ଡ. ଶରତ ଚନ୍ଦ୍ର ରଥ
ସେହି ମନୁଷ୍ୟର ଜୀବନ ଧନ୍ୟ ଯିଏ ଭଗବାନଙ୍କ ସେବାରେ ନିଜକୁ ନିୟୋଜିତ କରିପାରେ | ଯିଏ ଅକୁଣ୍ଠିତ ଚିତ୍ତରେ ନିଜର ଧନ, ମାନ, ଯଶ ଓ ପ୍ରତିଷ୍ଠାକୁ ଭଗବାନଙ୍କ ପାଦତଳେ ସମର୍ପି ଦେଇପାରେ | ତାହା ହିଁ ଯଥାର୍ଥ ପ୍ରେମ ଯାହା ଭଗବତ ପ୍ରୀତିକୁ କେନ୍ଦ୍ର କରି ସଙ୍ଗଠିତ | ସିଏ ହିଁ ଏକମାତ୍ର ସୁଖୀ ଯିଏ ଭଗବାନଙ୍କର ଅନୁସନ୍ଧାନ କରେ | ସେହି ଜ୍ଞାନ ହିଁ ପ୍ରକୃତ ଜ୍ଞାନ ଯହିଁରେ ଅହଂକାର ନଥାଏ | ତାକୁ ହିଁ ବୁଦ୍ଧିମାନ ବୋଲି କୁହାଯିବ ଯିଏ ଭଗବାନଙ୍କୁ ମୁଖ୍ୟ ଆଉ ସବୁକୁ ଗୌଣ ବୋଲି ବିବେଚନ କରିଥାଏ ଏବଂ ତାଙ୍କରି ନିମିତ୍ତ ଜୀବନ ଧାରଣ କରିଥାଏ |
ଯେଉଁଠାରେ ଆନ୍ତରିକତା
ଥାଏ ସେଠାରେ
ଅକୁଣ୍ଠ ଚିତ୍ତରେ
କିଛି ଦେବାକୁ
ଇଚ୍ଛା ହୁଏ | ତହିଁରୁ ଅକଳ୍ପନୀୟ ଆନନ୍ଦ
ମିଳେ | ଏ ତ ମନୁଷ୍ୟ ସ୍ତରର
ଆଦାନ ପ୍ରଦାନ
କଥା | ଯଦି ଭଗବାନଙ୍କୁ କିଛି ଦେଇ ହୁଏ ତେବେ ତହିଁରୁ
ଅସୀମ ଓ ଅନିର୍ବଚନୀୟ ଆନନ୍ଦ
ମିଳିଥାଏ |
ମଣିଷ ଜୀବନର ଅସଲ ଲକ୍ଷ୍ୟ ହେଉଛି ଭଗବତ ପ୍ରାପ୍ତି | ପ୍ରତ୍ୟେକ ମନୁଷ୍ୟର ଆତ୍ମାର ଏହାହିଁ ଏକାନ୍ତ କାମନା | ଆତ୍ମା ଯେତେବେଳେ ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନ ହୋଇ ଭୌତିକ ଜଗତକୁ ପ୍ରବେଶ କରେ, ସେ ପ୍ରତିଜ୍ଞା କରିଥାଏ ପରମାତ୍ମାଙ୍କ ସଙ୍ଗେ ମିଳିତ ହେବ ବୋଲି, କିନ୍ତୁ ସେ ଏ ମାଟିର ସ୍ପର୍ଶ ପାଇଲା ମାତ୍ରେ ସବୁ ପ୍ରତିଜ୍ଞା ଭୁଲିଯାଏ | ସାଂସାରିକ ମୋହ ମାୟାରେ ସେ ଆଚ୍ଛନ୍ନ ହୋଇପଡ଼େ | ଆତ୍ମା ଆଚ୍ଛାଦିତ ହୋଇଯାଏ ପରଦାର ଆବରଣରେ ମନ, ପ୍ରାଣ ଓ ଦେହର ଅଜ୍ଞତା ଅବିଦ୍ୟା ତାକୁ ଉଦ୍ଭ୍ରାନ୍ତ କରେ | ଫଳତଃ ସେ ଭୁଲ୍ବାଟରେ ଅଶାନ୍ତିର ଶିକାର ହୁଏ ଓ ଜୀବନର ସବୁ ସରସତା ତାର ନଷ୍ଟ ହୋଇଯାଏ | ଅବିଦ୍ୟାରୁ ମୁକ୍ତହୋଇ ବିଦ୍ୟାର ଆଲୋକରେ ଆଲୋକିତ ହେବା ପାଇଁ ବ୍ୟକ୍ତିକୁ କିଛି ପ୍ରୟାସ ଓ ପ୍ରଚେଷ୍ଟା କରିବାକୁ ପଡ଼େ | ତନ୍ମଧ୍ୟରୁ ସମର୍ପଣ ଗୋଟିଏ ଦିଗ ଯାହା ସମ୍ପର୍କରେ ଏହି କ୍ଷୁଦ୍ର ପ୍ରବନ୍ଧରେ ଆଲୋଚନା କରାଯାଇଛି |
ସମର୍ପଣ ଭାବଟି ପ୍ରୀତି ପ୍ରବଣ ଭାବଧାରାର ଏକ ବ୍ୟାବହାରିକ ଅଭିବ୍ୟକ୍ତ ରୂପ | ଆନ୍ତରିକତା ଥିବାର ଏହା ଏକ ବଳିଷ୍ଠ ଚିହ୍ନ | ଯେଉଁଠାରେ ଆନ୍ତରିକତା ଥାଏ ସେଠାରେ ଅକୁଣ୍ଠ ଚିତ୍ତରେ କିଛି ଦେବାକୁ ଇଚ୍ଛା ହୁଏ | ତହିଁରୁ ଅକଳ୍ପନୀୟ ଆନନ୍ଦ ମିଳେ | ଏ ତ ମନୁଷ୍ୟ ସ୍ତରର ଆଦାନ ପ୍ରଦାନ କଥା | ଯଦି ଭଗବାନଙ୍କୁ କିଛି ଦେଇ ହୁଏ ତେବେ ତହିଁରୁ ଅସୀମ ଓ ଅନିର୍ବଚନୀୟ ଆନନ୍ଦ ମିଳିଥାଏ | କିଛି କିଛି ଦେବାର ଅଭ୍ୟାସ ଦିନେ ସବୁକୁ ଦେଇ ଦେବାପାଇଁ ସୁଯୋଗ ସୃଷ୍ଟି କରେ | ମନରେ ସ୍ବତ ଆନନ୍ଦର ମନ୍ଦାକିନୀ ଧାରା ଝରିଯାଏ | ହଜିଯାଏ କେତେ କୁତ୍ସିତ ନୀଚ ବାସନା, ହୀନ, ମଳିନ ଚିନ୍ତାଧାରା କିଏ ଯେମିତି ଆଣି ଦେଇଯାଏ ସ୍ବର୍ଗର ସୁଧାସିକ୍ତ ଚେତନାର ସୁଲଳିତ ସ୍ପର୍ଶ | ହୃଦୟରେ ନାଚିଉଠେ ଆହ୍ଲାଦର ତରଙ୍ଗମାଳା | ପ୍ରକୃତ ପକ୍ଷେ ଭଲ ପାଇବାର ମାନଦଣ୍ଡ ସମର୍ପଣ ଉପରେ ପ୍ରତିଷ୍ଠିତ | ଅନ୍ୟକୁ କରାୟତ କରିବା ଭଲପାଇବା ନୁହେଁ, ବରଂ ଅନ୍ୟକୁ ନିଜକୁ ଦେଇଦେବାହିଁ ଭଲପାଇବା | ଶ୍ରୀମାଙ୍କ ଭାଷାରେ “ସବୁଠାରୁ ବେଶି ଭଲପାଇବାର ଲକ୍ଷଣ ହେଉଛି ସବୁଠାରୁ ବେଶିକରି ନିଜକୁ ଦେଇଦେବା |” ଦେବାହିଁ ପାଇବାର ଯଥାର୍ଥ ମାର୍ଗ | କିଛି ନଦେଇ ଯିଏ କେବଳ ପାଇବା ପାଇଁ ଚାହାନ୍ତି ସେ କିଛି ପାଆନ୍ତି ନାହିଁ | କେବଳ କାମନା ବାସନାରେ ଜର୍ଜରିତ ହୋଇ ରହିଥାନ୍ତି | ଭଗବାନଙ୍କୁ ଭଲପାଇ ତାଙ୍କ ପାଖରେ ନିଜକୁ ସମର୍ପି ଦେଲେ ମନୁଷ୍ୟ ଜୀବନ ହୁଏ ସାର୍ଥକ ଓ ମହତ୍ତ୍ବପୂର୍ଣ୍ଣ
| କିଛି ପାଇବାର ଆଶା ନରଖି କେବଳ ଅର୍ପଣ କରିବାକୁ ହେବ ପ୍ରଭୁଙ୍କ ପାଖରେ, ଯାହା ତାଙ୍କର ଇଚ୍ଛା ତାହା ପୂରଣ ହେବ ବୋଲି କହିବାକୁ ହେବ | ପ୍ରଭୁଙ୍କ ପାଖରେ ନିର୍ଭରତା ରଖିଲେ ଅଶାନ୍ତିର ବିଷାକ୍ତ ବାଷ୍ପ ଅପସରି ଯିବ | ଅତଏବ ଆତ୍ମସମର୍ପଣ ପର୍ଯ୍ୟନ୍ତ ସମର୍ପଣର ବିସ୍ତୃତି |
ସମର୍ପଣ ଭିତ୍ତିରେ ଶ୍ରୀଅରବିନ୍ଦଙ୍କର ପୂର୍ଣ୍ଣଯୋଗର ସାଧନା ସମ୍ଭବ ହୋଇପାରେ | ସେଥିରେ ମନର କଳ୍ପନା ଗୌରବବୋଧ, ନିଜସ୍ବ ମତାମତ ରହିବ ନାହିଁ, ପ୍ରଭୁଙ୍କ ପାଖକୁ ଯାହାଆସିବ ତାକୁ ମାନି ନେବାକୁ ପଡ଼ିବ | ତହିଁରେ ନିଜସ୍ବ ଯୁକ୍ତିବାଦିତା, ପ୍ରୟୋଗ କରିବାକୁ ଦେବନାହିଁ | ଶ୍ରୀମା କହନ୍ତି “ଯାହାକିଛି ଭଗବାନଙ୍କଠାରୁ
ଆସେ ପ୍ରୀତିକର ହେଉ ବା ଅପ୍ରୀତିକର ହେଉ ଲୋକମାନେ ବୁଝିବା ଉଚିତ୍ ଯେ ତାଙ୍କ ସଂକଳ୍ପ ଓ କର୍ମ ପଶ୍ଚାତରେ କିଛି ଉଦ୍ଦେଶ୍ୟ ରହିଛି | ସେମାନେ ବିକ୍ଷୁବ୍ଧ ନହୋଇ ଏହାକୁ ପୂର୍ଣ୍ଣ ରୂପେ ଗ୍ରହଣ କରିବା ଉଚିତ୍ |” ଯଦି ଏହା କରାଯାଇପାରେ ତେବେ ସେମାନେ ନିଶ୍ଚୟ ଅଗ୍ରଗତି କରିବେ |
ଆତ୍ମ ସମର୍ପଣ ପ୍ରସଙ୍ଗରେ ଶ୍ରୀରାମକୃଷ୍ଣଙ୍କର କଥା ସ୍ମରଣକୁ ଆସେ | ସେ ବିଲେଇ ଛୁଆର ଉଦାହରଣ ଦେଇ ପ୍ରସଙ୍ଗଟିକୁ ବୁଝାଇ ଦେଇଛନ୍ତି | ବିଲେଇ ଛୁଆର ପସନ୍ଦ, ଅପସନ୍ଦ, ଦାବି ନିଜର ଇଚ୍ଛା କିଛି ନଥାଏ | ସେ ତା ମାଆ ନିକଟରେ ନିଜକୁ ପୂର୍ଣ୍ଣରୂପେ ଅର୍ପଣ କରିଥାଏ | ତା ମାଆ ତାକୁ ଯେଉଁଠାକୁ ନିଏ ସେ ପ୍ରତିବାଦ କରେ ନାହିଁ | ଏହାହିଁ ପ୍ରକୃତରେ ସମର୍ପଣର ଏକ ସାର୍ଥକ ନମୁନା | ଭଗବାନଙ୍କ ନିକଟରେ ବିଲେଇ ଛୁଆପରି ନିଜକୁ ଅର୍ପଣ କରିଦେବା ହିଁ ଜୀବନ ପଥରେ ନିବିଘ୍ନରେ ଚାଲିବାର ମୂଳମନ୍ତ୍ର | ପ୍ରଗତି ଦ୍ବାର ଏଥିରେ ଉନ୍ମୁକ୍ତ ହୁଏ | ଚେତନାର ଅଗ୍ରଗତି ହୁଏ | ଜୀବନ ଯେତେ ମହନୀୟ ଓ ମହତ୍ବପୂର୍ଣ୍ଣ ହୋଇଉଠେ | ଭଗବାନଙ୍କ ଉପରେ ନିର୍ଭରତା ରଖିଲେ ଯାହା ବ୍ୟକ୍ତି ପାଇଁ ସର୍ବୋତ୍ତମ ସେ ତାହାହିଁ ଘଟାନ୍ତି ଓ ସବୁ ଅପୂର୍ଣ୍ଣତାକୁ କ୍ରମେ କ୍ରମେ ସୁଧାରି ନିଅନ୍ତି |
ଅବଶ୍ୟ ଏହି ସମର୍ପଣ ଭାବଟିରେ ସଦାସର୍ବଦା ଅଟଳ ରହିବା ଅତ୍ୟନ୍ତ କଷ୍ଟକର କଥା | ପ୍ରଥମେ ଭାବ ଆସେ ମନରେ | ମନରେ ଏହି ପବିତ୍ର ଭାବଟି ଆସିଲେ ବିରୋଧୀ ଶକ୍ତିମାନେ ଆକ୍ରମଣ କରି ଭାବଟିକୁ ନଷ୍ଟ କରିଦେବାକୁ ଚେଷ୍ଟା କରନ୍ତି | କାରଣ ବିରୋଧୀ ଶକ୍ତି ଚାହାନ୍ତି ନାହିଁ ଯେ ବ୍ୟକ୍ତି ଭଗବତ୍ ଚେତନା ଆଡ଼କୁ ଅଗ୍ରସର ହେଉ | ସେମାନେ ଚାହାନ୍ତି ମଣିଷ ତାର କର୍ଦ୍ଦମାକ୍ତ ବଳୟ ଭିତରେ ବନ୍ଦୀ ରହୁ | ସଂକଳ୍ପକୁ ବାରମ୍ବାର ଅଟଳ ରଖିବାକୁ ଚେଷ୍ଟାକଲେ, କିଛିଦିନ ପରେ ବିରୋଧୀ ଶକ୍ତି କିଛି କରିପାରିବେ ନାହିଁ | ନିରାଶ ହୋଇ ଶେଷରେ ନିଷ୍କ୍ରିୟ ହୋଇଯିବେ, ଅବଶ୍ୟ ଏହି କଥାଟି ଅତ୍ୟନ୍ତ କଷ୍ଟସାଧ୍ୟ | ଏଥିପାଇଁ ଯଥେଷ୍ଟ ସମୟ ମଧ୍ୟ ଆବଶ୍ୟକ | ଅବଶ୍ୟ ବ୍ୟକ୍ତିଭେଦରେ ସମୟର ସୀମା ଭିନ୍ନ ଭିନ୍ନ ହୋଇଥାଏ |
ମନରେ ଏହି ପବିତ୍ର ଭାବଟି ଆସିଲେ
ବିରୋଧୀ ଶକ୍ତିମାନେ
ଆକ୍ରମଣ କରି ଭାବଟିକୁ ନଷ୍ଟ କରିଦେବାକୁ
ଚେଷ୍ଟା କରନ୍ତି
| କାରଣ ବିରୋଧୀ
ଶକ୍ତି ଚାହାନ୍ତି
ନାହିଁ ଯେ ବ୍ୟକ୍ତି ଭଗବତ୍ ଚେତନା
ଆଡ଼କୁ ଅଗ୍ରସର
ହେଉ | ସେମାନେ
ଚାହାନ୍ତି ମଣିଷ
ତାର କର୍ଦ୍ଦମାକ୍ତ ବଳୟ ଭିତରେ
ବନ୍ଦୀ ରହୁ | ସଂକଳ୍ପକୁ ବାରମ୍ବାର ଅଟଳ ରଖିବାକୁ ଚେଷ୍ଟାକଲେ, କିଛିଦିନ
ପରେ ବିରୋଧୀ
ଶକ୍ତି କିଛି
କରିପାରିବେ ନାହିଁ
| ନିରାଶ ହୋଇ ଶେଷରେ ନିଷ୍କ୍ରିୟ ହୋଇଯିବେ,
ଅବଶ୍ୟ ଏହି କଥାଟି ଅତ୍ୟନ୍ତ କଷ୍ଟସାଧ୍ୟ
|
ସମର୍ପଣ ଦୁଇ ପ୍ରକାରରେ ବିଭାଜନ କରାଯାଇପାରେ | ଯଥା- ନିଷ୍କ୍ରିୟ ସମର୍ପଣ ଓ ସକ୍ରିୟ ସମର୍ପଣ | ନିଷ୍କ୍ରିୟ ସମର୍ପଣ ହେଲା, କିଛି ଚେଷ୍ଟା ନକରି କେବଳ ଭଗବାନଙ୍କୁ ସମର୍ପଣ କରିବା | ଅସ୍ପୃହା ଓ ପ୍ରତ୍ୟାଖ୍ୟାନ ଉପରେ ଗୁରୁତ୍ବ ନଦେଇ କେବଳ ସମର୍ପଣ ଭାବ ନେଇ ରହିଲେ ଯେଉଁ ସମର୍ପଣ ହୁଏ, ତାହାହେଲା ତାମସିକ ସମର୍ପଣ ବା ନିଷ୍କ୍ରିୟ ସମର୍ପଣ | ଅନ୍ୟପ୍ରକାରର ସମର୍ପଣ ଅର୍ଥାତ୍ ସକ୍ରିୟ ସମର୍ପଣ ହେଉଛି ପୂର୍ଣ୍ଣ ସମର୍ପଣ | ସେଥିରେ ଅସ୍ପୃହା ଓ ପ୍ରତ୍ୟାଖ୍ୟାନର
ଭାବ ଓ ଚେତନା ସ୍ପଷ୍ଟରୂପେ ପରିସ୍ପୁଟ ହୋଇଥାଏ |
ସକ୍ରିୟ ସମର୍ପଣର ପ୍ରଭାବ ବହୁତ ବେଶି | ଏହା ଦ୍ବାରା କଠିନ ସମସ୍ୟା ସହଜ ଓ ସରଳ ହୋଇଥାଏ | ଶ୍ରୀଅରବିନ୍ଦ
ଏ ପ୍ରସଙ୍ଗରେ କହିଛନ୍ତି ଯେ ଯେଉଁମାନେ ନିର୍ବିଚାର ଓ ନିଃଶେଷରେ ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିଥାନ୍ତି ସେମାନଙ୍କ ପାଖରେ ଭଗବାନ ଧରାଦିଅନ୍ତି | ସେମାନଙ୍କ ଜୀବନର ଦାୟିତ୍ବ ଭଗବାନ ନିଅନ୍ତି | ଯାହାକିଛି ଅସମ୍ଭବ ପରି ଜଣାଯାଏ ତାହା ଭଗବତ କରୁଣା ଦ୍ବାରା ସମ୍ଭବ ହୋଇପାରେ | ମୂକକୁ ବାଚାଳ କରିବାର ଓ ପଙ୍ଗୁକୁ ଗିରି ଲଂଘନ କରିବାର ସାମର୍ଥ୍ୟ ସେହି ହିଁ ଦେଇପାରନ୍ତି | ସମର୍ପଣ ସକ୍ରିୟ ହେଲେ ଭଗବାନ ନିଅନ୍ତି ବ୍ୟକ୍ତି ଜୀବନର ଦାୟିତ୍ବ | ତା ଭିତରେ ଭରି ଦିଅନ୍ତି ଆଶା, ବିଶ୍ବାସ, ଧୈର୍ଯ୍ୟ, ସହିଷ୍ଣୁତା, ଆନନ୍ଦ ପବିତ୍ରତା ଇତ୍ୟାଦି ଇତ୍ୟାଦି ଅନେକ | ସଦ୍ଗୁଣ ଯାହା ଫଳରେ ବ୍ୟକ୍ତିପାଏ ଆତ୍ମଶାନ୍ତି | ଅନ୍ତରାଳରେ ରହି ଭଗବତ ଶକ୍ତି ବ୍ୟକ୍ତିର ଦେହ, ମନ ପ୍ରାଣର ଆଧାରରେ କାର୍ଯ୍ୟ କରନ୍ତି |
ଏହି ସକ୍ରିୟ ସମର୍ପଣ ଆଦୌ ସାମୟିକ ସମର୍ପଣ ନୁହେଁ | ଜୀବନର ଭଲ ଦିଗକୁ ଦେଖି ଦେଖି ସେ ଦିଗରେ ଅଗ୍ରଗତି ପାଇଁ ସମର୍ପଣ ଯଥେଷ୍ଟ ପ୍ରେରଣା ଦେଇଥାଏ | ଏଥିପାଇଁ ପ୍ରଥମେ ଦରକାର ହେଲା ବିଶ୍ବାସ ଓ ନିର୍ଭରତା | ଶ୍ରୀଅରବିନ୍ଦଙ୍କ ମତରେ ଦିବ୍ୟ ଜୀବନ ପାଇଁ ଯେଉଁ ତିନିଗୋଟି କଥା ଦରକାର, ତାହାହେଲା ପ୍ରତ୍ୟାଖ୍ୟାନ,
ଅସ୍ପୃହା ଓ ସମର୍ପଣ | ଏ ତିନୋଟି ଯାକ ପରସ୍ପର ପରିପୂରକ | କାହାର ପ୍ରଥମେ ଆସେ ଅସ୍ପୃହା ପରେ ଆସେ ସମର୍ପଣ | କାହା କାହାର ଆଗ ଆସେ ସମର୍ପଣ ପରେ ପ୍ରତ୍ୟାଖ୍ୟାନ
ତେବେ ଗୋଟିଏ ଆସିଲେ ଅନ୍ୟଟି ଏବଂ କ୍ରମଶଃ ଅନ୍ୟ ଦୁଇଟି ଆସନ୍ତି | ତ୍ରିବେଶୀ ସଙ୍ଗମରେ ଜୀବନ ସ୍ନିଗ୍ଧ ସୁନ୍ଦର ପବିତ୍ର ତୀର୍ଥରେ ପରିଣତ ହୁଏ | ପାର୍ଥିବ ପରିବେଶ ହୁଏ ଅପାର୍ଥିବ ଆନନ୍ଦର ଏକ ସୁଲଳିତ କାବ୍ୟ | ବିଶ୍ବ ଜୀବନରେ ଭରିଯାଏ ଅପୂର୍ବ ଛନ୍ଦର ମନମୋହିନୀ ମାଧୁରିମା | ନବଉଷାର ସୁକୁମାର ସ୍ପର୍ଶରେ ଦିଗଦିଗନ୍ତ ସମୁଜ୍ଜ୍ବଳ ଓ ଶୁଚିସ୍ମିତ ହୋଇଉଠନ୍ତି |
0 Response to "ସମର୍ପଣ"
Post a Comment