସାଙ୍ଗରେ ନେଇଯାଆନ୍ତେ ଯେ, ବାହାହେବା ସାଙ୍ଗେ ସାଙ୍ଗେ ନେଇଯିବାଦ୍ବାରା କଥାଟା ଆଲୋଚିତ ହେବ | ଘରେ ଅନ୍ୟ କେହି ନ କହୁଣୁ ଆବୁଡ଼ା ପଡ଼ି ନିଜେ କହିବାକୁ ମାଡ଼ି ମାଡ଼ିପଡ଼ିବ | ତା’ ଛଡ଼ା କମ୍ପାନୀ ତାଙ୍କୁ ରହିବାକୁ ଯେଉଁ ଜାଗା ଦେଇଚି, ସେଇଟି ଗୋଟେ ହଷ୍ଟେଲ ଭଳି | ସେଇଠି ଅନେକ ଅବିବାହିତ ଲୋକ ରହନ୍ତି | ଘର ମିଳି ନ ଥିବାରୁ ବିବାହିତ, ବିଶେଷତଃ ସଦ୍ୟ ବିବାହିତମାନେ ବି ସେଠି ରହନ୍ତି ଯେ, ସେଇ ପରିବେଶରେ ଏକାନ୍ତତାର ଘୋର ଅଭାବ | କାହାର ଜଣକର ସ୍ତ୍ରୀକୁ ଅନେକ ଲୋକର ଭାଉଜ ହେବାକୁ ପଡ଼ିବ | କହୁକହୁ ଶ୍ରୀଦେବ ଏକଥା ମଧ୍ୟ କହିପକାଇଥିଲେ କି, ପତ୍ନୀ ସୁନ୍ଦରୀ ଓ ମେଳାପୀ ବା କେବଳ ସୁନ୍ଦରୀ ବା କେବଳ ମେଳାପୀ ହେଇଥିଲେ ବି ଚା’ବିସ୍କୁଟ ଯୋଗାଇବାକୁ ସ୍ବାମୀର ସମୟୋଚିତ ଦିଲ୍ଖୋଲା ସାର୍ବଜନୀନ ଭ୍ରାତୃଭାବ, ତା’ ପକେଟ ଖାଲିର କାରଣ ହେବ | ତଥାପି ଶ୍ରୀଦେବ ସ୍ମୃତିକୁ ସାଙ୍ଗରେ ନେଇଯାଆନ୍ତେ | ନହେଲେ ସବୁ ସମୟ ଅନ୍ୟମନସ୍କତାରେ ବିତିବ | କେଜାଣି ସମୟ ବିତିବ କି ନାଇଁ ! ତା’ଛଡ଼ା ଖାଇବାପିଇବାର ମଧ୍ୟ ଘୋର ଅସୁବିଧା ହେବ |
ସ୍ମୃତି ଶୁଣିଥିଲା, ବାହା ହୋଇଯିବା ମାତ୍ରେ, ବାହାରେ ରହି ଜୀବିକା ଅର୍ଜନ କରୁଥିବା ଯୁବକମାନଙ୍କର ହଠାତ୍ ଗୋଟେ କ’ଣ ଖାଇବାପିଇବାର ଅସୁବିଧା ଦେଖାଦିଏ | ଏ ପ୍ରକାର ଅସୁବିଧା ଫଳରେ ସେମାନେ ଅଳ୍ପଦିନ ମଧ୍ୟରେ ବହୁତ ବେଶୀ ଝଡ଼ିଯାଉଥିବା କଥା ମଧ୍ୟ ସ୍ମୃତି ଶୁଣିଥିଲା | ଶ୍ରୀଦେବଙ୍କର ମଧ୍ୟ ସେମିତିକା ଅସୁବିଧା ହେବ ବୋଲି ଶୁଣିବା ପରେ ତାକୁ ହସ ଲାଗିଲା | ସେ ଟିକିଏ ଲାଜେଇଯାଇଥିଲା ମଧ୍ୟ | ତେବେ କିଛି ସମୟ ବାଦ୍ ଲୁଚାଇଦେଇଥିବା ମୁହଁକୁ ଉଠାଇ, ହସ ଚାପି ସେ କୋମଳ ପ୍ରଶ୍ନ କଲା : ଏତେଦିନ ଯାଏଁ ଯେ ତମେ ଏକଲା ଥିଲ, କୋଉଠି ଖାଇବାପିଇବା କରୁଥିଲ, ତା’ହେଲେ ? ତା’ କଥା ଶୁଣି ଶ୍ରୀଦେବ ତକିଆଟିଏ ଉଠାଇ ତା’ ମୁହଁ ଉପରକୁ ଫିଙ୍ଗିଥିଲେ ପ୍ରେମପୂର୍ଣ୍ଣ ପରାଜୟର ଅଭିନୟପୂର୍ଣ୍ଣ ଅଭିମାନରେ |
ଶ୍ରୀଦେବ ପ୍ରକୃତରେ ଜଣେ ଭଲ ଲୋକ | ତାକୁ ପ୍ରକୃତରେ ହିଁ ବହୁତ ଭଲ ପାଆନ୍ତି | ସ୍ମୃତି ନିର୍ଣ୍ଣୟ କରୁଥିଲା | ତା’ ମନରେ ଦ୍ବନ୍ଦ୍ବ ଆସୁଥିଲା ଏମିତି ଜଣେ ଖୁସିବାସିର ଲୋକକୁ ସେ ସୋମୁ କଥା କହିବା ଠିକ୍ ହେବ ! କିନ୍ତୁ ନମିତା କହୁଥିଲା, ଶ୍ରୀଦେବ ସୋମୁ ସମ୍ପର୍କରେ କିଛି କିଛି ଜାଣନ୍ତି !
ଯେଉଁଦିନ ଶ୍ରୀଦେବ ନିଜ ଚାକିରି କ୍ଷେତ୍ରକୁ ଫେରିଯିବା କଥା, ତା’ ପୂର୍ବ ରାତିରେ ସ୍ମୃତି କହିଲା: ସୋମୁ ମୋର ଜଣେ ଦୂର ସମ୍ପର୍କୀୟ | ମୋର ତାଙ୍କ ସହିତ ହୃଦୟର ସମ୍ପର୍କ ଥିଲା |
ଶ୍ରୀଦେବ ସ୍ମିତ ହସି କହିଲେ : ମୁଁ ତାହା ଜାଣିଚି |
ସ୍ମୃତିର ହଠାତ୍ ମନେହେଲା, ଏଇ ପାଖରେ କେଉଁଠି ପ୍ରଚଣ୍ଡ ଶବ୍ଦରେ ତୋପଟିଏ ଫୁଟି ତା’ର କାନ ଅତଡ଼ା ପଡ଼ିଗଲା | ସେ ନିଜକୁ ସମ୍ଭାଳିନେଲା ପର ମୁହୂର୍ତ୍ତରେ ଓ ନିଜ ମନକୁ ବୁଝାଇଲା : ଏଥିରେ ଏତେ ବିଚଳିତ ହେଲାଭଳି କ’ଣ ଅଛି ? ନମିତା ତ କହୁଥିଲା, ସେ ସୋମୁ ସମ୍ପର୍କରେ କିଛି କଥା ଶୁଣିଛନ୍ତି | ତେଣୁ ଏକ ଦୀର୍ଘଶ୍ବାସ ପରେ ସେ ପ୍ରଶ୍ନକଲା : ସତେ ?
: ହଁ | ଶ୍ରୀଦେବ କହିଲେ | ଆଶ୍ଚର୍ଯ୍ୟ ହେଲେ : ବରଂ ମୁଁ ଭାବୁଥିଲି ତମ ଭଳି ଜଣେ ନିଷ୍କପଟ ଝିଅ ମତେ ଏତେ ଦିନ ଯାଏଁ ଏକଥା ନ କହୁଛି କେମିତି ! ତମେ ନ କହିଥିଲେ ମୁଁ ଅବଶ୍ୟ ପଚାରି ନ ଥାନ୍ତି | ତଥାପି ମୁଁ ଯେମିତି ଇଛା କରୁଥିଲି, ତମେ ମତେ ଶୀଘ୍ର ହିଁ ହାଲୁକା କରିଦେବ |
ସ୍ମୃତିର ଆଖିରେ ଲୁହ ଆସିଯାଇଥିଲା | ମ୍ଳାନ ନୀଳ ଆଲୋକରେ ନିଜ ଲୁହକୁ ଲୁଚାଇଦେବା ତା’ ପକ୍ଷରେ କଷ୍ଟକର ହେଲା ନାହିଁ | ସେ ପଚାରିଲା : ସବୁ କଥା ଜାଣିବା ପରେ ତମର ମୋ ଉପରେ କ୍ରୋଧ ହୁଏ ନାହିଁ ?
: ହୁଏ | ବେଳେବେଳେ ହେଉଥିଲା | କିନ୍ତୁ ସବୁ କିଛି ନ ଜାଣି କ୍ରୋଧ କରିବା ଦ୍ବାରା ମୋ ନିଜର କ୍ଷତି ସିନା !
: ତମେ ତ କହିଲ, ତମେ ସବୁ କିଛି ଚାଣିଚ !
: ସବୁ କିଛି ଜାଣିଚି ବୋଲି କେତେବେଳେ କହିଲି ? ତା’ଛଡ଼ା ମୁଁ ଏମିତି ଭାବେ ଜାଣିଥିଲି, ଯାହା ପ୍ରକୃତରେ କିଛି ନ ଜାଣିଥିବା ସହିତ ସମାନ | ତମ ସହ ମୋର ନିର୍ବନ୍ଧ ହୋଇସାରିବା ପରେ ମୁଁ ଗୋଟିଏ ବେନାମୀ ଚିଠି ପାଇଥିଲି |
: ବେନାମୀ ଚିଠି ! ସ୍ମୃତି ଅସ୍ପଷ୍ଟ ଧ୍ବନି ଉଚ୍ଚାରଣ କଲା |
: ହଁ | କିଏ ଜଣେ ଲେଖିଥିଲା | କିଛି ଆଜେବାଜେ କଥା | ଅବଶ୍ୟ ସିଏ ଏକଥା ମଧ୍ୟ ଲେଖିଥିଲା ଯେ, ତା’ପରେ ବି ଯଦି ମୋର ତମ ସହିତ ବାହାଘର ହୁଏ, ତେବେ ତୁମକୁ ସେଇ ଚିଠିଟି ମୁଁ ଯେମିତି ନ ଦେଖାଏଁ ! କାରଣ ତମେ ତା’ର ହସ୍ତାକ୍ଷର ଚିହ୍ନିପାରିଥାନ୍ତ !
: ତମେ ସେ ଚିଠିଟି କେଉଁଠି ରଖିଚ ? ସ୍ମୃତି ଉଦ୍ବେଗରେ ପଚାରିଦେଲା |
: ରଖିନାଇଁ | ଚିରିଦେଇଚି |
ସ୍ମୃତି ନିଜ ଭିତରେ ଯେମିତି କି ମନ୍ଥିହେଇଯାଉଥିଲା | ଭିଡ଼ ଭିତରେ ଠେଲାପେଲା ହେଉଥିବା ହଜାର ହଜାର ମଣିଷଙ୍କ ପାଦତଳେ ଯେମିତି ଦଳି ଚକଟିହେଇ ଆପ୍ରାଣ ଉଦ୍ୟମରେ ନିଃଶ୍ବାସ ନେଇପାରୁ ନ ଥିଲା !
କିଛି ସମୟ ନୀରବରେ ମୁଣ୍ଡ ପୋତି ବସିରହିବା ପରେ ଖୁବ୍ କଷ୍ଟସାଧ୍ୟ ଭାବେ ମ୍ରିୟମାଣ କଣ୍ଠରେ ସେ ପ୍ରଶ୍ନକଲା : ଚିଠିଟି ମତେ ଦେଖାଇବା ପୂର୍ବରୁ ଚିରିଦେଲ ?
ଶ୍ରୀଦେବ ତା’ ସ୍ବରର ଅଭିମାନକୁ ଚିହ୍ନିଲେ | କହିଲେ : ହଁ | ପାଇସାରି ପଢ଼ିବାପରେ ହିଁ ମୁଁ ସେଇଟିକୁ ଚିରିଦେଇଚି | କାରଣ ମୁଁ ଅଯଥା ଦୁଶ୍ଚିନ୍ତା ଭିତରେ ରହିବାକୁ କେବେ ହେଁ ପସନ୍ଦ କରେନା | ତା’ ଛଡ଼ା, ତମ ସହିତ ମୋର ନିର୍ବନ୍ଧ ହେଇସାରିଥିଲେ ବି ବିବାହ ହୁଏତ ନ ହେଇପାରିଥାନ୍ତା ମଧ୍ୟ ! ଏବଂ ମୁଁ ତୁମକୁ ବିବାହ କରିବାକୁ ଚାହୁଁଥିଲି |
:
ଚିଠି ପାଇବା ପରେ ବି ?
: ଚିଠି ଲେଖିଥିବା ଲୋକକୁ ମୁଁ ଜାଣେନାହିଁ | ତା’ର ଉଦ୍ଦେଶ୍ୟ ମଧ୍ୟ ଜାଣେନା | ସେ ଲେଖିଥିବା କଥା ମିଛ ବି ହେଇପାରିଥା’ନ୍ତା ! ଏମିତି କି ମୁଁ ଯଦି ତୁମକୁ ପଚାରିଥାନ୍ତି, ସୋମୁ ସହ ତମ ସମ୍ପର୍କ କଥା, ତମେ ମଧ୍ୟ ନିର୍ବିକାର ଭାବେ କହି ପାରିଥା’ନ୍ତ ଯେ, ତମେ ସେଇ ନାଁର କୌଣସି ଲୋକକୁ ଚିହ୍ନିନାହଁ | ହଁ, ଅବଶ୍ୟ ସେ ଚିଠିରେ ଲେଖାଥିଲା, ମୁଁ ଯଦି ତୁମକୁ ସୋମୁ କଥା ପଚାରେ କେବେ, ତା’ହେଲେ ତମେ ସେଇ ନାଁରେ ଜଣେ ଲୋକକୁ ଏମିତି କେବଳ ଚିହ୍ନିଚ ବୋଲି କହିପାର, ଯେମିତି ସମସ୍ତଙ୍କର କିଛି ଚିହ୍ନାଲୋକ ଥାଆନ୍ତି, ଅଥଚ ସମ୍ପର୍କ ପ୍ରାୟ ନ ଥାଏ | କାହିଁ ? ବରଂ ମୁଁ କିଛି ପଚାରିବା ପୂର୍ବରୁ ତମେ ନିଜେ ସେଇ କଥା କହୁଚ ! ମୁଁ ଜାଣିପାରିଚି, ତମେ ଖୁବ୍ ନିର୍ମଳ ଓ ଉଜ୍ଜ୍ବଳ | ମୁଁ ଖୁସି |
ସ୍ମୃତି କାନ୍ଦକାନ୍ଦ ହେଇଗଲା | ଏତେ ଦିନ ପରେ ପ୍ରଥମ ଥର ପାଇଁ ସ୍ବେଚ୍ଛାକୃତ ଭାବେ ସେ ଶ୍ରୀଦେବଙ୍କ ଛାତିରେ ଆଉଜିପଡ଼ିଲା |
ଶ୍ରୀଦେବ କହିଲେ : ସ୍ମୃତି ! ତଥାପି ବିବାହ ବେଦୀ ପର୍ଯ୍ୟନ୍ତ ବି ମୁଁ ପ୍ରସ୍ତୁତ ଥିଲି, କାଳେ କିଛି ଅଘଟଣ ଘଟିପାରେ | କିନ୍ତୁ ମୁଁ ଆଶା କରୁଥିଲି, ନିର୍ବନ୍ଧ ପାଇଁ ତମେ ଯେତେବେଳେ ରାଜି ହେଇଚ, ବିବାହ କରିବାରେ ବି ତମର କିଛି ଆପତ୍ତି ନ ଥିବ | ଆଉ ମଧ୍ୟ, ତମେ ତ ଜାଣିଚ, ବିବାହ ବେଦୀରେ ଶିଶୁପାଳ ହେବା ଓ ନିର୍ବନ୍ଧ ପରେ ଶିଶୁପାଳ ହେବା ଏକାକଥା | ସେମିତି କୌଣସି ଅଘଟଣ ଘଟିବାକୁ ପ୍ରଶ୍ରୟ ନ ଦେଇ ତମେ ମତେ ଯେତେ ଦୂର ଅସମ୍ମାନିତ ହେବାରୁ ବଞ୍ଚାଇଛ, ସେଥିପାଇଁ ମୁଁ ତମଠାରେ କୃତଜ୍ଞ |
ଏଥର ସ୍ମୃତି ପ୍ରକୃତିରେ କାନ୍ଦିପକାଇଲା ଅସହ୍ୟ ଭାବାବେଗରେ |
ଶ୍ରୀଦେବ ତା’ର ମୁଣ୍ଡ ଆଉଁଷିଲେ | କହିଲେ : ପ୍ରେମର କୌଣସି ପରିଭାଷା ଦେବାପାଇଁ ମୁଁ ନିହାତି ଅକିଞ୍ଚନ | କିନ୍ତୁ ମୁଁ ଗୋଟିଏ ବିଚିତ୍ର ପ୍ରେମ କାହାଣୀ ଶୁଣିଚି | ଏମିତି ଭାବେ ମଧ୍ୟ ପ୍ରେମ ସମ୍ପର୍କ ଗଢ଼ିଉଠିପାରେ | ଝିଅ ଦେଖା କରିବାକୁ ଆସୁଥିବା ଲୋକମାନଙ୍କ ସାମନାକୁ ବାରମ୍ବାର ଆସି ସୁଦ୍ଧା ବିବାହଯୋଗ୍ୟ ଝିଅଟିଏ କୌଣସି ନା କୌଣସି କାରଣରୁ ନିଜର ଯୋଗ୍ୟତା ପ୍ରମାଣ କରିପାରୁ ନ ଥିଲା | ଶେଷରେ ସେ ଏମିତି ଏକ ବରପାତ୍ର ସାମନାକୁ ଆସିଲା, ଯା’ର ଗୁରୁଜନମାନେ ତାକୁ ପସନ୍ଦ ନ କଲେ ବି ନିଜେ ବରପାତ୍ରଟି ତାକୁ ପସନ୍ଦ କରିଥିଲା ଓ ଭଲପାଇବା ଆରମ୍ଭ କରିଦେଲା | ଝିଅଟି ତା’ର ସେଇ କୁଟାଖିଅ-ପ୍ରେମିକଟିକୁ ଅନେକ ଚିଠି ଲେଖିଲା, ଆବେଗର ଲୁହରେ ଭିଜାଇ ଦେଲା ତା’ ହୃଦୟ ! ଅବଶ୍ୟ ସେ ଦୁହେଁ ପରସ୍ପରକୁ ବାହା ହେଇପାରିଲେ ନାହିଁ |
ଶ୍ରୀଦେବ ବିରାମ ନେଲେ ଓ କହିଲେ : ଧରିନିଅ ଖଣ୍ଡେ ଜାମା କିଣିବା ପାଇଁ ମୁଁ ଦୋକାନକୁ ଗଲି | ମୁଁ ଯେଉଁ ଜାମାଟି ପସନ୍ଦ କଲି, ତାହା କିଣିପାରି ନ ଥିଲେ ବି ଅନ୍ୟ କେହି ଯେ ସେ ଜାମାଟିକୁ ପସନ୍ଦ କରି ନ ଥିବ, ଏମିତି ତ କିଛି ମାନେ ନାଇଁ ! ତେବେ କଥା କହିପାରୁଥିଲେ, ହୁଏତ ଜାମାଟି କହିଥାନ୍ତା, ମୋର ଶୋଭା ବର୍ଦ୍ଧନ କରିବାକୁ ସେ ମୋ ସହିତ ରହନ୍ତା; ଯେମିତି ତମେ ଏଇନା ମୋର ମର୍ଯ୍ୟାଦା ବଢ଼ାଉଛ ! କହିସାରି ଶ୍ରୀଦେବ ପ୍ରାଣ ଖୋଲି ହସିଲେ |
ସ୍ମୃତି ଲୁହ ପୋଛି କହିଲା : ଦେବ୍ ! ମୁଁ ଏତେ ବେଶୀ ଉଦାରତା ସହିପାରୁ ନାହିଁ!
ଶ୍ରୀଦେବ ଗମ୍ଭୀର ହେଲେ | କହିଲେ : ଉଦାରତା ନୁହେଁ ସ୍ମୃତି, ମୋର ବରଂ ଗୋଟେ ପ୍ରକାର ବ୍ୟାକୁଳ ଅଭିଳାଷ ଥିଲା, ମୋର ତମ ଭଳି ପ୍ରେମିକାଟିଏ ଥାଆନ୍ତା ! କାରଣ ବେନାମୀ ଚିଠିଟି ପାଇବା ପରେ ମୁଁ ସୋମୁ ପାଖକୁ ଯାଇଥିଲି |
ସ୍ମୃତି ଅଚାନକ ପଚାରିଦେଲା : ଚିଠିଟି କ’ଣ ସୋମୁ ଲେଖିଥିଲେ ?
ଶ୍ରୀଦେବ ଆଶ୍ଚର୍ଯ୍ୟାନ୍ବିତ ହେଲେ : ସୋମୁ ସମ୍ପର୍କରେ ତମ ଧାରଣା କ’ଣ ପ୍ରକୃତରେ ଏତେ ନ୍ୟୂନ ? ତମେ କ’ଣ ପ୍ରକୃତରେ ଭାବିପାରୁଚ ଯେ, ସୋମୁ ଏମିତି ଗୋଟିଏ ଚିଠି କେବେ ଲେଖିପାରନ୍ତି ?
ସ୍ମୃତି ଟିକିଏ ମ୍ଳାନ ଜଣାପଡ଼ିଲା |
ଟିକିଏ ବିରାମ ନେଇ, ସ୍ମୃତିର ଆଖିରେ ଆଖି ରଖି, ଶ୍ରୀଦେବ କହିଲେ : ଜାଣ ସ୍ମୃତି ? ସୋମୁ ତାଙ୍କ ଘରର କାନ୍ଥରେ ଗୋଟିଏ ତୈଳଚିତ୍ର ଟାଙ୍ଗିଛନ୍ତି ! ଚିତ୍ରଟି ତୁମର | ଚିତ୍ର ତଳେ ଲେଖାହେଇଚି, “ତମେ ହେଲେ ମୋ ମାଆ ହେଇ ଜନ୍ମ ହେଇଥା’ନ୍ତ |”
0 Response to "ପ୍ରେମିକା"
Post a Comment