ଜହ୍ନମାମୁଁ

ଜହ୍ନମାମୁଁ

ଜହ୍ନମାମୁଁ

ମାନସୀ କର

ମନ୍ କଲା ବାଈ | ଦେହେ ହିଁ ଭରିଗଲା | କାଣା ଆଉ କରିଥିଁତି | ପିଲାକେ କୁଡ଼ିଏ ହଜାର ଟଙ୍କା, ସୁନାର ମୁଦି, ଘଡ଼ି ଦେଲି | ଟୁକେଲ୍ କେ ଭି ଘର କର୍ନା ସବୁ ସାମାନ୍ ଦେଲି ଆଉ ପାର୍ କରିଦେଲି | ହେଲେ କାଏଁ କରିବି ବାଈ, ପିଲାଟା ନକ୍ରି, ଚାକ୍ରୀ, କିଛି କର୍ବାର୍ନାଇଁ, କୁଲିମଜ୍ରୀ ଭି ନାଇଁ କରେ | ପାଖେ ଅଛେଁ ବଲି ମତେ ହିଁ ଦେଖ୍ବାର ଲାଗି ପଡ଼ୁଛେ | ଦେଖ୍ ବାଈ ମୋର୍ ଜୁଏଁ ଲାଗି କାମ୍ଧନ୍ଦା କିଛି ଖୁଜିଦେ | ପଲସ୍ଟୁ ଫେଲ ଆଏ | କଲେଜ୍ ଥି ଦୁଇ ବଛର୍ ପଢ଼ିଛେ |

ମିଶ୍ରବାବୁଙ୍କ ସ୍ତ୍ରୀ ସବୁକିଛି ମନପ୍ରାଣ ଦେଇ ଶୁଣୁଥାନ୍ତି କାରଣ କଥା ଶୁଣିଲେ ଏବଂ କହି ଜାଣିଲେ ହିଁ ଯୁଗରେ କାମ ହାସଲ କରି ହୁଏ | ଏହି ନିଗୁଢ଼ ସତ୍ୟ କଥାଟା ତିରିଶି ବର୍ଷର ବୈବାହିକ ଜୀବନର ଅନୁଭୂତି ମଧ୍ୟରେ ବେଶ୍ ଭଲ ଭାବରେ ହୃଦୟଙ୍ଗମ କରିଛନ୍ତି ମିଶ୍ରାଣୀ |

ପୁଣି ମାମୁଁ ଯୋଡିଲେ ଏବଂ କହିଲେ-‘ଖୋବ୍ ଦିନ୍ ହେଲା ବାଈ ତତେ ନି ଦେଖିଥିଲି | ଏତ୍କି ଦିନ୍ ଥି ମୋର ପୁଓ ଗୁଟେ ଭି ହେଲାନ | ବଡ୍କା ଭାଗିକରି ବିହା ହେଲା ଆଉ ଦୁଇଟା ନନୀ ଭି ଜୁକ୍ଜାକ୍ ଦିଶ୍ଲେନ | ସେମାନ୍କର୍ କଥା ଭି ଭାବ୍ବା ଯେଁ ପଡ଼୍ସି | ହେଲେ ବେଶି ଭାବିକରି ମୁଁଇ ଦିମାଗ୍କେ ଗୋଲ୍ମାଲ୍ ନି କରେ ବାଈ | ମୁଇଁ ବିନ୍ଦାସ୍ ଲୋକ ଆଏଁ | ମୋର୍ ମାଏ ଝି ଭି ଚିନ୍ତା ନି କରେ | ଯେଭେ ଯାହା ହେବାର୍ କଥା ହେବା | ଭାବି କରି କାଏଁ ଲାଭ୍? ‘ଦେ ପାଏନ୍ ଟିକେ ଦେ | ଶୋଷ୍ ଲାଗ୍ଲାନ |’

ମିଶ୍ରାଣୀ ପାଣି ଢାଳେ ଦେଲେ | ଢକ୍ ଢକ୍ କରି ମାମୁଁ ପାଣି ପିଇଲେ |
ପୁଣି ଗପିଲେ |

ଡିସ୍ ଆଣ୍ଟିନା ଲଗେଇ ଦେଇଛେଁ ବାଈ | ତୋର୍ ବହରିଆ କାହାରି ଘର୍ ନି ଯାଏ | କାମ୍ କରି କରି ଥକିଗଲେ ଘରେ ବସିକରି ଟିଭି ଦେଖ୍ସି | ଘରେ ରହେସି | ବେଶି ବୁଲାଚଲା ପସନ୍ଦ୍ ନି କରେ | ଲନ୍ଦର୍ ଫନ୍ଦର୍ ଭି ଆମ୍କେ ଭଲ୍ ନି ଲାଗେ | ମୁଁ ଠିକ୍ ମୋର୍ ମାଏଁ ଝି ଠିକ୍ ଆଉ ଆମର୍ ଲାଗି ଦୁନିଆଁ ଠିକ୍‌ | ଲୋକ୍ମାନେ ମୋର୍ ନିଜର୍ ଆନ୍ ଆଉ ମୁଁ ଲୋକ୍ମାନ୍କର୍ ଆଏଁ | ଲୋକ୍ମାନେ ମତେ ଭଲ ପାଏସନ୍‌ | ମୁଁ ଲୋକ୍ ମାନ୍କେ ଭଲ୍ ପାଏଁସି |’

ବାଈଗୋ! ବଛର୍ ଇଲେକ୍ସନ୍ ଥି ଖୋବ୍ ପିଇଛେଁ | ସବୁ ପାର୍ଟିନୁ ଖାଇଛେଁ | ସଭେଁ ମୋର୍ ନିଜର୍‌ | କାହାକେ ମନା କର୍ମିଁ | ସଭେଁ ଦେଲେ ସବ୍କରନୁଁ ଖାଏଲି |’

ଜହ୍ନମାମୁଁଙ୍କ ଗୋଟି ଗୋଟି କଥାକୁ ସତେ ଯେମିତି ମିଶ୍ରାଣୀ ପିଇଯାଉଥାନ୍ତି | ମୁଣ୍ଡ ଟୁଙ୍ଗାରି ଜଣେ ଗୁରୁଗମ୍ଭୀର ଶ୍ରୋତା ଭଳିଆ ସବୁ କଥାକୁ ସେ ଉଦରସ୍ଥ କରୁଥାନ୍ତି |

କାରଣ ସେ ଭଲ ଭାବେ ଜାଣନ୍ତି ଏମିତି କାମ କଲେ ତାଙ୍କ କାମ ହେବନି |

ଜହ୍ନମାମୁଁ |’ ଜହ୍ନମାମୁଁଙ୍କ ନାମ ଜହ୍ନମାମୁଁ କେଉଁ ପରିପ୍ରେକ୍ଷୀରେ କେଉଁ ଘଟଣାକ୍ରମ ଅନୁଯାୟୀ ପଡ଼ିଲା ତାହା ବୋଧେ କେହି ଜାଣି ନାହାଁନ୍ତି | ସହରଯାକ ଲୋକମାନଙ୍କର ସେ ହେଉଛନ୍ତି ସମ୍ପର୍କୀୟ | ସମସ୍ତେ ମାମୁଁଙ୍କର ନିଜର ଲୋକ | ସକାଳ ହେବାମାତ୍ରେ ସମସ୍ତଙ୍କ ଘରେ ସେ ଉପସ୍ଥିତି ଜାହିର୍ କରନ୍ତି | ଦିନ ତମାମ୍ ବୁଲିବୁଲି ସେ ଦ୍ବିପ୍ରହରରେ ଘରେ ପହଞ୍ଚନ୍ତି | ମ୍ୟୁନିସିପାଲ୍ଟିରେ ଦରମାଦିଆ ଚାକ୍ରୀ ଖଣ୍ଡେ କରୁଛନ୍ତି | ମିଶ୍ରାଣୀ ଭଳି ଅନେକଙ୍କୁ ସେ ବାଈ କହନ୍ତି, ଅର୍ଥାତ୍ ସ୍ଥାନୀୟ ଅର୍ଥରେ ବଡ଼ଭଉଣୀ ବୋଲି ବୁଝାଯାଏ | ସମସ୍ତଙ୍କ ସହ ସେ ସୁଖଦୁଃଖ ହୁଅନ୍ତି |

ମୋର ବୟସର ସମସ୍ତଙ୍କ ସେ ହେଉଛନ୍ତି ମାମୁଁ | ସମସ୍ତଙ୍କ ଅତି ଆଦରର ଜହ୍ନମାମୁଁ | କମ୍ ବେଶୀ କରି ନିଅନ୍ତି | ହେଲେ ସେ କେବେ କାହା କଥା କାଟନ୍ତି ନାହିଁ | ସମସ୍ତଙ୍କ ଅସୁବିଧା ସମୟରେ, ବିବାହ ଉତ୍ସବ ଆଦିରେ ଉପଯୁକ୍ତ ଆତିଥ୍ୟତା ଦେଇ ଯୋଗ ଦିଅନ୍ତି |

ମାମୁଁଙ୍କ ଜୀବନସଙ୍ଗିନୀ ହେଉଛନ୍ତି ମାଇଁ | ମାମୁଁ ମାଇଁଙ୍କୁ ପଶ୍ଚାତ୍ଭାଗରେ ଲୋକେ କହନ୍ତି ଲୈଲା-ମଜ୍ନୁ | ଉଭୟେ ଉଭୟଙ୍କ ପାଇଁ |

ମୋର୍ ସମିୟାଁ ଥି ମୁଁ ଖୋବ୍ ବଦ୍ମାସ୍ ଲୋକ୍ଥିଲି ବାଈ | ମୋର ଝି ଆଉ କେନ୍ତା ହେତା ? ମୁଇଁ ଯାହା କରିଥିଲି ସେ ଭି ତାହା କର୍ଲା | ମୁଇଁ ଭାଗିଥିଲି-ମୋର୍ ବଡ୍କା ଝି ଭି ଭାଗିକରି ବିହା ହେଲା | ଦୁଃଖ୍ ନି କରେଁ ବାଈ | ଯେନ୍ତା କର୍ନି ହେନ୍ତା ଭର୍ନି |

ତାଙ୍କ ସମୟରେ ମାମୁଁ ମାଇଁ ମଧ୍ୟ ଭଲପାଇ ବିବାହ କରିଥିଲେ | ଉଭୟେ ଉଭୟଙ୍କୁ କ୍ଷଣଟିଏ ନଦେଖିଲେ ରହିପାରନ୍ତି ନାହିଁ | ଉଭୟଙ୍କୁ ଦେଖିଲେ ନିଚ୍ଛକ ପ୍ରେମ, ଶାଶ୍ବତ ପ୍ରେମ, ଅନାବିଳ ଭଲପାଇବା, ମୋହ ଆକର୍ଷଣ ଏହି ସବୁ ଶବ୍ଦର ଅର୍ଥ ମୁଁ ମର୍ମେ ମର୍ମେ ଅନୁଭବ କରେ | ମାମୁଁ ମେହେନ୍ତର ଜାତିର ଲୋକ | ସହରର ନାଳନର୍ଦ୍ଦମା ସଫା କରିବା, ଆବର୍ଜନା ଫିଙ୍ଗିବା, ପାଇଖାନା ସଫା କରିବା ଆଦି କାର୍ଯ୍ୟ କରି ବେଶ୍ ରୋଜଗାର କରନ୍ତି | ସାମାଜିକ ବର୍ଗୀକରଣ ଦୃଷ୍ଟିରୁ ମାଇଁ, ମାମୁଁଠାରୁ ଅପେକ୍ଷାକୃତ ଉଚ୍ଚଜାତିର ସ୍ତ୍ରୀ | କିନ୍ତୁ ପ୍ରେମ ଯେ ଜାତି, ଧର୍ମ, ବର୍ଣ୍ଣ କିଛି ମାନେନା | ଏହା ସମସ୍ତେ ତଥା ଉଭୟେ ମାମୁଁ, ମାଇଁ ବି ବେଶ୍ ଭଲ ଭାବରେ ଜାଣନ୍ତି |

ସେଦିନ ମିଶ୍ରାଣୀଙ୍କ ଘର ପାଇଖାନା ଟାଙ୍କି ସଫା କରିବାକୁ ଆସିଥିଲେ ମାମୁଁ ମାଇଁ |

ମିଶ୍ରାଣୀ କହିଲେ-‘ଭାଇରେ! ଜହ୍ନ! ତୋର୍ ବିନା ମୁଇଁ ଆଉ କାହାକେ କାମ୍ ନି କରାଏଁ | ତୁଇ ହିଁ ମୋର୍ ନିଜର୍ ଲୋକ୍ ଆଉ ଭାଇ | ତୋର୍ ଦ୍ବାରା ହିଁ ମୋର୍ ଘରର୍ କାମ୍ ହେବା ଭାଇ | ସେଥିର୍ ଲାଗି ମୁଇଁ ଦୁସ୍ରା କାହାକେ କାମ୍ ଥି ନି ଲଗେଇ |’

ମିଶ୍ରାଣୀଙ୍କ କଥା ଶୁଣିବାମାତ୍ରେ ମାମୁଁମାଇଁଙ୍କ ନିଷ୍କପଟ ମନଖୋଲା ହସରେ ବାତାବରଣଟା ଖିଲ୍ଖିଲ୍ ହୋଇଗଲା |

ମାମୁଁ ତାଙ୍କ ଚିରାଚରିତ ଢଙ୍ଗରେ ଟିଣ ଡବା, ବାଲ୍ଟି କୋଡ଼ି ଆଣି ସହଜ, ସରଳ, ନିର୍ବିକାର, ଅନାବିଳ ହୃଦୟରେ ପାଇଖାନା ଟାଙ୍କି ସଫା କରିବାରେ ଲାଗିଗଲେ | ମାଇଁ ସମସ୍ତ ମଇଳା ବାହାରେ ଗୋଟିଏ ସ୍ଥାନରେ ପକାଇବାରେ ସାହାଯ୍ୟ କଲେ | ଜଣେ ଉତ୍ତମ ସହଧର୍ମିଣୀର ପରିଚୟ ଦେଇ ମାଇଁମାମୁଁଙ୍କ ସହ କାମ କରିବାରେ ଏହିଭଳି ନିମଜ୍ଜିତ ହୋଇ ଯାଇଥାନ୍ତି ଯେ, ତାଙ୍କ ଚେହେରାରେ ବିକାରର ଲେସମାତ୍ର ଚିହ୍ନବର୍ଣ୍ଣ ପରିଦୃଷ୍ଟ ହେଉ ନଥାଏ | ମାତ୍ର ତିନି ଘଣ୍ଟାର ବ୍ୟବଧାନ ମଧ୍ୟରେ ତିନିଗୋଟି ପାଇଖାନା ଟାଙ୍କି ସଫାକଲେ ମାମୁଁମାଇଁ | ଧୋଇମାଜି ହୋଇ ନିଜକୁ ପରିଷ୍କାର ପରିଚ୍ଛନ୍ନ ହେଲେ ଉଭୟେ | ମିଶ୍ରାଣୀ ଉଭୟଙ୍କ କାମରେ ଆନ୍ତରିକ ଭାବରେ ଖୁସି ହୋଇ ପ୍ରାପ୍ୟ ସହିତ ମାମୁଁଙ୍କୁ ନୂଆ ଗାମୁଛା, ମାଇଁଙ୍କୁ ନୂଆଶାଢୀ, ସଧବାର ସଜ ନୂଆଚୁଡ଼ି ସିନ୍ଦୂର ଦେଇ ବିଦାକଲେ |

ଯିବା ସମୟରେ ମାମୁଁ କହିଲେ-
ବାଈ ଗୋ! ତୋର୍ ବହରିଆକେ ମୁଁ ସବୁବେଲେ କହେଁସି ଯେ, ଜିଇଁଥିବା ତକର୍, ହାଥେ ତାକତ୍ ଥିବା ଯାକର୍, ଆଉ କାମ୍ କର୍ବାର୍ ଭାବ୍ନା ଟିକ୍ ମନ୍ ଭିତ୍ରେ ଥିବା ତକର୍, ଆମର୍ ପେଟ୍ କେଭେ ଭୁଖେ ନାଇଁ ରହେ | ଆମ ଚୁରୀ-ଦାରୀ ନାଇଁ କରୁଁ ବାଈ | କାମ୍ ଛୋଟ୍ ହେଲେ ଭି ଇମାନ୍ ଥି କର୍ସୁଁ | ଆଉ ଠାସେ ଜିଇଁସୁ | ଜୀବନ୍ଟା କେତେ ଦିନ୍ ବାଈ! ଖୁସିଥି ରହେବାର୍ କଥା | ହଏ-ଯାଉଛୁଁ | କାମ୍ ପଡ୍ଲେ ଫୋନ୍ କର୍ବୁ | ମୋର୍ ମୋବାଇଲ୍ ନମ୍ବରଟା ରଖ୍ | ମିଶ୍ରାଣୀ ଚମକି ପଡ଼ିଲେ | ଜହ୍ନର ପୁଣି ମୋବାଇଲ୍ ନମ୍ବର | ଯାହାହେଉ ଜହ୍ନ ବି ଯୁଗସହିତ ସମତାଳରେ ଗତି କଲାଣି ଜାଣି ଖୁସି ହେଲେ |’

ମାମୁଁ ପଛେପଛେ ମାଇଁ ମିଶ୍ରାଣୀ ଦେଇଥିବା ଜିନିଷପତ୍ର ଟଙ୍କା ଘେନି ଜଣେ ସନ୍ତୁଷ୍ଟ, ଆତ୍ମତୃପ୍ତ କର୍ମଯୋଗୀ ଦାର୍ଶନିକ ଭଳି ନିଜ ବାଟରେ ବାହୁଡ଼ିଗଲେ | ଏପଟେ ସୂର୍ଯ୍ୟ ମଧ୍ୟ ମୁଣ୍ଡ ଉପରେ ଆସିଯାଇଥିଲେ |

 

0 Response to "ଜହ୍ନମାମୁଁ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel