ମୃଣାଳ
ଆଜିକାଲି ବହୁତ ଡେ ପାଳନ କରାଯାଉଛି | ଫାଦରସ୍ ଡେ, ମଦରସ୍ ଡେ, ଡକ୍ଟରସ୍ ଡେ, ଚିଲ୍ଡ୍ରେନ୍ସ ଡେ, ଭ୍ୟାଲେଣ୍ଟାଇନ୍ ଡେ | ପୁଣି ପରିବେଶ ଦିବସ, ସ୍ବାସ୍ଥ୍ୟ ଦିବସ, ସମ୍ପ୍ରୀତି ଦିବସ ଇତ୍ୟାଦି | ବର୍ଷର ଆଉ ବେଶୀ ଦିନ ଖାଲି ନାହିଁ, ସବୁଦିନ କିଛି ନା କିଛି ଡେ | ଏ ଡେ ରୁ ଅଧିକାଂଶ ଫିରିଙ୍ଗିମାନେ ଆମ ଉପରେ ଲଦି ଦେଇଛନ୍ତି | ତ ଆମ୍ଭେ ଆଉ କେତେକ ଡେ ଆଉ ନାଇଟ୍ (ସବୁ କଥାରେ ଖାଲି ଦିବସ କାହିଁକି ହେବ, ରଜନୀ କିଆଁ ନହେବ !) ଆରମ୍ଭ କରିବାକୁ ଚାହୁଁଛୁ | ଏଗୁଡିକ ଏଠି ପାଳିତ ହୋଇ ପପୁଲାର ହେଲାପରେ ତାକୁ ଫିରିଙ୍ଗିମାନଙ୍କ ଉପରେ ଲଦିଦେବାକୁ ଚାହୁଁଛୁ | କି କି ଡେ ପାଳନ କରାଯାଇପାରେ, ଏ ବିଷୟରେ ବଙ୍ଗଳାର ଏକ ନମ୍ବର ଖବର କାଗଜ ‘ଆନନ୍ଦ ବଜାର ପତ୍ରିକା’ ବି ପାଠକମାନଙ୍କଠୁଁ ପରାମର୍ଶ ମାଗିଥିଲେ | ପାଠକମାନେ କେତେକ ପରାମର୍ଶ ଦେଇଥିଲେ | ସେଥିରୁ କିଛି ବି ଏଥିରେ ସାମିଲ କରିଦେଇଛି | ଆରମ୍ଭ କରିବା ଦାରିଦ୍ର୍ୟ ବୃଦ୍ଧିକରଣ ଦିବସରୁ |
ଦାରିଦ୍ର୍ୟ ଦୂରୀକରଣକୁ ନେଇ ବର୍ଷରେ ଅନେକ ଦିବସ ପାଳନ କରାଯାଏ | ଭାବି ଦେଖନ୍ତୁ ବନ୍ଧୁଗଣ, ଦାରିଦ୍ର୍ୟ ଆମର ସ୍ବାଭାବିକ ସ୍ଥିତି | ଆମର ସଂସ୍କୃତି | ଗୀତ ଅଛି : କିଛି ମାଗୁନାହିଁ ତୋତେ, ଧନ ମାଗୁନାହିଁ, ଜନ ମାଗୁ ନାହିଁ, ମାଗୁଛି ଶରଧା ବାଲିରୁ ହାତେ | ଶାସ୍ତ୍ର ପୁରାଣ ଦେଖନ୍ତୁ | ଲେଖାହୋଇଛି, ଈଶ୍ବର ଦରିଦ୍ରର ବନ୍ଧୁ | ଶାସ୍ତ୍ରପୁରାଣ ଛାଡି, ପ୍ରାକ୍ଟିକାଲ ଲାଇଫ୍ରେ ଦେଖନ୍ତୁ, ଦାରିଦ୍ର୍ୟ ଦୂର ହୋଇଗଲେ ଆମର କେତେ ଅସୁବିଧା ହେବ |
ଦାରିଦ୍ର୍ୟ ଅଛି ବୋଲି ଦାରିଦ୍ର୍ୟ ଦୂରୀକରଣ ଯୋଜନା ଗୁଡିକ ଅଛି | ସେଥିରେ କେତେ ଲୋକ ଓ ସ୍ବେଚ୍ଛାସେବୀ ସଂସ୍ଥାମାନେ ସାମିଲ ଅଚନ୍ତି | ସେମାନଙ୍କ ଅନ୍ନସଂସ୍ଥାନ ହେଉଛି | ସେମାନେ ସହରରେ କାର୍ଯ୍ୟାଳୟ ଖୋଲି, ଥଣ୍ଡାଗାଡି ମଟରରେ ବୁଲି ବୁଲି ଦାରିଦ୍ର୍ୟ ଦୂର କରନ୍ତି – ସେସବୁ କ’ଣ ହେବ ? ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ ଯୋଜନା କରାଯାଉଛି | ସେଥିରେ କେତେ ବୁଦ୍ଧିଜୀବି ଯୋଗ ଦେଇ ଏ ବିଷୟରେ ମୁଣ୍ଡ ଖେଳାଉଛନ୍ତି | ଦାରିଦ୍ର୍ୟ କେମିତି ଦୂର ହେବ ସେ ସମ୍ପର୍କରେ ପଞ୍ଚତାରକା ହୋଟେଲମାନଙ୍କରେ କେତେ କର୍ମଶାଳା, ସେମିନାର ଆଦି ଆୟୋଜନ ହେଉଛି | ଦାରିଦ୍ର୍ୟ ଦୂର ହୋଇଗଲେ ହୋଟେଲମାନଙ୍କ କାରବାର କମିଯିବ | ଦେଶର ଅର୍ଥନୀତି ଉପରେ ଏହାର କେତେ କୁପ୍ରଭାବ ପଡିବ ଥରେ ଚିନ୍ତା କରନ୍ତୁ | ଦରିଦ୍ରମାନଙ୍କୁ ନେଇ କେତେ ଗଳ୍ପ କବିତା ଉପନ୍ୟାସ ଲେଖାହେଉଛି | ଦାରିଦ୍ର୍ୟ ଦୂର ହୋଇଗଲେ ସେ ଲେଖକମାନଙ୍କର କ’ଣ ହେବ ? ସେମାନେ କ’ଣ ଲେଖିବେ ? ଦାରିଦ୍ର୍ୟକୁ ନେଇ କେତେ ରାଜନୀତି ହେଉଛି | ଦାରିଦ୍ର୍ୟ ଦୂର ହୋଇଗଲେ ସେ ରାଜନୀତି କରୁଥିବା ଲୋକମାନଙ୍କର କ’ଣ ହେବ ? ଦାରିଦ୍ର୍ୟ ଦୂର ହୋଇଗଲେ ଅଳ୍ପଟଙ୍କାରେ ମୂଲ ଲାଗିବାକୁ, ବାସନ ମାଜିବାକୁ, ରିକ୍ସା ଟାଣିବାକୁ ଲୋକ କେଉଁଠୁ ମିଳିବେ ? ଗଣମାଧ୍ୟମରେ ପିଲାବିକ୍ରି, ଅନାହାର ମୃତ୍ୟୁର ଖବର କେମିତି ମିଳିବ ? ବିଧାନସଭା, ସଂସଦରେ ତୁମ୍ବିତୋଫାନ କେମିତି ହେବ ?
ତେଣୁ ଦାରିଦ୍ର୍ୟ ଦୂରୀକରଣ ନୁହେଁ, ଦାରିଦ୍ର୍ୟ ବଢେଇବା ଦରକାର | ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ପାଳନ କରାଯିବ ଦାରିଦ୍ର୍ୟ ବୃଦ୍ଧିକରଣ ଦିବସ | ଏହି ଦିନ ବୁଦ୍ଧିଜୀବି, ସ୍ବେଚ୍ଛାସେବୀମାନେ ବସି ଚିନ୍ତା କରିବେ ଏ ଦେଶରେ ଦାରିଦ୍ର୍ୟ ବଢା ଯିବ କେମିତି ?
0 Response to "ଦାରିଦ୍ର୍ୟ ବୃଦ୍ଧିକରଣ ଦିବସ"
Post a Comment