ଚନ୍ଦ୍ରଶେଖର ମିଶ୍ର
ଜ୍ଞାନୀ ଜନ ଯଦି ହୋଇବେ ଅଜ୍ଞାନୀ
ଜଗତ କିସ ହୋଇବ।
ଦାରୁବ୍ରହ୍ମ ଯଦି ହୋଇବେ ପାଷାଣ
ମୋ ଡାକ କିଏ ଶୁଣିବ॥
ଦୁଷ୍ଟ ନିବାରଣ ସନ୍ଥଙ୍କ ପାଳନ
ଏହା ଯଦି ତୁମ ଧର୍ମ।
ପ୍ରାରବ୍ଧ କର୍ମରୁ ହୋଇଲି କି ଦୀନ
ବାସ୍ତବରେ ଏଡ଼େ ହୀନ॥
କରିଛି କୀର୍ତ୍ତନ ଗାଇଛି ଜଣାଣ
ଶୁଣିନ କି କାନ ଡେରି।
କିମ୍ପାଇଁ ନଶୁଣ ହେ ଚକାନୟନ
ତ୍ରୁଟି କେଉଁଠି ମୋହରି॥
ଦଶ ଅବତାର ଧାରଣ କରିଣ
ଦୁଷ୍ଟ ନିବାରଣ କଲ।
ଦୁଃଖୀ ପତିତ କୁ ସିଂହ ଦୁଆରୁ
ଖାଲିହାତେ ଫେରାଇଲ॥
ନୀଳାଚଳ ଧାମ ନୀଳ କନ୍ଦରରୁ
ଖାଲି ହାତେ ଗଲେ ଫେରି।
କେଉଁଠି ରହିବ ବଡ଼ପଣ ଯଶ
ଆକାଶ ପଡିବ ଛିଡ଼ି॥
ବ୍ରହ୍ମାଣ୍ଡର ପତି ଯଦି ନ ଶୁଣିବେ
ଦୀନ-ଜନଙ୍କ ଚିତ୍କାର।
ରାଜାକି ଶୁଣିବ ମନ୍ତ୍ରୀ କି କରିବ
ସମସ୍ତେ କରିବେ ଧିକ୍କାର॥
ପତିତ-ପାବନ ବାନା ଉଡ଼ାଇଣ
ଆଉ କି’ ଲାଭ ହେବ।
ଦୁଃଖରେ ପତିତ କାନ୍ଦି କାନ୍ଦି ମଲେ
ତୁମ୍ଭ ଯଶ କି ରହିବ॥
ତ୍ରି-ଭୂବନେ ଯଦି ସତ୍ୟ, ଧର୍ମ ଥାଏ
ସତ୍ୟ ଯଦି ନୀଳାଚଳ।
ଜଗତର ନାଥ ଆହେ ଜଗନ୍ନାଥ
ଆସି ମୋତେ ରକ୍ଷାକର॥
0 Response to "କାନ୍ଦୁଛି ପତିତ ସିଂହ ଦୁଆରେ"
Post a Comment