ସତ୍ୟପ୍ରିୟ ମହାଳିକ
ସୁଖରାମ ଗୋଟେ ଛୋଟକାଟର ଦାର୍ଶନିକ ଥିଲା, ସେ ଅଳ୍ପବହୁତେ ଜୀବନ, ମୃତ୍ୟୁ ଓ ଈଶ୍ବର ଆଦି ସଂପର୍କରେ ନିଜସ୍ବ ବିଚାରଟିଏ ସ୍ଥିର କରିସାରିଥିଲା | ଏଣୁ ତାକୁ ଦୁଃଖ ଓ ସୁଖ ଏକା ରକମର ସ୍ବାଦ ଦେଇପାରୁଥିଲେ | ଦିନେ ସେ ଯେ ସତକୁସତ ମରିଯିବ ଓ ତାର ପିଲାଛୁଆ, ଘରସଂସାର, ଖ୍ୟାତିପ୍ରତିପତ୍ତି ସବୁ ପଚମାନ ପିଣ୍ଡଟି ପରି ତା ପଛେ ପଛେ ମଧ୍ୟ ଧୂଆଁ ହୋଇଯିବ ଏକଥା ମଧ୍ୟ ଜାଣିଥିଲା |
ଘର ଭିତରେ
ସମସ୍ତେ ଥିଲେ
ଅଥଚ ମାଆ ନ ଥିଲା | ମାଆର
ଅବର୍ତ୍ତମାନରେ ତାର କାୟାକଳ୍ପ ପ୍ରତୀକ ଭାବେ
ତିନିକାଠିଆ ଉପରେ
ଥୁଆହୋଇଥିଲା | ଚାହୁଁଚାହୁଁ ଗୋଟେ ଜୀବନ
କିପରି ପ୍ରତୀକ
ପାଲଟିଯାଏ, ସୁଖରାମ
ସେଇ କଥା ଦେଖିଲା ଓ ଧୀରେ
ଧୀରେ ବୟସ୍କ
ଲୋକଟି ପରି ଗମ୍ଭୀର ହୋଇଗଲା |
ସେଇଥିପାଇଁ ସୁଖରାମ ଅଫିସରେ ବସିଥିବାବେଳେ ମାଆ ସିରିୟସ୍ ଓ ଶୀଘ୍ର ଘରକୁ ଆସ ପରି ଟେଲିଗ୍ରାମ ପାଇବା ସତ୍ତ୍ବେ ଏତେ ଗମ୍ଭୀର ହୋଇପାରି ନ ଥିଲା | ଅବଶ୍ୟ ସେ ହାକିମଙ୍କୁ ଦଶଦିନର ଗୋଟେ ଛୁଟି ଦରଖାସ୍ତ ଦେଇ ଘରମୁହାଁ ହେଲା | ଆଜି ଗାଡ଼ିରେ ବସିଲେ ଯାଇ ଆସନ୍ତା କାଲି ଘରେ ପହଞ୍ଚିବ | ଗାଡି ଟିକେଟ ପାଇଁ ବି ତା ପାଖରେ ପଇସା ନ ଥିଲା |
ତା ପରଦିନ ସେ ଘରେ ପହଞ୍ଚିଲା ଓ ପ୍ରଥମ କରି ଅନୁଭବ କଲା ଗୋଟେ ସଫେଦ ଦୁଃଖ | ଗୋଟେ ଖାଁ ଖାଁ ଶୂନ୍ୟତା, ଯାହାକୁ ଅତିକ୍ରମ କରିଯିବା ସମ୍ଭବ ନ ଥିଲା | ଘର କହିଲେ ପ୍ରଥମେ ଯେଉଁ ମଣିଷର ଚିତ୍ର କଳ୍ପନାକୁ ଆସେ ଓ ଯାହାର ଉପସ୍ଥିତିରେ ଘରଟି ପୂରିଲା ପୂରିଲା ଲାଗେ, ଯିଏ ଘର ଭିତରେ ସତତ ଚଳମାନ, ଗୋଟେ ଝଙ୍କାଳିଆ ବରଗଛ ପରି କାଉଠାରୁ ବାପା, ଭାଇଭଉଣୀ ଓ କୁକୁରବିଲେଇ ପର୍ଯ୍ୟନ୍ତ ଭରସାର ଛାଇ ବିଞ୍ଚିଦେଉଥାଏ – ସେ ଲୋକଟି ନାହିଁ | ଅଥଚ ସମସ୍ତେ ଅଛନ୍ତି |
ସୁଖରାମର ସ୍ତ୍ରୀ ଓ ତିନିବର୍ଷର ଝିଅଟି ଦୁଇଦିନ ଆଗରୁ ପହଞ୍ଚିସାରିଥିଲେ
| ସୁଖରାମ ଖବର ପାଇଲାବେଳକୁ ତିନିଦିନ ହୋଇଗଲାଣି | ଘରେ ପହଞ୍ଚିବା ମାତ୍ରେ ଔପଚାରିକ ରୀତିରେ କାନ୍ଦିବା ଓ ବାହୁନିବା ସହିତ ଅକସ୍ମାତ୍ ମାଆ କେମିତି ଶୋଉଶୋଉ ମରିଗଲା ସେ କଥାର ନାନାଦି ଶ୍ରୁତିରୋଚକ ଓ ହୃଦଦହକ ବର୍ଣ୍ଣନା ଶୁଣିବାକୁ ପାଇଲା | ପ୍ରାୟ ଅଧଘଣ୍ଟା ଭିତରେ ସେ ତା ଘର ଭିତରକୁ ଗଲା ସାର୍ଟପ୍ୟାଣ୍ଟ ଖୋଲିବାପାଇଁ | ସେ ଯେଉଁ ଘରେ ବସାଉଠା କରୁଥିଲା ଓ ଯେଉଁଠି ତାର ବିବାହବାସର ହୋଇଥିଲା ସେଇ ଘରେ ତାହାର ଅବର୍ତ୍ତମାନରେ ମାଆ ଶୁଆଉଠା କରୁଥିଲା | ମାଆ ବଡ ପୁଅକୁ ଭାରି ଭଲ ପାଉଥିଲା | ଏଣୁ ସେଇ ବଡ ପୁଅର ଘର ଭିତରେ ଶୋଉଥିଲା, ଆଉ ସେଇ ଘରେ ସେ ଶୋଉଶୋଉ ଚିରଦିନ ପାଇଁ ଶୋଇପଡିଲା |
ଘର ଭିତରକୁ ପଶି ଯାଉଁଯାଉଁ ସୁଖରାମ କବାଟ କଣକୁ ଦେଖିଲା ସେଠି ତା ସାନ ଭାଇ ତିନିଖଣ୍ଡ କାଠି ଉପରେ ଗୋଟେ ଗେଣ୍ଡା ଭିତରେ ମାଆର ନଖ ଓ ବାଳ ସାଇତିଛି | ଦଶଦିନ ଯାଏଁ ସେ ସେଇଠି ରହିବ | ସେଇଠି ତାକୁ ସବୁ ବିଧିବ୍ୟବସ୍ଥା
ଭିତରେ ଦଶଦିନ ପୂଜା କରାଯିବ | ଖାଇବା ପିଇବାକୁ ଦିଆଯିବ | ତାର ଅତିପ୍ରିୟ ପାନ ଓ ନାଶଦାନି ବି ସେଇଠି ରହିବ | ଦାନ୍ତକାଠି ଗୁଡାଖୁ ରଖିଦିଆଯିବ |
ଘର ଭିତରେ ସମସ୍ତେ ଥିଲେ ଅଥଚ ମାଆ ନ ଥିଲା | ମାଆର ଅବର୍ତ୍ତମାନରେ ତାର କାୟାକଳ୍ପ ପ୍ରତୀକ ଭାବେ ତିନିକାଠିଆ ଉପରେ ଥୁଆହୋଇଥିଲା | ଚାହୁଁଚାହୁଁ ଗୋଟେ ଜୀବନ କିପରି ପ୍ରତୀକ ପାଲଟିଯାଏ, ସୁଖରାମ ସେଇ କଥା ଦେଖିଲା ଓ ଧୀରେ ଧୀରେ ବୟସ୍କ ଲୋକଟି ପରି ଗମ୍ଭୀର ହୋଇଗଲା | ଏତେବେଳ ଯାଏଁ ସେ ସାନଭାଇ, ସ୍ତ୍ରୀ ଓ ଝିଅ ସମେତ ଦୁଇ ଭଉଣୀ ଓ ବଡ ଭିଣୋଇ ବ୍ୟତୀତ ଆଉ କାହାକୁ ଭେଟି ନ ଥିଲା |
ଏତେବେଳ ଯାଏଁ ବାପାଙ୍କ ସହ ସାକ୍ଷାତ ହୋଇ ନ ଥିଲା | ମାଆର ଆକସ୍ମିକ ଦେହାନ୍ତରେ ବାପାଙ୍କ ମାନସିକ ଭାରସାମ୍ୟ କିପରି ଥିବ ସେ କଥା ସେ ଅନୁମାନ କରିପାରିଥିଲା | ବାପା ଚିରକାଳ ଜ୍ଞାନୀ ପେଚା ପରି | କୌଣସି କଥାରେ ଅଧୀର ନୁହଁନ୍ତି | ସୁଖଦୁଃଖ କେଉଁଥିରେ ସେ ବିଚଳିତ ନୁହନ୍ତି | କୌଣସିଟି ପ୍ରତି ଅତ୍ୟଧିକ ମମତା ନାହିଁ, ଲୋଭ ନାହିଁ | ସୁଖରାମ ଭାବେ ବାପାମାନେ ସବୁ ଏମିତି ହେବା କଥା ବୋଧହୁଏ | ଘର ଗୋଟାକର ଦାଣ୍ଡ ଦୁଆର ଭଳି ବାପା ନିଜ ମୁଣ୍ଡକୁ ମୁଣ୍ଡେଇନେଇଛନ୍ତି ଯେତେ ଯେତେ ବିପଦଆପଦ | ତିନିତିନିଟା ଝିଅ ବାହାଘର, ଦୁଇ ପୁଅଙ୍କୁ ପାଠ ପଢାଇ ମଣିଷ କରିବାର ଗୁରୁଦାୟିତ୍ବ ସବୁ ସମ୍ଭାଳିଛନ୍ତି | ତଥାପି ସତୁରି ବର୍ଷ ବୟସରେ ଯୁବକଟିଏ ପରି ସାଇକେଲ ଚଳାଇ ମାଇଲ୍ମାଇଲ ଚାଲୁଛନ୍ତି | ହସିହସି ଜୀବନ ସହିତ ଲୁଚକାଳି ଖେଳୁଛନ୍ତି |
ଅନ୍ୟମନସ୍କ ଭାବେ ସୁଖରାମ ଘର ବାରିପଟେ ଆସି ଠିଆହେଲା | ଦାଦାପୁଅ ଭାଇ ଅଗଣା ଆସି ମୁଣ୍ଡିଆ ମାରିଲା, ସୁଖରାମ ପଚାରିଲା – ‘ବାପା କୁଆଡେ ଯାଇଛନ୍ତି କି ?’ ‘ହାଟକୁ ଯାଇଛନ୍ତି’ – ଅଗଣା କହିଲା |
ସୁଖରାମ ଗଡିଆ ଆଡକୁ ଗଲା | ଗଡିଆ ବନ୍ଧ ଉପରେ ଲେମ୍ବୁ, ଅଁଳା ଓ ନାଲି ମନ୍ଦାର ଗଛର ବଣ ଦେଖି ଟିକିଏ ଠିଆ ହେଲା | ଏ ଗଛ ମାଆ ଲଗେଇଥିଲା | ଲେମ୍ବୁଗଛ କେଡୁଟେ ହେଲାଣି | ନିଜ ଅଜାଣତରେ ଗୋଟେ ପତ୍ର ଛିଡାଇ ଆଙ୍ଗୁଳିରେ ଦଳିଲା ଓ ଶୁଂଘିଲା | ମାଆର ଲେମ୍ବୁ ଆଚାର କଥା ମନେ ପଡିଲା | ସେ ସେଆଡୁ ଫେରିଆସିଲା ଘରକୁ |
ବାପା ଡାକିଲେ – ‘ଖାଇବୁ ଆ’
ପିଲାଛୁଆମାନେ ଖାଇବାପାଇଁ ବଡ ହଇରାଣ ହେଉଥିଲେ | ଅକଟା, ଅବଟା, ତରକାରୀ ରନ୍ଧା ହେଉଥିଲା | ହଳଦୀ, ତେଲ, ମସଲା କି ଆମିଷର ପ୍ରଶ୍ନ ନ ଥିଲା | ସଂଧ୍ୟା ପୂର୍ବରୁ ସମସ୍ତେ ଖାଇବା ଶେଷ କରୁଥିଲେ | ମୁଣ୍ଡରେ ତେଲ, ସାବୁନ କି ପାନିଆଁ ବି ଲାଗୁ ନ ଥିଲା |
ପିଲାଛୁଆଙ୍କ ପରି ବଡମାନେ ମଧ୍ୟ ଖାଇବା, ଶୋଇବାରେ ବଡ ହଇରାଣ ହେଉଥିଲେ | ସୁଖରାମର ସାନଭାଇ ଦୁଃଖରାମ ମାଆକୁ ମୁଖାଗ୍ନି ଦେଇଥିଲା | ସୁଖରାମ ଆସିଲା ପରେ ସେ ଶ୍ରଦ୍ଧାରେ ସାନଭାଇ ହାତରୁ ଏ ଦାୟିତ୍ବ ନିଜ ମୁଣ୍ଡକୁ ଉଠାଇଆଣିଲା | କାରଣ ମାଆକୁ ସେ ଅଧିକ ଶ୍ରଦ୍ଧା କରୁଥିଲା ଓ ପାରମ୍ପରିକ ଲୋକାଚାର, ବିଧିବ୍ୟବସ୍ଥା ସମ୍ବନ୍ଧରେ ତାର ଏକ ତାତ୍ତ୍ବିକ ଜିଜ୍ଞାସାର ଅବସାନ ଘଟିପାରିବ ବୋଲି ବିଶ୍ବାସ ଥିଲା | ଫଳତଃ ସୁଖରାମ ଦେହରେ ତେଲ ଲଗାଇବା, ମୁଣ୍ଡ କୁଣ୍ଡାଇବା, ଦାଢି କାଟିବା, ସାର୍ଟପ୍ୟାଣ୍ଟ ପିନ୍ଧିବା ଓ ଏମିତି କି ଜୋତା ପିନ୍ଧିବା ଇତ୍ୟାଦି କେତେକ ଔପଚାରିକତାକୁ ସାମୟିକ ଭାବେ ତ୍ୟାଗ କଲା | ଏହି ତ୍ୟାଗ ତା ଭିତରେ ଏକ ପ୍ରଚଣ୍ଡ ଦାର୍ଶନିକର ସ୍ପର୍ଶ ଆଣିଦେଇଥିଲା |
ଧୀରେ ଧୀରେ ଘରଟି ଗହଳିପୂର୍ଣ୍ଣ ହୋଇଉଠିଲା | ଭଉଣୀ, ଭିଣୋଇ, ମାମୁଁ, ପିଉସୀ, ଭଣଜା, ବଂଧୁ ଓ ଆତ୍ମୀୟସ୍ବଜନମାନେ ଜଣକ ପରେ ଜଣେ ଆସିବାକୁ ଲାଗିଲେ | ସେମାନେ ଯେତିକି ଯେତିକି ଆସିବାକୁ ଲାଗିଲେ ଶାନ୍ତ ଘରଟିର ପ୍ରଶାନ୍ତି ସେତିକି ସେତିକି କୋଳାହଳମୟ ହେବାକୁ ଲାଗିଲା | ଘରୋଇ ପରିବେଶ କ୍ରମଶଃ ଅଧିକରୁ ଅଧିକ ଜଟିଳ ହେବାକୁ ଆରମ୍ଭ କଲା | ପିଲାଦିନୁ ସହରରେ ଚଳିଆସିଥିବା ବଡ ଭାଣିଜୀ, ଯିଏ ଏଇ ବର୍ଷ ଫାଇନାଲ ଡିଗ୍ରୀ ପରୀକ୍ଷା ଦେଇଛି, ସେ ପାଇଖାନା କେଉଁଠି ଯିବ, ସେଇକଥାକୁ ନେଇ ଘରେ ଏକରକମ ଭୂକମ୍ପ ସୃଷ୍ଟି ହୋଇଗଲା | ଗାଁ ହେଉଛି ଗାଁ | ଏହା ସହର ନୁହେଁ ମା | ଏଇ କଥା ତାକୁ ବୁଝାଉବୁଝାଉ ବାପାଙ୍କର ଆଜ୍ମା ବାହାରିଲା | ଯେତେ ଅଧିକରୁ ଅଧିକ ଲୋକ ସମାଗମ ହେଉଥିଲା, ସେତିକି ସମସ୍ୟା ବଢିଯାଉଥିଲା ଶୋଇବାକୁ ନେଇ | ସଂସ୍କାର ବିଧିର ଭିଡ ଭିତରେ ସୁଖରାମ ଅଣନିଃଶ୍ବାସୀ ହୋଇଆସୁଥିଲା | ଅନଭ୍ୟସ୍ତ ଅଭ୍ୟାସଗୁଡିକୁ ଅଭ୍ୟସ୍ତ କରି ନିଜର ଦେହ ଓ ମନକୁ ବୋଲ ମନାଇବା ବେଳକୁ ସୁଖରାମକୁ ସର୍ଦ୍ଦି ଧରିପକେଇଲା | ଦୁଇଦିନ ଧରି ମୁଣ୍ଡବିନ୍ଧା, ଦେହହାତ ବଥା ଓ ଜ୍ବରଜ୍ବର ଲାଗିବା ସତ୍ତ୍ବେ ତାକୁ ଦିନକୁ ତିନିଥର ଗାଧୋଇବାକୁ ପଡ଼ିଲା, କାରଣ ଏହା ହିଁ ଥିଲା ପ୍ରେତ ସନ୍ତୁଷ୍ଟ କରିବାପାଇଁ ବିଧି |
ମାମୁଁ ଘରୁ ସାନମାମୁଁ ଆସି ପହଞ୍ଚିଲେ | ସାନଭାଇ ଶ୍ବଶୁରଘରୁ ବି କିଏ ଜଣେ ଦିଜଣ ଆସିପହଞ୍ଚିଲେ | କେଉଁଠି ଦଳେ ଦଳେ ବଂଧୁବାନ୍ଧବ ବସିବସି ମାଆର ସ୍ମୃତିଚାରଣ କଲେ | ବାପାଙ୍କୁ ପ୍ରଚ୍ଛନ୍ନରେ ପ୍ରଶଂସା କଲେ ଓ ଏ ଘରର ଭବିଷ୍ୟତ କଣ ହେବାକୁ ଯାଉଛି ବୋଲି ଅନଧିକାର ଚର୍ଚ୍ଚା କରିବାକୁ ଲାଗିଲେ |
ସୁଖରାମ ଡାକଘରୁ କେତୋଟି ପୋଷ୍ଟକାର୍ଡ ମଗାଇଲା | ସାଙ୍ଗମାନଙ୍କ ପାଖକୁ ମାଆର ଦେହାନ୍ତ କଥା ଲେଖି ଜଣାଇଦେଲା | ତା ଅନୁପସ୍ଥିତିରେ ସେଆଡେ କେତେ କଣ କାମ ପଛେଇଯାଇଥିବ ବୋଲି ଅନୁତାପ ବି କଲା | ଭୁବନେଶ୍ବରରେ ତାର ଅଧାଗଢା ଘରଟିର କାମ ଦେଖାଶୁଣା କରିବାକୁ ଛାଡି ଆସିଥିବା ଶଳାର ଦାୟିତ୍ବହୀନତା ସଂପର୍କରେ ତାର ଯଥେଷ୍ଟ ଅଭିଜ୍ଞତା ଥିଲା | କାରଣ ଶଳାଟି ଗୋଟେ ନର୍ତ୍ତକୀର ପ୍ରେମରେ ଉବୁଟୁବୁ ହେଉଥିବା ଖବର ତାକୁ ଅଛପା ନ ଥିଲା | ନିଜ ଅଫିସରେ ତାର ପ୍ରମୋଶନ ହେବାର ଥିବା ଫାଇଲ ଓ ଅନ୍ୟାନ୍ୟ କାମ ତା ଅନୁପସ୍ଥିତିରେ କଚ୍ଛପ ଗତିରେ ଧିମେଇଯାଇଥବ, ଏକଥା ତାକୁ ମାଲୁମ ଥିଲା |
ଏସବୁ ସତ୍ତ୍ବେ ସୁଖରାମ ମାଆର ଦେହାନ୍ତରେ ଯଥେଷ୍ଟ ଭାଙ୍ଗିପଡିଥିଲା | ବେଳେ ବେଳେ ଏକୁଟିଆ ହୋଇଗଲାବେଳେ ମାଆର ସ୍ମୃତି ତାକୁ ଦୁଃଖ ଦେଉଥିଲା | ମାଆକୁ ଭୁଲିଯିବା ସହଜ ନ ଥିଲା, ଯଦିଓ ଏକଥା ସତ୍ୟ ଯେ ସମସ୍ତେ ଦିନେ ନା ଦିନେ ଏ ଘରସଂସାର, ମାୟାମୋହ ଛାଡି ଚାଲିଯିବା ଓ ଆମର ସକଳ ସ୍ମୃତି ଖାଲି କିମ୍ବଦନ୍ତୀ, ଆଲ୍ବମ୍ର ଫଟୋ ଓ ତୈଳଚିତ୍ର ବା ପ୍ରତିମୂର୍ତ୍ତି ହୋଇ ଧୀରେ ଧୀରେ ପୁରୁଣା ଏବଂ ଅପାଂକ୍ତେୟ ହୋଇଉଠିବ | ବର୍ଷରେ ଥରଟିଏ କାହିଁ କେତେବେଳେ ଫୁଲମାଳଟିଏ କିମ୍ବା ସ୍ମୃତିଚାରଣର ଲୌକିକ ଉପଚାରଟିଏ ହୋଇ ପାରମ୍ପରିକ ବିଧିବ୍ୟବସ୍ଥା ଭାବେ ଏଇ ସ୍ମୃତିକୁ ଆଉଁଷିଦେଇଯିବ | ବାସ୍… |
ସୁଖରାମ ନିଜ ଆଲ୍ବମ୍ ଭିତରୁ ମାଆର ଫଟୋ ଖୋଜିବାକୁ ଲାଗିଲା | ଆଲ୍ବମ୍ରେ ପ୍ରଥମେ ଥିଲା ଆଣ୍ଠୁଆ ଗୋପାଳ ଓ ପରେ ନିଜେ ସୁଖରାମର କଲେଜ ବେଳର ନିଶଉଠା ଏକ କଳାଧଳା ଫଟୋ | ତାପରେ ଥିଲା ଚାରି ପାଞ୍ଚଜଣ ଝିଅଙ୍କ ଛବି ଓ କ୍ରମଶଃ ସୁଖରାମର ସାଙ୍ଗ, ପତ୍ନୀ ଓ ଆତ୍ମୀୟ | କାହିଁ କେଉଁଠି ଶେଷ ଆଡକୁ ମାଆର ଗୋଟେ କଳାଧଳା ଫଟୋ | ହଠାତ୍ ଚମକିଉଠିଲା ସୁଖରାମ | ଅନେକ ଦିନର ସ୍ମୃତି ଭଳି ଅସ୍ପଷ୍ଟ, ନିଷ୍ପ୍ରଭ ହୋଇଆସୁଥିବା ଗୋଟେ ହଳଦିଆ ଫଟୋ | ନିରୀହ, ଶାନ୍ତ, କରୁଣ ମୁହଁଟିଏ | ଗାଉଁଲି ଢଙ୍ଗରେ ଗୋଟେ ଐତିହାସିକ ମଣିଷ | ମାଆର ଏ ଫଟୋ କେବେ ଉଠାଯାଇଥିଲା କେଜାଣି! ସୁଖରାମ କିନ୍ତୁ ଯେବେ ଦେଖିଛି ମାଆକୁ, ଲାଗିଛି ଏକାପରି ଅବିକଳ | ଗୋଟିଏ ପ୍ରକାର ମୁହଁ, ଗୋଟିଏ ନିର୍ଦ୍ଦିଷ୍ଟ ବୟସ ଯେମିତି ସ୍ଥିର, ମାଆର ଚେହେରାରେ |
ଧୀରେ ଧୀରେ ମାଆ କେତେବେଳେ ବୁଢ଼ୀ ହୋଇଗଲା ଓ ସୁଖରାମର ଅଲକ୍ଷ୍ୟରେ ତା ମଥାର ଚୁଳ ସବୁ ପାଚି ଧଳା ହୋଇଗଲା | ସେ ବିଷୟରେ ସୁଖରାମ କେବେ ସଚେତନ ନ ଥିଲା | ତା ଆଖିରେ ମାଆ ଥିଲା କେବଳ ମାଆ | ଆଜି ତା ଅବର୍ତ୍ତମାନରେ ସେ ନିର୍ଜୀବ ଫଟୋଟିଏ ହୋଇ ଆଲବମ୍ରେ ସଂରକ୍ଷିତ | ସୁଖରାମ ଲୁହ ଗଡାଇଲା | ତା ସ୍ତ୍ରୀ ପଛଆଡୁ ଆସି ଝିଅକୁ ଗାଧୋଇଦେବା ପାଇଁ କହି ଚାଲିଗଲା |
ଦଶଦିନ ଘାଟକର୍ମ ଓ ସଂସ୍କାର ଖବର ପାଇ ସମସ୍ତେ ଆସି ପହଞ୍ଚିଯାଇଥିଲେ | ସକାଳୁ ଅତି ଭୋର୍ରୁ ସୁଖରାମ ଛଣର ଗୋଟେ ମଶାଲ ଧରି ନିଆଁ ଲଗେଇ ପୋଖରୀ ଘାଟକୁ ଗଲା | ସେଇଠି ବସିରହିଲା ଦୀର୍ଘ ଛଅଘଣ୍ଟା କି ସାତଘଣ୍ଟା ବ୍ରାହ୍ମଣ ବାରିକ ଆସିବା ଯାଏଁ | ସମସ୍ତେ ଲଣ୍ଡା ହେଲେ, ପ୍ରେତକର୍ମ ହେଲା | ଗୋଟିଏ ନୂଆ ହାଣ୍ଡିରେ ଖିଚୁଡି ରାନ୍ଧିଲା ସୁଖରାମ | ବଟା ଚାଉଳରେ ମାଆର ମୂର୍ତ୍ତିଟିଏ ତିଆରିକଲା ନିଜ ହାତରେ | ଗୋଟେ କଦଳୀପତ୍ର ଉପରେ ତାକୁ ଶୁଆଇଦେଲା | ତା ଉପରେ ଢାଙ୍କିଦେଲା ଗୋଟେ ହଳଦିଆ କନା | ତିନୋଟି ବାଉଁଶର ବତା ଓ ଛଣ ଛପରର ଏକ ପ୍ରତୀକଘର ଭିତରେ ସେଇଟିକୁ ଶୁଆଇଦେଲା ଓ ଶେଷଥର ପାଇଁ ଭୋଗରାଗ, ଖାଦ୍ୟପଦାର୍ଥ ଦେଇ ନିଆଁ ଲଗେଇଦେଲା | ହୁତୁହୁତୁ ହୋଇ ପୋଡିଗଲା ସେ ଘର ଓ ଘର ଭିତରେ ଶୋଇଥିବା ମାଆର ପ୍ରତୀକ |
ଏସବୁ କର୍ମ ସରିବାବେଳକୁ ସୁଖରାମ ଏକ ସିଦ୍ଧାନ୍ତରେ ପହଞ୍ଚିଥିଲା | ଏ ପ୍ରେତାତ୍ମା, ଏ ମୂର୍ତ୍ତି, ଏ ଘର, ଏ ନିଆଁ… ସବୁକିଛି ପ୍ରତୀକ | ଜୀବନଟା ଗୋଟେ ଖେଳଘର ଓ ଏହାର ପରିଣତି ହେଉଛି ମୁଠେ ପାଉଁଶ | କି ସୁନ୍ଦର ପ୍ରତୀକ ଏ ସବୁ | ବିଧି ସଂସ୍କାରମାନ ଗୋଟିଏ ଗୋଟିଏ ପ୍ରତୀକ | ବୁଝିପାରିଲେ ଅର୍ଥପୂର୍ଣ୍ଣ, ନ ବୁଝିଲେ ନିରର୍ଥକ |
ଘାଟରୁ ଆସି ଘରେ ପହଞ୍ଚି ସୁଖରାମ ଶୁଣିଲା ପୁରୁଣା କଥାକୁ ନେଇ ସାନଭାଇର ସ୍ତ୍ରୀ ସହିତ ତା ସ୍ତ୍ରୀର ଝଗଡା ହୋଇଛି | ବାପା ଏ ଝଗଡାର ସମାଧାନ ପାଇଁ ଯାଇ ନିଜେ ଅତର୍କିତ ଶରବ୍ୟ ହୋଇସାରିଥିଲେ | ସକାଳଠାରୁ ଏ ଝଗଡା ଆରମ୍ଭ ହୋଇ ଘରର ପରିବେଶକୁ ବେଶ କିଛି ଦୂଷିତ ଓ ଗମ୍ଭୀର କରିସାରିଥିଲା | ଝଗଡାର ଉଭୟ ପକ୍ଷରେ ଭଉଣୀ ଓ ଭିଣୋଇମାନେ ଝଗଡାକୁ ଅଧିକ ଜୀବନ୍ତ ଓ ଦୀର୍ଘସ୍ଥାୟୀ କରିବାକୁ ଲାଗିଗଲେ | ସୁଖରାମ ଭାବିଲା ଏହା ହିଁ ବୋଧହୁଏ ଶେଷର ଆରମ୍ଭ |
ସାରାଦିନ ଉପାସ ରହିବା ଫଳରେ ସୁଖରାମର ସ୍ନାୟୁ ଓ କୋଷ ନିସ୍ତେଜ ହୋଇଆସିଥିଲେ | ତାକୁ ବାନ୍ତି ବାନ୍ତି ଲାଗୁଥିଲା | ହିସାବ କରିବାକୁ ବସିଲା | ଏ ଝଗଡା ବିଷୟରେ ଆଦୌ ମୁଣ୍ଡ ପୂରାଇଲାନାହିଁ | ସମସ୍ତେ ଯାହା ଆଶା କରୁଥିଲେ ସେ ଅଲଗା କିଛି କଲା | ଭିଣୋଇମାନେ ଚୁପ୍ଚାପ୍ ଗୁଡାଖୁ ଟେଳେ ଟେଳେ ଧରି ବାରିଆଡକୁ ବାହାରିଗଲେ | ସାନଭାଇ ମୁହଁ ଫୁଲାଇ ଆସି ଫଁଫଁ ହେଉଥିବା ସାପ ପରି ଚକା ଭିଡିଦେଇ ସାମ୍ନା ଚଉକିରେ ବସିଲା ଓ ଅଶ୍ରାବ୍ୟ ଗାଳିଗୁଲଜ କଲା |
ବାପା ଆସି କହିଲେ – ଏବେ ଚୁପ୍ ହୁଅ, ଅନ୍ତତଃ ମୋ ମରିବା ଯାଏଁ | ମୋତେ ଶାନ୍ତିରେ ମରିବାକୁ ଦିଅ | ତାପରେ ତମେ ଏମିତି ଝଗଡା କର | ସେ ଏକଥା କହୁକହୁ ଲୁହ ପୋଛିଲେ ଏବଂ ଦାଣ୍ଡ ଆଡକୁ ବାହାରିଗଲେ | ସାମୟିକଭାବେ ପରିବେଶ ଶାନ୍ତ ହୋଇଗଲା |
ସୁଖରାମ ହିସାବ କଲା | ଟଙ୍କାପଇସାର ହିସାବ ଠିକ୍ ଭାବେ ମିଳୁ ନ ଥିଲା | ଦୁଇଭାଇଙ୍କ ଭିତରେ ଲୁକ୍କାୟିତ ଗୋଟେ ଶୀତଳ ସନ୍ତ୍ରାସ କୁଆପଥର ପରି ଜମା ହୋଇଯାଉଥିଲା | ଘର ଭିତରୁ ତଥାପି ରହିରହି ଦୁଇ ବୋହୂଙ୍କର ଉଚ୍ଚବାଚ ଶୁଣାଯାଉଥିଲା | ସୁଖରାମ ଏଥର ରାଗିଯାଇ ଘର ଭିତରକୁ ଗଲା ଓ ବଡ ପାଟିରେ ଚିତ୍କାର କରି କହିଲା-‘ତମେମାନେ କଣ ଚାହୁଁଛ ?”
ସାଇପଡିଶାଙ୍କ ଖାଇବାପିଇବାରେ ଅବ୍ୟବସ୍ଥା ହେଲା ଓ ଏଥିପାଇଁ ସାନଭାଇ ବାପାଙ୍କୁ, ବାପା ରୋଷେଇଆକୁ, ରୋଷେଇଆ ସାନବୋହୂଙ୍କୁ ଓ ସାନବୋହୂ କାହାକୁ ଦୋଷ ଦେଲା ମନେ ନାହିଁ | ଏଗାର ଦିନର ସବୁ ବିଧିସଂସ୍କାର ଶେଷ ପରେ ବାରଦିନକୁ ଆହୁରି ଅନେକ କାମ ବାକି ରହିଥିଲା | ବାରଦିନ ପରେ ଯିଏ ଯୁଆଡେ ଚାଲିଯିବା କଥା | ସବୁ କାମ ଶେଷ ହେଲା ବେଳକୁ ଚାରିଟା ବାଜି ଯାଇଥିଲା |
ଗୋଟେ ଜୀବନ ନାଟକର ଶେଷ ଦୃଶ୍ୟ ସରିଯିବାକୁ ଯେମିତି ଆତ୍ମୀୟମାନେ ଅପେକ୍ଷା କରି ବସିଥିଲେ | କାମ ଶେଷ ହେଲା ପରେ ବିଦାୟପର୍ବ | ଲୁଗାପଟା ବଣ୍ଟାବଣ୍ଟି ଓ କିଏ କୁଆଡେ ଯିବେ ସେଇ କଥାରେ ଚାଲିଲା ଘଣ୍ଟାଚକଟା | ବଂଧୁବାଂଧବ ନିଜ ନିଜର ଘରକୁ ବାହୁଡିଗଲେ ଖାଲି ଦୂରିଆ ବନ୍ଧୁଙ୍କୁ ଛାଡି | ସଂଧ୍ୟାବେଳକୁ ଘରଟା ଖାଁ ଖାଁ ଲାଗିଲା | ଏତେ ଦିନର ଗହଳଚହଳ ଭିତରେ ମାଆର ଅନୁପସ୍ଥିତି ଅନୁଭୂତ ହେଉ ନ ଥିଲା | ଯାହାର ଅନୁପସ୍ଥିତି ପାଇଁ ଏତେ ବଡ ଆୟୋଜନ ଚାଲିଥିଲା, ତାର ଅନୁପସ୍ଥିତି ଅନୁଭୂତ ନ ହେବା ହିଁ ଥିଲା ସବୁଠୁ ଆଶ୍ଚର୍ଯ୍ୟଜନକ | ଅଥଚ ସମସ୍ତଙ୍କ ଅନୁପସ୍ଥିତି ସେଇ କଥାଟିକୁ ଅଧିକରୁ ଅଧିକ ଉଜ୍ଜଳ କରିଦେଲା | ସ୍ଥିର ଭାବରେ ଦଣ୍ଡେ ବସିଗଲେ ଯାଇ ମନେ ପଡୁଥିଲା ସମସ୍ତେ ଅଛନ୍ତି, ଅଥଚ ମାଆ ନାହିଁ |
ସାଧାରଣତଃ ଉତ୍ସବ ଦିନମାନଙ୍କରେ ମାଆ ଯୋଗୁଁ ହିଁ ଘରଟା ପୂରିଲା ପୂରିଲା ଲାଗୁଥିଲା | ସବୁ କିଛିର ପରିଚାଳନା ଆପଣାଛାଏଁ ସୁନ୍ଦର ଭାବେ ହେଇଯାଉଥିଲା | କେହି ଜଣେ ମୁରବୀଟିଏ ଉପରେ ସବୁ ଦାୟିତ୍ବ ଛାଡିଦେଇ ସମସ୍ତେ ନିଶ୍ଚିନ୍ତରେ ଥିବା ପରି ଘରଟାଯାକର ଭଲମନ୍ଦର ଦାୟିତ୍ବ ମାଆ ଉପରେ ଛାଡିଦେଇ ସମସ୍ତେ ନିଶ୍ଚିନ୍ତ ରହିପାରୁଥିଲେ | ଘିଅ କେଉଁଠି ଅଛି ସେ କଥା କେବଳ ମାଆ ଜାଣିଥିଲା | ପିଲାଛୁଆଙ୍କୁ ଅଜୀର୍ଣ୍ଣ ବାନ୍ତି କି ଜ୍ବର ହେଲା ଗଦ କି କାଟପାଣି କେଉଁଠି ଅଛି ସେ କଥା ମାଆ ଜାଣିଥିଲା | କୁଡିଆ କାଠ କାହିଁ କହିଲା ବେଳକୁ ମାଆ ବଢେଇ ଦେଉଥିଲା ହାତକୁ | ଛୁଞ୍ଚିଠୁ ଆରମ୍ଭ କରି ଶାବଳ ଯାଏ ସବୁ ମାଆର ହେପାଜତରେ ରହୁଥିଲା | ମାଆର ଗୋଟେ ପୁରୁଣା ସିନ୍ଦୁକ ଥିଲା | ତା’ ଭିତରେ ହରେକ ରକମର ଚିଜ ଥିଲା | ମାଆ ସେଟାକୁ ଉତ୍ତରାଧିକାରୀ ସୂତ୍ରରେ ଜେଜେମାଙ୍କଠାରୁ ପାଇଥିଲା | ଜେଜେମା ତା ବାପଘରୁ ସେଟା ଯଉତୁକ ଆଣିଥିଲା | ସିନ୍ଦୁକ ସାଙ୍ଗରେ ଜେଜେମା ଯେଉଁ ପେଡି କେତେଟା ଆଣିଥିଲା ସେସବୁ କାଳକ୍ରମେ ନଷ୍ଟ ହୋଇଯାଇଥିଲା | ତଥାପି ଏଇ ସିନ୍ଦୁକଟି ଘରଭିତରେ ଗୋଟେ ପୁରୁଣା ମୁରବୀ ପରି ଗୋଡ ପୋତି ବସିରହିଥିଲା |
ସିନ୍ଦୁକ ବ୍ୟତୀତ ମାଆ ଆହୁରି ଗୋଟେ ଦିଇଟା ପୁରୁଣା କାଳିଆ ବାକ୍ସ ବ୍ୟବହାର କରୁଥିଲା ଗୋଟେ କାଠ ବାକ୍ସ ଥିଲା ମାଆର କୋଠସମ୍ପତ୍ତି | ତା ଭିତରେ ସେ ତାହାର ହାତଖର୍ଚ୍ଚ ଓ ଗହଣାଗାଣ୍ଠି ରଖୁଥିଲା | ତା ଛଡା ଆଉ ସବୁ କ’ଣ କ’ଣ ଥିଲା ସେ କଥା କେବଳ ତା ଛଡା ଆଉ କାହାକୁ ଜଣା ନ ଥିଲା | ସେ କାଠ ବାକ୍ସ ସିନ୍ଦୁକର ଚାବି କେବଳ ତା ଜିମାରେ ହିଁ ଥିଲା, ଏଣୁ ତା ବ୍ୟତୀତ ଆଉ କାହାରି କ୍ଷମତା ନ ଥିଲା, ସିନ୍ଦୁକ ଓ ବାକ୍ସ ଭିତରେ କ’ଣ କ’ଣ ଅଛି ଦେଖିବା ପାଇଁ |
ସୁଖରାମର ବାହାଘର ବେଳକୁ ମାଆ ବଡବୋହୂକୁ ସେଇ ସିନ୍ଦୁକ ଭିତରୁ କାଢି ଗୋଟେ ଚାରିଭରି ଓଜନର ମଲ୍ଲୀହାରଟିଏ ଦେଇଥିଲେ | ସାନବୋହୂକୁ ମଧ୍ୟ ସେଇ ସିନ୍ଦୁକରୁ କାଢି ଦେଇଥିଲା ଜାଉଁଳି | କେବେ କେବେ ଟଙ୍କା ଅଭାବ ପଡିଲେ, ଇଣ୍ଟରଭ୍ୟୁ କି ପିକ୍ନିକ୍ ଯିବାପାଇଁ ସୁଖରାମ ମାଆକୁ ପ୍ରଭାବିତ କରି ସେଇ କାଠ ସିନ୍ଦୁକ ଖୋଲାଉଥିଲା ଓ ନାନା କିସମର ଡବା ଓ କନା ପୁଟୁଳାରେ ବନ୍ଧା ହୋଇ ରହିଥିବା ପଇସା, ଟଂକା ଆତ୍ମସାତ୍ କରୁଥିଲା | ଜରୁରୀକାଳୀନ ଆବଶ୍ୟକତା ପାଇଁ ସେଇ ସିନ୍ଦୁକଟି ଥିଲା ଘରର ସମସ୍ତଙ୍କ ପାଇଁ ସମବାୟ ବ୍ୟାଙ୍କ |
ସାନଭାଇଠାରୁ ସୁଖରାମ କେବେ କେବେ ମାଆ ବିଷୟରେ କିଛି ଗୁଜବ ମଧ୍ୟ ଶୁଣିଥିଲା | ମାଆ ଟଂକାପଇସା ସୁଧ ଲଗାଉଥିଲା ଗାଁ ପଡିଶାଙ୍କୁ | ଏ ସବୁ ମାଆ ଘର ଓ ପିଲାଛୁଆଙ୍କ ଭବିଷ୍ୟତ ପାଇଁ କରୁଥିଲା ଓ ତଦ୍ବାରା ଉଭୟ ଗାଁ ପଡିଶା ଓ ଘରଲୋକ ନାନା ଭାବେ ଉପକୃତ ହେଉଥିଲେ |
‘ଆଜି ସମସ୍ତେ ଅଛନ୍ତି, ଅଥଚ ମାଆ ନାହିଁ, ଏଇ କଥାଟି ସୁଖରାମକୁ ଅଧିକରୁ ଅଧିକ ଭାଙ୍ଗିପକାଉଥିଲା, ସୁଖରାମ ତା ସ୍ତ୍ରୀକୁ ଡାକିଲା ଓ ବାପାଙ୍କୁ ଡାକିଦେବା ପାଇଁ କହି ସାନଭାଇକୁ ଖୋଜିଲା | ସାନଭାଇ ବଡ ଭଉଣୀଙ୍କୁ ଛାଡିବା ପାଇଁ ଯାଇଥିଲା | ଏଣୁ ଫେରିବା ବିଳମ୍ବ ହେବ ବୋଲି ଶୁଣିଲା | ସୁଖରାମ ତା ନିଜର ବ୍ୟକ୍ତିଗତ ଦୁଃଖସୁଖର ସଂସାର ଭିତରକୁ ପଶିଗଲା | କ୍ରମଶଃ ସାଂସାରିକ ଜଂଜାଳ ଭିତରୁ ସେ ଦାର୍ଶନିକ ପରି ବାହାରିଆସି ଭାବିଲା-‘ମାଆ ଚାଲିଗଲା, ବାପା ବି ଚାଲିଯିବେ, ମୁଁ ବି ଦିନେ ଚାଲିଯିବି ଓ ମୋ ଝିଅ ବି ଦିନେ ଚାଲିଯିବ | ଅଥଚ ଆମେ ତଥାପି ଗଛଟିମାନ ଲଗାଇଚାଲିବୁ ଓ ଘରଟିମାନ ତୋଳିଚାଲିଥିବୁ | ମରିଯିବାର ସତ୍ୟତା ସତ୍ତ୍ବେ ସଂସାର ମୋହ କି ସାଂଘାତିକ |’
ବାପାଙ୍କ ଡାକରେ ସେ ପ୍ରକୃତିସ୍ଥ ହେଲା ଓ ବାପାଙ୍କୁ ଜମିବାଡି, ଘରସଂସାର ବିଷୟରେ କେତେକ ଅନାବଶ୍ୟକ କଥା ପଚାରିଲା | ଏଥର ଧାନ କେତେ ହେଲା ଓ ଘର ଛପର ପାଇଁ କେତେ ମଜୁରୀ ଲାଗିଲା ଇତ୍ୟାଦି କଥା ସମେତ ଭୁବନେଶ୍ବରର ଖର୍ଚ୍ଚ ଓ ଚାଉଳ ଦର ଆଦି କେତେକ ଔପଚାରିକତା ଭିତରେ ଉଭୟଙ୍କର ଗପସପ ସୀମିତ ରହିଲା | କଥା ପ୍ରସଙ୍ଗରେ ସୁଖରାମ ବାପାଙ୍କୁ ମାଆର ବ୍ୟକ୍ତିଗତ ଟଙ୍କାପଇସାର କାରବାର ଓ ଜମାଖର୍ଚ୍ଚ ସଂପର୍କରେ ସୂଚାଇଦେବାରୁ ବାପା ଛଳଛଳ ଦେଖାଗଲେ | ମାଆର ସିନ୍ଦୁକ ଓ ହାତବାକ୍ସର ଚାବି କାହାରି ପାଖରେ ନ ଥିଲା | କାରଣ ମାଆ ହୁଏତ ତାର ଛୋଟ ସୁଖୀ ସଂସାର ଛାଡି କଦାପି ମରିଯିବ ବୋଲି ଭାବି ନ ଥିଲା ଓ କାହାକୁ ତା ବାକ୍ସ ଓ ସିନ୍ଦୁକ ଚାବି ହସ୍ତାନ୍ତର କରି ନ ଥିଲା | ମାଆର ଆକସ୍ମିକ ମୃତ୍ୟୁ ଯୋଗୁଁ ତାର ଟଙ୍କାପଇସା କାରବାର ଓ ବଂଧକ ଆକାରରେ ରଖିଥିବା କିଛି ଅଳଙ୍କାରର ପ୍ରକୃତ ତଥ୍ୟ କାହାରି ଗୋଚର ନ ଥିଲା |
ସୁତରାଂ ରାତି ପାହିଲେ ସୁଖରାମ ତାର କର୍ମକ୍ଷେତ୍ରକୁ ବାହୁଡିଯିବା ପୂର୍ବରୁ ଅନ୍ତତଃ ଥରେ ମାଆର ସିନ୍ଦୁକରେ କଣ ଅଛି ସେଇଟାକୁ ଦେଖିଯିବା ବୁଦ୍ଧିମାନର କାମ ହେବ ବୋଲି ଭାବିନେଇଥିଲା | ସେ ବାପାଙ୍କୁ ଉଭୟ ସିନ୍ଦୁକ ଓ ହାତବାକ୍ସର ତାଲା ଭାଙ୍ଗି ଖୋଲିଦେଖିବାକୁ ପ୍ରସ୍ତାବ ଦେଲା | ବାପା ଏ ପ୍ରସ୍ତାବରେ ସମର୍ଥନ ନ କରିବାର ଉପାୟ ନ ଥିଲା | କାରଣ ମାଆ ମରିଯିବା ପରେ ବାପା ଏକରକମର ଅସହାୟ ଓ ଆଶ୍ରିତ ହୋଇପଡିଥିଲେ | ତେବେ ସେ ଏତେ ବଡ ପାରିବାରିକ କାର୍ଯ୍ୟକ୍ରମକୁ ଉଭୟ ପୁଅଙ୍କ ଉପସ୍ଥିତିରେ ସମାପନ କରିବାପାଇଁ ପ୍ରସ୍ତାବ ରଖିଲେ | ଏତେବେଳକୁ ଦୁଃଖରାମ ବି ଆସି ପହଞ୍ଚିସାରିଥିଲା |
ବାପା ଓ ବଡଭାଇଙ୍କ କଥାକୁ ସମର୍ଥନ କରି ଦୁଃଖରାମ ନିଜର ମନ୍ତବ୍ୟ ଜଣାଇବା ପ୍ରସଙ୍ଗରେ କହିଲା-‘ମାଆଙ୍କର ଅନେକ ଟଙ୍କା କରଜ ଆକାରରେ ଗାଁ ପଡିଶା ଲୋକମାନେ ରଖିଛନ୍ତି | ସେ ସବୁର ହିସାବ ମାଆ ଜାଣିଥିଲା, ବଂଧକ ଆକାରରେ କିଛି ସୁନା ଗହଣା ବି ମାଆ ଜମା ରଖିଛି | ସେ ସବୁ ସେଇ ହାତବାକ୍ସ ବା ସିନ୍ଦୁକ ଭିତରେ ଥାଇପାରେ | ଏସବୁ କାରବାରର ହିସାବ ସେ କେବଳ ଏକଲା ନିଜେ ହିଁ ରଖୁଥିଲା | ହୁଏତ ବାକ୍ସ ଓ ସିନ୍ଦୁକ ଚାବି ଭଙ୍ଗାଗଲେ ଆମକୁ ଗହଣାପତ୍ର ଓ ଟଙ୍କାପଇସା ମିଳିବା ଅସମ୍ଭବ ନୁହେଁ | କାରଣ ମାଆ ଚାଲିଯିବାର ଦି’ମାସ ଖଣ୍ଡେ ଆଗରୁ ଥରେ ସାନବୋହୂ ପାଖରେ କହୁଥିଲା ସୁନା ମୁଦି ବୋଲି କହି ଜଣେ ତାକୁ ବିଶ୍ବାସରେ ଗୋଟେ ପିତ୍ତଳ ମୁଦି ଠକିଦେଇଛି | ଏକଥା ପାଇଁ ସେ ତାଙ୍କୁ ଜଗନ୍ନାଥଙ୍କ ନିର୍ମାଲ୍ୟ ଛୁଆଇଁ ଛାଡିଦେଲା | ତଥାପି ଲୋକଟା ଠକିଦେଲା |
ତମ ମାଆଟା ହୁଣ୍ଡିଟାଏ ଥିଲା, ବିଦ୍ୟାବୁଦ୍ଧି ବୋଲି ତାର କାଣିକଉଡିଟାଏର ବି ନ ଥିଲା’ ବୋଲି ବାପା ମନ୍ତବ୍ୟ ଦେଲେ ଓ ଗୋଟେ ଦୀର୍ଘନିଶ୍ବାସ ଛାଡିଲେ | ସୁଖରାମ କହିଲା- କିନ୍ତୁ ମାଆର ଘରକରଣା ବୁଦ୍ଧି ତୁଳନାରେ ଆପଣଙ୍କର ବୋହୂମାନେ ବି ସରିହେବେନି |’
ଏତେବେଳେ ବଡବୋହୂ ତିନିକପ୍ ଚା ଧରି ପହଞ୍ଚିଲା ଓ ମାଆର ଚାବି ବୋଲି ଅନୁମାନ କରୁଥିବା ଏକ ପୁରୁଣା ଜଙ୍କଲଗା ଚାବି ବାପାଙ୍କ ହାତକୁ ବଢେଇଦେଇ କହିଲା- ‘ଦେଖନ୍ତୁ ତ, ଏଇଟା ହୋଇପାରେ |’
ଏସବୁ ଯୋଜନା ସତ୍ତ୍ବେ ଅବଶେଷରେ ସୁଖରାମ ସିନ୍ଦୁକ ଓ ହାତବାକ୍ସର ତାଲାଟିକୁ ଭାଙ୍ଗିଦେବାକୁ କହି ଦୁଃଖରାମକୁ ଗୋଟେ ହାତୁଡି ଓ ଲୁହାକଣ୍ଟା ଆଣିବାପାଇଁ ନିର୍ଦ୍ଦେଶ ଦେଲା | ଅବିଳମ୍ବେ ଏ ସବୁ ଆୟୋଜନ ହେବା ମାତ୍ରେ ଦାଣ୍ଡ ଘରେ ହାତ ବାକ୍ସଟିକୁ ଘେରିରହିଥିଲେ ସମୁଦାୟ ପରିବାର ସଭ୍ୟମାନେ | ଗୋଟିଏ ଅଜ୍ଞାତ ସ୍ଥାନରୁ ଆସିଥିବା ପାର୍ଶଲଟିଏ ଖୋଲିଦେଖିବା ପୂର୍ବରୁ ତା ଭିତରେ କଣ ଅଛି ସେଇ ଉତ୍ସୁକତାର ଆଖି ଓ ମନ ନେଇ ସେମାନେ ହାତବାକ୍ସର ତାଲା ସମେତ ବାକ୍ସଟିକୁ ନିରୀକ୍ଷଣ କରୁଥିଲେ | ପାହାର ପରେ ପାହାର ବସାଇଚାଲିଥିଲା ଦୁଃଖରାମ, ବାପା କହିଲେ ସମ୍ଭାଳିକି ପିଟ୍ | ହାତ ଉପରେ ପାହାର ବସିଯିବ |’ ସୁଖରାମ କହିଲା-‘ପୁରୁଣା କାଳର ପିତ୍ତଳ ତାଲା, ଭାରି ମଜଭୁତ | କରତ ମିଳିବନି ?’
ମାତ୍ର ଦଶପନ୍ଦର ମିନିଟ୍ ଅକ୍ଳାନ୍ତ ପରିଶ୍ରମ ପରେ ତାଲାଟି ଉପୁଡିପଡିଲା, ‘କଣ ଅଛି ?’ ସାନବୋହୂ ପଚାରିଲା |
‘କ’ଣ ଅଛି କାହିଁ ?’ ବାପା କହିଲେ |
‘ଦେଖ୍ ଦେଖ ସେ ମୁଣି ଖୋଲି’- ସୁଖରାମ କହିଲା |
‘ଧେତ୍ କିଛି ନାହିଁ’ – ଦୁଃଖରାମ କହିଲା |
‘ହଁ ସେ ଡବାଗୁଡାକ ଖୋଲି ଦେଖ’- ବଡବୋହୂ ପରାମର୍ଶ ଦେଲା ଓ ନିଜେ ହାତ ଲଗାଇଲା | ଅବଶେଷରେ ପ୍ରମାଣିତ ହୋଇଗଲା ଯେ ଦିଅଣ୍ଡା କଉଡି, ଦୁଇଟି କଣା ପିତ୍ତଳ ପଇସା, ପୁରୁଣା କାଳିଆ ରୂପା ମୁଦ୍ରା ଓ ଗୋଟେ ଜାତକ, ଗୋଟା ଗୁଆ, ନିର୍ମାଲ୍ୟ ଏବଂ ହନୁମାନ ପଇସାଟିଏ ଛଡା ଆଉ ସେଥିରେ କିଛି ନ ଥିଲା |
‘ଆଉ କିଛି ନାହିଁ ?’ ନିରାଶାରେ ପଚାରିଲା ସୁଖରାମ ଏବଂ ହାତ ପୂରାଇ ଗୋଟେ ଅଦରକାରୀ କାଗଜ ପରି ଦେଖାଯାଉଥିବା ଚାରିପୃଷ୍ଠାର ଗୋଟେ ତାଲିକା ବାହାରକରି ଆଣିଲା | ସେଟା ଚଉତା ହୋଇ ବାକ୍ସର ଗୁପ୍ତ ପକେଟ ଭିତରେ ସାଇତା ହୋଇ ରଖାଯାଇଥିଲା | ଏଥର ସମସ୍ତଙ୍କ ଚକ୍ଷୁ ଉଜ୍ଜଳ ହୋଇଉଠିଲା |
ଦୁଃଖରାମ କହିଲା-‘ଦେଖ, ଦେଖ ସେଇଥିରେ ମାଆ ଲୋକଙ୍କ ନାଁ ଓ ହିସାବ ଲେଖି ରଖିଥିବ |’
ବାପା କହିଲେ- ‘ହଁ…ହଁ ଭଲକରି ଦେଖ | ସେଇଟା ହୋଇପାରେ |’ ସମସ୍ତେ ସୁଖରାମର ହାତକୁ ଅନାଇଲେ |
‘ନାଁ’ ଏଇଟା ମୋ ବାହାଘର ବେଳେ ଶଶୁରଘରୁ ଆସିଥିବା ଯଉତୁକ ଜିନିଷପତ୍ରର ତାଲିକା |’ ସୁଖରାମ ଦୀର୍ଘଶ୍ବାସଟିଏ ଛାଡି କହିଲା | କହିଲା-‘ମାଆ ଏଇଟାକୁ ମୋ ଝିଅର ବାହାଘର ବେଳେ ଦରକାର ହେବ ବୋଲି ସାଇତିରଖିଛି ବୋଲି ମୋତେ ଥରେ କହିଥିଲା |’
‘ଯାଃ…. ବେକାର କାଗଜ | ଶଃ.., ଏତେଗୁଡାଏ ପଇସାପତ୍ର ଯାହା ପାଣିରେ ପଡିଲା, କିଏ କେତେ ନେଇଛନ୍ତି ଆଉ କଣ ଫେରାଇବେ | ଗଲା, ସବୁ ବୁଡିଗଲା |’ ଦୁଃଖରାମ କହିଲା |
ବାକ୍ସରେ ତ କିଛି ନାହିଁ | ସିନ୍ଦୁକର ତାଲା ଭାଙ୍ଗିଦିଅ ଦେଖିବା | ସିନ୍ଦୁକରେ ନିଶ୍ଚିତ ଥାଇପାରେ କିଛି | କାରଣ ମାଆ ପ୍ରାୟ ସିନ୍ଦୁକ ଥିବା ଘର ଭିତରକୁ ବିନା ଅନୁମତିରେ କାହାରିକୁ ପ୍ରବେଶ କରିବାକୁ ଦେଉ ନ ଥିଲା, କହିଲା ଦୁଃଖରାମ |
ବାପା ନୀରବରେ ସମର୍ଥନ ଜଣାଇଲେ ଯାହାର ଦୁଇଟି ଅର୍ଥ ଥିଲା | ହଁ ଓ ନା | ବୋହୂମାନେ ପ୍ରାୟ ସେଇଆ ଚାହୁଁଥିଲେ | ଦୂରିଆ ବନ୍ଧୁ ଯେଉଁ କେତେଜଣ ତଥାପି ଯାଇପାରି ନ ଥିଲେ ସେମାନେ ବି ଏହି ଅଭିଯାନରେ ସାମିଲ୍ ହୋଇସାରିଥିଲେ ଓ ସେମାନେ ବି ଆଶା କରୁଥିଲେ ସିନ୍ଦୁକରୁ କିଛି ବାହାରୁ |
ବଡଅପାର ଦୁଷ୍ଟ ସାନପୁଅ ଯିଏ ଟି.ଭି ରୁ ଅଲିଫ୍ ଲୈଲା ଦେଖିଥିଲା ସେ ଗୋଟେ ବିରାଟ ଯାଦୁକର ପରି କହିଲା ଖୁଲ୍ ଯା…. ସିମ୍ ସିମ୍ | ଏକ ଭାବଗମ୍ଭୀର ଅଭିଯାନର ସାମୟିକ ବିରତି ହେଲା ପରି ସମସ୍ତଙ୍କ ଓଠ ସାମାନ୍ୟ ପ୍ରସାରିତ ହୋଇଉଠିଲା |
‘ଚୁଉପ୍…..’ କହିଲା ବଡଅପା, କାରଣ ବଡଅପା ବି ଚାହୁଁଥିଲା ତା ଉପସ୍ଥିତିରେ ଏ ସିନ୍ଦୁକ ଖୋଲାଗଲେ ଯେଉଁ ସବୁ ଗହଣାଗାଣ୍ଠି ମିଳିବ, ସେ ସବୁରୁ ବି ତାର ଭାଗ ଅଛି ଏବଂ ସେ ଏକୁଟିଆ ଏ ଭାଗ ନେଇପାରେ କାରଣ ମାଆର ଗେଲବସର ସାନଝିଅ ତା ଘରକୁ ଯାଇସାରିଛି |
ସୁଖରାମ କହିଲା ‘ଦେ ଭାଙ୍ଗ ତାକୁ, ଦେଖିବା’
ନା, ଥାଉ….ତାକୁ ଭାଙ୍ଗନାହିଁ, କହିଲେ ବାପା |
‘କାହିଁକି ?’ ପ୍ରଶ୍ନ କଲା ଦୁଃଖରାମ |
ବାପା କହିଲେ- ଥାଉ ସେ ସିନ୍ଦୁକ | ତମ ଜେଜେମା ଓ ମାଆଙ୍କର ସ୍ମୃତି ହୋଇ ସେ ସେମିତି ଥାଉ | ଯାହା ଅଛି ତା ଭିତରେ ସେମିତି ଥାଉ | ଆଉ ଯଦି ନିହାତି ତମମାନଙ୍କର ତାକୁ ଭାଙ୍ଗିଦେବା ଦରକାର ତେବେ ମୋ ମଲାପରେ ଭାଙ୍ଗିଦେବ | ଟୁକୁରା ଟୁକୁରା କରି ଭାଙ୍ଗିଦେବ ଓ ତାକୁ ନିଶ୍ଚିହ୍ନ କରିଦେବ | ଅନ୍ତତଃ ମୋ ବଞ୍ଚିବା ଯାଏ ତାକୁ ସେମିତି ଗୋଟାପଣେ ରହିବାକୁ ଦିଅ |’
ସମସ୍ତେ ଚୁପ୍ ରହିଲେ |
0 Response to "ସିନ୍ଦୁକ"
Post a Comment