ବିଜୟ ମିଶ୍ର
----------------------------------------------------------------------
କଥାଟି ଭାରତରେ ଇଂରେଜ ଶାସନ ଶେଷ ହେବାର କିଛି ବର୍ଷ ପରର I ସମସ୍ତ କ୍ଷୁଦ୍ର ଓ ବୃହତ୍ ରାଜ୍ୟ, ଗଡ଼ଜାତ ରାଜ୍ୟ ଏବଂ ଜମିଦାରମାନଙ୍କ ଜମିଦାରୀ ସରକାରଙ୍କ ଅଧିନସ୍ଥ ହୋଇସାରିଥିଲା I କିନ୍ତୁ ସେହି ରାଜା ଓ ଜମିଦାରମାନେ ବଂଶାନୁକ୍ରମିକ ଭାବେ ହସ୍ତଗତ ହୋଇଆସୁଥିବା ପ୍ରତିଷ୍ଠା, ମର୍ଯ୍ୟାଦା ତଥା ରହଣିସହଣିକୁ ସହଜେ ଛାଡ଼ି ପାରୁ ନ ଥିଲେ I
ସେହିପରି ଜଣେ ଜମିଦାର ଥିଲେ ଜମିଦାର ରାୟବାହାଦୁର ଶକ୍ତି ପ୍ରତାପ ସିଂହ I ତା’ଙ୍କ ନାମର ପ୍ରତ୍ୟେକଟି ଶବ୍ଦରୁ ସାହସ ଓ ବୀରତ୍ବ ନିଗିଡ଼ି ପଡ଼ୁଥିଲା I ଚେହେରାଟି ମଧ୍ୟ ଅବିକଳ ନାମକୁ ସୁହାଇଲା ଭଳି I ଧୋବ ଫରଫର ବସ୍ତ୍ର ବିମଣ୍ଡିତ ଲମ୍ବା ଚଉଡ଼ା ବଳିଷ୍ଠ ଶରୀର I ଗୋରା ତକତକ ମୁହଁରେ କଳା ମଚମଚ ପ୍ରଜାପତିଆ ନିଶ I ଚାଲିରେ ଏପରି ବୀର ସୁଲଭ ଠାଣି ଯେ ଅରଣା ମଇଁଷି ମଧ୍ୟ ବାଟ ଓଗାଳିବାକୁ ସାହସ କରିବ ନାହିଁ I କିନ୍ତୁ ଏ ସବୁ ସହିତ ଖାପ ନ ଖାଇଲା ପରି କେବଳ ଗୋଟିଏ ଚିଜ ଥିଲା; ସେଇଟି ହେଉଛି ଅନାୟାସେ କ୍ଷୁଦ୍ରାତିକ୍ଷୁଦ୍ର ମାମଲାରେ ଭୀତତ୍ରସ୍ତ ହୋଇଯାଉଥିବା ତା’ଙ୍କ ଦୁର୍ବଳ ହୃଦୟଟି I ଅବଶ୍ୟ ନିଜ ବ୍ୟକ୍ତିତ୍ବର ଏହି ଦୁର୍ବଳ ପାର୍ଶ୍ବଟିକୁ ସେ ବର୍ଷ ବର୍ଷ ଧରି କଳେବଳେ କୌଶଳେ ଯଥାସମ୍ଭବ ଲୋକଲୋଚନରୁ ଲୁକ୍କାୟିତ ରଖିବାରେ ସମର୍ଥ ହୋଇଥିଲେ I ଏଥିରେ ତା’ଙ୍କୁ ସାହାଯ୍ୟ କରିଥିଲା, ତା’ଙ୍କ ଚେହେରା ଏବଂ ତ୍ରିଲୋଚନ ଓରଫ ତିଲୁଆ I
ତିଲୁଆ ଥିଲା ବାପଦାଦାଙ୍କ ଅମଳରୁ ରାୟବାହାଦୁରଙ୍କ ଘରେ ଗୋତି ଖଟି ଆସୁଥିବା ବଂଶର ଦାୟାଦ I ଆଦର୍ଶ ଭୃତ୍ୟ ପରି ସେ ରାୟବାହାଦୁରଙ୍କ ଅର୍ଥ ଓ ସମ୍ମାନ ରକ୍ଷା ଦିଗରେ ସଦା ଚେଷ୍ଟାରତ ଥିଲା I ତା’ଙ୍କ ଭୀରୁପଣିଆର ଅନେକ ଦୃଷ୍ଟାନ୍ତକୁ ଚିର ଦିନ ପାଇଁ କିମ୍ବଦନ୍ତୀରେ ପରିଣତ ହେବାର ମଉକା ନ ଦେଇ ସେ ସବୁ ଉପରେ ଘଣ୍ଟ ଘୋଡ଼ାଇ ଚାଲିଥିଲା ତିଲୁଆ I ରାୟବାହାଦୁର୍ଙ୍କୁ ଏଥି ନିମନ୍ତେ ମଧ୍ୟେ ମଧ୍ୟେ ଖୁବ୍ ସାମାନ୍ୟ ପରିମାଣର ଅର୍ଥ ବିନିଯୋଗ କରି ତିଲୁଆର ମୁହଁରେ ବାଡ଼ ଦେବାକୁ ହେଉଥିଲା, ଅନ୍ୟଥା ତା’ ମୁହଁ ଖୋଲିଲେ ଅନେକ ବର୍ଷର ଉପାର୍ଜିତ ସମ୍ମାନ ପାଣିରେ ପଡ଼ିଯିବାର ଆଶଙ୍କା ଥିଲା I
‘ରାୟବାହାଦୁର’ ଉପାଧିଟି ଅର୍ଜିବାରେ ମଧ୍ୟ ତିଲୁଆର ବିରାଟ ଯୋଗଦାନ ଥିଲା I ଘଟଣାଟା ଏପରି ଭାବେ ଘଟିଥିଲା-ତତ୍କାଳୀନ ଜନୈକ ଇଂରେଜ ସାହେବଙ୍କ ଭାବୀ ପତ୍ନୀ ଜିଦ୍ଦି ଧରିଲେ ଯେ, ସାହେବ ଗୋଟାଏ ବାଘ ଶିକାର କରି ତା’ ଛାଲକୁ ତା’ଙ୍କ ଗୃହର ବୈଠକଖାନା ନିମନ୍ତେ ଭେଟି ଦେବା ପରେ ହିଁ ସେ ତା’ଙ୍କୁ ବିବାହ କରିବେ| କିନ୍ତୁ ସାହେବ ଏହା ଆଗରୁ କେବେ ଠେକୁଆଟିଏ ସୁଦ୍ଧା ଶିକାର କରି ନ ଥିଲେ, ବାଘ ତ ସ୍ବପ୍ନ ସଦୃଶ| ଅତଏବ ସେ ସାହାଯ୍ୟ ଲୋଡ଼ିଲେ ନିଜ ଅଧିନସ୍ଥ ଜମିଦାର ଶକ୍ତି ପ୍ରତାପ ସିଂହଙ୍କଠାରୁ| ଜମିଦାର ନିଜ ଭାଳେଣିର ଭାଗୀଦାର ବନାଇଲେ ତିଲୁଆକୁ| ତିଲୁଆ ମୁଣ୍ଡକୁ ଉପାୟଟିଏ ଜୁଟିଲା I ନିର୍ଦ୍ଧାରିତ ଦିବସରେ ଜଙ୍ଗଲରେ ଏକ ବିରାଟ ବୃକ୍ଷରେ ଉଚିତ୍ ଉଚ୍ଚତାରେ ବସିରହିବା ପାଇଁ ସ୍ଥାନ ପ୍ରସ୍ତୁତ କରାଗଲା I ତା’ ଉପରେ ବସି ରହିଲେ ଇଂରେଜ ସାହେବ, ତା’ଙ୍କ ଭାବୀ ପତ୍ନୀ ଓ ଜମିଦାର I ଛାଗଳଟିଏକୁ, ତଳେ ଥୋପ ଭାବେ ବାନ୍ଧି ରଖାଗଲା I ବାଘର ଆଗମନ ହୁଅନ୍ତେ ଅବିଳମ୍ବେ ସାହେବଙ୍କ ଆଙ୍ଗୁଠି ଟ୍ରିଗର୍ ଚିପିଲା ଏବଂ ବାଘଟା ଗୋଟାଏ ବିକଟାଳ ଚିତ୍କାର କରି ଟଳି ପଡ଼ିଲା I ଭାବୀ ପତ୍ନୀ ସାହେବଙ୍କ ବାହାଦୁରୀରେ ପ୍ରୀତ ହେଲେ I ହେଲେ ସେ ଜାଣି ନ ଥିଲେ ଯେ, ସାହେବଙ୍କ ବନ୍ଧୁକରେ ଗୁଳି ହିଁ ନ ଥିଲା I ବାଘଟି ଯେଉଁ ଗୁଳିରେ ବୀଦ୍ଧ ହେଲା, ସେଇଟାର ଉଦ୍ଭବ ହୋଇଥିଲା ତା’ଙ୍କ ଦୃଷ୍ଟି ଆଢ଼ୁଆଳରେ ନିକଟସ୍ଥ ଅନ୍ୟ ଏକ ବୃକ୍ଷରେ ବସି ରହିଥିବା ତିଲୁଆର ଜଣେ ଶିକାରୀ ବନ୍ଧୁର ବନ୍ଧୁକରୁ I ଫଳତଃ ଅଚିରେ ସାହେବଙ୍କର ତା’ଙ୍କ ଭାବୀ ପତ୍ନୀଙ୍କ ସହିତ ବିବାହ ସମ୍ପନ୍ନ ହେଲା I ସାହେବ ଜମିଦାରଙ୍କ ଆନୁଗତ୍ୟରେ ପ୍ରସନ୍ନ ହୋଇ ତା’ଙ୍କୁ କିଛି ଦେବାକୁ ଚାହିଁଲେ I ମଉକାର
ଉଚିତ ବ୍ୟବହାର କରି ଜମିଦାର ‘ରାୟବାହାଦୁର’ ଉପାଧିଟି ହାତେଇ ନେଲେ I ସମସ୍ତ ଭୟକୁ ହୃଦୟରେ ଚାପି ରଖି ସାହେବଙ୍କ ସହିତ ଶିକାରରେ ବସିବାର ଲାଭ ପାଇଲେ I ସେବେଠାରୁ ତିଲୁଆ ରାୟବାହାଦୁରଙ୍କର ବିଶ୍ବସ୍ତ ହେଲା I ପ୍ରତି କାର୍ଯ୍ୟରେ ସେ ତିଲୁଆକୁ ଛାୟା ପରି ପାଖରେ ପାଖରେ ରଖୁଥିଲେ I
କିଛି ବର୍ଷ ଅତିକ୍ରାନ୍ତ ହୁଅନ୍ତେ ରାୟବାହାଦୁରଙ୍କ କନିଷ୍ଠ କନ୍ୟାର ବିବାହ ନିକଟସ୍ଥ ଜମିଦାରିର ପୂର୍ବତନ ଜମିଦାରଙ୍କ ପୁତ୍ର ସହ ଠିକଣା ହେଲା I ରାୟବାହାଦୁର ପରିବାରର ଶେଷ ବିବାହଟିକୁ ଧୁମ୍ଧାମ୍ରେ କରିବା ଆୟୋଜନରେ ଲାଗିଗଲେ I ଶୁଭ ବେଳା ଦେଖି ତିଲୁଆକୁ ସାଥିରେ ଧରି ସହରକୁ ଗସ୍ତ କଲେ ଆବଶ୍ୟକୀୟ ଗହଣାଗାଣ୍ଠି ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କ୍ରୟ କରିବା ଉଦ୍ଦେଶ୍ୟରେ I ସମସ୍ତ କିଣାକିଣି ସରୁସରୁ ସନ୍ଧ୍ୟା ରତରତ I ରାୟବାହାଦୁରଙ୍କ ଦୁର୍ବଳ ହୃଦୟ ଛାନିଆ ହେବାକୁ ଲାଗିଲା-ଏକେ ତ ତିନି କୋଷ ଲମ୍ବା ବାଟ, ମଝିରେ ମଝିରେ ପୁଣି ଜଙ୍ଗଲ ରାସ୍ତା, ଯାହା ହେଲେ ବି ବିଭାଘର ଗହଣାଗାଣ୍ଠି କିଛି ଶସ୍ତା ପଦାର୍ଥ ତ ନୁହଁ, କେତେବେଳେ କୋଉ କଥା I ଆଉ ଅଳ୍ପ ସମୟ ଗଲେ ପୂରା
ଅନ୍ଧକାର ଘୋଟି ଆସିବ I ମେଘୁଆ ଆକାଶ ସକାଶେ ଜହ୍ନ ଆଲୁଅ ବି କାଣିଚାଏ ନାହି I ଶଗଡ଼ ଗାଡ଼ିରେ ଝୁଲୁଥିବା ଲଣ୍ଠନଟା ହିଁ ଏକ ମାତ୍ର ସାହା ଭରସା I ରାୟବାହାଦୁର ତିଲୁଆକୁ ତାଗିଦ କଲେ, ‘ଆରେ ତିଲୁଆ! ଆଉ ଜମାରୁ ଉଛୁର କରନାଟି I ଆକାଶକୁ ନିଘା କର, କିମିତି କଳାହାଣ୍ଡିଆ ଘୋଟି ଆସିଲାଣି’ I
ତିଲୁଆ ତତ୍କ୍ଷଣାତ୍ ଶଗଡ଼ଗାଡ଼ି ପ୍ରସ୍ତୁତ କରି ରାୟବାହାଦୁରଙ୍କୁ ସାଥିରେ ଧରି ଗ୍ରାମାଭିମୁଖେ ଯାତ୍ରାରମ୍ଭ କଲା I ଦୁଇଟି ଗାଁ, ଦୁଇଟି ଜଙ୍ଗଲ ଅତିକ୍ରମ କଲେ ରାୟବାହାଦୁରଙ୍କ ଗାଁ I ପ୍ରଥମ ଗାଁଟି ଅତିକ୍ରମ କଲାବେଳକୁ ଗାଁର ଘରମାନଙ୍କରେ ସନ୍ଧ୍ୟାବତି ଜଳା ସରିଲାଣି I ତା’ ପରେ ଆସିଲା ଜଙ୍ଗଲ I ସାୟଂକାଳର ଅନ୍ଧକାର ଚତୁର୍ଦିଗକୁ କବଳିତ କରିସାରିଥିଲା I ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଗଲା I ବୃଷ୍ଟି ବିନ୍ଦୁଗୁଡ଼ିକ ବିରାଟ ବିରାଟ ଶାଳ ପିଆଶାଳ ବୃକ୍ଷଗୁଡ଼ିକର ପତ୍ରମାନଙ୍କ ଉପରେ କୁଦିକୁଦି ଜଙ୍ଗଲର ନିସ୍ତବ୍ଧତାକୁ ଚିରି କୋଳାହଳ ସୃଷ୍ଟି କରିବାକୁ ଚେଷ୍ଟା କରୁଥାଆନ୍ତି I ତା’ ସାଥିକୁ ଝିଙ୍କାରିମାନଙ୍କର ଅହରହ ଚେଁ ଚେଁ ଶବ୍ଦ କାନକୁ ବିଦାରି ପକାଇଲା ଭଳି ପ୍ରତୀତ ହେଉଥାଏ I ବର୍ଷାସାଙ୍ଗକୁ ସୁଲୁସୁଲିଆ ବାଆର ପ୍ରଭାବରେ ଦେହର ଲୋମ ଟାଙ୍କୁରି ଉଠୁଥା I ତେଣେ ଶଗଡ଼ଗାଡ଼ିର ବତା ଘେରା ଛାତର ଫାଙ୍କ ଦେଇ ଯେବେ ଟୋପାଟିଏ ବି ବର୍ଷା ପାଣି ଶରୀର ଉପରେ ପଡ଼ିଯାଉଥାଏ, ଡାମ୍ପଣ ଫୋଡ଼ି ହେବା ପରି ଲାଗୁଥାଏ I ରାୟବାହାଦୁର ଭାବୁଥିଲେ ଏପରି ସ୍ଥିତିରେ ଯଦି ତା’ଙ୍କର ହୁକାଟା ପାଖରେ ଥାଆନ୍ତା, ଦୁଇ ଚାରି ଦମ୍ ମାରି ଦେଇଥିଲେ, ଶୀତ କବଳରୁ କିଛି ତ ରକ୍ଷା ମିଳିଥାଆନ୍ତା I
0 Response to "ରାୟବାହାଦୁରଙ୍କ ବାହାଦୁରି"
Post a Comment