ଆଗରୁ ପୂଜା ସିଜନ ଆସିଲେ ମଜା ଲାଗୁଥିଲା | ମନ ଫୁର୍ତ୍ତି ଲାଗୁଥିଲା | ମନରେ ଆନନ୍ଦ ଆସୁଥିଲା | ଆଜିକାଲି ପୂଜା ସିଜନ ଆସିଗଲେ କିଛି ମଜା ଲାଗୁନି, ବରଂ ସଜା ପାଇଲା ଭଳି ଲାଗୁଛି | ଆପଣ ପଚାରିବେ ତାହା କେମନ୍ତ ? କହୁଛି |
ପ୍ରଥମେ ତ ଘର ଲୋକମାନଙ୍କ ନୂଆ ଲୁଗାପଟା କିଣିକିଣି ମୁଁ ଚନ୍ଦା ହେବା ଅବସ୍ଥାରେ | ପୂଜାରେ ନୂଆ ଲୁଗାପଟା ହେବ- ଏ ନୀତିଟି କିଏ ଆରମ୍ଭ କରିଛନ୍ତି ମୁଁ ଜାଣିପାରିଲେ ତାଙ୍କ ତଣ୍ଟି କଣା କରି ଦିଅନ୍ତି | ପୂଜାବେଳେ ପୁଣି ଦୋକାନୀମାନେ ନୂଆ ନୂଆ ଫେସନ୍ର ପୋଷାକପତ୍ରର ସମ୍ଭାର କ୍ରେତାମାନଙ୍କ ଆଗରେ ଢାଳିଦିଅନ୍ତି | ବାସ୍, ମୁଁ ଚନ୍ଦା |
ମୋତେ ଆହୁରି ଚନ୍ଦା କରିବା ପାଇଁ ଏଇ ସମୟରେ ଆସି ପହଞ୍ଚି ଯାଇଛନ୍ତି ଚାନ୍ଦାବାଲାମାନେ | ହାତରେ ସେମାନଙ୍କର ରସିଦ୍ ବହି | କେତେକେ ସେତକ ବି ଆଣୁନାହାଁନ୍ତି | କଳା ଚଷମା ଉହାଡୁ ଆପଣଙ୍କ ଔକାତ୍ ମାପି ଫରମାନ ଜାରି କରିଦେଉଛନ୍ତି; ଆପଣଙ୍କ ଚାନ୍ଦା ଏତିକି | ପ୍ରତିବାଦ କଲେ ଚାନ୍ଦା ପରିମାଣ ବଢ଼ି ବଢ଼ି ଯାଏ | ନ ଦେଲେ ଆପଣଙ୍କ ଘରର ଫୁଲକୁଣ୍ଡଗୁଡ଼ିକ ଭାଙ୍ଗିବ | ଘର ସାମ୍ନାରେ ବୋଲୁଅ ପଡ଼ିବ | ଆହୁରି କଣ କଣ ହୋଇପାରେ | ତେଣୁ ଭଦ୍ରଲୋକମାନେ ଚାନ୍ଦା ଦେଇଦିଅନ୍ତି | ମୁଁ ବି ଦେଇଦିଏ |
ଚାନ୍ଦାବାଲାମାନେ
ଚାଲିଗଲା ପରେ ଆସିଯାଉଛନ୍ତି ବଖ୍ସିସ୍ ପ୍ରତ୍ୟାଶୀମାନେ | ସେମାନେ କୁଆଡ଼େ ବର୍ଷସାରା ମୋତେ ସର୍ଭିସ୍ ଦେଇଛନ୍ତି | ବର୍ଷସାରା ଏତେ ଲୋକ ମୋ ସେବାରେ ଥାଆନ୍ତି ତାହା ମୁଁ ପୂଜା ବେଳେ ହିଁ ଅନୁଭବ କରେ | ବଖ୍ସିସ-ଲୋକ ନିଜ ମର୍ଜିରେ ଯାହା ଖୁସି ଦେବା କଥା | କିନ୍ତୁ ଆଜିକାଲି ସେମିତି ଆଉ ହେଉନି | ବିଜୁଳିବାଲା ଆସି କହନ୍ତି- ବର୍ଷସାରା ଆଜ୍ଞା ଆପଣଙ୍କ ଘରେ ଲାଇନ୍ ଦେଲୁ, ବଖ୍ସିସ୍ ଦେଲାବେଳକୁ କୋଡ଼ିଏ ଟଙ୍କା ଦେଉଛନ୍ତି | ଅନ୍ତତଃ ପଚାଶ ଟଙ୍କା ନ ଦେଲେ ଆପଣଙ୍କ ଇଜ୍ଜତ୍ ରହୁଛି ନା ଆମ ଇଜ୍ଜତ୍ ରହୁଛି ! ଆପଣଙ୍କ ଇଜ୍ଜତ୍ ଆପଣ ନ ଜଗିଲେ ନାଇଁ, ଆମ ଇଜ୍ଜତ୍ ଆମେ ନିଶ୍ଚୟ ରକ୍ଷା କରିବୁ | ପଚାଶ ତଳକୁ ଆମେ ବଖ୍ସିସ୍ ନବୁନି | ବର୍ଷସାରା ଯେତେବେଳେ ଟେଲିଫୋନ୍ ଖରାପ ହେଲେ, ଟେଲିଫୋନ୍ ବାଲାଙ୍କୁ କମ୍ପ୍ଲାନ୍ ଦେଇ ଦେଇ ଥକିଯାଉ, ସେମାନଙ୍କ ଦେଖା ମିଳେନି, ପୂଜା ବେଳକୁ ସେମାନେ ଆସିଯାଆନ୍ତି ଆଉ କହନ୍ତି ମୋବାଇଲ୍ ହେଲା ପରେ ଆଉ ଆପଣ ଆମକୁ ଖୋଜୁନାହାନ୍ତି ଆଜ୍ଞା | ହେଲେ ଆମ ସମ୍ପର୍କ କଣ ଏତେ ଶୀଘ୍ର ତୁଟିଯିବ ! ବଖ୍ସିସ୍ଟା ଦିଅନ୍ତୁ | ତାପରେ ସେଲୁନବାଲା, ଧୋବା ଏପରିକି ଭୁସାମାଲ ଯେଉଁଠୁ ଆସେ ସେ ଦୋକାନର ପିଲାଟି ମଧ୍ୟ କହିଲା, ସାର୍ ମୋ ବଖ୍ସିସଟା ?
– ତୋର କି ବଖ୍ସିସ୍ ?
– ବାଃ ! ଆପଣଙ୍କୁ ଜିନିଷପତ୍ର ଓଜନ କରି ଦେଉଛି କିଏ ?
– ତୁ |
– ତାହେଲେ ?
– ମାନେ ? ବୁଝିପାରିଲିନି |
– ମୁଁ ଯଦି ଜିନିଷର ଓଜନ କମ ଦେଇଦେବି, ଆପଣ କଣ ବୁଝି ପାରିବେ ? ମୁଁ କହିଲି ନା | ହେଲେ ତା ସହିତ ବଖ୍ସିସ୍ର କଣ ସମ୍ପର୍କ ?
– ସମ୍ପର୍କ ଅଛି ନା ଆଜ୍ଞା | ଆପଣ ବଖ୍ସିସ୍ ନ ଦେଲେ ମୁଁ ସବୁବେଳେ ଆପଣଙ୍କ ଜିନିଷର ଓଜନ କମ କରି ଦେବି | ଚିନ୍ତା କରି ଦେଖନ୍ତୁ ମୋତେ ବଖ୍ସିସ୍ ଦେଲେ ଆପଣଙ୍କ ଲାଭ |
– ତାହା କେମିତି ?
– ମୋତେ ବଖ୍ସିସ୍ ଦେଲେ ମୁଁ ଆଉ ଆପଣଙ୍କ ଜିନିଷପତ୍ରର ଓଜନ କମ୍ କରିବିନି | ବରଂ ଟିକେ ଅଧିକା କରି ଦେଇଦେବି |
ବଖ୍ସିସ୍ ପର୍ବ ଅନ୍ତହୀନ ଭାବେ ଚାଲିଲା | ତା ଭିତରେ ପୂଜା ଆସିଗଲା | ପୂଜା ଆସିଲା ଯେ ମାଇକ୍ ନିର୍ଘୋସରେ ମୋର ନିଦର ସତ୍ୟାନାଶ ହୋଇଗଲା | ଦିବାରାତ୍ର କେତେ ଗୀତ ଶୁଣିବ ମଣିଷ ! ଗୋରୀ ତୋ ଗଛର କୋଳି ଭାରି ଖଟା, ଓଢ଼ଣୀ ହଲେଇ ଦେଲି ଲୋ ଓଡ଼ିଶା ଦୋହଲି ଗଲା- ଜାତୀୟ ଗୀତ ଶୁଣି ଶୁଣି ମୋ କାନ ତାବ୍ଦା ହୋଇଗଲା | ମଝିରେ ମଝିରେ କାନ ଅଇଁଠା କଲାପରି ଗୀତ ବି ବାଜୁଥିଲା | ତାକୁ ଶୁଣି ନ-ଶୁଣିଲା ହେଲି | ବଜାରକୁ ବାହାରିଲି ଯେ ଭିଡ଼ରେ ଅବସ୍ଥା ଖରାପ | ଇଆଡ଼େ ସବୁ ଜିନିଷର ଦାମ ଅଧିକ | କଣ- ନା ଆଜ୍ଞା ପୂଜା ବଜାର |
–
ପୂଜା ବଜାରରେ ଭେଣ୍ଡି ଦର କାହିଁକି ବଢ଼ିବ ?
– ପୂଜା ବଜାରରେ ସମସ୍ତଙ୍କ ଭାଉ ବଢୁଛି ଆଜ୍ଞା | ଭେଣ୍ଡିର ବଢ଼ିବନି ! ସମସ୍ତେ ଖୁସି ମେଜାଜରେ ଅଛନ୍ତି | ଆପଣ ଆଉ ଭେଣ୍ଡି ଦର ନେଇ ଝିକ୍ଝିକ୍ କରନ୍ତୁନି |
ବଜାରରୁ ଘରକୁ ଫେରିଲି ଯେ, ଦେଖିଲା ବେଳକୁ ଘରେ ଅନେକ କୁଣିଆମଇତ୍ର ଆସି ପହଞ୍ଚିଯାଇଛନ୍ତି | କଣ- ନା ପୂଜାରେ ବୁଲି ଆସିଲୁ | ନିଅ ଏବେ ଏମାନଙ୍କ ପାଇଁ ଜଳଖିଆ ଆଣ | ଏମାନଙ୍କ ଦିପହର ଖାଇବା ବ୍ୟବସ୍ଥା କର | କୁଣିଆମାନେ ସବୁବେଳେ ସ୍ପେଶାଲ୍ କିଛି ଖାଆନ୍ତି | ସେଥିପାଇଁ ମୋତେ ପୁଣି ବଜାର ଧାଇଁବାକୁ ପଡ଼ିଲା |
ପୂଜା ଅବସରରେ ମୋ ଘରଣୀ ଟିଭିରୁ ଯେଉଁ ରୋଷେଇ ଶିଖିଥିଲେ ତାକୁ କଲେ | କହିଲେ, ପୂଜା ବେଳେ ନୂଆ କିଛି ଖାଇବା | ସେ କଣ ରୋଷେଇ କରିଥିଲେ କହି ପାରିବିନି, ହେଲେ ତାକୁ ଖାଇ ମୋ ପେଟ ଗୋଳମାଳ ହୋଇଛି | ଏବେ ମୁଁ ଘରେ ଶୋଇଛି | ମୋ ଘର ଲୋକ ସମସ୍ତେ ପୂଜା ଦେଖିବାକୁ ଯାଇଛନ୍ତି | ଏବେ କୁହନ୍ତୁ ପୂଜା ମଜା ନା ସଜା ?
0 Response to "ପୂଜା ନା ସଜା ?"
Post a Comment