ବୁଢ଼ା ବୟସ

ବୁଢ଼ା ବୟସ

ବୁଢ଼ା ବୟସ
 
ଦୁର୍ଗା ପଟ୍ଟନାୟକ

କଲିଂବେଲ୍ରେ ହାତ ଦେବାବେଳକୁ ଘର ଭିତରୁ କୁନାର ଚିତ୍କାର ଶୁଭୁଥିଲା | ଆଖିବୁଜା ପାହାର ପାହାର ମାଡ ବସୁଛି | କୁନା ଚିତ୍କାର କରୁଛି ଜୀବନ ବିକଳରେ | ବାପାଙ୍କର ଗୋଟେ ଅଙ୍ଗ ଅଚଳ ସେ ଶ୍ବାସ ବେମାରୀ | ମୁନା ବୋଧେ ବାହାରେ ଖେଳୁଛି | ତା ହେଲେ କିଏ.. ? ସୁଜାତା ଏମିତି ପିଟିଚାଲିଛନ୍ତି ପିଲାଟିକୁ ! ଏମିତି ଦୋଷ କଲା ସିଏ ! ଏଇଟା ଶାସନ ? ଏମିତି ଆକଟ କରାଯାଏ ପିଲାଙ୍କୁ ? ରମେଶ ବାବୁ ଅଣନିଃଶ୍ବାସୀ ହୋଇପଡୁଥିଲେ | କିଛି ସମୟ ପରେ କୁନା କାନ୍ଦିକାନ୍ଦି କବାଟ ଖୋଲିଲା |

ସୁଜାତା ବେତଟାକୁ ହାତରେ ଧରି ସର୍କସର ରିଙ୍ଗ ମାଷ୍ଟର ପରି ଗର୍ଜିଚାଲିଛନ୍ତି ଘର ଭିତରେ | ବୁଢାବାପା ନୀରବରେ ବସି ଶୁଣୁଛନ୍ତି |

ରମେଶବାବୁ ପଚାରିଲେ, ବାପା ! ହେଇଛି ତାର | ସିଏ କାହିଁକି ପିଲାଟାକୁ ଏମିତି ବାଡ଼ୋଉଛି | ବୁଢାଙ୍କ ପାଟିରୁ ଭାଷା ସ୍ଫୁରୁ ନାହିଁ | କହିଲେ ମଲା କହିଲେ ମଲା ଅବସ୍ଥା | ବୁଢା ଶଙ୍କାଶଙ୍କା ଗଳାରେ କହିଲେ, ହେଇଚି କେଜାଣିରେ ପୁଅ | ମୁଁ କୁନାକୁ କହିଲି, ଯାମାକୁ କହିବୁ- ଜେଜକୁ ଚାଟିକେ ଦବ | ତାପରଠୁ ଏମିତି ଲାଗିଛି |

ସେଇଠୁ ରମେଶବାବୁ ଗର୍ଜିଉଠିଲେ | ଆହେ ହେଇଛି ? ପିଲାଟାକୁ ଏମିତି ପିଟୁଛ ପାଇଁ ? ସୁଜାତା ଅଣ୍ଟା ଭିଡି ବାହାରିଆସିଲେ | ପିଟିବି ନାହିଁ ! କେତେ କେ.ଜି. ଚିନି ଆଣି ମାସକୁ ଥୋଇଦଉଚ କି ? ବୁଢାକୁ ମୁଁ ଦଶଥର ଚାଦେଇପାରିବିନି | ଚାପାନ, ଅଫିମ ଏସବୁ ବାଜେ ଅଭ୍ୟାସ | ମୁଁ ମୋ ବାପା ଦିହକେ ଜାଣିନି | ତମ ବାପାଙ୍କର ଯଦି ସବୁ ଲୋଡା ତେବେ ସିଏ ଗାଁ କୁ ଚାଲିଯାଆନ୍ତୁ | ସେଇଠି ସାନବୋହୂ କି ମଝିଆବୋହୂ ସବୁ ଯୋଗାଡ କରି ଥୋଇଦେବେ | ମୋ ଦେଇ ହବନି ସବୁ, କହିଦେଉଛି.. |

ରମେଶବାବୁ ସୁଜାତାଙ୍କ ହାତ ଧରିବାର ଆଜକୁ ପନ୍ଦର ବର୍ଷ ହୋଇଗଲାଣି | ସବୁବେଳେ ସୁଜାତାର ଏମିତି ଟାଇଁଟାଇଁ କଥା | ଦେହସୁହା ହୋଇଗଲାଣି ତାଙ୍କର | ସୁଜାତାକୁ ଭଲମନ୍ଦ କହି କିଛି ଲାଭ ନାହିଁ | ପିଲାଗୁଡାକୁ ମଣିଷ କରିଦେଲେ ହୁଏତ ଜୀବନରେ ଅଳ୍ପ ସମୟ ଲାଗି ମଧ୍ୟ କିଛି ଶାନ୍ତି ମିଳିପାରିବ | ରମେଶବାବୁ ବ୍ୟାଙ୍କରେ ଜଣେ ଉଚ୍ଚପଦସ୍ଥ ଅଫିସର | ଅଫିସ କାମ ବାଦ ତାଙ୍କର ଏତିକି ହିଁ କାମନା |

ରମେଶବାବୁ କୁନାକୁ ପଚାରିଲେ, ବାପାରେ ତୁ ଦୋଷ କରିଛୁ ସତ କହିଲୁ ? କୁନା କହିଲାନାଇଁ ବାପା, ମୁଁ ଜେଜେଙ୍କ ପାଇଁ ମାକୁ ଚାମାଗିଲି | ସେ ଦେବାରୁ ମୁଁ ନିଜେ ପାଣିରେ ଅମୁଲ ମିଶାଇଲି | ମାମତେ ମାଡ ଦେଲା | କୁନା କୋହ ଉଠାଉଥାଏ | ରମେଶବାବୁ ବାପାଙ୍କୁ ଲକ୍ଷ୍ୟ କରି ତଳକୁ ମୁହଁ ପୋତି କହିଲେ, ବାପା ତୁମେ ନହେଲେ ଗାଁକୁ ଚାଲିଯାଅ | ଏଇଠି ତୁମେ ଶାନ୍ତି ପାଇପାରିବନି | ସୁଜାତା ରୋଷେଇ ଘରୁ ପାଟି କରୁଛନ୍ତି  | ଓହୋ ! ବାପା ସୁହାଗ ବୋହିପଡୁଛି | ତମ ପୁଅକୁ ବି ପଠାଇ ଦିଅ | ଦରକାର ନାହିଁ ଏମିତି ପିଲା | ସିଏ ଗାଁରେ ରହୁ, ବାପାଙ୍କୁ ଚାଦଉ | ପିଅନ କାମ ଶିଖୁ | ପାଠ ପଢୁ | ତାକୁ ପଠାଇ ଦିଅ |

ରମେଶ ବାବୁ ଚାବୁକ୍ ଖାଇବା ପରି ମନେ କରୁଥାନ୍ତି | ଖୁଣ୍ଟ ପରି ଛିଡା ହୋଇ ଚିନ୍ତା କରୁଥିଲେ |

ସେଦିନ ରାତିରେ ଆଉ ବୁଢାଙ୍କ ଆଖିକୁ ନିଦ ନାହିଁ | ସାରା ରାତି ସେ ଭାବୁଥିଲେ, ନିଜ ଜୀବନର ଲମ୍ବା କାହାଣୀକୁ | ସିଏ ପୁଅ ପାଇଁ ଗୋଟେ ସାବନା ବର୍ଣ୍ଣର ବୋହୂ ଖୋଜିଥିଲେ | ହେଲେ ପୁଅର ମନ ମାନିଲା ନାହିଁ | ବୁଢା ଜାଣୁଥିଲେ ଯେ, ସହରୀ ଛଟକି ଫେସନି ଝିଅଗୁଡାକ ସବୁ ଏମିତି | ଘର ଭାଙ୍ଗିବେ ଏମାନେ | ହଉ ତାର କପାଳ | ଚାକପେ ପାଇଁ ପରିବାରରେ ଝଡ ସୃଷ୍ଟି ହୋଇଯାଉଛି ଆଜି ! କିନ୍ତୁ ମୁଁ ମୋ ପୁଅ ପାଇଁ କରିଛି | ମୁଁ ଅଫିମ ଜାଣିଶୁଣି ଖାଉଛି | ଶ୍ବାସ ରୋଗଟାକୁ ଛାତି ଭିତରେ ଚାପିରଖିବାକୁ ଅଫିମ ଟିକେ ଖାଇଦେଲେ ଚଳିଯାଏ | ଏଇଥିପାଇଁ ଏତେ କଥା | ପାନଟା ଅନେକ ଦିନରୁ ଖାଇଆସିଛି | ଏବେ ଛାଡିହେବ ? ତାବୋଲି ମୁଁ ମୋ ବୋହୂର ଘର ଉଜାଡିଦେଉଛି | ସର୍ବସ୍ବ ଖାଇଦେଉଛି !

ବୁଢାଙ୍କୁ ଭାରି ଅଣନିଃଶ୍ବାସୀ ଲାଗିଲା | ସତେ ଯେପରି ମୁଣ୍ଡ ମଧ୍ୟରେ ଏକ ଚକ୍ର ଘୂରି ମସ୍ତିଷ୍କର ସବୁ ଯୋଗାଯୋଗକୁ କାଟିପକାଉଛି | ଘଣ୍ଟାରେ ଦୁଇଟା ବାଜିଲା | ରାତି ପାହିବାକୁ ଆହୁରି ଢେର ବାକି | ବୁଢା ଭାବୁଥିଲେ, ସକାଳ ଆସିଲେ ବିଦାୟ ନେବି ସବୁଦିନ ପାଇଁ ଏଠାରୁ | ସହରୀ ଜୀବନରେ ବାସ୍ନା ନାହିଁ | ଭାରି ମିଛିମିଛିକା ଆଉ କୃତ୍ରିମ ଭାବ ବିନିମୟ ହୁଏ ଏଠି | ତାର ସେଇ ଗାଁ ମାଟି ବରଂ ଭଲ | ସରକାର ବାହାଦୁର ମଧ୍ୟ ଯୋଉ ଦି ବଖରା ଘର ଦେଉଛନ୍ତି ସହରୀବାବୁମାନଙ୍କୁ, ସେଗୁଡିକ ଅଫିସର ତାଙ୍କ ପିଲାଛୁଆଙ୍କୁ ନିଅଣ୍ଟ | ତାପରି ଖୁଁ ଖୁଁ କାଶୁଥିବା ବୁଢାଗୁଡାଙ୍କ ପାଇଁ ରାଜଧାନୀରେ ସ୍ଥାନ କାହିଁ ? ବୁଢା ଆଖିପତା ମୁଦି କେତେ ଭାବି ଚାଲିଛନ୍ତି | ତାଙ୍କ ଭାବନା ନଈର ସୁଅ କୂଳ ଅତିକ୍ରମ କରୁଥିଲାବେଳେ ସେ ଚମକି ଉଠିଲେ | ଆଖି ଖୋଲିଲାବେଳକୁ କୁନା ଅତି ସନ୍ତର୍ପଣେ ମାକୋଳରୁ ଜେଜେଙ୍କ ଶୋଇବା ଘର ଭିତରକୁ ପଳାଇଆସିଛି | ବୁଢା ତାକୁ ଦେଖି ଟିକେ ଡରିଗଲେ | କହିଲେ, କୁନା, ତୁ ଜଲଦି ପଳାଇଯା | ମାଉଠିଲେ ଏଇନେ ରାତିଟାରେ ମାଡ ଖାଇଯିବୁ | କୁନା ଟିକେ ବି ଭୟ କଲାନି | ଓଲଟି ପଚାରିଲା, ଜେଜେ ତୁମେ ସକାଳ ହେଲେ ଗାଁକୁ ଚାଲିଯିବ ? ବୁଢା ଆଶ୍ଚର୍ଯ୍ୟରେ ବୋକା ବନିଗଲେ | ଉଠିବସି କୁନାକୁ କୋଳେଇଆଣିଲେ | ପଚାରିଲେ, ତୁ କେମିତି ଜାଣିଲୁ କିରେ ?

କୁନା କହିଲାଜେଜେ ମୁଁ ସ୍ବପ୍ନ ଦେଖିଲି | ନାଇଁ ଜେଜେ, ତୁମେ ଯାଅନି | ତୁମେ ସବୁଦିନେ ଖେଳଛୁଟି ବେଳେ ଆମ ସ୍କୁଲ ଗେଟ୍ ପାଖକୁ ଚାଲିଆସିବ | ସେଇଠି ଆମେ ଆମ ଟିଫିନ ଖର୍ଚ୍ଚରୁ ତୁମକୁ କପେ ଚାଦେଇଦେବୁ | ମୁନା ବି କହୁଛି ସେ ତା ଚେନାଚୁର ଖର୍ଚ୍ଚରୁ ତୁମକୁ ଦେବ | ଜେଜେ ତୁମେ କୁହନା, ଆମକୁ ଛାଡି ଆଉ ଗାଁକୁ ଯିବନି | ବୁଢାଙ୍କର ଆଖି ଜକେଇଆସିଲା | କୁନାକୁ କୁଣ୍ଢାଇପକାଇ କହିଲେ, “ନାଁ ରେ ତୁ ଯାଶୋଇପଡ | ମୁଁ ତତେ ଛାଡି କୁଆଡେ ଯିବି ଯେ ! ମୋ ସୁନାଟା ପରା ଯାତୁ ଶୋଇପଡ |

ସକାଳ ଦଶଟା ବାଜିଲା | କୁନା ମୁନା ସ୍କୁଲକୁ ଗଲେ | ରମେଶବାବୁ ଅଫିସ ଯିବା ବାଟରେ ବୁଢାଙ୍କୁ ବସ୍ରେ ବସାଇଦେବେ | ବୁଢା ବି ସାତଚଉତା ଧୋତି ଆଉ ପଞ୍ଜାବୀ ପିନ୍ଧିସାରିଲେଣି | ରମେଶବାବୁ ପଚାରିଲେ- ବାପା ତମେ ସତରେ ଆଜି ଗାଁକୁ ଚାଲିଯିବ ? ବୁଢା ବୋହୂକୂ ଡାକି କହିଲେ, ପିଲା ବୁଦ୍ଧି ଛାଡ, ମା | ମୁଁ ଗାଁ କୁ ଯାଉଛି | ତୁ ପିଲାମାନଙ୍କୁ ଜମା ମାରଧର କରିବୁନି | ବୋହୂ ନିରୁତ୍ତର | ପ୍ରଣାମ ବି କଲା ନାହିଁ | ବୁଢା ପାଦ କାଢିଲେ | ଏସବୁ ଭାଗ୍ୟ ଦୋଷ କୁଆଡେ | କର୍ମକୁ ଆଦରି ପୁଅର ପିଛା ଧରିଲେ |

ବୁଢା ଏକା ଏକା ନରଣଗଡ ଯିବେ | ଅନେକ ରାସ୍ତା | ବସ ଚାଲିଥାଏ | ବୁଢା ଖୁବ୍ ବିଷର୍ଣ୍ଣ  | ମନେମନେ ଭାବୁଥିଲେ, ସେ ଆଜିକାଲି ଅଦରକାରୀ ହୋଇଗଲେଣି | ବସି ଖାଇଲେ ନଈବାଲି ସରେ | ତାଙ୍କୁ କିଏ କାହିଁକି ମହଙ୍ଗା ଯୁଗରେ ପଚାରିବ | ଭାବନାର ଅନ୍ତ ନାହିଁ | ଗାଡି ଆସି ଭଞ୍ଜନଗରରେ ଛିଡା ହେଲାଣି | ସେତେବେଳକୁ ଘଣ୍ଟାରେ ଚାରିଟା  | ସ୍କୁଲ ପିଲାମାନେ ବହିବସ୍ତାନି ଧରି ଘରକୁ ଫେରୁଛନ୍ତି | ବୁଢାଙ୍କର ପୁଣି କୋହ ଉଠିଲା | କୁନାମୁନା ଏବେ ସ୍କୁଲରୁ ଫେରୁଥିବେ | ସ୍କୁଲରୁ ଫେରିବା ପରେ ଜେଜେ କବାଟ ଖୋଲିଦେଲେ କୁନା ଭିତରକୁ ଆସେ | ଜେଜେକୁ ସେ ଖୋଜୁଥିବ ନିଶ୍ଚୟ | ଜେଜେ ସେଦିନ କୁନାକୁ ପାଠ ପଢାଇଲାବେଳେ କହିଥିଲେ, ମିଛ କହିବା ମହାପାପ | କିନ୍ତୁ ଆଜି ଜେଜେ ମତେ ମିଛ କହି ଠକି ଚାଲିଗଲେ- ଏଇଆ ଭାବୁଥିବ ମନରେ ସିଏ ? ବୋଧହୁଏ କୁନା ଏଇଠୁ ସଂସାରଯାକର ମିଛ କହିବା ଶିଖିବ | କହିବ ବଡମାନେ କହନ୍ତି ଗୋଟାଏ, କରନ୍ତି ଗୋଟାଏ | ବୁଢାର ମୁଣ୍ଡ ଭିତରେ ସେଇ ଚକ୍ରଟା ପୁଣି ଓଲଟା ଘୂରୁଥିଲା | ବସ ରେଲିଂ ଦେହରେ ମୁଣ୍ଡଟାକୁ ପିଟି ଛତୁ କରିଦେବାକୁ ଇଚ୍ଛା ହେଉଥିଲା ଅବା |

ନରଣଗଡରେ ବସ୍ ପହଞ୍ଚିଲା | ବୁଢା ଘରେ ପାଦ ପକାଇଲେ | କିଛି ହେଉ ହେଉ ଏଇଠି ପଡିରହିଲେ ଜାତି ଭାଇ ତାଙ୍କର ମଡାରେ ହାତ ଲଗାଇବେ | ନିଜକୁ ନିଜେ ସାନ୍ତ୍ବନା ଦେଉଥିଲେ | ମଝିଆ ପୁଅ ସୁକେଶ ଖୁବ୍ ବିରକ୍ତ ହେଲା | କହିଲାମୁଁ ମନା କରୁଛି ଯାଅନି ସେଠିକୁ | ହଉ, ତୁମେ ବିଶ୍ରାମ କର | ମୁଁ ସନ୍ଧ୍ୟାରେ ଦୋକାନରୁ ଫେରିଲେ ତୁମକୁ ଡାକ୍ତର ଦେଖାଇବି |

ମଝିଆଁ ପୁଅ ସୁକେଶର ବହି ଦୋକାନ | ବିକ୍ରିବଟା ସେତେ ଭଲ ନୁହେଁ | ମନେମନେ ସେ ଭାବୁଛି, ପାଖ ମଦ ଦୋକାନରେ ଏତେ ଭିଡ | କିନ୍ତୁ ବହିକୁ କାହିଁକି ଲୋକଙ୍କର ଏତେ କମ୍ ଆଗ୍ରହ ? ସୋମରସଠାରୁ ପୁସ୍ତକର ରସ ଏତେ ନୀରସ ! ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥିଲା ତାକୁ | ସେ ଗୋଟାଏ ସତ୍ ବ୍ୟବସାୟରେ ଅଛି | କିନ୍ତୁ ତାକୁ ଲକ୍ଷ୍ମୀ ମିଳୁନାହାନ୍ତି | ସୁକେଶ ନିରାଶ ହୋଇ ଦୋକାନର ସଟର ଟାଣିଲା | ଘରେ ପହଞ୍ଚିବା ବେଳକୁ ବୁଢା ଆସି ଦାଣ୍ଡଦୁଆରେ | କହିଲେ, ଆଜି ଏତେ ଡେରି କଲୁ | ବଇଦ ପାଖକୁ ଯିବା ପରା |

ନାଇଁ ବାପା ! ଆଜି କିଛି ଭଲ ବିକ୍ରି ହେଲାନି | ବୁଢାର ମୁଣ୍ଡଟା ବରଗଛ ଓହଳ ପରି ତଳକୁ ଲମ୍ବିଗଲା | ବୁଢା କହିଲେ, “ମୁଁ ଜାଣେ ପରା  | ତୁ ସେ ଦୋକାନରେ ମୃଗୁଣୀ ସ୍ତୁତି, ମନବୋଧ ଚଉତିଶା ଆଉ ବାଲ୍ମିକୀ ରାମାୟଣ ରଖିବା ପର୍ଯ୍ୟନ୍ତ ତୋର ବିକ୍ରିବଟା ଭଲ ହେବନି | ” ସୁକେଶ ବାପାଙ୍କ ସରଳତାର ଗଭୀର ସମୁଦ୍ରରେ ଡୁବ ମାରି ପୁଣି ଉପରକୁ ଉଠୁଥିଲା | ଯେଉଁଠି ଡିସ୍କୋ ନୃତ୍ୟ କଳା, ଯେଉଁଠି ସାମାଜିକ ଚଳଣୀ ଅଶ୍ଳୀଳତାରେ ଭରପୁର, ସେଠି ମୃଗୁଣୀ ସ୍ତୁତି ପଢିବ କିଏ ? ସୁକେଶ ବାପାଙ୍କୁ ବୁଝାଇ ପାରି ନିଜକୁ ନିଜେ ବୁଝାଉଥିଲା |

ବୁଢାଙ୍କ ଶ୍ବାସ ଧଇଁ ପେଲିହେଉଛି | ବାଉଳାଚାଉଳା ହେଲେଣି | ଲାଗୁଛି ସେପାରିରୁ ଡାକ ଶୁଭିଲାଣି | ଦେହ ଭିତରେ ଅବା ହାଡଗୁଡାକ ଖସି ବିଡା ବାନ୍ଧିହେଉଛି | ଦେହର କାନ୍ଥରେ ପଲସ୍ତରା ଛାଡି ଖଣ୍ଡେ ଖଣ୍ଡେ ଇଟା ଖସି ଦାନ୍ତୁରା ଦିଶିଲାଣି | କହିଲେ, ଭାଇକୁ ଡାକ୍ ଜଲଦି | ସିଏ ବ୍ୟାଙ୍କ ଅଫିସର | ଟଙ୍କା ପଇସା ଯଦି ଖର୍ଚ୍ଚ କରିବ କେଜାଣି କାଳେ ବଞ୍ଚିଯିବି | ବୁଢାଙ୍କ କଥାରୁ ମନେ ହେଉଥିଲା ତାଙ୍କର ବଞ୍ଚିବାର ମୋହ ଦୁର୍ବାର ଥିଲା |

କିଏ ଜଣେ ଆଟାଚିଟା ତଳେ ଥୋଇବାର ଶବ୍ଦ ଶୁଣାଗଲା | ବୁଢା ଉପରକୁ ଚାହିଁଲାବେଳକୁ ସାମ୍ନାରେ ରମେଶ | ତା ପଛରେ ବୋହୂ | କୁନା-ମୁନା ଜେଜେ ଉପରକୁ ଚଢିଯିବା ବେଳକୁ ବୁଢାର ଧଇଁକାଶରେ ଛିଞ୍ଚାଡିହୋଇପଡିଲେ | ବୁଢାଙ୍କ ଶ୍ବାସ ରୋଗର ତୀବ୍ରତା ଅନୁଭବ ହେଲାଣି | ବୋହୂ ବୁଢାଙ୍କ ପାଦ ଛୁଇଁ ପ୍ରଣାମ କଲା |

ବୁଢା ପୁଣି ବାଉଳାଚାଉଳା କଥା କହିଲେଣି | ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ, ଆରେ ପୁଅ ଦେଖିଲୁ | ବଡ ବଡ ଶିଙ୍ଗ ଅଛି ମୁଣ୍ଡରେ | ସେ ଲୋକଟା କାହାକୁ ଡାକୁଛି | ପଚାରିଲୁ କାହାକୁ ଖୋଜୁଛି ସିଏ | ସମସ୍ତେ ସେଇଆଡକୁ ଚାହିଁଲେ | ଆଖପାଖରେ କେହି ନାହିଁ | ବୁଢାଙ୍କର ବୋଧହୁଏ ସମୟ ପାଖେଇଗଲା | ଦେଖାଗଲା ବୁଢା କାଶିକାଶି ମୁଦାହେଇ ଗୋଟେ ପ୍ରଶ୍ନବାଚୀ ପାଲଟିଗଲେ | ମନେ ହେଲା ବୁଢା ଆମ ସମସ୍ତଙ୍କୁ ବାରମ୍ବାର ପ୍ରଶ୍ନ କରୁଛନ୍ତି – “ଆରେ ଅଧମତୁମେ କେହି ବୁଢା ହେବ ନାହିଁ ? ତୁମେ କେହି ବାର୍ଦ୍ଧକ୍ୟକୁ ସାମ୍ନା କରିବ ନାହିଁ ? ଲୋକଗୁଡାକ ଦାନ୍ତରେ ତିରଣ ନିକୁଟି ଧରିଥିବା ଗୋହତ୍ୟାକାରୀ ଭଳି ଛିଡା ହୋଇଥିଲେ |

 

0 Response to "ବୁଢ଼ା ବୟସ"

Post a Comment

Iklan Atas Artikel

Iklan Tengah Artikel 1

Iklan Tengah Artikel 2

Iklan Bawah Artikel