କନକଲତା ସାହୁ
ପୁଅର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଭିତରବାହାର ହେଉଥିଲେ ସୁନନ୍ଦା l ଗାଡ଼ି ରହିବା ଶବ୍ଦ ଶୁଣିବା ମାତ୍ରେ ଦୌଡ଼ିଯାଉଥିଲେ ବାହାରକୁ l ଗାଡ଼ି ଚାଲିଗଲେ ପୁଣି ଘରକୁ ଫେରିଆସୁଥିଲେ ଦୁଃଖରେ l ଏମିତି ଭିତରବାହାର ହେବା ଏ ପରିଣତ ବୟସରେ କ’ଣ ସମ୍ଭବ ? ତଥାପି ତାଙ୍କୁ ପୁଅକୁ ସ୍ବାଗତ କରିବାକୁ ପଡ଼ିବ l ପ୍ରତି ଥର ପୁଅ ଆସିଲେ ଆରତୀ ଥାଳୀ ଧରି ଠିଆ ହୋଇପଡ଼ନ୍ତି, ଏରୁଣ୍ଡିବନ୍ଧ ପାଖରେ l ବନ୍ଦାପନା ପରେ ହିଁ ଘରେ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି l ପ୍ରଶାନ୍ତ ସବୁବେଳେ ହସି ହସି କହନ୍ତି ଆରେ “ସୁନନ୍ଦା, ଘରର ପୁଅ ଘରକୁ ଆସିବ l ତୁମେ ସବୁବେଳେ ଏ ବର ଆୟୋଜନ କାହିଁକି କରୁଛ ?” ସୁନନ୍ଦା କିନ୍ତୁ ନଛୋଡ଼ବନ୍ଧା l କାଳେ ପୁଅ ଉପରେ କାହାର ଅଶୁଭ ନଜର ପଡ଼ିଯାଇଥିବ?
ଦୁଇଦିନ ତଳେ ଫୋନ୍ ଆସିଥିଲା ସେ ଫେରିଆସୁଛି l ଭାରି ଦରଦଭରା ସେ କଣ୍ଠସ୍ବର l ଗାଆଁରୁ ସେ ଯାଇ ମାସେ ବି ହୋଇନି l ସେଥିରେ କହୁଛି ଫେରିଆସିବ ? ଟ୍ରେନିଂ ସମୟରେ ବି କେବେ ଦିନେ କହିନି “ବୋଉ କଷ୍ଟ ହେଉଛି ଫେରିଆସିବି l” ଆଉ ଆଜି କାହିଁକି ? ଫୋନ୍ରୁ ବିଜୁ ଯେ ଦୁଃଖରେ ଅଛି ଏକଥା ଅନୁମାନ କରିପାରୁଥିଲେ ସୁନନ୍ଦା l ସୁନନ୍ଦାଙ୍କର ମନଟା ଗୋଳେଇ ଘାଣ୍ଟି ହେଉଥିଲା l ବିଜୁ ମନରେ ସାମାନ୍ୟ କଷ୍ଟକୁ ସେ ସହ୍ୟ କରିପାରନ୍ତି ନାହିଁ l ପାଞ୍ଚ ନା ସାତ ଯେ ସହ୍ୟକରିବେ l ଗୋଟିଏ ବୋଲି ପୁଅ, ପୁଣି ବାହାଘର ଦଶ ବର୍ଷ ପରେ କେତେ ଦିଅଁ ଦେବତା କରି ତା’ର ଜନ୍ମ l
ଜନ୍ମ ବେଳେ ତ ହରି ଗୋସେଇଁ ବିଜୁର ଜାତକ ତିଆରି କରି କହିଥିଲେ ଭାରି ସୁନ୍ଦର କୋଷ୍ଠି, ଭଲ ପାଠ ପଢ଼ିବ l ବଡ଼ ଅଫିସର୍ ହେବ l ବଡ଼ ଅଫିସର ହୋଇଛି ବିଜୟଶ୍ରୀ l ଦିନେ ତା’ ପାଠପଢ଼ା ଦେଖିନାହାନ୍ତି କିଏ ଗାଁ ସ୍କୁଲରୁ ଆରମ୍ଭ କରି ରେଭେନ୍ସା ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ l ବିଦ୍ୟାଳୟ କୁହ କି କଲେଜ କୁହ, ସବୁ ଆନୁସଙ୍ଗିକ କାର୍ଯ୍ୟକ୍ରମରେ ସବୁବେଳେ ବିଜୁ ପ୍ରଥମ l ଘରସାରା କପ୍, ସିଲ୍ରେ ସଜେଇଛି l ହରି ଗୋସେଇଁ କହିବା ଅନୁସାରେ ତ ସଫଳତା ମିଳିଛି ହେଲେ ଦୁଃଖ ରହିଲା କେଉଁଠି ? ନାଁ, ହରି ଗୋସେଇଁଙ୍କ ଗଣନାରେ ଆଉ କେଉଁଠି ଭୁଲ୍ ରହିଲା l ବିଜୁର ପଢ଼ା ଶେଷ ହୋଇନଥିଲା l ଶେଷ ସେମିଷ୍ଟାର୍ରେ ହିଁ କ୍ୟାମ୍ପସ୍ ସିଲେକ୍ସନ୍ ହୋଇ ଚାକିରି ମିଳିଯାଇଥିଲା l ତା’ ନିଷ୍ଠାପର କାର୍ଯ୍ୟକଳାପରେ ସମସ୍ତେ ଏତେ ଖୁସି ଯେ, ଟ୍ରେନିଂର ସମୟସୀମା କମେଇ ତା’କୁ ପୋଷ୍ଟିଂ ଦେଇଥିଲେ ଏବଂ ଚାକିରୀର ଛଅମାସ ଭିତରେ ପ୍ରମୋଶନ l ଏମିତି ବର୍ଷଟିଏ ବିତିଗଲା ଖୁସିରେ l କିନ୍ତୁ ସଲିମା ସହ ତା’ ସମ୍ପର୍କ, ତା’ ଗତିପଥକୁ ବଦଳେଇ ଦେଇଥିଲା l କେତେବେଳେ କେଉଁ ଝିଅକୁ ଚାହୁଁନଥିବା ପୁଅ ସଲିମାର ପ୍ରେମରେ ବାନ୍ଧି ହୋଇଗଲା l ସବୁବେଳେ ସବୁକଥା କହୁଥିବା ପୁଅ ସୁନନ୍ଦାକୁ ଯେ ଏକଥା କହିନି ତା’ ନୁହେଁ କିନ୍ତୁ ସଲିମା ଆସିବା ପରେ ତା’ ଜୀବନ ଧାରାରେ କିଛିଟା ପରିବର୍ତ୍ତନ ଦେଖାଦେଇଛି l ସକାଳ ପ୍ରହରରୁ ରାତି ପର୍ଯ୍ୟନ୍ତ ପ୍ରତିଟି ଖବର ସୁନନ୍ଦାଙ୍କୁ ପଚାରି ପଚାରି ବ୍ୟସ୍ତ କରୁଥିବା ପୁଅ ଆଉ ଏତେ ଫୋନ୍ କରୁନି l ସୁନନ୍ଦାଙ୍କୁ ଦୁଃଖ ଲାଗିଲେ ବି ଯାହା ସତ୍ୟ ତା’କୁ ମାନିବାକୁ ସେ ପଶ୍ଚାତ୍ପଦ ହୋଇ ନଥିଲେ l ଅବଶ୍ୟ ବେଳେବେଳେ ଦୁଃଖ ବଳି ପଡ଼ିଲେ ପ୍ରଶାନ୍ତଙ୍କୁ କହନ୍ତି ଦେଖିଲ ବିଜୁ ସାର୍ଟର ବୋତାମ ଲଗାଠାରୁ ଆରମ୍ଭ କରି ଅଫିସର ପ୍ରୋଗ୍ରାମ୍ ପର୍ଯ୍ୟନ୍ତ ସବୁ କଥା ପଚାରୁଥିଲା, ଆଜି କିଛି ପଚାରୁନି l ଦିନରେ ଦଶଥର ଫୋନ୍ କରୁଥିଲା l ବର୍ତ୍ତମାନ ଦିନରେ ଥରେ ବି ନାହିଁ l
ସଲିମା ବଡ଼ ଘରର ଝିଅ l ତା’ ବାପା ଚେନ୍ନାଇର ପ୍ରଖ୍ୟାତ ବ୍ୟବସାୟୀ l କୋଟିପତିର କନ୍ୟା ସେ l ସଲିମାର ଆଭିଜାତ୍ୟ ବିଷୟ ଜାଣିବା ପରଠାରୁ ମନେ ମନେ ପ୍ରମାଦ ଗଣିଥିଲେ ସୁନନ୍ଦା l ସେ ଜାଣନ୍ତି ପ୍ରେମରେ ଧନୀ, ଗରିବ, ଜାତି-ଅଜାତିର ହିସାବ ନିକାସ ନାହିଁ l ତଥାପି ଜାତି-ଅଜାତି ତିଆରି କରିଥିବା ମଣିଷ କେବେହେଲେ ଏ ସତ୍ୟକୁ ଗ୍ରହଣ କରିପାରିବନି l ପୁଅକୁ ଯେ, ସଲିମା ସମ୍ପର୍କରେ ବୁଝେଇ ନାହାଁନ୍ତି ତା’ ନୁହେଁ l ହେଲେ ପ୍ରେମ ଆଖିରେ ଏମିତି ଅନ୍ଧପୁଟୁଳି ବାନ୍ଧେ ଅତିରୁ ଅତି ଚାଲାକ ପିଲା ମଧ୍ୟ ସେଥିରେ ବାନ୍ଧି ହୋଇଯାଆନ୍ତି l ଆଉ ଥରେ ବାନ୍ଧି ହୋଇଗଲେ ନିସ୍ତାର ନାହିଁ l
ସଲିମା ଅନେକ ଥର ଗାଁକୁ ଆସିଛି l ଅବଶ୍ୟ ଘଣ୍ଟାଏ କି ଦି’ଘଣ୍ଟା ରହି ସେମାନେ ଚାଲିଯାଇଛନ୍ତି l ଗାଁର ଚଳଣିକୁ ଜାଣିବାର ସୁଯୋଗ ପାଇନାହାନ୍ତି l ସଲିମା ମନ୍ଦ ନୁହେଁ, ଦେଖିବାକୁ ଗୌରବର୍ଣ୍ଣ, ଅତ୍ୟାଧୁନିକ ପୋଷାକରେ ନିଜକୁ ସଜେଇଛି l କିନ୍ତୁ କଥା କଥାରେ ଅନ୍ୟକୁ ଆପଣାର କରିବା କଳା ରହିଛି ତା’ରି ପାଖରେ l ଯେତିକି ସମୟ ଗାଁରେ ରହିଛି ସେତିକି ଭିତରେ ସୁନନ୍ଦାକୁ କିଛି କରିବାକୁ ସୁଯୋଗ ଦେଇନି l ଯେତିକି ପାରିଛି ନିଜେ ହିଁ କରିବାର ପ୍ରୟାସ କରିଛି l ସୁନନ୍ଦା ଜାଣିଛନ୍ତି ସାଲିମାର ଘର ଖୁବ୍ ବଡ଼, ତା’ ତୁଳନାରେ ତାଙ୍କ ଘର ଖୁବ୍ ଛୋଟ l ଜଣେ ମଧ୍ୟବିତ୍ତ ପରିବାରର ଯେତିକି ସୁବିଧା ଥିବା କଥା ସୁନନ୍ଦା ନିଜ ଘରକୁ ସେତିକି ସୁବିଧାରେ ସଜେଇଛନ୍ତି l ବିଜୁର ବାପା ପ୍ରଶାନ୍ତ ଗାଁର ପୋଷ୍ଟ୍ମାଷ୍ଟର l ଦରମା ଯାହା ଆଣନ୍ତି, ସେଥିରେ ଘର ଚଳେ l ବିଜୁର ପଢ଼ାରେ ଖର୍ଚ୍ଚ ହୁଏ l ପୁଣି ସେଥିରେ ବନ୍ଧୁ ବାନ୍ଧବଙ୍କର ମାନମହତ ଖର୍ଚ୍ଚ ବି ଚଳେ l ଗାଁର ସୁଖ ଦୁଃଖରେ ପ୍ରଶାନ୍ତ ଆଗ ଠିଆ ହୁଅନ୍ତି l ପକେଟ୍ରେ ଘରଖର୍ଚ୍ଚ ପାଇଁ ପଇସା ଥାଉ କି ନଥାଉ, ଆଗ ଗାଁର ଦୁଃଖୀ ଅରକ୍ଷିତଙ୍କ କଥା ବୁଝନ୍ତି l ସୁନନ୍ଦା ହସି ହସି ସବୁବେଳେ କୁହନ୍ତି, ପ୍ରଶାନ୍ତ ସତେ ଯେମିତି ଗୋପବନ୍ଧୁଙ୍କ ଅବତାର l
ଏମିତି କେତେ ବର୍ଷ ତଳର କଥା ଆଜି ବି ମନେପେଡ଼ ସୁନନ୍ଦାର, ସୁନନ୍ଦା ନୂଆ ବାହା ହୋଇ ଆସିଥାନ୍ତି l ପବିତ୍ର ରଥଯାତ୍ରା ଦିନ ସୁନନ୍ଦାଙ୍କର ବାହାଘର l ଆଷାଢ଼ ମାସ ପରେ ଆସିଲା ଶ୍ରାବଣ ମାସ l ଧାରା ଶ୍ରାବଣ ଲାଗିରହିଲା ପାଞ୍ଚଦିନ l ନଦୀରେ ଆସିଲା ବନ୍ୟା l ନଦୀ କୂଳରେ ଦାଣ୍ଡମୁକୁନ୍ଦପୁର, ଚାରିଆଡ଼ୁ ବିଚ୍ଛିନ୍ନ ହୋଇଗଲା l ପ୍ରଶାନ୍ତ ସହ୍ୟ କରିପାରିଲେ ନାହିଁ l ନିଜ ଗାଁଲୋକଙ୍କ ପାଇଁ ପିନ୍ଧିବା, ଖାଇବା ଜିନିଷ ସବୁ ଯୋଗାଡ଼ କରିବା ପାଇଁ, ଚାକିରୀ ଛାଡ଼ି, ଘରଛାଡ଼ି ବାହାରିଗଲେ l ନଈ ପାଣି ଦୁଇକୂଳ ଖାଇ ଚାଲିଥାଏ l ଫୋନ୍ ଲାଇନ୍ ସବୁ କଟିଯାଇଥାଏ l ପ୍ରଶାନ୍ତଙ୍କ ସହିତ ସବୁ ଯୋଗାଯୋଗ ବନ୍ଦ l ମାସେ ପରେ ପ୍ରଶାନ୍ତ ଘରକୁ ଫେରିଲେ l ଆଶ୍ବସ୍ତ ହେଲେ ସମସ୍ତେ l ପ୍ରଶାନ୍ତ ସାଧାରଣତନ୍ତ୍ର ଦିବସରେ କ’ଣ ସବୁ ପୁରସ୍କାର ପାଇଲେ l ମାସେ ପରେ ତାଙ୍କ ଲମ୍ବା ଦାଢ଼ୀ ଦେଖି ସମସ୍ତେ କହିଲେ, ଗୋପବନ୍ଧୁ ଆସିଲେ l ପ୍ରଶାନ୍ତଙ୍କୁ ଦେଖି ଯେତିକି ଦୁଃଖ ଲାଗୁଥିଲା, ସେତିକି ଖୁସୀ ବି ଲାଗୁଥିଲା ସୁନନ୍ଦାଙ୍କୁ l ଯାହା ହେଉ ସତରେ ସୌଭାଗ୍ୟ l ଏମତି ମାନବିକ ଗୁଣ ଧାରଣ କରିଥିବା ବ୍ୟକ୍ତିଙ୍କୁ ସେ ସ୍ବାମୀ ହିସାବରେ ପାଇଛନ୍ତି l ବିଜୁ ଠିକ୍ ପ୍ରଶାନ୍ତଙ୍କ ପରି ହୋଇଛି l ପିଲାଦିନେ ଯିଏ ଯାହା ମାଗିବାକୁ ଆସେ, ବିଜୁ ତାକୁ ଖାଲି ହାତରେ ବିଦା କରିବା ସେ ଜମା ଜାଣି ନାହାଁନ୍ତି l ଘରେ ଟଙ୍କା ପଇସାର ଅଭାବ ବିଜୁ ଜାଣେ, ତଥାପି କଲେଜ୍ରେ କିଏ ପରୀକ୍ଷା ଫିସ୍ ନ ବାନ୍ଧି ପାରିଲେ, ସେ ନିଜେ ନ ଖାଇ ଜଳଖିଆ ଟଙ୍କାତକ ତାକୁ ଦେଇଦିଏ l
ମାଛିକୁ ବି ମର ନ କହୁଥିବା ବିଜୁର ଆଜି ମନଦୁଃଖ l ଏକଥା ଭାବିଲେ ସୁନନ୍ଦାର ଛାତି ଫାଟି ପଡ଼ୁଛି l ସୁନନ୍ଦା ଭାବୁଥିଲେ ସତରେ ବିଜୁ ଅସୁବିଧାରେ ଅଛି ? ହେଲେ ଦୁଃଖ ରହିଲା କେଉଁଠି ? ସଲିମା ସହିତ ତା’ ସଂପର୍କ ଆରମ୍ଭ ହେବା ଦିନଠାରୁ ସୁନନ୍ଦା ଜାଣିପାରିଥିଲେ, କିଛି ଗୋଟିଏ ଅଘଟଣ ଆସିପାରେ l ହରି ଗୋସେଇଁ କହୁଥିଲେ ମଝିରେ ତା’ର ଘାଟ ଗୋଟିଏ ଆସିବ l ସେଥିରୁ ରକ୍ଷା ପାଇଲେ ଆଉ ଜୀବନସାରା ପାଇଁ ଚିନ୍ତାନାଇଁ l ଏଇଟା କ’ଣ ଆଉ ବିଜୟ ପାଇଁ ଘାଟ କି ? ମାଁ ମଙ୍ଗଳାକୁ ମନେ ମନେ ସ୍ମରଣ କଲେ, ମା’ ମଙ୍ଗଳା ମୋ ପୁଅକୁ ଘଣ୍ଟ ଘୋଡ଼େଇ ରଖ l ଘଣ୍ଟ ଘୋଡ଼େଇ ରଖ ମା’ ! ବିଜୁର ସଲିମା ସହ ସମ୍ପର୍କ ଜାଣିବା ପରେ ସୁନନ୍ଦା ଆଉ ପ୍ରଶାନ୍ତ ଆପତ୍ତି କରି ନଥିଲେ l କିନ୍ତୁ ଆପତ୍ତି କରିଥିଲେ, ସଲିମାର ବାପା ଓ ମାଆ l ଛୋଟ ମଫସଲ, ପୁଣି ନିର୍ଦ୍ଧନ ଘରେ ସଲିମାକୁ ଜମା ବିବାହ ଦେବେନି l ଏପଟେ ପୁଅ ଝିଅ ଉଭୟେ ବିବାହ ପାଇଁ ଜିଦ୍ ଧରି ବସିଛନ୍ତି l ଆଉ କ’ଣ କରାଯାଇପାରେ, ବାଧ୍ୟହୋଇ ସରଳ ନିରାଡ଼ମ୍ବର ଭାବରେ ନିଜ ଘରେ ବିବାହର ଆୟୋଜନ କଲେ ପ୍ରଶାନ୍ତ l ସମସ୍ତେ ଭୟ କରୁଥିଲେ ବିବାହ ସମୟରେ ହୁଏତ ସଲିମାର ବପା ଓ ମାଆ କୌଣସି ପ୍ରତିରୋଧ କରିବେ l ନାଁ, ସେପଟୁ କୌଣସି ପ୍ରକାର ପ୍ରତିକ୍ରିୟା କି ପ୍ରତିରୋଧ ସୃଷ୍ଟି ହୋଇ ନଥିଲା l ଗାଁରେ ଯେ ଏ ବିବାହରେ ସମସ୍ତେ ଖୁସିଥିଲେ ତାହା ମଧ୍ୟ ନୁହେଁ l କିନ୍ତୁ ପ୍ରଶାନ୍ତ ଓ ସୁନନ୍ଦାଙ୍କ ମୁହଁକୁ ଚାହିଁ ସେମାନେ ସମସ୍ତେ ମନରେ ଯାହା ଥାଉ ଆସି ବାହାଘରେ ଏକାଠି ହୋଇଥିଲେ l ଗାଁ ଲୋକଙ୍କ ସାହାଯ୍ୟ ସହଯୋଗରେ ହିଁ ଏ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ମାସେ ଛୁଟି ନେଇ ବିଜୁ ଆସିଲା, ଛୁଟି ଶେଷ ପରେ ପୁଅବୋହୂ ବାହାରିଗଲେ କର୍ମସ୍ଥଳୀକୁ l ସୁନନ୍ଦାଙ୍କ ଘର ପୂରି ଉଠୁଥିଲା ପୁଅ ଓ ବୋହୂକୁ ନେଇ l ବାହାଘର କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେଲା ସିନା, ଗୋଟିଏ ଦୁଃଖ ରହିଲା l ବାହାଘରେ ପ୍ରଶାନ୍ତଙ୍କ ବଡ଼ଭଉଣୀ ଜମା ସନ୍ତୁଷ୍ଟ ନଥିଲେ l ତାଙ୍କର ଏକା ଜିଦ୍ ଏ ବାହାଘର ନ କରିବା ପାଇଁ l ବ୍ରାହ୍ମଣ ପରିବାରରେ ଖ୍ରୀଷ୍ଟିୟାନ୍ ଝିଅ ବୋହୂ ହେଲେ ସାତପୁରୁଷ ପାଣି ପାଇବେ ତ ? ମନେ ମନେ କହିଲେ ସୁନନ୍ଦା, ସାତ ପୁରୁଷ ପାଣି ପାଇବେ କି ନ ପାଇବେ, ସେ କଥା ଚିନ୍ତା କରିବାକୁ ଏଇନେ ବେଳ କାହିଁ l
ଗାଁରେ ଅଳ୍ପଦିନ ରହଣି ଭିତରେ ସଲିମା ସମସ୍ତଙ୍କୁ ଆପଣାର କରିପାରିଥିଲା l ଯେତେ କଷ୍ଟ ହେଲେ ବି ଗାଁର ଚାଲିଚଳଣିରେ ନିଜକୁ ସାମିଲ କରିନେଇଥିଲା l ଆଶ୍ଚର୍ଯ୍ୟ ହେଲେ ସୁନନ୍ଦା ତା’କୁ ଦେଖିଲେ କେହି କହିବେନି ଯେ, ସେ ଜଣେ ଉଗ୍ର ଆଧୁନିକ ପରିବାରର ସନ୍ତାନ l ଦେଖୁ ଦେଖୁ ଛୁଟି ଶେଷ ହେଲା l ଏମିତିରେ କୌଣସି ଦିନ ସଲିମାର ବପା ଘରୁ କିଛି ଖବର କି ଫୋନ୍ ବି ଆସି ନଥିଲା l ସଲିମା ଆଉ ବିଜୟ ଚେନ୍ନାଇ ଫେରିଗଲେ l ଚେନ୍ନାଇରେ ପହଞ୍ଚିବା ପରେ, ଥରେ କି ଦିଥର ଫୋନ୍ ଆସିଥିଲା l ସେ ଫୋନ୍ରେ କୁହେ, ଭଲରେ ଅଛନ୍ତି, ନୂଆ ଘର ସଜଡ଼ାସଜଡ଼ି କରୁଛନ୍ତି l ଅନେକ ଦିନ ହେଲା ଫୋନ୍ ଆସିନି l ସୁନନ୍ଦା ଭାବୁଥିଲେ ଘରକାମ ଆଉ ଅଫିସ କାମରେ ବୋଧହୁଏ ବ୍ୟସ୍ତଥିବେ l କିନ୍ତୁ କାହିଁକି ଫୋନ୍ କରିନି ? ସୁନନ୍ଦା ବ୍ୟସ୍ତ ହୋଇଉଠିଥିଲେ, ପ୍ରଶାନ୍ତ ନିଜ ଆଡ଼ୁ ଫୋନ୍ କଲେ l ବହୁତ ରିଙ୍ଗ୍ ପରେ ବିଜୁ ଫୋନ୍ ଧରିଥିଲା l କିନ୍ତୁ ତା’ କଥାବାର୍ତ୍ତାରୁ ପ୍ରଶାନ୍ତ ଅନୁମାନ କରିନେଲେ ସେଠିକା ପରିସ୍ଥିତି ଜମା ଭଲ ନୁହେଁ l
ପାଞ୍ଚ ଦିନ ତଳେ ବିଜୁ ନିଜେ ଫୋନ କରିଥିଲା, ଗାଁକୁ ସେ ଫେରି ଆସୁଛି l ଛାତି ଫାଟିପଡ଼ିଲା ସୁନନ୍ଦାଙ୍କର l ଦୁଃଖ କ’ଣ ଅଭାବ କ’ଣ, କିଛି ହେଲେ ବିଜୁକୁ ଦିନେ ଜାଣିବାକୁ ଦେଇ ନଥିଲେ l ଆଜି ତା’ଉପରେ ଏବେ ବଡ଼ ଦୁଃଖର ପାହାଡ଼! ଏସବୁ ସମ୍ମୁଖୀନ ସେ କେମିତି ହେବ ? ବିଜୁ କହୁଥିଲା, ଗାଁରୁ ଯିବା ଦଶଦିନ ପରେ ସଲିମାର ବପା ଓ ମାଆ ଆସି ସଲିମାର ଅନିଚ୍ଛା ସତ୍ତ୍ବେ ତାକୁ ଜୋର୍କରି ଘରକୁ ନେଇ ଚାଲିଗଲେ l ତଥାପି ସେମାନଙ୍କ ମନ ଶାନ୍ତି ହେଲାନାହିଁ l ବିଜୁକୁ ଯେଉଁଠାରେ ଦେଖିଲେ ଅପମାନିତ କରିବାକୁ ଲାଗିଲେ l ମାନସିକ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ସେ ଚାକିରୀ ଛାଡ଼ି ଗାଁକୁ ଫେରିଆସୁଛି l
ସୁନନ୍ଦା ଭାବୁଥିଲେ ଗାଁର ପୁଅକୁ ସହରର ଯାନ୍ତ୍ରିକ ସଭ୍ୟତା ପାଦରେ ଦଳିଚକଟି ତଳିତଳାନ୍ତ କରିଦେଲା l ସୁନନ୍ଦାଙ୍କର ମନ ବିସ୍ମୟ ଆଉ ଆଶଙ୍କାର ଦୋଛକିରେ ଦୋଳାୟମାନ l ବିଜୁ ବର୍ତ୍ତମାନ କେମିତି ଥିବ? ମାନସିକ ଯନ୍ତ୍ରଣାରେ ସନ୍ତୁଳିତ ହେଉଥିବ ? କେତେଟା ବର୍ଷ ବା ତାକୁ ହୋଇଛି, ଏଇ ଆଷାଢ଼ ପୁନେଇ ଆସିଲେ ଛବିଶି ପୁରି ସତେଇଶି ଚାଲିବ l ଏଇ ଦିନରୁ କେତେ କଷ୍ଟ ଭୋଗିଲାଣି l ନାଁ, ଗାଁକୁ ଆସିଲେ ଆଉ ତାକୁ ଛାଡ଼ିବେନି, ଚେନ୍ନାଇ l ଗାଁରେ ରହୁ l କେତେ ଦିନ ଗଲେ ମନ ଆପେ ଭଲ ହେଲେ ଯିବ, ତା’ପରେ ଆଉ କୁଆଡ଼େ ଚାକିରୀ ଖୋଜିବ l ଏଇନା ତ ଚାକିରୀ ଅଭାବ ନାହିଁ l ଯେତେ କମ୍ପାନୀ ସେତେ ଚାକିରୀ l ହଁ ଚେନ୍ନାଇରେ ଭଲ ପୋଷ୍ଟ୍ରେ ଥିଲା, କିନ୍ତୁ ସଲିମାର ବପା ପରା ଚେନ୍ନାଇର ସମ୍ପନ୍ନଶାଳୀ ଲୋକ l ଯାହା ଇଚ୍ଛା ତାହା କରିଦେବେ l ସେ ଦିନ ବିଜୟର ବାହାଘରେ ବିଜୟର ସାଙ୍ଗ ତନ୍ମୟ କହୁଥିଲା ବୁଝିଲ ମାଉସୀ, ସଲିମାର ବାପା ଗୋଟିଏ ସିଂହ ! ଏମାନଙ୍କ ସମ୍ପର୍କରେ ସେ ଆଦୌ ଖୁସୀ ନଥିଲା l ଝିଅକୁ ଭଲ ପାଉଥିଲା ତ, କିଛି କହିଲାନି, ଛାଡ଼ିଦେଲା l ନହେଲେ ସେ ଖୋଜାଖୋଜି କରି ଏଠି ପହଞ୍ଚି ଯାଇଥା’ନ୍ତା l ବାହାଘରେ କାଳେ ଅସୁବିଧା ହେବ ଏଇ ଭୟ ଥିଲା ସମସ୍ତଙ୍କର l ଯାହା ହେଉ ଏମିତି କିଛି ହେଲାନି, ହେଲେ ବାହାଘର ମାସେ ନ ଯାଉଣୁ ସେ ଦେଖାଇ ଦେଲା ତା’ର ପ୍ରକୋପ l ବିଜୁର ମୁହଁଟା ଖାଲି ନାଚି ଉଠୁଛି l ଅନ୍ୟାୟ ଅନୀତିର ପ୍ରତିରୋଧ କରିବା ଶକ୍ତି ବିଜୁର ନାହିଁ l ବିଜୁର ବହିପଢ଼ା ଭଲ ତ ସେ ଭଲ l ଆଜି କେମିତି ଏତେ ବଡ଼ ପରିସ୍ଥିତିର ସମ୍ମୁଖୀନ ହେଉଥିବ ?
ବିଜୁ ଫୋନ୍ କରିଥିଲା, ଆଜି ଆସି ପହଞ୍ଚିବ, ଚେନ୍ନେଇ ହାବଡ଼ା ମେଲ୍ରେ l କାଳେ ପ୍ରଶାନ୍ତଙ୍କୁ କହିଥିବ ? ପ୍ରଶାନ୍ତ ତ ଅଧାକଥା କହିବେ ଅଧା ଭିତରେ ରଖିବେ l ପ୍ରଶାନ୍ତ ଆର ଘରେ ଟି.ଭି. ଦେଖୁଛନ୍ତି l ଦିନରାତି ନ୍ୟୁଜ୍, କେମିତି ବିରକ୍ତ ଲାଗେନି କେଜାଣି ? ହାତରେ ଚା’କପ୍ ଧରି ସୁନନ୍ଦା ପ୍ରଶାନ୍ତଙ୍କ ପାଖକୁ ବାହାରିଲେ l ପ୍ରଶାନ୍ତଙ୍କ ହାତକୁ ଚା’କପ୍ଟି ଦେଉ ଦେଉ ଶୁଣିଲେ ଚେନ୍ନାଇରୁ ଆସୁଥିବା ଚେନ୍ନାଇ ମେଲ୍ ଟ୍ରେନ୍ରେ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ l ବ୍ୟକ୍ତିର ଶବ ଚିହ୍ନଟ କରାଯାଇପାରୁନି l ହାତରୁ ଚା’କପ୍ଟା ଖସିପଡ଼ିଲା l ରକ୍ଷା ହୋଇଛି ପ୍ରଶାନ୍ତଙ୍କ ଗୋଡ଼ରେ ପଡ଼ିନି l ଓଢ଼ଣାଟିକୁ ମୁଣ୍ଡ ଉପରକୁ ଟାଣିନେଇ ସର୍ବମଙ୍ଗଳାକୁ ସ୍ମରଣ କଲେ ସୁନନ୍ଦା l ବିଜୁ ମୋର ଭଲରେ ଫେରିଆସୁ l
ରୋଷେଇ ଘରକୁ ବାହାରିଲେ ସୁନନ୍ଦା l ବିଜୁର ଆସିବା ସମୟ ହୋଇଗଲାଣି l ଭଲମନ୍ଦ ଦି’ଟା କରିବାକୁ ପଡ଼ିବ l ସେ ଆସୁ ଆସୁ ବୋଉ ଭାରି ଭୋକ କହି କହି ଖାଇବାକୁ ବସି ପଡ଼ିବ l ସୁନନ୍ଦାଙ୍କ ଦେହଟା ସିନା ରୋଷେଇ ଘରେ ମନଟା କିନ୍ତୁ ବାହାରେ, ଗେଟ୍ ପାଖରେ l କାନେଇଲେ ସୁନନ୍ଦା l ନା’ ତାଙ୍କର ଗେଟ୍ର ଶବ୍ଦ ତ ଇଏ ନୁହେଁ l ଇଏତ ସୁବୋଧ ବାବୁଙ୍କ ଗେଟ୍ ଖୋଲିବା ଶବ୍ଦ l ଏ ଘରେ ଗୁଡ଼ାଏ ଦିନ ରହିବା ଯୋଗୁଁ ଗେଟ୍ ଖୋଲିବାର ଶବ୍ଦ ସହିତ ସୁନନ୍ଦା ଅଭ୍ୟସ୍ତ l ହେଲେ ସୁବୋଧ ବାବୁ ଅବେଳରେ ଗେଟ୍ ଖୋଲିଲେ କାହିଁକି l ସୁବୋଧବାବୁ ଏ ଟାଇମ୍ରେ ବାହାରକୁ ଜମା ବାହାରନ୍ତି ନାହିଁ l ସକାଳେ ମର୍ଣ୍ଣିଂ ୱାକ୍ରେ ଏବଂ ସନ୍ଧ୍ୟାରେ ହନୁମାନ ମନ୍ଦିରକୁ ସନ୍ଧ୍ୟା ଆଳତୀ ପାଇଁ ବାହାରିବା ତାଙ୍କ କାମ l ଯେତିକି ସମୟ ଦରକାର ସେତିକି ସମୟ ବାହାରେ l ବାକି ସବୁ ସମୟତକ ସେ ଘରେ l ଟି.ଭି. ଦେଖିବା, ନ୍ୟୁଜ୍ ପେପର୍ ପଢ଼ିବା ଛଡ଼ା ଅନ୍ୟ କୌଣସି କାମ ସେ କରନ୍ତି ନାହିଁ l ଛାଡ଼ ଏ ବେଳରେ ତାଙ୍କ କଥା କାହିଁକି ସେ ଭାବୁଛନ୍ତି ?
ଶିଳରେ ବଡ଼ି ଦି’ଟା ଚୁରିବା ପାଇଁ ବସିଲେ ସୁନନ୍ଦା l ବଡ଼ି ଚୁରା ଖାଇବାକୁ ଭଲପାଏ ବିଜୁ l ପିଠଉ ଭଜା ବି ବିଜୁର ପ୍ରିୟ, କିନ୍ତୁ ପିଠଉ ଭଜା ପାଇଁ ଘରେ ପରିବା ପତ୍ର ନାହିଁ l ବିଜୁର ଫୋନ୍ ପାଇବା ଦିନଠାରୁ ପ୍ରଶାନ୍ତଙ୍କ ମନ ଭଲ ନାହିଁ l ଘରେ ଗୁମ୍ସୁମ୍ ହୋଇ ବସି ରହୁଛନ୍ତି l ବାହାରକୁ ଜମା ବାହାରୁନାହାଁନ୍ତି l
ଆଉ ଥରେ ଗେଟ୍ ଖୋଲିବା ଶବ୍ଦ ହେଲା, ଟିକିଏ କାନେଇଲେ ସୁନନ୍ଦା l ନାଁ, ଏ ଗେଟ୍ ଖୋଲିବା ଶବ୍ଦ ମଧ୍ୟ ତାଙ୍କର ନୁହେଁ l ଆଶୁତୋଷ ବାବୁଙ୍କ ଗେଟ୍ ଖୋଲିବା ଶବ୍ଦ ବୋଧହୁଏ? ଆଶୁତୋଷ ମହାନ୍ତିଙ୍କ ସବୁବେଳେ ତାଙ୍କ ଲେଖା ଭଲ ତ ସେ ଭଲ l ସତରେ ତାଙ୍କ ଗପ ଗୁଡ଼ିକରେ ଜୀବନ ଅଛି l ଅନେକ ଥର ଲେଖିସାରି ପାଣ୍ଡୁଲିପି ଟା ଆଣି ସୁନନ୍ଦାଙ୍କ ହାତରେ ଧରେଇ ଦେଇ କୁହନ୍ତି “ କେମିତି ହୋଇଛି କହିବ? ” ଆରତୀ ଥାଳିକୁ ସଜାଡ଼ୁ ସଜାଡ଼ୁ ବାହାରେ ଗେଟ୍ ଖୋଲିବା ସହିତ କିଛି ଲୋକଙ୍କ ପାଟିତୁଣ୍ଡ ସୁନନ୍ଦାଙ୍କୁ କେମିତି ବ୍ୟସ୍ତ କରିଦେଲା l ବିଜୁ ଆସିଗଲା ବୋଧହୁଏ, ହାତରେ ଆରତୀ ଥାଳି ଧରି ରୋଷେଇ ଘରୁ ଗେଟ୍ ଆଡ଼କୁ ମୁହାଁଇଲେ ସୁନନ୍ଦା l କିନ୍ତୁ ତାଙ୍କ ଗେଟ୍ ପାଖରେ ଏତେ ଭିଡ଼ କାହିଁକି ?
ହଠାତ୍ ଦଲକାଏ ପବନରେ ଦୀପଟି ଲିଭିଗଲା l ଥାଳିରେ ଥିବା ଚନ୍ଦନ ସିନ୍ଦୁର ବିଛାଡ଼ି ହୋଇ ପଡ଼ିଗଲା ଧଳାକନା ଉପରେ l କନାଟିକୁ ହାତରେ ଉଠେଇଲେ ସୁନନ୍ଦା l ଘର ଆଗରେ ଠିଆ ହୋଇଛି ପୋଲିସ୍ ଜିପ୍ l ପୋଲିସ୍ ଅଫିସର୍ଙ୍କ ସହ ମ୍ରିୟମାଣ ହୋଇ କଥା ହେଉଛନ୍ତି ପ୍ରଶାନ୍ତ l ସୁନନ୍ଦାଙ୍କ ଆଖି ଆଗର ପୃଥିବୀ ଯେମିତି ଚକ୍କର କାଟୁଥିଲା l ଥକ୍କା ହୋଇ ସେ ବସିଗଲେ ପାଖରେ ପଡ଼ିଥିବା ଚୌକି ଉପରେ l ପୋଲିସ୍ ଅଫିସର୍ ଜଣକ କହୁଛନ୍ତି ଗତକାଲି ପାହାନ୍ତା ପହରର ଘଟଣା l ଟ୍ରେନ୍ର ଦୁଆର ପାଖରେ ଠିଆ ହୋଇଥିବାବେଳେ ହଠାତ୍ ବୋଧହୁଏ ଅସାବଧାନତାରୁ ରେଳଧାରଣା କଡ଼କୁ ଖସିପଡ଼ିଛି ବିଜୁ l ମୁଣ୍ଡରେ ସାଂଘାତିକ ଆଘାତ ଯୋଗୁଁ… ଆଉ କିଛି ଶୁଣିବା ଅବସ୍ଥାରେ ନଥିଲେ ସୁନନ୍ଦା l ତାଙ୍କ ଆଖି ଆଗରେ ଭାଙ୍ଗି ଟୁକୁଡ଼ା ଟୁକୁଡ଼ା ହୋଇଯାଉଥିଲା ସେ ଗଢ଼ିଥିବା ସୁନେଲି ସ୍ବପ୍ନ l ଏ ନିଶ୍ଚୟ ସଲିମାର ବାପାଙ୍କ କାମ ହୋଇଥିବ l ପଇସା ବଳରେ ସେ ନିଶ୍ଚିହ୍ନ କରିଦେଇଥିବେ ବିଜୁକୁ l ଆଉ କିଛି ଭାବିବା ପୂର୍ବରୁ ଅନ୍ଧାର ହୋଇଆସୁଥିଲା ସମଗ୍ର ପୃଥିବୀ l
0 Response to "ଝଡ଼ର ପରାଜୟ"
Post a Comment