ହୁ-ହୁ ବତାସ l ଯେମିତି ଯୁଗଯୁଗାନ୍ତର ପାତାଳପୁରୀର ଏକ ନିଷିଦ୍ଧ ଅଞ୍ଚଳରେ ଯାଦୁଫରୁଆଟିଏ ଭିତରେ ସେ ରହିଥିଲା ବନ୍ଦୀ ହୋଇ, ହଠାତ୍ ମୁକ୍ତି ପାଇ ତା’ର ଅସୀମ ଗନ୍ତବ୍ୟମାର୍ଗରେ ବରାବର ବିଶ୍ବର ସମସ୍ତ କିଛିକୁ ଚୂର୍ଣ୍ଣୀଭୂତ କରି ଉଡ଼ାଇ ନେଇଯିବାକୁ ଚାହେଁ l ଅନ୍ଧାର କ୍ରମେ ବହଳ ହୋଇ ଆସୁଛି l ସମଗ୍ର ଆକାଶବ୍ୟାପୀ ଘନକୃଷ୍ଣ ମେଘ ଜମାଟ ବାନ୍ଧି ରହିଛି l ସୁଚ୍ୟଗ୍ର ପରିମିତ ବର୍ଷାବିନ୍ଦୁ ସମୂହ କ୍ରମେ ହୋଇ ଉଠୁଛନ୍ତି ବାଟୁଳି ଭଳି ଶକ୍ତିଶାଳୀ l ଆଉ ମଧ୍ୟେ ମଧ୍ୟେ ବିଦ୍ୟୁତ୍ର ଆଦିଗନ୍ତ ବିକାଶ ଭିତରେ ସମୁଦ୍ର ଲହରୀର ଉତ୍ତାଳ ବିଚ୍ଛୁରଣ ରଣୋନ୍ମତ୍ତ ଅସିମାଳା ଭଳି ଝଲସିତ l
ଏମନ୍ତ ଦୁର୍ଯୋଗ ରାତ୍ରିରେ ନିର୍ଜନ ସମୁଦ୍ର ଉପକଣ୍ଠରେ ଏକ ଅନ୍ଧକାର ଦ୍ବିତଳ ପ୍ରାସାଦରେ ଆତଙ୍କରେ ଶିହରି ଉଠୁଥିଲେ ତିନୋଟି ପ୍ରାଣୀ l ସେମାନେ ଶ୍ରୀ ଓ ଶ୍ରୀମତୀ ସିହ୍ନା ଏବଂ ଶ୍ରୀମତୀ ସିହ୍ନାଙ୍କ ଭ୍ରାତା ଅଧ୍ୟାପକ ପ୍ରବାଳ କିଶୋର l
ସମୁଦ୍ର ଚମତ୍କାର, କିନ୍ତୁ ପୁରୀ ବା ମାନ୍ଦ୍ରାଜ ବା ବମ୍ବେରେ ନୁହେଁ l ସେଠାରେ ମନେହୁଏ, ସମୁଦ୍ର ବିଚରା ଯେମିତି ପଞ୍ଝାଏ ସାନ୍ଧ୍ୟଭ୍ରମଣ ବିଳାସୀଙ୍କ ଆଗରେ ସେମାନଙ୍କର ଚେନାଚୁର ଚର୍ବଣ-ଜାତୀୟ ମଉଜଟାଏ ମାତ୍ର l ଶ୍ରୀମତୀ ସିହ୍ନା ମନ ବଳାଇଥିଲେ ସମୁଦ୍ରକୁ ସମୁଦ୍ର ଭଳି ଦେଖିବା ନିମନ୍ତେ l ଶ୍ରୀଯୁକ୍ତ ସିହ୍ନା ଖୋଜୁଥିଲେ ଏଭଳି ଏକ ଜନହୀନ ନିର୍ଜନ ଉପକୂଳ, ଯେଉଁଠି ନିରାଭରଣ ଉତ୍ତୁଙ୍ଗ ବାଲୁକା ଶଯ୍ୟା ଉପରେ ସମୁଦ୍ରର ପ୍ରାଗୈତିହାସିକ ଉତ୍ତାଳତା ଅହରହ ବିସ୍ଫୋରିତ ହେଉଥିବ l
ଶ୍ୟାଳକ ପ୍ରବାଳ କିଶୋର ଅଚିରେ ସନ୍ଧାନ ନେଇ ଜାଣିଲେ, ସେ ରୂପ ଏକ ସ୍ଥାନ ହେଲା ଷଣ୍ଢକୁଦ l ଏକାନ୍ତ ନିର୍ଜନ ଅଥଚ ଐତିହାସିକ ଷଣ୍ଢରାଜାଙ୍କ ସ୍ମୃତିବିଜଡ଼ିତ ସେହି ସ୍ଥାନରେ ପରବର୍ତ୍ତୀ କାଳର ଜଣେ ଜମିଦାର ନିର୍ମାଣ କରିଥିବା ଗୋଟିଏ ଦ୍ବିତଳ ଅଟ୍ଟାଳିକା ବିଦ୍ୟମାନ ରହିଛି l ଉଦ୍ଦାମ ପ୍ରକୃତି କୋଳରେ ଦୁଇତିନି ଘଣ୍ଟା ଦୋହଲି ହେବା ନିମନ୍ତେ ତାହା ହିଁ ପ୍ରକୃତ ସ୍ଥାନ l
ଷଣ୍ଢକୁଦର ନିର୍ଜନ ଉପକୂଳରେ ଯେତେବେଳେ ଜିପ୍ ଯାଇ ଉପନୀତ ହେଲା, ସେତେବେଳକୁ ଅପରାହ୍ନର ଅବଶେଷ ମାତ୍ର ରହିଛି l ଜିପ୍ରୁ ଓହ୍ଲାଇ ତିନିହେଁ ଚତୁର୍ଦ୍ଦିଗକୁ ଅନାଇ ସେ ଶୀତଳ ପବନ ଯେପରି ଆବକ୍ଷ ପିଇଗଲେ l
ଅଧ୍ୟାପକ ପ୍ରବାଳ କିଶୋର ଥରେ ଧମକ ଦେବା ଭଳି କୌଣସି ଏକ କବିତାର କିୟଦଂଶ ଆବୃତ୍ତି କରିବାକୁ ଚେଷ୍ଟା କଲେ, ‘ନିର୍ଜନ ହେ ନିର୍ଜନ !’ ତା’ପରେ ଆଉ କିଛି ମନେ ନ ପଡ଼ିବାରୁ ଚୁପ୍ ହେଲେ l ହୁ-ହୁ ପବନ l ଉତ୍ତର-ପଶ୍ଚିମ କୋଣରେ ପୁଳାଏ ମେଘ ଭାସି ବୁଲୁଥିଲା l ପରିବେଶର ପ୍ରାଥମିକ ପର୍ଯ୍ୟବେକ୍ଷଣରେ କିୟତ୍କ୍ଷଣ ଅତିବାହିତ କରି ତନିହେଁ ସମୁଦ୍ରରେ ପଶିଲେ l ପ୍ରବାଳ କିଶୋର ଢେଉ ସହିତ ତାଙ୍କ ସ୍ବଭାବସିଦ୍ଧ ରୀତିରେ କିଛିଟା ବିଶେଷ ଧରଣର କସ୍ରତ କରୁଥିଲେ l ତାଙ୍କର ଭଗ୍ନୀ ଓ ଭଗ୍ନୀପତି କିନ୍ତୁ ସେଥିରେ ଉଦ୍ବୁଦ୍ଧ ନହୋଇ ଏଭଳି ସଂଯତ ଆଚରଣ କରୁଥିଲେ, ଯେମିତି ସମୁଦ୍ର ସୌଖୀନ କାଚ ନିର୍ମିତ ପଦାର୍ଥବିଶେଷ, ଯାହା କି ସେମାନଙ୍କ ସାମାନ୍ୟ ଅସାବଧାନତାରେ ବି ଚୂର୍ଣ୍ଣ ହୋଇଯାଇପାରେ l
ସେହି ଅବସ୍ଥାରେ ହିଁ ଅବଦାନ ଭାବରେ ଆସିଗଲା ଝଡ଼ l ତିନି ହେଁ କୌଣସିମତେ ଜିପ୍ରୁ କେବଳ ଲୁଗାପଟା ସମ୍ବଳିତ ବ୍ୟାଗ୍ଟି ବାହାର କରିନେଇ କୋଠା ଭିତରକୁ ଝପଟି ପଶିଆସିଲେ l ଭାବିଥିଲେ, ଝଡ଼ର ଅବସାନ, ହେଲେ ସ୍ବଗୃହକୁ ଫେରିଯିବେ l
କିନ୍ତୁ ଝଡ଼ କ୍ରମାଗତ ଭାବେ ବଢ଼ିଚାଲିଛି l ମୁହୂର୍ତ୍ତକ ସକାଶେ ବି ଆଉ କୌଣସି ଝରକା କବାଟ ଖୋଲା ରଖି ହେଉ ନାହିଁ l ଖୋଲିଦେଲେ ହିଁ ସର୍ବବ୍ୟାପୀ ପରାକ୍ରାନ୍ତ ଝଡ଼ ସହିତ ମୁହାଁମୁହିଁ ହେବାକୁ ପଡ଼ିବ l ସେ ପରାକ୍ରମ ଅସହ୍ୟ l
ଅସହାୟ ଭାବରେ ତିନିହେଁ ବସିଥିଲେ l ଯେତେଦୂର ମନେପଡ଼ୁଛି, ଶ୍ରୀମତୀ ସିହ୍ନା ଶେଷ ମୁହୂର୍ତ୍ତରେ ଟର୍ଚ୍ଚ ଲାଇଟ୍ଟିଏ ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗରେ ପୂରାଇଥିଲେ l କିନ୍ତୁ ସେ ବ୍ୟାଗ୍ଟି ରହିଛି ଜିପ୍ରେ l ଜିପ୍ ପର୍ଯ୍ୟନ୍ତ ଯିବା ସକାଶେ ଥରେ ପ୍ରବାଳ କିଶୋର ପ୍ରସ୍ତୁତ ହେଲେ l ଅଣ୍ଡାଳି ଅଣ୍ଡାଳି ସେ ପାହାଚ ପର୍ଯ୍ୟନ୍ତ ଗଲେ ମଧ୍ୟ, କିନ୍ତୁ ଅବତରଣ କରିବାକୁ ଉଦ୍ୟତ ହେବା ମୁହୂର୍ତ୍ତରେ ହିଁ ତଳ ମହଲାରେ ଶୁଭିଲା ଗୋଟିଏ ଶବ୍ଦ-କିଞ୍ଚିତ୍ ଅପ୍ରାକୃତିକ l ହୁଏତ କିଛି ନୁହେଁ, କିନ୍ତୁ ଜନପଦଠୁଁ ବହୁ ଦୂରରେ ଅବସ୍ଥିତ ରାଜରାଜୁଡ଼ା ପରିତ୍ୟକ୍ତ ଏସବୁ କୋଠିରେ ଏଭଳି ଶବ୍ଦର ତ ବହୁ ରହସ୍ୟମୟ କାରଣ ବି ଥାଇପାରେ l
ଅତଏବ ପ୍ରବାଳବାବୁ ଗଲେ ନାହିଁ l ତା’ପରେ ସିହ୍ନା ସାହେବ ଶ୍ୟାଳକଙ୍କୁ ଈଷତ୍ ଭର୍ତ୍ସନା କରି ସ୍ବୟଂ ଅଗ୍ରସର ହେଲେ l କିନ୍ତୁ ହଠାତ୍ ତାଙ୍କର ମନେପଡ଼ିଲା, ବିନା ଚଷମାରେ କୁଆଡ଼େ ହେଲେ ଅଗ୍ରସର ହେବାକୁ ସେ କୋଡ଼ିଏ ବର୍ଷ ହେଲା ଭୁଲିଗଲେଣି, ସମୁଦ୍ର ଭିତରକୁ ପଶିବା ପୂର୍ବରୁ ଚଷମାଟି ସେ ଜିପ୍ରେ ଥୋଇଥିଲେ l ଅବଶ୍ୟ ପ୍ରବାଳ କିଶୋର ନମ୍ର ଭାବରେ ଗହନ ଅନ୍ଧକାର ମଧ୍ୟରେ ଚଷମାର ଭୂମିକା ସମ୍ପର୍କରେ ଥରେ ପ୍ରଶ୍ନ ଉଠାଇଲେ l କିନ୍ତୁ ସିହ୍ନା ସାହେବ ସେ ପ୍ରଶ୍ନର ଉତ୍ତର ନ ଦେଇ ଅନୁଶୋଚନା ପ୍ରକାଶ କରୁଥିଲେ ଯେ, ଅଧ୍ୟାପକଙ୍କ ଭଉଣୀ ଉପର୍ଯ୍ୟୁପରି ଅଭିମାନ କରି ତାଙ୍କର ଧୂମପାନ ଅଭ୍ୟାସଟି ଛଡ଼ାଇ ଦେଇ ନ ଥିଲେ ଏଇ ବିପଜ୍ଜନକ ମୁହୂର୍ତ୍ତରେ ଅବଶ୍ୟ ତାଙ୍କ ପାଖରେ ଦିଆସିଲିଟିଏ ଥାଆନ୍ତା l
ତା’ପରେ ପ୍ରବାଳ କିଶୋର ଓ ସିହ୍ନା ସାହେବ ଏକତ୍ର ଜିପ୍ ପାଖକୁ ଯିବା ନିମନ୍ତେ ପ୍ରସ୍ତୁତ ହୁଅନ୍ତେ ଶ୍ରୀମତୀ ସିହ୍ନା ଏକାକିନୀ ରହିବାକୁ ରାଜି ହେଲେ ନାହିଁ କି ସାଥିରେ ଯିବା ପ୍ରସ୍ତାବକୁ ମଧ୍ୟ ସମର୍ଥନ ଜଣାଇଲେ ନାହିଁ l
ଅତଏବ ତିନିହେଁ ବସିରହିଲେ l ଚୂନ ପଲସ୍ତରା ଖସି ଖସି ପଡୁଛି l ଝଡ଼ର ଗତିବେଗ ବଢ଼ି ବଢ଼ି ଚାଲିଛି l ଝରକାଗୁଡ଼ିକରୁ କଡ଼ମଡ଼ ଶବ୍ଦ ନିର୍ଗତ ହେଉଛି l ଭୁସ୍କିନା ଗୋଟିଏ ମୁହୂର୍ତ୍ତରେ କୋଠାଟି ଧୂଳିସାତ୍ ହୋଇଯିବା ବିଚିତ୍ର ନୁହେଁ l ଝଡ଼ର ପ୍ରକୋପ କିଛି ମାତ୍ରାରେ ସହ୍ୟ କରିନେଇ କୋଠା ଉପରେ ବସୁଥିବା ମାଡ଼କୁ ଲାଘବ କରିବା ନିମନ୍ତେ ନିକଟବର୍ତ୍ତୀ ଅଞ୍ଚଳରେ ବଡ଼ ଧରଣର ଗଛଟାଏ ବି ନାହିଁ l
ଝଡ଼ର ଗତି ସହିତ ତାଳ ଦେଇ ସମୁଦ୍ରର ଗର୍ଜନ ମଧ୍ୟ ଭୟାବହ ହୋଇ ଉଠୁଥିଲା l
ଏ ଏକ ମାରାତ୍ମକ ଝଡ଼-ପ୍ରବାଳବାବୁ କହିଲେ l କିନ୍ତୁ ଆମର ବର୍ତ୍ତମାନ ଉପାୟ କ’ଣ ? ବଡ଼ ଉଦ୍ବିଗ୍ନ ସ୍ବରରେ ଜିଜ୍ଞାସା କଲେ ଶ୍ରୀମତୀ ସିହ୍ନା l
ଏଭଳି ଝଡ଼ ପୃଥିବୀରେ କ୍ବଚିତ୍ ହୁଏ l ପ୍ରବାଳ କିଶୋର କହି ଚାଲିଲେ, ସେହି ଆଦିମତମ ଯୁଗରେ, ଯେତେବେଳେ ଏ ପୃଥିବୀର ପୃଷ୍ଠଭାଗର ରୂପ ନିୟତ ବଦଳି ଚାଲିଥିଲା, ସେତିକିବେଳେ ଏଭଳି ଝଡ଼ ସମ୍ଭବପର ହେଉଥିଲା l
ଶ୍ରୀମତୀ ସିହ୍ନା ଆତଙ୍କିତ ଭାବରେ ପଚାରିଲେ, ଏ ଘର ରହିବ ତ ? ଆମେ ବଞ୍ଚିବା ତ ?
ପ୍ରବାଳ କିଶୋର ସଶଦ୍ଦେ ହସିଉଠିଲେ l
ଆମେ ବଞ୍ଚିବାଟା ନିହାତି ଗୌଣ କଥା l ହୁଏତ ଏତେବେଳକୁ ସାରା ପୃଥିବୀର ଅର୍ଦ୍ଧାଧିକ ବ୍ୟାପୀ ପ୍ରଳୟ ହୋଇସାରିବଣି l ମୋର ମନେହୁଏ, ସମୁଦ୍ର ଫୁଲିଉଠି ଆମର ଏଇ କୋଠା ଚାରିପଟେ ବେଢ଼ିଗଲାଣି l
ଏହାପରେ ଆଉ ଶ୍ରୀମତୀ ସିହ୍ନା କଥା କହିନାହାଁନ୍ତି l ବହୁ ସମୟ ବ୍ୟବଧାନରେ ହୁଏତ ଅଧ୍ୟାପକ ହଠାତ୍ ସଙ୍ଗୀତଚର୍ଚ୍ଚା କରି ଉଠୁଥିଲେ, ଅଥବା ଚର୍ଚ୍ଚିଲଙ୍କ ଯୁଦ୍ଧକାଳୀନ ବକ୍ତୃତାର କିୟଦଂଶ ଆବୃତ୍ତି କରୁଥିଲେ l ସିହ୍ନା ସାହେବ ମଧ୍ୟେ ମଧ୍ୟେ ଝରକା ଖୋଲି ନିଶାର୍ଦ୍ଧର ସେଇ ବିପର୍ଯ୍ୟସ୍ତ ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରି ତହିଁ ମଧ୍ୟରେ ନିଜସ୍ବ ଜିପ୍ଟିର ଅବସ୍ଥିତି ନିରୂପଣ କରିବାର ଚେଷ୍ଟା କରୁଥିଲେ l କିନ୍ତୁ ସମ୍ଭାଳି ନ ପାରି ପୁନଶ୍ଚ ଝରକା ବନ୍ଦ କରିବାରେ ବିପୁଳ ଶକ୍ତି ପ୍ରୟୋଗ କରୁ କରୁ ଚଷମାଟି ସମ୍ପର୍କରେ କ୍ଷୋଭ ପ୍ରକାଶ କରୁଥିଲେ l ଅବଶ୍ୟ ତାଙ୍କ ସ୍ତ୍ରୀ ଓ ଅନ୍ତରଙ୍ଗ ଶ୍ୟାଳକ ଏତକ ବୁଝୁଥିଲେ ଯେ, ଜିପ୍ ପାଖକୁ ଯିବା ସକାଶେ ଚଷମାଟି ହିଁ ତାଙ୍କର ଏକମାତ୍ର ପ୍ରଲୋଭନ ନୁହେଁ l ଶ୍ରୀମତୀ ସିହ୍ନାଙ୍କ ଉପର୍ଯ୍ୟୁପରି ଅଭିମାନରେ ସେ ଯେପରି ଧୂମପାନ ତ୍ୟାଗ କରିଥିଲେ, ସେହିପରି ତ୍ୟାଗ କରିଥିଲେ ଅନ୍ୟାନ୍ୟ ପାନ ମଧ୍ୟ l କିନ୍ତୁ ଅଭ୍ୟାସବଶତଃ ସେ ସର୍ବଦା ନିଜ ସହିତ ନିରୀହ ବ୍ରାଣ୍ଡିପୂର୍ଣ୍ଣ ଅନତିବୃହତ୍ ବୋତଲଟିଏ ରଖୁଥିଲେ l କ୍ବଚିତ୍ କେବେ ସ୍ନାୟୁ ଉପରେ କୌଣସି କାରଣରୁ ଅତ୍ୟଧିକ ଚାପ ପଡ଼ିଲେ, ସ୍ତ୍ରୀଙ୍କ ଅନୁମତିକ୍ରମେ ସେଥରୁ ଔଷଧ ମାତ୍ରାରେ ଅଳ୍ପ ସେବନ କରୁଥିଲେ l ଅନ୍ୟଥା ତାକୁ କେବଳ ମଧ୍ୟେ ମଧ୍ୟେ ଅବଲୋକନ କରୁଥିଲେ l
ଏଇ ଭୟଙ୍କର ରାତିରେ ସ୍ନାୟୁ ଉପରେ ଚାପ ପଡ଼ିବା ସ୍ବାଭାବିକ l କିନ୍ତୁ କେଇ ଗଜ ମାତ୍ର ଦୂରରେ ଥିବା ଜିପ୍ ଓ ତାଙ୍କ ମଧ୍ୟରେ ଜୀବନମରଣର ବ୍ୟବଧାନ l
ପ୍ରାୟ ମଧ୍ୟରାତ୍ର ପର୍ଯ୍ୟନ୍ତ ଝଡ଼ କ୍ରମାଗତ ଉଦଣ୍ଡ ହୋଇ ଚାଲିଲା l ମଝିରେ ଥରେ ଶ୍ରୀମତୀ ସିହ୍ନା ଆପଣାର ଭୟାବହ ଭବିଷ୍ୟତ କଥା ଚିନ୍ତାକରି କାତର ହୋଇ ଅଳ୍ପ କାନ୍ଦିଥିଲେ l ଘଡ଼ଘଡ଼ି ଶବ୍ଦର ଭୀଷଣତା ସହିତ ପ୍ରବାଳବାବୁଙ୍କ ଆବୃତ୍ତି ଅଧିକ କ୍ଷଣ ତାଳ ଦେଇପାରିଲା ନାହିଁ l ତେଣିକି ଚୁପ୍ଚାପ୍ ତିନିହେଁ କାନ୍ଥକୁ ଆଉଜି ବସିରହିଲେ l
ରାତ୍ରିର ଶେଷାର୍ଦ୍ଧ ବେଳକୁ ଝଡ଼ର ପ୍ରକୋପ କମିଗଲା l କ୍ରମେ ସିହ୍ନା ସାହେବ ଝରକା ଖୋଲି ଏକାଦିକ୍ରମେ କିଛ ସମୟ ପର୍ଯ୍ୟନ୍ତ ବାହାରକୁ ଅନାଇ ରହିବାକୁ ସକ୍ଷମ ହେଲେ l ସେତେବେଳକୁ ଭଟ୍ଟାକାଳୀନ ସମୁଦ୍ରର ପ୍ରଶମିତ କଳରୋଳ ବ୍ୟତୀତ ବିଶ୍ବଜଗତର ସମସ୍ତ କୋଳାହଳ ଯେମିତି ଚିରତରେ ନିସ୍ତବ୍ଧ ହୋଇଯାଇଛି l
କ୍ରମେ ଚାରିଦିଗ ଫରଚା ହୋଇଆସିଲା l ତିନିହେଁ ଦ୍ବିତଳରୁ ଅବତରଣ କଲେ ଓ ଜିପ୍ ଆଡ଼କୁ ଅଗ୍ରସର ହେବାକୁ ଲାଗିଲେ l
ଜିପ୍ର ଅଦୂରରେ କିନ୍ତୁ ସେମାନଙ୍କୁ ତଟସ୍ଥ ଭାବରେ ଛିଡ଼ା ହୋଇଯିବାକୁ ପଡ଼ିଲା l ପ୍ରବାଳବାବୁ ପଚାରିଲେ, ଇଞ୍ଜିନ୍ଟି ତା’ହେଲେ କ’ଣ ଗତକାଲି ବନ୍ଦ କରାହୋଇ ନ ଥିଲା ?
ମୁଁ ଜରୁର ବନ୍ଦ କରିଛି l ସିହ୍ନା ସାହେବ ଜୋରଦେଇ କହିଲେ l
ତେବେ ଜିପ୍ଟା ଷ୍ଟାର୍ଟ ଧରିଲା ବା କିପରି ? ଜିପ୍ ଜାତିର ଇତିହାସରେ କେବେ ଝଡ଼ର ପ୍ରକୋପରେ ତାହା ବଳେ ବଳେ ଷ୍ଟାର୍ଟ ଧରିଯିବାର ଦୃଷ୍ଟାନ୍ତ ଦେଖିବାକୁ ମିଳି ପାରିବ କି ? ପ୍ରବାଳବାବୁ ଅତ୍ୟନ୍ତ ବିବ୍ରତ ହୋଇ ପ୍ରାୟ ହିଂସ୍ରଭାବରେ ନିଜସ୍ବ ଚନ୍ଦାମୁଣ୍ଡ ରାମ୍ପୁଡ଼ିବାକୁ ଲାଗିଲେ l
ଇତିମଧ୍ୟରେ ସିହ୍ନା ସାହେବ ଗାଡ଼ି ନିକଟକୁ ଯାଇ ତାହାକୁ ପରୀକ୍ଷା କରିସାରିଥିଲେ l ସେ ଉଚ୍ଚକଣ୍ଠରେ ଘୋଷଣା କଲେ, ଏହା ଇଞ୍ଜିନ୍ର ଶବ୍ଦ ନୁହେଁ l
ଆଉ ତେବେ ?
କୌଣସି ଜଣେ ବ୍ୟକ୍ତି ଭିତରେ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି l
ସିହ୍ନା ସାହେବ ଓ ଅଧ୍ୟାପକ ଅତଃପର ଝିଙ୍କାଝିଙ୍କି କରନ୍ତେ ବ୍ୟକ୍ତିଟିର ନାସିକା ଗର୍ଜନ ସ୍ତିମିତ ହୋଇଆସିଲା ଓ ସେ ଧୀରେ ଧୀରେ ଉଠିବସି ସଲଜ୍ଜ ଭାବରେ କହିଲା, ମୁଁ ଡମ୍ବରୁଧର, ଆଜ୍ଞା l
ପରିଚୟଟି କ’ଣ ଯଥେଷ୍ଟ ହେଲା ? ପ୍ରବାଳ କିଶୋର ତାଙ୍କ ଭଉଣୀଙ୍କୁ ଅନାଇ ପ୍ରଶ୍ନଟି ପଚାରିଲେ l ଡମ୍ବରୁଧର ଶୁଣିପାରି ଦ୍ବିଗୁଣ ଉତ୍ସାହରେ କହିଲା, ମୁଁ ଆଜ୍ଞା, ପ୍ରକୃତରେ ଡମ୍ବରୁଧର l ମାଇଲିଏ ଦୂରରେ ମୋ ଘରକୁ ଯାଇଥିଲି l ଆସିଲା ବେଳକୁ ଆପଣମାନେ କୋଠି କବାଟ ବନ୍ଦ କରିଦେଲେଣି l ତେଣୁ ଏଇଠି ଶୋଇପଡ଼ିଲି l
ସେତେବେଳକୁ ସିହ୍ନା ସାହେବ ତାଙ୍କ ବ୍ୟାଗ ଭିତରୁ ଅନତିବୃହତ୍ ଶୂନ୍ୟ ବୋତଲଟିଏ ବାହାର କରି ଦୀର୍ଘ ନିଃଶ୍ବାସ ସହକାରେ ତାକୁ ନିରୀକ୍ଷଣ କରୁଥିଲେ l ଡମ୍ବରୁଧର ତାଙ୍କ ପାଖକୁ ଘୁଞ୍ଚିଆସି କାନମୁଣ୍ଡା ଆଉଁସି ଆଉଁସି କହିଲା, ହଜୁର, ବଡ଼ ଶୋଷ କଲା ଆଉ ପିଇବା ପାଣି ତ ରହିଲା କୋଠି ଭିତରେ l ଜାଣିଲି ଯେ ଏଇଟା ବାସ୍ନାତେଲ ବୋତଲ ନୁହେଁ l ମଧ୍ୟେ ମଧ୍ୟେ ବାବୁ ଭାୟାମାନେ ତ ଏଠାକୁ ଆସନ୍ତି l ସେମାନଙ୍କ ପ୍ରସାଦରୁ ମୁଁ ସବୁ ଗନ୍ଧ ଜାଣିଯାଇଛି l
ଏତେବେଳକୁ ଜଣା ପଡ଼ିଯାଇଥିଲା ଯେ, ଡମ୍ବୁରଧର ହେଲେ କୋଠିର ଚୌକିଦାର l ପ୍ରବାଳବାବୁ ତାଙ୍କୁ ଲକ୍ଷ୍ୟ କରି କହିଲେ, ଆହା, ଝଡ଼ ରାତିଯାକ ତୁମକୁ ଆମେ ବହୁତ କଷ୍ଟ ଦେଲୁ ?
କଷ୍ଟ ? ଡମ୍ବୁରଧର ଅବାକ୍ ହୋଇ ଚାହିଁରହିଲା l
ମୁଁ ଗତ ରାତିର ଭୟଙ୍କର ଝଡ଼ କଥା କହୁଛି l କହିଲେ ପ୍ରବାଳ କିଶୋର l ଡମ୍ବରୁଧର ସ୍ବାଗତୋକ୍ତି କଲା ଭଳି କହିଲା, ହଁ ଥଣ୍ଡା ପବନ ବହୁଥିଲା ଅବଶ୍ୟ l ଆଉ ବର୍ଷା ବି ଆରମ୍ଭ ହୋଇଥିଲା l ତେବେ ଝଡ଼ଟାଏ କେତେବେଳେ ଚୁପ୍ଚାପ୍ ହୋଇଗଲା l ମୁଁ ଆଜ୍ଞା ନିଦରେ ଶୋଇପଡ଼ି ଜାଣିପାରିଲି ନାହିଁ l
ଶ୍ରୀମତୀ ସିହ୍ନା ହସିଲେ, କାରଣ ଅର୍ଦ୍ଧାଧିକ ପୃଥିବୀବ୍ୟାପୀ ପ୍ରଳୟ ସମ୍ପନ୍ନ ହୋଇଯାଇଥିବା ସମ୍ପର୍କରେ ଅଧ୍ୟାପକ ପ୍ରବାଳ କିଶୋରଙ୍କର ନିଶାର୍ଦ୍ଧ-ପ୍ରଦତ୍ତ ବିବୃତ୍ତି ଉପରେ ତାଙ୍କର ଏତେବେଳକୁ ଅନାସ୍ଥା ଆସିଯାଇଥିଲା l
ଜିପ୍ ଷ୍ଟାର୍ଟ ଧରୁ ନ ଥିଲା l ଡମ୍ବରୁଧର ଏକା ନିଃଶ୍ବାସରେ ଚାରି ପାଞ୍ଚଗଜ ଠେଲି ନେଇଯା’ନ୍ତେ, ଇଞ୍ଜିନ୍ଟି ଜୀବନ୍ତ ହୋଇଉଠିଲା ଓ ଦୂରାନ୍ତର ବଣବୁଦା ଭିତରେ ଅଚିରେ ଅଦୃଶ୍ୟ ହୋଇଗଲା l
0 Response to "ଝଡ଼ର ଗତିପଥ"
Post a Comment